ନୂଆଦିଲ୍ଲୀ: ପ୍ରବାସି ଭାରତୀୟମାନଙ୍କୁ ନେଇ ଭାରତ ଫେରୁଥିବା ଆମେରିକୀୟ ବିମାନ ଗୁଡିକ ପଞ୍ଜାବର ଅମୃତସରରେ ଅବତରଣ କରିବେ ବୋଲି ସୂଚନା ମିଳିବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ସୂଚନା ମୁତାବକ ଆମେରିକାରେ ଥିବା ଅବୈଧ ପ୍ରବାସି ଭାରତୀୟମାନଙ୍କୁ ଧରି ଆମେରିକାର ଦୁଇଟି ବିମାନ ଆସନ୍ତା ଫ୍ରେବୃଆରି ୧୫ ଓ ୧୬ ତାରିଖରେ ପଞ୍ଜାବର ଅମୃତସର ବିମାନବନ୍ଦରରେ ଅବତରଣ କରିବ। ଏହାକୁ ନେଇ ବିରୋଧି ଦଳର ନେତାମାନେ ଶାସକ ଦଳକୁ ଘେରିଛନ୍ତି। କ’ଣ ପାଇଁ ବାରମ୍ବାର ଅମୃତସରକୁ ଅବତରଣ ସ୍ଥାନ ଭାବେ ଚିହ୍ନିତ କରାଯାଉଛି ବୋଲି ବିରୋଧି ଦଳ ଶାସକ ଦଳକୁ ପ୍ରଶ୍ନ କରିଛି।
ସୂଚନା ମୁତାବକ, ପ୍ରାରମ୍ଭିକ ପର୍ଯ୍ୟୟରେ ଆମେରିକାରୁ ୧୦୪ ଅବୈଧ ପ୍ରବାସି ଭାରତୀୟମାନଙ୍କୁ ନେଇ ଭାରତ ଫେରିଥିବା ବିମାନକୁ ଅମୃତସରରେ ଅବତରଣ କରାଯାଇଥିଲା। ତେବେ ଆସନ୍ତା ସପ୍ତାହନ୍ତ ସୁଦ୍ଧା ଆଉ ଦୁଇଟି ବିମାନକୁ ଅମୃତସର ବିମାନବନ୍ଦରରେ ଅବତରଣ କରିବାକୁ ଅନୁମତି ମିଳିଥିବାରୁ ବିରୋଧି ଦଳ ଶାସକ ଦଳକୁ ସିଧା ଟାର୍ଗେଟ କରିଛି। ପଞ୍ଜାବ ଛଡା ଆଉ ଅନ୍ୟ କୌଣସି ରାଜ୍ୟରେ କ’ଣ ପାଇଁ ଅନୁମତି ପ୍ରଦାନ କରାଯାଉନାହିଁ ବୋଲି ବିରୋଧି ଦଳ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛି।
ପଞ୍ଜାବର ଅର୍ଥମନ୍ତ୍ରୀ ହରପାଲ ସିଂ ଛିମା ସରକାରଙ୍କ ଏହି ନିଷ୍ପତ୍ତିକୁ ଦୃଢ ବିରୋଧ କରିଛନ୍ତି। ଏହି ନିଷ୍ପତ୍ତି ପଛରେ କେନ୍ଦ୍ର ସରକାରଙ୍କ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ସେ ଅଭିଯୋଗ ଆଣିଛନ୍ତି। “ଭାରତ ସରକାର ପଞ୍ଜାବକୁ ବଦନାମ କରିବାକୁ ଚାହୁଁଛନ୍ତି। ତେଣୁ ଆମେରିକାରୁ ଆସୁଥିବା ବିମାନ ଗୁଡିକୁ କେବଳ ଅମୃତସରରେ ଅବତରଣ କରିବାକୁ ଅମୁମତି ଦେଉଛନ୍ତି। କ’ଣ ପାଇଁ ବିମାନ ଗୁଡିକୁ ହରିୟାନା କିମ୍ୱା ଗୁଜୁରାଟରେ ଅବତରଣ କରିବାକୁ ଅନୁମତି ଦିଆଯାଉନାହିଁ। ବିମାନ ଗୁଡିକ ସିଧା ଅହମ୍ମଦାବାଦରେ ମଧ୍ୟ ଅବତରଣ କରିପାରନ୍ତେ। କିନ୍ତୁ ବିଜେପି ସିଧାସଳଖ ପଞ୍ଜାବକୁ ଟାର୍ଗେଟ କରୁଛି” ବୋଲି ସେ କହିଛନ୍ତି।
