କଟକ ୦୬/୧୦ (ସୁକେଶ ବେହେରା) : ଚଉତିରିଶ ଚାନ୍ଦି ମେଢ଼, ହାରାହାରି ହିସାବରେ ଗୋଟିକୁ ଅଢ଼େଇରୁ ସାଢ଼େ ତିନି କ୍ବିଣ୍ଟାଲ୍ ଧରିଲେ ମୋଟ ଶହେ କ୍ବିଣ୍ଟାଲ ଚାନ୍ଦି। ରୁପାର ବଜାର ଦର ଓ ତାରକସି କାରିଗରି ଗଢ଼ା ମୂଲ୍ୟ ମିଶାଇଦେଲେ ପାଖାପାଖି ଶହେ କୋଟି। ସେମିତି, ମାଙ୍କ ମୁକୁଟ ଓ ଆଭୂଷଣଠୁ ଆରମ୍ଭ କରି ପାର୍ଶ୍ବ ଦେବାଦେବୀଙ୍କ ମୁକୁଟ,ଅଳଙ୍କାର, ଅସ୍ତ୍ରଶସ୍ତ୍ରକୁ ମିଶାଇଦେଲେପ୍ରାୟ ୧ କ୍ବିଣ୍ଟାଲ ସୁନା। ଗଢ଼ା ମୂଲ୍ୟ ସହ ଦାମ୍ ଛୁଇଁଯିବ ଆଉ ଶହେ କୋଟିଏସବୁର ସ୍ତାହବ୍ୟାପୀ ଉନ୍ମୁକ୍ତ ପ୍ରଦର୍ଶନୀ ହେବ ପୂଜାମଣ୍ଡପରେ। ସୁନା-ଚାନ୍ଦିର ଆଟୋପରେ ଐଶ୍ବର୍ଯ୍ୟରେ, ଔଜଲ୍ୟରେ ଝଲସିବମାଙ୍କ ମଣ୍ଡପ। କଟକ ଦଶହରା ଏହି ଆଖିଝଲସା ବିଭବକୁ ନେଇ ପ୍ରମେୟ ର ସ୍ବତନ୍ତ ପ୍ରତିବେଦନ।
Durga Puja 2024: Get all updated News, Videos and Photos of Durga Puja
ତାରକସି କାମ ପାଇଁ ରୌପ୍ୟନଗରୀ କୁହାଯାଉଥିବା କଟକକୁ ଯଥାର୍ଥ ଭାବେ ରୁପାରେ ସଜେଇଛି ଏହାର ଦଶହରା । କଟକ ଦଶହରାର ସବୁଠୁ ବଡ଼ ଆକର୍ଷଣ ହେଉଛି ରୁପା ତାରକସି କାମରେ ପରିପୂର୍ଣ୍ଣ ଚାନ୍ଦି ମେଢ଼ । କଟକରେ ଅଦ୍ୟାବଧି ୩୩ଟି ଚାନ୍ଦିମେଢ ରହିଛି । ଚଳିତବର୍ଷ ଚାନ୍ଦିମେଢ କ୍ଲବ୍ରେ ସାମିଲ୍ ହେବାକୁ ଯାଉଛନ୍ତି କନିକାରୋଡ୍ରାମଗଡ଼ ବନଦୁର୍ଗା ପୂଜା କମିଟି ଓ ତୁଳସୀପୁର ଦୁର୍ଗାପୂଜା କମିଟି । ତେଣୁ ଚଳିତ ବର୍ଷ ଦୁର୍ଗାପୂଜା ଆରମ୍ଭ ହେବା ସହ କଟକର ଚାନ୍ଦିମେଢ ସଂଖ୍ୟା ୩୫ରେ ପହଞ୍ଚିବ ।
୧୯୫୬ ମସିହାରେ କଟକର ପ୍ରଥମଚାନ୍ଦି ମେଢ ପ୍ରତିଷ୍ଠା କରିଥିଲା ଚୌଧୁରୀବଜାର ଶ୍ରୀଶ୍ରୀ ଦୁର୍ଗା ପଞ୍ଚାୟତ କମିଟି । ଏହାର ପ୍ରାୟ ୩୫ବର୍ଷ ପରେ କଟକଚଣ୍ଡୀ ରୋଡ୍-ଶେଖ୍ବଜାର ପୂଜା କମିଟି ୧୯୯୧ ମସିହାରେ କଟକ ଦୁର୍ଗାପୂଜାର ଚମକ ବୃଦ୍ଧି କରି ଦ୍ୱିତୀୟ ଚାନ୍ଦିମେଢ ନିର୍ମାଣ କରିବାର ଗୌରବ ଅର୍ଜନ କରିଥିଲା । ପରକୁ ପର କଟକ ସହରର ବହୁ ପୂଜା କମିଟି ଚାନ୍ଦିମେଢ ତିଆରି କରିବାକୁ ଆଗେଇଲେ । ଚଳିତବର୍ଷ ଦଶହରା ସୁଦ୍ଧା ଏହି ସଂଖ୍ୟା ୩୫ରେ ପହଞ୍ଚିବ ।
