ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଭାରତ ପାଇଁ କାହିଁକି ଗୁରୁତ୍ୱ ଦକ୍ଷିଣ-ପୂର୍ବ ଏସିଆ ?

ଦ୍ରୁତ ଅର୍ଥନୈତିକ ପ୍ରଗତି ଦିଗରେ ଆଗକୁ  ବଢୁଥିବା ଦକ୍ଷିଣ ଏସୀୟ ରାଷ୍ଟ୍ର ଭାରତ ପାଇଁ  ଆମର ପଡ଼ୋଶୀ ରାଷ୍ଟ୍ରମାନେ ଯେତିକି ଜରୁରି, ସମ୍ପୂର୍ଣ୍ଣ  ଏସିଆ ମହାଦେଶ ସହ ଉତ୍ତର ସଂପର୍କ ମଧ୍ୟ ସେତିକି  ଅପରିହାର୍ଯ୍ୟ । କେବଳ ପଡ଼ୋଶୀ ପାକିସ୍ତାନ ଓ ଚୀନକୁ  ଛାଡ଼ିଦେଲେ ଭାରତର ଅଧିକାଂଶ ଏସୀୟ ରାଷ୍ଟ୍ରଙ୍କ  ସହ ଦ୍ୱିପାକ୍ଷିକ ସଂପର୍କ ଓ ବନ୍ଧୁତା ଠିକ୍‌ ଢଙ୍ଗରେ  ଚାଲିଛି । ଏହା ସହ ବିଗତ ୧୦ବର୍ଷ ମଧ୍ୟରେ ଭାରତର  କୂଟନୈତିକ ପରିପକ୍ୱତା ବିଶ୍ୱର କୋଣ ଅନୁକୋଣରେ  ଅନୁଭବ ହୋଇଛି ଓ ଭାରତର ଗୁରୁତ୍ୱ ବଢ଼ାଇବାରେ  ସକ୍ଷମ ହୋଇଛି । ଏସବୁ ଭିତରେ ଭାରତ ଲୁକ୍‌  ଇଷ୍ଟ ଓ ଆକ୍ଟ ଇଷ୍ଟ୍‌ ନୀତିକୁ ଗୁରୁତ୍ୱ ଦେବା ସହ  ଦକ୍ଷିଣ ଚୀନ ସାଗର ଅନ୍ତର୍ଗତ ରାଷ୍ଟ୍ର ଓ ଭାରତ- ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଅବସ୍ଥିତ ଛୋଟ  ବଡ଼ ଦେଶ ସହ ସଂପର୍କ ମଜବୁତ ଉପରେ  ଗୁରୁତ୍ୱ ଦେଉଛି । ଦକ୍ଷିଣ ଚୀନ ସାଗରରେ  ଚୀନ ବଳପୂର୍ବକ କାର୍ଯ୍ୟକଳାପ ଜାରି ରଖିଥିବା  ବେଳେ ଭାରତ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଏହାର  ସମାଧନ ପାଇଁ ଚେଷ୍ଟା କରୁଛି । ଛୋଟ ଛୋଟ ଦେଶ  ଉପରେ ଚୀନର ବିସ୍ତାରବାଦା ନୀତିରୁ ସେମାନଙ୍କୁ ରକ୍ଷା  କରିବାକୁ ଉଦ୍ୟମ ଜାରି ରଖିଛି ଭାରତ । 

ଚଳିତବର୍ଷ ସେପ୍ଟେମ୍ବର ପ୍ରଥମ ସପ୍ତାହରେ  ପ୍ରଧାନମନ୍ତ୍ରୀ ଦକ୍ଷିଣ ପୂର୍ବ ଏସିଆର ସ୍ୱାଧୀନ ଇସଲାମିକ୍‌  ଉପଦ୍ୱୀପ ବ୍ରୁନେଇ ଗସ୍ତ କରିଥିଲେ । ଏହା ସହ  ସିଙ୍ଗାପୁର ଗସ୍ତ ସାରି ମଧ୍ୟ ଫେରିଛନ୍ତି । ଭାରତ ଓ ବ୍ରୁନେଇ  ମଧ୍ୟରେ ୪୦ବର୍ଷର କୁଟନୈତିକ ସଂପର୍କର ସ୍ମୃତି ଚାରଣ  ହୋଇଛି । ଭାରତ ଠାରୁ ପାଖାପାଖି ୭ହଜାର ୫ଶହ  କିଲାମିଟର ଦୂରରେ ଅବସ୍ଥିତ ବ୍ରୁନେଇକୁ କୌଣସି  ସ୍ୱାଧୀନ ଭାରତର ପ୍ରଧାନମନ୍ତ୍ରୀଙ୍କର ଏହା ଥିଲା ପ୍ରଥମ  ଗସ୍ତ । ଆୟତନରେ ଭାରତର ଉତ୍ତରପୂର୍ବ ରାଜ୍ୟ ସିକିମ୍‌  କିମ୍ବା ମଣିପୁର କ୍ଷେତ୍ରଫଳ ସହ ପ୍ରାୟ ସମାନ ଏହି  ଉପଦ୍ୱୀପ ବ୍ରୁନେଇ କିନ୍ତୁ ପ୍ରାଚୁର୍ଯ୍ୟଭରା ଦେଶ ଭାବେ  ପରିଚିଚ । ବ୍ରୁନେଇକୁ ବିଶ୍ୱର ଟ୍ୟାକ୍ସ ହେଭେନ୍‌ ବୋଲି  ମଧ୍ୟ କୁହାଯାଏ । କାରଣ ଦେଶରେ ନାଗରିକମାନଙ୍କ  ଠାରୁ ଆୟକର ଆଦାୟ ହୁଏନି । ହାଇଡ୍ରୋକାର୍ବନ,  ପ୍ରାକୃତିକ ବାଷ୍ପ ଓ ତୈଳର ଭଣ୍ଡାର ଏହି କ୍ଷୁଦ୍ର ଦେଶ  ବ୍ରୁନେଇ । ମାତ୍ର ୪ଲକ୍ଷ ୮୦ହଜାର ଜନସଂଖ୍ୟା ବିଶିଷ୍ଟ  ବ୍ରୁନେଇ ନାଗରିକମାନଙ୍କ ଆୟ ଭାରତୀୟଙ୍କ ଆୟ  ତୁଳନାରେ ୧୩ଗୁଣା ଅଧିକ । ପ୍ରତି ନାଗରିକଙ୍କ ପାଇଁ  ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ବ୍ରୁନେଇ ସରକାର ମାଗଣାରେ  ଉପଲବ୍ଧ କରାଇଛନ୍ତି । 

ପ୍ରାକୃତିକ ସମ୍ବଳରେ ଭରପୂର  ବ୍ରୁନେଇରେ ଚୀନ ସବୁଠୁ ଅଧିକ ପୁଞ୍ଜି ନିବେଶ କରିଛି ।  କିନ୍ତୁ ବିସ୍ତାରବାଦୀ ଚୀନ ସବୁବେଳେ ବ୍ରୁନେଇ ଉପରେ  ଲୋଲୁପ ଦୃଷ୍ଟି ପକାଇ ଆସୁଛି । ତେଣୁ ନିଜର ଆତ୍ମରକ୍ଷା,  ପ୍ରତିରକ୍ଷା ଓ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ ଭାରତ  ସହ ସୁ-ସଂପର୍କ ବଢ଼ାଇଛି ବ୍ରୁନେଇ । ବ୍ରୁନେଇର କ୍ରାଉନ୍‌  ପ୍ରିନ୍‌ସ ହାଜି ଅଲମୁହତାଦି ବିଲ୍ଲାହଙ୍କ ନିମନ୍ତ୍ରଣରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରୁନେଇ ରାଜଧାନୀ ବନ୍ଦର  ସେରି ବେଗୱାନ ଗସ୍ତ କରି ଫେରିଛନ୍ତି । ଦୁଇ ଦେଶ  ମଧ୍ୟରେ ବାଣିଜ୍ୟିକ, ମହାକାଶ ଗବେଷଣା, ପର୍ଯ୍ୟଟନ  ଏବଂ ସାଂସ୍କୃତିକ ସମ୍ପର୍କ ବୃଦ୍ଧି ନେଇ ସହମତ ପ୍ରକାଶ  ପାଇଛି । ବିଶ୍ୱର ସବୁଠାରୁ ବିଳାସମୟ ରାଜବାଟୀ  ଭାବେ ବ୍ରୁନେଇ ରାଜକୁମାରଙ୍କ ପ୍ୟାଲେସ ବିବେଚନା  କରାଯାଉଥିବା ବେଳେ ଏହି ପ୍ୟାଲେସରେ ମୋଦିଙ୍କୁ  ବିଶେଷ ଆତିଥ୍ୟ ପ୍ରଦାନ କରିଥିଲେ ବ୍ରୁନେଇର କ୍ରାଉନ୍‌  ପ୍ରିନ୍‌ସ । ଭାରତ-ବ୍ରୁନେଇ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ,  ଶକ୍ତି, ମହାକାଶ, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ସହଯୋଗର  ପରିସର ବୃଦ୍ଧି ନେଇ ରାଜିନାମା ସ୍ୱାକ୍ଷର ହୋଇଛି ।  

