ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଦୀର୍ଘମିଆଦୀ ବିକାଶ ଲକ୍ଷ୍ୟ, ମାତ୍ର କୌଣସି ନିର୍ଦ୍ଦିଷ୍ଟ ରାଜ୍ୟ କିମ୍ବା କ୍ଷେତ୍ରକୁ ଖୁସି କଲା ଭଳି ହେଲାନି ବଡ଼ ଘୋଷଣା

ନୂଆଦିଲ୍ଲୀ, ୨୪/୦୭ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥର କୌଣସି ‘ବିଗ୍‌ ବ୍ୟାଙ୍ଗ୍‌’ ଘୋଷଣା କରିନାହାନ୍ତି । ମୋଟାମୋଟି ଭାବେ ଅନ୍ତରୀଣ ବଜେଟ୍‌ରେ ଯାହା ପ୍ରସ୍ତାବ ଥିଲା, ତାହାର ପୁନରାବୃତ୍ତି ହୋଇଛି । କୌଣସି ନିର୍ଦ୍ଦିଷ୍ଟ ରାଜ୍ୟ କିମ୍ବା କ୍ଷେତ୍ରକୁ ଖୁସି କଲା ଭଳି ସେମିତି କିଛି ଘୋଷଣା ହୋଇନାହିଁ । ବିତ୍ତୀୟ ଶୃଙ୍ଖଳାକୁ ଅପରିବର୍ତ୍ତିତ ରଖାଯାଇଛି । ଅର୍ଥମନ୍ତ୍ରୀ ଅମୃତସର-ଗୟା ଶିଳ୍ପ କରିଡର, ରାଜପଥ ଏବଂ ସହରୀ ଗରିବଙ୍କ ଲାଗି ୩ କୋଟି ଘର ଭଳି ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଘୋଷଣା କରିଛନ୍ତି । କିନ୍ତୁ ପୁଞ୍ଜି ବ୍ୟୟବରାଦ (କ୍ୟାପିଟାଲ ଏକ୍ସପେଣ୍ଡିଚର୍‌) କୁ ୧୧,୧୧,୧୧୧ କୋଟି ଟଙ୍କାରେ ଅପରିବର୍ତ୍ତିତ ରଖାଯାଇଛି । 

ଚଳିତବର୍ଷ ଫେବ୍ରୁଆରୀରେ ଆଗତ ଅନ୍ତରୀଣ ବଜେଟ୍‌ରେ ଏହି ଘୋଷଣା ହୋଇଥିଲା । ଦେଶର ପୁଞ୍ଜି ବ୍ୟୟ ୨୦୨୧-୨୨ ଆର୍ଥିକବର୍ଷରେ ୪୨% ବୃଦ୍ଧି ଘଟିଥିଲା ବେଳେ ୨୦୨୨-୨୩ରେ ଏହା ୨୪% ବଢ଼ିଥିଲା । କିନ୍ତୁ ୨୦୨୪-୨୫ ପାଇଁ ଆଗତ ଅନ୍ତରୀଣ ବଜେଟ୍‌ରେ ଏହି ବୃଦ୍ଧି ୨୦୨୩-୨୪ ତୁଳନାରେ ୧୧.୧%କୁ ଖସିଛି । ୨୦୨୩-୨୪ରେ ଏହା ୩୯.୯% ବଢ଼ିଥିଲା । ଆଉ ଏକ ବଡ଼ କଥା ହେଉଛି ସାଧାରଣ ବଜେଟ୍‌ରେ କୌଣସି କଲ୍ୟାଣମୂଳକ ସ୍କିମ୍‌ କିମ୍ବା ‘ଫ୍ରିବିଜ୍‌’ (ମାଗଣା ସ୍କିମ୍‌) ଉପରେ ମୋଟା ଅଙ୍କର ବ୍ୟୟବରାଦ ରଖାଯାଇ ନାହିଁ । ତେବେ ଟିକସଦାତାଙ୍କ ପାଇଁ କିଛିଟା ଆଶ୍ୱସ୍ତିକର ଘୋଷଣା ହୋଇଛି । ମଧ୍ୟବିତ୍ତ ଶ୍ରେଣୀକୁ ଫାଇଦା ନିମନ୍ତେ ବଡ଼ ପଦକ୍ଷେପ ନିଆଯିବା ନେଇ ଯେଉଁ ଆଶା ଥିଲା, ତାହା ଅନୁରୂପ ହୋଇନାହିଁ । 