ପ୍ରତ୍ୟେକ ପୂଜା କମିଟିର ଚାନ୍ଦିମେଢ ଓ ସାଜସଜ୍ଜା ୨ କ୍ୱିଣ୍ଟାଲ୍ରୁ ଆରମ୍ଭ କରି ୪ କ୍ୱିଣ୍ଟାଲ୍ ପର୍ଯ୍ୟନ୍ତ ରହିଛି । ତେଣୁ ଏହି ହିସାବରେ ୩୪ଟି ଚାନ୍ଦିମେଢର ମୋଟ୍ ଓଜନ ଦେଖିଲେ ପ୍ରାୟ ୧୦୦ କ୍ୱିଣ୍ଟାଲ୍ରୁ ଅଧିକ ହେବ । ଆଜିର ସମୟରେ ଏହି ଶହେ କ୍ୱିଣ୍ଟାଲ୍ ଓଜନର ଚାନ୍ଦି ମୂଲ୍ୟ ଶହେ କୋଟି ଟଙ୍କା । ତାରକସିର ଗଢା ମୂଲ୍ୟ ମିଶାଇଲେ ଏହି ପରିମାଣ ଆହୁରି ୧୦ କୋଟି ଟଙ୍କା ବଢିବ ।
କେବଳ ଚାନ୍ଦି ନୁହଁ, ବରଂ ପୂଜା କମିଟିମାନେ ଏଣିକି ସୁନା ବ୍ୟବହାର ନେଇ ମଧ୍ୟ ପ୍ରତିଯୋଗିତା ଆରମ୍ଭ କରିସାରିଛନ୍ତି । ୧୯୯୩ ମସିହାରେ ଚୌଧୁରୀବଜାର କମିଟି ଦେବୀ ଦୁର୍ଗାଙ୍କ ଲାଗି ସାଢେ ତିନିକିଲୋ ଓଜନର ପ୍ରଥମ ସୁନା ମୁକୁଟ ନିର୍ମାଣ କରି ସାରା ଓଡ଼ିଶାରେ ଚହଳ ପକାଇଥିଲା । ଏହା ପରଠାରୁ ଅନ୍ୟ ପୂଜା କମିଟିମାନେ ସୁନାମୁକୁଟ ଟ୍ରେଣ୍ଡ୍ରେ ଆଗେଇଲେ । ଏଯାବତ୍ ଶେଖ୍ବଜାର, ରାଣୀହାଟ, ଚାଉଳିଆଗଞ୍ଜ, ଖାନ୍ନଗର, କାଠଗଡ଼ାସାହି, ମଙ୍ଗଳାବାଗ୍ ଭଳି ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ମସ୍ତକରେ ସୁନାମୁକୁଟ ଶୋଭା ପାଇସାରିଛି। କେବଳ ସୁନା ମୁକୁଟ ନୁହେଁ, ମା’ଙ୍କ ଲାଗି ସୁନା ଆଭୂଷଣ, ସାଜସଜ୍ଜା, ହାର, ପାଶ୍ୱର୍ ଦେବାଦେବୀଙ୍କ ଲାଗି ସୁନା ମୁକୁଟ କରିବାକୁ ମଧ୍ୟ ପୂଜା କମିଟି କାର୍ଯ୍ୟକର୍ତ୍ତାମାନେ ଗୁରୁତ୍ୱ ଦେଇଆସୁଛନ୍ତି । ଏମିତିକି ଚୌଧୁରୀବଜାର ଆଜକୁ ୧୧ବର୍ଷ ତଳୁ ଚାନ୍ଦିମେଢରେ ସୁନା କାମ କରିବା ଆରମ୍ଭ କରିସାରିଛି । ସୁନା କଲିକା ନିର୍ମାଣ କରି ସମସ୍ତଙ୍କୁ ଆଚମ୍ବିତ କରିଛି ।