ମୋଦି ମଧ୍ୟ ବ୍ରୁନେଇର ସବୁଠୁ ପୁରୁଣା ମସଜିଦ୍‌ ଯାହାକୁ  ଭାରତର ତାଜମହଲ ସହ ତୁଳନା କରାଯାଏ ଓମାର  ଅଲୀ ସୈଫୁଦ୍ଦିନ୍‌ ମସଜିଦ୍‌ ପରିଦର୍ଶନ କରିଥିଲେ ।  ବ୍ରୁନେଇରେ ପାଖାପାଖି ୧୪ ହଜାର ପ୍ରବାସୀ ଭାରତୀୟ  ବାସ କରୁଥିବାବେଳେ ଏମାନଙ୍କ ମଧ୍ୟରେ ଅଧିକାଂଶ  ଡାକ୍ତର ଏବଂ ଶିକ୍ଷକ ଶ୍ରେଣୀର । ବିଶେଷ କରି ଭାରତୀୟ  ମହାକାଶ ମିଶନର ଅଗ୍ରଗତିରେ ବ୍ରୁନେଇର ସବୁଠୁ ବଡ଼  ଭୂମିକା ରହିଛି । ବ୍ରୁନେଇରେ ଭାରତର  ମହାକାଶ ମନିଟରିଂ ସେଣ୍ଟର ରହିଛି ।  ଦୁଇ ଦେଶର ନୌସେନା ଓ ତଟସୁରକ୍ଷା  ବାହିନୀ ମଧ୍ୟରେ ନିୟମିତ ସମରାଭ୍ୟାସ  ହୋଇ ଆସୁଛି । ଅନ୍ତଃରାଷ୍ଟ୍ରୀୟ ସଂଗଠନ  ଆସିଆନ୍‌ର ସଦସ୍ୟ ଭାବେ ବ୍ରୁନେଇ  ରହି ଆସିଛି । ଦକ୍ଷିଣ ଚୀନ ସାଗରରେ  ଚୀନର ଅନାଧିକାର ଓ ବଳପୂର୍ବକ  ଅଧିକାରକୁ ଏହି ଅଞ୍ଚଳର ଛୋଟ ଛୋଟ  ଉପଦ୍ୱୀପମାନଙ୍କ ପାଇଁ ଅସହ୍ୟ ହୋଇଛି ।  ତେଣୁ ଭାରତ ଏସବୁର ଆପୋସ  ସ୍ଥାୟୀ ସମାଧାନ ସପକ୍ଷରେ ଅଗ୍ରସର  ହେଉଛି । ଏହା ସହ ଦକ୍ଷିଣ-ପୂର୍ବ ଏସୀୟ  ରାଷ୍ଟ୍ରମାନଙ୍କ ସହ ଭାରତ ଉତ୍ତମ ସଂପର୍କ ବୃଦ୍ଧି କରି  ଚୀନକୁ ଅନେକ କ୍ଷେତ୍ରରେ ଚ୍ୟାଲେଞ୍ଜ ଦେବାକୁ ଚାହୁଁଛି।  

ବ୍ରୁନେଇରୁ ହାଇଡ୍ରୋକାର୍ବନ, ପ୍ରାକୃତିକ ବାଷ୍ପ, ତୈଳ  ଭାରତ ଆମଦାନୀ କରୁଛି । ହାଇଡ୍ରୋକାର୍ବନ ଆମଦାନୀ  କ୍ଷେତ୍ରରେ ଭାରତ-ବ୍ରୁନେଇ ମଧ୍ୟରେ ୨୭୦କୋଟି  ବିଲିୟନ ଡଲାରର ରାଜିନାମା ସ୍ୱାକ୍ଷର ହୋଇଛି । ଉଭୟ  ଦେଶ ମହାକାଶ ବିଜ୍ଞାନ, ସୂଚନା ପ୍ରଯୁକ୍ତି ବିଦ୍ୟା,  ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ବଢ଼ାଇଛନ୍ତି । ମୋଦିଙ୍କ  ବ୍ରୁନେଇ ଗସ୍ତବେଳେ ଉଭୟ ଦେଶ ମଧ୍ୟରେ ତଟୀୟ  