ଭଞ୍ଜନଗର,୦୮/୦୭: ଗଞ୍ଜାମ ଜିଲ୍ଲା ବଡଗଡ ଥାନା ପାଇକସାହିରେ ଅଭାବନୀୟ ଘଟଣା। ସ୍ତ୍ରୀକୁ ପିଟିପିଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ହେଲେ ଆରତୀ ଦୋହରି । ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ପୋଲିସ ।
ସୂଚନା ମୁତାବକ, କବିସୂର୍ଯ୍ୟନଗର ଗ୍ରାମର ଦେବରାଜ ନାହାକଙ୍କ ଝିଅ ଆରତୀ ଦୋହରି ୯ ବର୍ଷ ପୂର୍ବେ ବଡ଼ଗଡ଼ ଗ୍ରାମର ରାଜୁ ଦୋହରିଙ୍କୁ ବିବାହ କରିଥିଲେ । ଗତକାଲି ରାତିରେ ସ୍ୱାମୀ ମାରପିଟ କରୁଥିବା ଫୋନ କରି ନିଜ ମାଙ୍କୁ ଜଣାଇଥିଲେ ଆରତୀ । ପରେ ଆରତୀଙ୍କ ବାପା ଓ ଘରଲୋକ ବାରମ୍ବାର ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଫୋନ ସୁଇଚ୍ ଅଫ୍ ଆସିଥିଲା । ଭୋର ସମୟରେ ଆରତୀଙ୍କର ମୃତ୍ୟୁ ହୋଇଥିବା ଶ୍ୱଶୁର ଘରକୁ ଫୋନ କରି ଜଣାଇଥିଲା ସ୍ୱାମୀ । ସୋମବାର ଆରତୀଙ୍କର ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ ଦେବାପରେ ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ବଡ଼ଗଡ଼ ପୋଲିସ ।