ସେହିପରି ଅନେକ ପୂଜା କମିଟି ସୁନାମୁକୁଟ ନକରି ମଧ୍ୟ ମା’ଙ୍କ ଲାଗି ସୁନା କାନଫୁଲ, ହାର, ନୋଥ, ଟିକିଲି, ସିନ୍ଥି ଆଦି ନିର୍ମାଣ କରିଛନ୍ତି । ତେଣୁ କଟକ ଦୁର୍ଗାପୂଜାରେ ମୋଟ୍ ସୁନାର ହିସାବ ଦେଖିଲେ ୧୦୦ କିଲୋରୁ ଅଧିକ ହେବ, ଯାହାର ବଜାର ମୂଲ୍ୟ ଆଜିର ଦିନରେ ୮୦ କୋଟି ଟଙ୍କା । ଗଢାମୂଲ୍ୟ ମିଶାଇଲେ କଟକ ଦୁର୍ଗାପୂଜାରେ ବ୍ୟବହୃତ ସୁନାମୂଲ୍ୟ ଶହେ କୋଟି ଟଙ୍କା ଛୁଇଁବ ।
ଚାନ୍ଦି ସଫେଇ କାରଖାନା
ଦୁର୍ଗାପୂଜା ପାଇଁ ବିଭିନ୍ନ ପୂଜା କମିଟି ଇତିମଧ୍ୟରେ ପ୍ରସ୍ତୁତି ଜୋର୍ଦାର କରିଛନ୍ତି । ଚାନ୍ଦି ମେଢ ପ୍ରସ୍ତୁତି ପାଇଁ ତାରକସି କାରିଗରଙ୍କୁ ଆଉ ଫୁରସତ୍ ନାହିଁ । ଦିନରାତି କାରଖାନାରେ କାମରେ ବ୍ୟସ୍ତ ରହିଛନ୍ତି କାରିଗରମାନେ । ବର୍ଷକୁ ଥରେ ଦୁର୍ଗାପୂଜା ପାଇଁ ଚାନ୍ଦି ସଫେଇ କାମ କରାଯାଏ । ସବୁ କାରିଗରଙ୍କ ପାଖରେ ଏକାଧିକ ପୂଜା କମିଟିର ଚାନ୍ଦି କାମ ରହିଛି । କଟକ ଦଶହରାକୁ ଆକର୍ଷଣୀୟ ହେବା ପଛରେ ଏମାନଙ୍କ ପ୍ରମୁଖ ଭୂମିକା ରହିଆସିଛି ।
ଦଶହରାର କିଛି ମାସ ଆଗରୁ ସହରରେ ଥିବା ତାରକସି କାରଗରମାନେ ଭଲ ଦୁଇପଇସା ରୋଜଗାର କରିବାକୁ ସୁଯୋଗ ପାଆନ୍ତି । ପ୍ରତିବର୍ଷ ଏକାଧିକ ନୂଆ ଚାନ୍ଦି ମେଢ଼ ତିଆରି କରିବାକୁ ବହିନା ମିଳୁଛି । ତା’ଛଡ଼ା ପ୍ରାୟ ପୂଜା କମିଟି ଚାନ୍ଦି ସଫେଇ କରିବାକୁ ମଧ୍ୟ ଦେଇଥାନ୍ତି । ପୂଜା ପାଇଁ ବିଭିନ୍ନ ଚାନ୍ଦି ମେଢ ସମେତ ଶତାଧିକ ପୂଜା କମିଟିର ଚାନ୍ଦି ଆଭୂଷଣ ସଫେଇ କରିବାକୁ ଦିଆଯାଏ । ସଫେଇ କାରଖାନାରେ ଶତାଧିକ କାରିଗର ଏକାଠି ହୋଇ ଦିନରାତି ଏକ କରି ଦଶହରାର ମାସକ ପୂର୍ବରୁ କାମରେ ଲାଗି ପଡନ୍ତି । ଏମିତି କିଛି କାରଖାନା ବଦଳରେ କିଛି ପୂଜା ମଣ୍ଡପରେ ମଧ୍ୟ ଚାନ୍ଦି ସଫେଇ ହୁଏ । କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ଓଜନର ଚାନ୍ଦି ସଫେଇ କରି ଲକ୍ଷାଧିକ ଟଙ୍କା ରୋଜଗାର କରିଥାନ୍ତି ତାରକସି କାରିଗର । କଟକ ସହରରେ ହାତଗଣିତ କିଛି ତାରକସି କାରଖାନା ରହିଛି ।