ସୁରକ୍ଷା ଓ କ୍ଷେତ୍ରୀୟ ସହଯୋଗିତା ନେଇ ଆଲୋଚନା  ହୋଇଛି । ୧୯୮୪ ମସିହାରୁ ଭାରତ-ବ୍ରୁନେଇ ମଧ୍ୟରେ  କୂଟନୈତିକ ସମ୍ପର୍କ ସ୍ଥାପନ ହୋଇଛି । ୧୯୯୩ ବ୍ରୁନେଇର ଦାରୁସ୍‌ ଲାମରେ କୁଟନୈତିକ ମିଶନ ସ୍ଥାପନା କରି  ଦ୍ୱିପାକ୍ଷିକ ସମ୍ପର୍କର ଶୁଭାରମ୍ଭ କରିଥିଲା ଭାରତ । 

ବିଶ୍ୱର  ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଥିବା ହାତଗଣତି  ଧନୀକ ବ୍ୟକ୍ତିଙ୍କ ମଧ୍ୟରେ ବ୍ରୁନେଇର ସୁଲତାନ ହାଜି  ହସନାଲ ବୋଲଖିଆ ଗଣତି ହେଉଛନ୍ତି । ଯାହାଙ୍କ  ପାଖରେ ବିଶ୍ୱର ୭ହଜାର ବିଳାସପୂର୍ଣ୍ଣ ବ୍ରାଣ୍ଡର କାର୍‌  ରହିଛି । ୧୭ଶହ କୋଠରି ବିଶିଷ୍ଟ ରାଜବାଟୀରେ ଜୀବନ  ବିତାଉଛନ୍ତି ସୁଲତାନ ହାଜି ହସନଲ ବୋଲଖିଆ । ସେହିଭଳି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବ୍ରୁନେଇ  ଗସ୍ତ ସାରି ଦକ୍ଷିଣ-ପୂର୍ବ ଏସିଆର ଆଉ ଏକ ସମୃଦ୍ଧ  ରାଷ୍ଟ୍ର ସିଙ୍ଗାପୁର ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି । ମୋଦିଙ୍କ ସିଙ୍ଗାପୁର ଗସ୍ତ ଏହି ସମୟରେ ହେଉଛି, ଯେତେବେଳେ କି ସିଙ୍ଗାପୁରରେ ସରକାର ବଦଳିଛି । ମେ’ ୧୫ରୁ ସିଙ୍ଗାପୁର ନୂଆ ପ୍ରଧାନମନ୍ତ୍ରୀ  ଭାବେ ଲରେନ୍‌ସ ୱଙ୍ଗ୍‌ଙ୍କୁ ଦାୟିତ୍ୱ ମିଳିଛି । ଏହା ସହ  ଉଭୟ ଭାରତ ଓ ସିଙ୍ଗାପୁର ମଧ୍ୟରେ ୨୦୨୫ ମସିହାରେ  କୂଟନୈତିକ ସମ୍ପର୍କ ୬୦ବର୍ଷ ପୂରା ହେବାକୁ ଯାଉଛି।  ଆସିଆନ୍‌ ସଦସ୍ୟ ରାଷ୍ଟ୍ର ମଧ୍ୟରେ ଭାରତ ସିଙ୍ଗାପୁର  ସବୁଠୁ ବୃହତ୍ତ ବାଣିଜ୍ୟିକ ସହଯୋଗୀ ରହିଛନ୍ତି ।  

ପ୍ରଧାନମନ୍ତ୍ରୀ ମୋଦି ସିଙ୍ଗାପୁରର ଅନେକ ବୃହତ୍ତ କମ୍ପାନୀ  ଗୁଡିକର ସିଇଓଙ୍କ ସହ ବାଣିଜ୍ୟିକ ସଂପର୍କ ବୃଦ୍ଧି ନେଇ  ବୈଠକ କରିଛନ୍ତି । ସିଙ୍ଗାପୁର ଭାରତର ଷଷ୍ଠ ବାଣିଜ୍ୟ  ସହଯୋଗୀ ରହିଛି । ଭାରତକୁ ଆସୁଥିବା ବିଦେଶ ପୁଞ୍ଜି  ନିବେଶର ସବୁଠାରୁ ବଡ଼ ଭାଗ ସିଙ୍ଗାପୁରରୁ ହିଁ ଆସୁଛି ।  