କଂଗ୍ରେସ ବିଧାୟକ ପର୍ଗତ ସିଂ ମଧ୍ୟ ଏହାକୁ ନେଇ ବୟାନ ଦେଇଛନ୍ତି। ସେ ପଞ୍ଜାବରେ ବାରମ୍ବାର ବିମାନ ଅବତରଣକୁ ଦୁର୍ଭାଗ୍ୟ ବୋଲି କହିଛନ୍ତି। “ହଁ ଭାରତକୁ ଆସୁଥିବା ପ୍ରବାସି ଭାରତୀୟମାନଙ୍କ ମଧ୍ୟରେ ଅନେକ ପଞ୍ଜାବି ଅଛନ୍ତି। କିନ୍ତୁ କେବଳ ପଞ୍ଜାବ କ’ଣ ପାଇଁ ? ବିମାନ ଅଲଗା ରାଜ୍ୟରେ ବି ତ ଅବତରଣ କରିପାରିବ। ପିଏମ ମୋଦି ବର୍ତ୍ତମାନ ଆମେରିକାରେ ଅଛନ୍ତି। ସେ ନିହାତି ଆମେରିକା ସରକାରଙ୍କ ସହ ଉଡାଣ ଭରିଥିବେ। କିନ୍ତୁ କେବଳ ଆମ ଦେଶର ଯୁବକମାନେ କ’ଣ ପାଇଁ ହାତକଢି ପିନ୍ଧି ବିମାନରୁ ଓହ୍ଲାଇବେ” ବୋଲି ସେ ପ୍ରଶ୍ନ କରିଛନ୍ତି।
ପଞ୍ଜାବରେ ଏହି ଭଳି ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଥିବା ବେଳେ ପଞ୍ଜାବର ବିଜେପି ମୁଖ୍ୟ ସୁନିଲ ଜାଖର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହି ଅଭିଯୋଗ ଭିତ୍ତିହିନ ବୋଲି ଦାବି କରିଛନ୍ତି। ଏହି ମାମଲାକୁ ନେଇ ରାଜନୈତିକ ଉସ୍ମତା ବଡୁତିବା ବେଳେ ପଞ୍ଜାବ ସରକାର ଏନେଇ ଏକ ଚାରିଜଣିଆ ସ୍ପେଶାଲ ଇନଭେଷ୍ଟିଗେସନ ଟିମ(ଏସଆଇଟି)ର ଗଠନ କରିଛନ୍ତି। ଯାହା ମାନବ ଚାଲାଣ ଓ ବେଆଇନ ସ୍ଥାନାନ୍ତରଣ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ରିପୋର୍ଟ ତଲବ କରିବ।
ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ପିଏମ୍ ମୋଦି ମାନବ ଚାଲାଣ ଓ ବେଆଇନ ସ୍ଥାନାନ୍ତରଣକୁ ନେଇ ଆମେରିକାରେ ନିଜ ସମ୍ୱୋଧନ ଦେଇଛନ୍ତି। ସେ ମାନବ ଚାଲାଣ ସଂଗଠନ ଗୁଡିକୁ ବନ୍ଦ କରିବା ଉପରେ ଜୋର ପ୍ରଦାନ କରିବା ସହ କାହା କଥାରେ ପଡି ଆମେରିକା ମଧ୍ୟକୁ ବେଆଇନ ଭାବେ ପ୍ରବେଶ ନକରିବାକୁ ଅନୁରୋଧ କରିଛନ୍ତି।