ସେଥିରୁ ଅଧିକାଂଶ କାରଖାନା ମଙ୍ଗଳାବାଗ୍, ଶେଖ୍ବଜାର, ଅଲିଶାବଜାର, କାଫଲା ବଜାର, ମାନସିଂହପାଟଣାରେ ରହିଛି । ବର୍ଷକୁ ଅନ୍ୟ ଚାନ୍ଦି କାମ କରୁଥିବା କାରିଗରମାନେ ଦୁର୍ଗାପୂଜା ଆସିଲେ ନୂଆ ଚାନ୍ଦିମେଢ କିମ୍ବା ଚାନ୍ଦି ସଫେଇ କାମ କରନ୍ତି । ହିସାବ ଅନୁସାରେ, ୧ କ୍ୱିଣ୍ଟାଲ୍ ଚାନ୍ଦି ସଫେଇ କଲେ ପ୍ରାୟ ୩୦ହଜାର ଟଙ୍କା ପାରିଶ୍ରମିକ ମିଳେ । ତେଣୁ ବିଭିନ୍ନ କମିଟିର ଚାନ୍ଦି ସଫେଇ ଏବଂ ନୂଆ କାମ ମିଶିଲେ ଦଶହରା ମାସରେ କାରିଗରମାନେ ଭଲ ଦି’ ପଇସା ରୋଜଗାର କରିବାକୁ ସକ୍ଷମ ହୁଅନ୍ତି ।
Read More: ଦଶହରା ବୁଲିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମା’ଙ୍କ ଦର୍ଶନ କରି ଓଡ଼ିଶାବାସୀଙ୍କ ପାଇଁ ମାଗିବେ ଆଶିଷ
ଚାନ୍ଦି ସଫା ଶୈଳୀ
ଚାନ୍ଦି ସଫେଇ କରିବାର ଶୈଳୀ ବେଶ୍ ନିଆରା । ଯେଉଁ କମିଟିର ଚାନ୍ଦି ପୁରୁଣା ହୋଇଗଲାଣି ସେମାନେ ପ୍ରାୟ ଏହାକୁ ସଫା କରନ୍ତି । ପ୍ରଥମେ ନିଆଁ ଧାସ ଦିଆଯାଇ ଏହାକୁ ହାଲୁକା ପୋଡ଼ାଯାଇଥାଏ । ପରେ ଏସିଡ୍ରେ ପକାଇ ରଖାଯାଏ । କିଛି ଘଣ୍ଟା ପରେ ଏସିଡ୍ ପାଣିରୁ କଢାଯାଇ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଇଠାଫଳର ପାଣିରେ ପକାଯାଇଥାଏ । ତିନିଟି ପ୍ରକ୍ରିୟା ପରେ ଚାନ୍ଦି ଗୁଡିକ ପୁଣି ନୂଆ ଭଳି ଚିକ୍ଚିକ୍ କରନ୍ତି । ମେଢରେ ଲାଗିଥିବା ତାରକସି କାରୁକାର୍ଯ୍ୟର ସଫେଇ କେବଳ କଟକରେ ହିଁ ସମ୍ଭବପର ହୋଇଥାଏ । କାରଣ ଏଠାକାର କାରିଗରମାନେ ଏହି କାମରେ ବେଶ୍ ଦକ୍ଷ । ଚାନ୍ଦି ସଫା କରିବା ପରେ ଏହା ନୂଆଭଳି ଚମକି ଥାଏ ଏବଂ ଏହା ମୂର୍ତ୍ତିର ଶୋଭା ବଢ଼ାଇଥାଏ।