ଅର୍ଥମନ୍ତ୍ରୀ ସୀତାରମଣ ବିତ୍ତୀୟ ନିଅଣ୍ଟକୁ ୨୦୨୪-୨୫ ଆର୍ଥିକବର୍ଷ ନିମନ୍ତେ ଜିଡିପିର ୪.୯%କୁ କମାଇବାକୁ ଲକ୍ଷ୍ୟ ରଖିଛନ୍ତି । ଫେବ୍ରୁଆରୀରେ ଆଗତ ଅନ୍ତରୀଣ ବଜେଟ୍‌ରେ ଏହି ଲକ୍ଷ୍ୟ ୫.୧% ରହିଥିଲା ବେଳେ ୨୦୨୫-୨୬ରେ ଏହାକୁ ୪.୫%କୁ କମାଇବା ପାଇଁ ଲକ୍ଷ୍ୟ ରହିଥିଲା । ଦୀର୍ଘମିଆଦୀ ଭାବେ ଅର୍ଥନୀତିକୁ ବଳ ଦେବା ପାଇଁ ୯ଟି ବିଭିନ୍ନ କ୍ଷେତ୍ର ଉପରେ ଫୋକସ୍‌ କରାଯାଇଛି । କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ନିର୍ବାଚନମଣ୍ଡଳୀକୁ ଖୁସି କରିବା ପାଇଁ ଲକ୍ଷ୍ୟ ରହିନାହିଁ । ଲୋକସଭା ନିର୍ବାଚନ ପରେ କେନ୍ଦ୍ରରେ ରାଜନୈତିକ ସ୍ଥିତିରେ କିଛି ପରିବର୍ତ୍ତନ ଆସିଛି । କ୍ଷମତାରେ ରହିବା ପାଇଁ ଏନ୍‌ଡିଏ ସହଯୋଗୀ ଦଳଗୁଡ଼ିକ ଉପରେ ବିଜେପିକୁ ନିର୍ଭରଶୀଳ ହେବାକୁ ପଡୁଛି । ପୂର୍ବରୁ ଆକଳନ ହେଉଥିଲା ଯେ ସହଯୋଗୀ ଦଳ ଟିଡିପି ଓ ଜେଡି(ୟୁ)ର ଚାପରେ କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶ ଓ ବିହାରକୁ ଖୁସି କଲା ଭଳି ବଜେଟ୍‌ ପ୍ରସ୍ତାବ ଆଣିବେ । ଯଦିଓ ଏହି ଦୁଇ ରାଜ୍ୟ ନିମନ୍ତେ ଅନେକ ସୁବିଧା ଯୋଗାଇବାକୁ ଘୋଷଣା ହୋଇଛି, କିନ୍ତୁ ସରକାରଙ୍କୁ ସମର୍ଥନ ଲାଗି ବୃହତ୍‌ ପାଣ୍ଠି ବ୍ୟବସ୍ଥା ନେଇ ସରକାର ଚାହିଁନାହାନ୍ତି । 