ଏହା ସହ ବିସ୍ତାରବାଦ ଚୀନ ବିରୋଧରେ ଭାରତର  ଆକ୍ଟ ଇଷ୍ଟ ଅଭିଯାନରେ ସିଙ୍ଗାପୁରର ଭୂମିକା ମଧ୍ୟ  ଗୁରୁତ୍ୱପୂର୍ଣ୍ଣ । ବିଶେଷ କରି ଭାରତ ପ୍ରଶାନ୍ତ ମହାସାଗର  କ୍ଷେତ୍ରରେ ସହଯୋଗକୁ ଗୁରୁତ୍ୱ ଦେଇଛନ୍ତି ଉଭୟ  ଦେଶ । ୨୦୧୮ ମସିହା ପରେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ଏହା ଥିଲା ଦ୍ୱିତୀୟ ସିଙ୍ଗାପୁର ଗସ୍ତ ।  ଭାରତ ସିଙ୍ଗାପୁର ମଧ୍ୟରେ ପ୍ରତିରକ୍ଷା ସହଯୋଗିତା,  ଉତ୍ପାଦନ, ଡିଜିଟାଲାଇଜେସନ୍‌ ଓ ପ୍ରଯୁକ୍ତି ବିଦ୍ୟା  ସହଭାଗିତା ନେଇ ଆଲୋଚନା ହୋଇଛି । ସିଙ୍ଗାପୁର  ଭାରତରେ ଦୀର୍ଘସୂତ୍ରୀ ପୁଞ୍ଜି ବିନିଯୋଗ କ୍ଷେତ୍ରରେ  ପାଖାପାଖି ୧୬୦ ବିଲିୟନ ଡଲାର ନିବେଶ କରିଛି ।  

ଭାରତ-ସିଙ୍ଗାପୁର ମଧ୍ୟରେ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ  ପରିମାଣ ୧୧.୭୭ ବିଲିୟନ୍‌ ଡଲାରକୁ ବୃଦ୍ଧି ପାଇଛି ।  ଭାରତରେ ମୋଟ୍‌ ପ୍ରତ୍ୟକ୍ଷ ପୁଞ୍ଜି ନିବେଶର ୨୩ ପ୍ରତିଶତ ସିଙ୍ଗାପୁରରୁ  ହିଁ ଆସୁଛି । ମୋଦି ସିଙ୍ଗାପୁରର ବହୁ  ଶୀର୍ଷ ନେତୃତ୍ୱମାନଙ୍କ ସହ ବୈଠକ  କରିଥିଲେ । ଦ୍ରୁତ ବିକାଶ ପଛରେ  ଆଗଉଥିବା ଭାରତରେ ଆହୁରି ୬୦  ବିଲିୟନ୍‌ ଡଲାର ପୁଞ୍ଜି ନିବେଶ ନେଇ  ସିଙ୍ଗାପୁର କମ୍ପାନୀ ଗୁଡିକ ଭାରତକୁ  ପ୍ରତିଶ୍ରୁତି ଦେଇଛନ୍ତି । ଭାରତ  ସିଙ୍ଗାପୁର ମଧ୍ୟରେ ସେମିକଣ୍ଡକ୍ଟର  ନିର୍ମାଣ, ଦକ୍ଷତା ବିକାଶ କେନ୍ଦ୍ର  ପ୍ରଶିକ୍ଷଣ, ମେରିଟାଇମ୍‌ ସୁରକ୍ଷା,  ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦ୍ୱିପାକ୍ଷିକ  ରାଜିନାମା ହୋଇଛି । ଶେଷରେ ଏତିକି କୁହାଯାଇପାରେ,  ବୃହତ୍ତମ ଗଣତନ୍ତ୍ରର ବାର୍ତ୍ତାବାହ ଭାରତ ସାରା ବିଶ୍ୱରେ ଗଣତନ୍ତ୍ରର ବିକାଶ ପାଇଁ କାମ କରୁଥିବା ବେଳେ ଏସିଆ  ମହାଦେଶର ଉତ୍ତର-ଦକ୍ଷିଣ-ପୂର୍ବ-ପଶ୍ଚିମରେ ଥିବା  ଦେଶମାନଙ୍କ ସହ ଦ୍ୱିପାକ୍ଷିକ, ବାଣିଜ୍ୟିକ ଓ କୂଟନୈତିକ  ସହଯୋଗ ବୃଦ୍ଧି ଲକ୍ଷ୍ୟରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.