ଷ୍ଟ୍ରଙ୍ଗ୍ରୁମ୍ ଓ ସ୍ୱତନ୍ତ୍ର ଲକର
ଯେତେବେଳେ ଯେଉଁ ପୂଜା କମିଟି ଚାନ୍ଦିମେଢ କରନ୍ତି ତା’ପୂର୍ବରୁ ସୁନାଚାନ୍ଦିକୁ ବର୍ଷତମାମ୍ ସୁରକ୍ଷିତ ରଖିବାକୁ ମଣ୍ଡପରେ ଷ୍ଟ୍ରଙ୍ଗ୍ରୁମ୍ ଓ ସ୍ୱତନ୍ତ୍ର ଲକର୍ ବ୍ୟବସ୍ଥା କରାଯାଇଥାଏ । ଅତ୍ୟାଧୁନିକ ବ୍ୟବସ୍ଥାରେ ରହିଥିବା ଏହି ଲକର୍ର ଚାବି ଏବଂ କୋଡ୍ ନମ୍ବର କେବଳ ପୂଜା କମିଟିର ନିର୍ଦ୍ଦିଷ୍ଟ ବରିଷ୍ଠ କାର୍ଯ୍ୟକର୍ତ୍ତା, କୋଷାଧ୍ୟକ୍ଷ ବା ହିସାବରକ୍ଷକଙ୍କୁ ମାଲୁମ୍ ଥାଏ । ଲକର୍ ଖୋଲାଯିବା ନେଇ ମଧ୍ୟ ଅନେକ ନିୟମ କାନୁନ୍ ରହିଛି । ଦଶହରାର ମାସକ ପୂର୍ବରୁ ଚାନ୍ଦି ସଫା ପାଇଁ ଲକର୍ ଖୋଲାଯାଇଥାଏ । କିନ୍ତୁ ଏହା ପୂର୍ବରୁ ଲକର ଖୋଲିବା ସଂପର୍କରେ କର୍ମକର୍ତ୍ତା ଓ ସାହିଭାଇଙ୍କୁ ସୂଚନା ଦିଆଯାଏ । କେଉଁ ନିର୍ଦ୍ଦିଷ୍ଟ ଦିନ ଲକର୍ ଖୋଲାଯିବ ସେଦିନ ସାହିଭାଇ ଉପସ୍ଥିତ ରହିବେ । ସୁନାଚାନ୍ଦିର ହିସାବ ତାଲିକା ମଧ୍ୟ ସବୁ ପୂଜା କମିଟିର ରହିଛି । ହିସାବରକ୍ଷକ ଖାତା ଧରି ଡାକ ଛାଡ଼ିବା ପରେ ଗୋଟିଏ ପରେ ଗୋଟିଏ ଜିନିଷ ବାହାର କରାଯିବ । ସାହିଭାଇ ଟିକିନିକି ଦେଖିବା ପରେ ସୁନାଚାନ୍ଦିର ଓଜନ ମଧ୍ୟ କରାଯିବ ।
ତାଲିକାରେ ରହିଥିବା ହିସାବ ଏବଂ ଓଜନ ମାପ ସମାନ ହେବା ପରେ ସର୍ବସାଧାରଣଙ୍କ ଉପସ୍ଥିତିରେ ସଫା କରିବାକୁ ଅନୁମତି ଲୋଡ଼ାଯିବ । ପରେ ୧୫ଦିନ ଧରି ସଫା କାମ ଚାଲିବ । ଚାନ୍ଦି ସଫା ବେଳେ କମିଟିର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ତଦାରଖ କରିବେ । ଦୁର୍ଗା ଓ କାଳୀ ପୂଜା ସରିବା ପରେ ଚାନ୍ଦିସବୁ ପୁଣିଥରେ ମେଢରୁ ଖୋଲାଯାଇ ବୈଠକ ଡକାଯିବ । ସର୍ବସାଧାରଣଙ୍କ ଉପସ୍ଥିତିରେ ପୁଣି ତାଲିକା ଦେଖି ହିସାବ କରାଯିବ । ସେଗୁଡିକୁ ଲକର୍ରେ ରଖାଯିବା ଯାଏ ସାହିଭାଇ, କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିବେ । ପରେ ବର୍ଷ ତମାମ୍ ଏହି ଷ୍ଟ୍ରଙ୍ଗ୍ରୁମ୍ ସିସିଟିଭି ନଜରରେ ରହିଥାଏ ।