ଅର୍ଥମନ୍ତ୍ରୀ ସୀତାରମଣ ଅନ୍ତରୀଣ ବଜେଟ୍‌ ତୁଳନାରେ ଅଧିକ କିଛି ବ୍ୟୟବରାଦ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ଆଣିବା ନେଇ ଆଶା କରାଯାଉଥିଲା । ବିଶେଷକରି ବଜେଟ୍‌ ଆକାର ଅଧିକ ବଢ଼ିବା ନେଇ ଆଶା ଥିଲା । ରିଜର୍ଭ ବ୍ୟାଙ୍କର ୨ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଲାଭାଂଶ ଏବଂ ଆଖିଦୃଶିଆ ଟିକସ ଆଦାୟ ଦ୍ୱାରା ସରକାରଙ୍କୁ ମୋଟା ଅଙ୍କର ବଜେଟ୍‌ ଆଣିବା ଲାଗି ସୁଯୋଗ ସୃଷ୍ଟି ହେବା ନେଇ ବିଶେଷଜ୍ଞମାନେ ଭାବିଥିଲେ । ବିଶେଷକରି କଲ୍ୟାଣମୂଳକ ସ୍କିମ୍‌ରେ ଅଧିକ ବ୍ୟୟବରାଦ ବା ଟିକସଦାତାଙ୍କୁ ଆଶ୍ୱସ୍ତି ଦେବା ନେଇ ସରକାର ବଡ଼ ଖର୍ଚ୍ଚ ବ୍ୟବସ୍ଥା କରିବା ନେଇ କୁହାଯାଉଥିଲା । ସୂଚନା ଥାଉକି ୨୦୨୪-୨୫ ଆର୍ଥିକବର୍ଷରେ ଏ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ଆଦାୟ ପୂର୍ବବର୍ଷ ତୁଳନାରେ ୨୦% ବଢ଼ି ୫.୭୪ ଲକ୍ଷ କୋଟି ଟଙ୍କା ହୋଇଥିଲା । କାରଣ ବ୍ୟକ୍ତିଗତ ଆୟକର ପ୍ରବାହରେ ବୃଦ୍ଧି ଦେଖିବାକୁ ମିଳିଥିଲା । ତେଣୁ ବଜେଟ୍‌ରେ ଅଧିକ ବିତ୍ତୀୟ ନମନୀୟତା ଦେଖିବା ନେଇ ଆଶା କରାଯାଉଥିଲା । ମୋଟ ଜିଏସ୍‌ଟି ଆଦାୟ ଜୁନ୍‌ରେ ୮% ବଢ଼ି ୧.୭୪ ଲକ୍ଷ କୋଟି ଟଙ୍କା ହୋଇଥିଲା ।

‘ବିକଶିତ ଭାରତ’ ବଜେଟ୍‌

ବିତ୍ତୀୟ ଶୃଙ୍ଖଳା, ସଂସ୍କାର ଓ ଦୀର୍ଘମିଆଦୀ ବିକାଶ ଲକ୍ଷ୍ୟକୁ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ଅପରିବର୍ତ୍ତିତ ରଖିବା ପଛରେ ଅନେକ କାରଣ ରହିଛି । ସ୍ଥିତି ବଜାୟ ରଖି ବିଭିନ୍ନ କ୍ଷେତ୍ର ନିମନ୍ତେ ଆଖିଦୃଶିଆ ବଜେଟ୍‌ ବ୍ୟୟବରାଦ ଉପରେ ଫୋକସ୍‌ କରିଛନ୍ତି ସେ । ଲୋକସଭା ନିର୍ବାଚନ ଶେଷ ହୋଇଛି ଏବଂ ଅର୍ଥନୀତି ମଧ୍ୟ ଠିକ୍‌ ମାର୍ଗରେ ଗତିଶୀଳ ହେଉଛି । ତେଣୁ ବଜେଟ୍‌କୁ ନେଇ ସେତେଟା ଉତ୍ସାହପ୍ରଦ ଭାବେ ଘୋଷଣା କରିବାକୁ ସରକାର ଚାହିଁନାହାନ୍ତି । ତା’ଛଡ଼ା ଜିଡିପି ଅଭିବୃଦ୍ଧି ୮.୨% ହୋଇଛି । ଭାରତ ଏବେ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇପାରିଛି । ଏହାଠାରୁ ଅଧିକ କ’ଣ ଲୋଡ଼ା? ସମାନ ମାର୍ଗରେ ଅର୍ଥନୀତି ଗଲେ ଅସୁବିଧା କ’ଣ, ତାହା ଅର୍ଥମନ୍ତ୍ରୀ ଚିନ୍ତା କରିଥାଇ ପାରନ୍ତି ବୋଲି ବିଶେଷଜ୍ଞ ସ୍ୱାମୀନାଥନ ଏସ୍‌ ଅଙ୍କ୍‌ଳେସାରିଆ ଆୟର ମତବ୍ୟକ୍ତ କରିଛନ୍ତି । 

ତାଙ୍କ ମୁତାବକ ଆର୍‌ବିଆଇ ଲାଭାଂଶ ଏବଂ ଉଚ୍ଚ ଟିକସ ଆଦାୟ ଦ୍ୱାରା ସରକାରଙ୍କୁ ଅଧିକ ସୁଯୋଗ ମିଳିଛି । ଅର୍ଥାତ୍‌ ଏହି ସୁଯୋଗରେ ସରକାର ବିତ୍ତୀୟ ନିଅଣ୍ଟକୁ ହ୍ରାସ କରିବା ପାଇଁ ସମର୍ଥ ହେବେ । ଅର୍ଥମନ୍ତ୍ରୀ ସୀତାରମଣ ନିଯୁକ୍ତି ସୃଷ୍ଟି ନିମନ୍ତେ ଅଧିକ ଫୋକସ୍‌ କରିଛନ୍ତି । ଏଥିଲାଗି ବିଭିନ୍ନ କ୍ଷେତ୍ରରେ ଉତ୍ପାଦକତା ବୃଦ୍ଧି ଏବଂ ସଂସ୍କାର ଉପରେ ଧ୍ୟାନ ଦିଆଯାଇଛି । ବିଶେଷକରି କୃଷି କ୍ଷେତ୍ରରେ ଉତ୍ପାଦକତା ବଢ଼ାଇବାକୁ ଫୋକସ୍‌ କରାଯାଇଛି । ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସୀତାରମଣ ସ୍ପଷ୍ଟ କରିଦେଇଛନ୍ତି ଯେ ଆଗାମୀ ୫ ବର୍ଷ ନିମନ୍ତେ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତି ଉପରେ ବଜେଟ୍‌ ଫୋକସ୍‌ କରିବ । ସେହିଭଳି ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଏହା ସହାୟକ ହେବ । ତେଣୁ ଏହାକୁ ‘ବିକଶିତ ଭାରତ’ ବଜେଟ୍‌ କୁହାଯାଇ ପାରିବ । କାରଣ ଏଥିରେ ଉଚ୍ଚ ଦୀର୍ଘମିଆଦୀ ରଣନୀତି ଓ ନିମ୍ନ ସ୍ୱଳ୍ପମିଆଦୀ ବିଚାରଗୁଡ଼ିକ ଉପରେ ଧ୍ୟାନ ଦିଆଯାଇଛି । ଦକ୍ଷତା ଓ ନିୟୋଜନ ଉପରେ ଫୋକସ୍‌ କରାଯାଇଛି । ଏହି ପରିପ୍ରେକ୍ଷୀରେ ନିଯୁକ୍ତିଦାତାଙ୍କ ନିମନ୍ତେ ବିଭିନ୍ନ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି । ନିଯୁକ୍ତି କ୍ଷେତ୍ରକୁ ସୁସଙ୍ଗଠିତ କରିବା ଏବଂ ଅଧିକରୁ ଅଧିକ ଦକ୍ଷତାସମ୍ପନ୍ନ ନୂଆ କର୍ମଚାରୀ ସୃଷ୍ଟି ଲାଗି ଗୁରୁତ୍ୱ ଦିଆଯିବ । ହୋଇପାରେ ସୀତାରମଣ ଅନେକ ନିର୍ବାଚୀନମଣ୍ଡଳୀକୁ ଆଶ୍ୱସ୍ତି ଦେବା ପାଇଁ ପଦକ୍ଷେପ ନେଇଥାଇ ପାରନ୍ତି । କିନ୍ତୁ ତାଙ୍କର ଫୋକସ୍‌ ମୋଟାମୋଟି ଭାବେ ଦୀର୍ଘମିଆଦୀ ବିକାଶ ଲକ୍ଷ୍ୟ ଉପରେ କେନ୍ଦ୍ରୀଭୂତ ହୋଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.