ପ୍ରଥମ ଚାନ୍ଦିମେଢ ଓ ପ୍ରଥମ ସୁନା ମୁକୁଟ ପ୍ରତିଷ୍ଠା କରି କଟକ ଦଶହରାର ଏକ ଟ୍ରେଣ୍ଡ୍ ସେଟର୍ ଭାବେ ଚୌଧୁରୀବଜାର ମାନ୍ୟତା ପାଇଛି । ୧୮୭୨ ମସିହାରେ ଚୌଧୁରୀବଜାର ଶ୍ରୀଶ୍ରୀ ଦୁର୍ଗା ପଞ୍ଚାୟତ କମିଟି ତରଫରୁ ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ୧୯୫୫ ମସିହାରେ ଡକ୍ଟର ହରେକୃଷ୍ଣ ମହତାବ ଚୌଧୁରୀବଜାର ଚାନ୍ଦିମେଢର ଶୁଭାରମ୍ଭ କରିଥିଲେ । ବର୍ଷକ ପରେ ଅର୍ଥାତ୍ ୧୯୫୬ ମସିହାରେ ରାଜ୍ୟର ପ୍ରଥମ ଚାନ୍ଦିମେଢ ଓ ଚାନ୍ଦି ସିଂହାସନ ନିର୍ମାଣ କରି ନୂଆ ଇତିହାସ ରଚିଥିଲା ଚୌଧୁରୀବଜାର ପୂଜା ମଣ୍ଡପ । ମେଢ ଓ ସିଂହାସନକୁ ମିଶାଇ ପ୍ରାୟ ଅଢେଇ କ୍ୱିଣ୍ଟାଲ୍ରୁ ଅଧିକ ଚାନ୍ଦି ବ୍ୟବହାର କରାଯାଇଥିବା କୁହାଯାଉଛି । ୧୯୯୩ ମସିହାରେ ମା’ ଦୁର୍ଗାଙ୍କ ପାଇଁ ସାଢେ ତିନିକିଲୋ ଓଜନର ସୁନାମୁକୁଟ ତିଆରି କରି ମେଢ଼ରେ ପ୍ରଥମ ସୁନା ପ୍ରଚଳନର ଟ୍ରେଣ୍ଡ୍ ସେଟ୍ କରିଥିଲା ଚୌଧୁରୀବଜାର । ୨୦୦୨ ମସିହାରେ ପାଶ୍ୱର୍ଦେବାଦେବୀଙ୍କ ଲାଗି ସୁନାମୁକୁଟ ଓ ଗହଣା କରାଯାଇଥିଲା । ୨୦୦୫ ମସିହାରେ ସୁନାମେଢ ଆଡକୁ କମିଟି ପାଦ ବଢାଇଥିଲା । ମା’ଙ୍କ ଲାଗି ସୁନାର ଚମ୍ପାହାର, ଚାନ୍ଦିମେଢରେ ୪ଟି କଲିକା ତିଆରି ହୋଇଥିଲା । ୨୦୦୫ରେ ପାଶ୍ୱର୍ ଦେବାଦେବୀଙ୍କ ଲାଗି ସୁନାହାର କରାଯାଇଥିଲା । ୨୦୧୩ରେ ଚାନ୍ଦିମେଢ ଉପରେ ଏକ ଓମ୍ ଆକୃତିର ସୁନା ଲଗାଇ ଆକର୍ଷଣ ସୃଷ୍ଟି କରିଥିଲା ଚୌଧୁରୀବଜାର । ବର୍ତ୍ତମାନ ସୁଦ୍ଧା ଚୌଧୁରୀବଜାର ୯ଟି ସୁନା କଲିକା ମେଢରେ ଲଗାଇ ସାରିଛି । ଚଳିତ ବର୍ଷର ଚ ଆହୁରି ଦୁଇଟି ସୁନା କଲିକା ଲାଗଯାଉଛି ।
ଦିଲ୍ଲୀରେ ବି ଚମକିଛି
କଟକ ଦୁର୍ଗାପୂଜାରେ ଚାନ୍ଦିର ଚମକ ଦେଖିବାକୁ ବିଭିନ୍ନ ଅଞ୍ଚଳରୁ ଲୋକ ଏଠାକୁ ଆସନ୍ତି । କିନ୍ତୁ ଆଜିକୁ ୨୪ବର୍ଷ ପୂର୍ବରୁ କଟକର ଏକ ଚାନ୍ଦିମେଢ ଦିଲ୍ଲୀ ଦରବାରରେ ପ୍ରଦର୍ଶିତ ହୋଇଥିଲା । ଚାନ୍ଦି ମେଢର ପ୍ରଦର୍ଶନୀର ଏହି ଗୌରବ କଟକ ଦଶହରାକୁ ଆହୁରି ଲୋକପ୍ରିୟ କରିଛି । ଏ ନିଆରା କୃତିତ୍ୱ ଅର୍ଜନ କରିଛି ଅଲିଶାବଜାର ପୂଜା କମିଟି । କଟକ ସହରର ଚତୁର୍ଥ ଚାନ୍ଦିମେଢ ଭାବେ ପ୍ରତିଷ୍ଠା ହାସଲ କରିଥିଲା ଅଲିଶାବଜାର । ପ୍ରାୟ ସାଢେ ତିନି କ୍ୱିଣ୍ଟାଲ୍ ଚାନ୍ଦିରେ ନିର୍ମିତ ନିଖୁଣ ମେଢ଼ର ତାରକସି କାରୁକାର୍ଯ୍ୟ ଦେଖିଲେ ଆଖି ଝଲସି ଉଠେ । ଏହି ଅପୂର୍ବ କାରୁକାର୍ଯ୍ୟ ପାଇଁ ଅଲିଶାବଜାର ପୂଜା ମଣ୍ଡପର ଏହି ମେଢ ସୁଦୂର ନୂଆଦିଲ୍ଲୀ ଯାଇଥିଲା । ୨୦୦୦ ମସିହାରେ ନୂଆଦିଲ୍ଲର ପ୍ରଗତି ମଇଦାନରେଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଣିଜ୍ୟମେଳାରେ ଅଲିଶାବଜାର ଚାନ୍ଦି ମେଢ଼ ପ୍ରଦର୍ଶିତ ହୋଇଥିଲା । ଏହି ସୁନ୍ଦର ଚାନ୍ଦିମେଢରେ ଭାରତମାତାଙ୍କ ମୂର୍ତ୍ତି ପ୍ରଦର୍ଶନ କରାଯାଇଥିବା ବେଳେ ସାରା ବିଶ୍ୱରୁ ଆସିଥିବା ପ୍ରତିନିଧିମାନେ ଏହାର ପ୍ରଶଂସା କରିଥିଲେ।
ଚାନ୍ଦିମେଢ଼ ମଣ୍ଡପ
ଚୌଧୁରୀବଜାର, କଟକ ଚଣ୍ଡୀରୋଡ୍, ଶେଖ୍ବଜାର, ବାଲୁବଜାର, ଅଲିଶାବଜାର, ଚାନ୍ଦିନୀଚୌକ, କାଜିବଜାର, ଖଟବିନ୍ ସାହି, ଗଙ୍ଗାମନ୍ଦିର, ବୁଢ଼ୀଠାକୁରାଣୀ, କାଳୀଗଳି, ବାଖରାବାଦ୍, ମାଛୁଆବଜାର, ରାଣୀହାଟ, ମଙ୍ଗଳାବାଗ୍, କଲେଜଛକ ,ଚାଉଳିଆଗଞ୍ଜ, ଛତ୍ରବଜାର, ଫିରିଙ୍ଗିବଜାର, ନୟାସଡ଼କ, ତୁଳସୀପୁର, ମହାଦେବ, ଶଙ୍କରପୁର, ବାଦାମବାଡ଼ି, ଖାନ୍ନଗର, ବିଡାନାସୀ, ଗଣେଶଘାଟ, ଦରଘାବଜାର, ହରିପୁର, ଦୋଳମୁଣ୍ଡାଇ, ପିଠାପୁର, କାଠଗଡ଼ାସାହି, ଶିଖରପୁର,ଗଣ୍ଡରପୁର,ମହାନଦୀବିହାର, କଲେଜଛକ, ମହମ୍ମଦିଆ ବଜାର, କାଫଲାବଜାର, ନିମଚୌଡି ନିମସାହି ହରିଜନସାହି।