ନୂଆଦିଲ୍ଲୀ,୧୪/୦୫: ଦୀର୍ଘ ୩୩ ବର୍ଷ ଧରି ଭାରତୀୟ ଟେଷ୍ଟ ଦଳରେ ୪ ନମ୍ବର ସ୍ଥାନ ସୁରକ୍ଷିତ ହୋଇ ରହିଥିଲା । କିନ୍ତୁ ବିରାଟ କୋହଲିଙ୍କ ସନ୍ନ୍ୟାସ ପରେ ଏହି ସ୍ଥାନରେ କିଏ ଖେଳିବେ ସେନେଇ ବିତର୍କ ଆରମ୍ଭ ହୋଇଛି । ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଶୁଭମନ ଗିଲ, ଲୋକେଶ ରାହୁଲ, ଶ୍ରେୟାସ ଆୟର ଓ ରିଷଭ ପନ୍ତ ଏହି ସ୍ଥାନରେ ଯୋଗ୍ୟ ବୋଲି ମତ ଦେଉଛନ୍ତି ।
୧୯୯୨ରୁ ୨୦୧୩ ମସିହା ପର୍ଯ୍ୟନ୍ତ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ୪ ନମ୍ବର ସ୍ଥାନରେ ଖେଳି ଆସୁଥିଲେ । ତାଙ୍କ ପରେ କୋହଲି ଏହି ସ୍ଥାନରେ ଖେଳୁଥିଲେ। ଦୀର୍ଘ ତିନି ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ଧରି ଯେଉଁ ସ୍ଥାନ ସୁରକ୍ଷିତ ରହିଥିଲା, ତାହା କୋହଲିଙ୍କ ବିନା ଶୂନ୍ୟ ସ୍ଥାନ ସୃଷ୍ଟି କରିଛି । ସଚିନ ଏହି ସ୍ଥାନରେ ୧୭୯ଟି ମ୍ୟାଚ୍ ଖେଳି ୧୩୪୯୨ ରନ୍ କରିଥିଲେ । ୫୪.୪୦ ହାରରେ ରନ ସଂଗ୍ରହ କରିଥିବାବେଳେ ୪୪ଟି ଶତକ ଓ ୫୮ଟି ଅର୍ଦ୍ଧଶତକ ଏଥିରେ ସାମିଲ ରହିଥିଲା। ସେହିପରି କୋହଲି ୯୯ଟି ମ୍ୟାଚ୍ ଖେଳି ୫୦.୦୯ ହାରରେ ୭୫୬୪ ରନ୍ କରିଛନ୍ତି । ଯେଉଁଥିରେ ୨୬ଟି ଶତକ ଓ ୨୧ଟି ଅର୍ଦ୍ଧଶତକ ସାମିଲ ରହିଛନ୍ତି । କ୍ୟାରିୟରରେ ସୌରଭ ଗାଙ୍ଗୁଲି ୧୬ଟି, ରାହୁଲ ଦ୍ରାବିଡ଼ ୧୬ଟି ଏବଂ ଅଜିଙ୍କ୍ୟ ରାହାଣେ ଓ ଭିଭିଏସ୍ ଲକ୍ଷ୍ମଣ ୯ଟି ଲେଖାଏଁ ମ୍ୟାଚ୍ ଖେଳିଛନ୍ତି ।
କେ. ଶ୍ରୀକାନ୍ତ ଯେତେବେଳେ ଜାତୀୟ ଚୟନ କମିଟି ଅଧ୍ୟକ୍ଷ ଥିଲେ କୋହଲି ଟେଷ୍ଟ ପଦାର୍ପଣ କରିଥିଲେ । ସେ କହିଛନ୍ତି, ‘ଭାରତୀୟ ଟେଷ୍ଟର ସେ ଅଗ୍ରଦୂତ ଥିଲେ । ତାଙ୍କ ସ୍ଥାନରେ କେବଳ ଏବେ କେଏଲ୍ ରାହୁଲ ହିଁ ଖେଳିବାକୁ ଯୋଗ୍ୟ ।’ ‘ମୋ ମତରେ ଶୁଭମନ ଗିଲ ହିଁ ୪ ନମ୍ବର ସ୍ଥାନ ପାଇଁ ଯୋଗ୍ୟ । ସେ ପରବର୍ତ୍ତୀ ଅଧିନାୟକ ହେବେ ବୋଲି ମୋର ବିଶ୍ୱାସ ।’ ଏ କଥା କହିଛନ୍ତି ପୂର୍ବତନ ଓପନର ୱାସିମ ଜାଫର ।
ସେ କହିଛନ୍ତି, ‘ଗିଲ ଧଳା ବଲରେ ଓପନିଂ କରନ୍ତି । ମାତ୍ର ଟେଷ୍ଟରେ ସେ ଚତୁର୍ଥ ସ୍ଥାନରେ ଖେଳିବା ଦରକାର । ଯଶସ୍ୱୀ ଜୈସ୍ୱାଲ ଓ ରାହୁଲ ବର୍ଡର-ଗାଭାସ୍କର ଟ୍ରଫିରେ ଭଲ ଓପନିଂ କରିଥିଲେ । ତେଣୁ ରାହୁଲ ଓପନିଂ କରନ୍ତୁ । ସାଇ ସୁଦର୍ଶନଙ୍କୁ ତୃତୀୟ ସ୍ଥାନରେ ଖେଳାଯାଉ ।’ ଗିଲଙ୍କୁ ଅଧିନାୟକ କରିବା ସପକ୍ଷରେ ନାହାନ୍ତି କେ. ଶ୍ରୀକାନ୍ତ । ସେ ବୁମରାଙ୍କୁ ସମର୍ଥନ ଜଣାଇଛନ୍ତି । ‘ଯଦି ବୁମରା ଫିଟ୍ ହେଉ ନାହାନ୍ତି, ତେବେ ରାହୁଲ କିମ୍ବା ରିଷଭ ପନ୍ତଙ୍କୁ ଅଧିନାୟକ କରାଯାଇପାରେ ବୋଲି ଶ୍ରୀକାନ୍ତ କହିଛନ୍ତି ।
ଦକ୍ଷିଣ ଆଫ୍ରିକାର ପୂର୍ବତନ ଓ୍ବିକେଟ୍ କିପର ମାର୍କ ବାଉଚର କହିଛନ୍ତି, ‘ଭାରତରେ ପ୍ରତିଭାଙ୍କର ଅଭାବ ନାହିଁ । ସଚିନଙ୍କ ପରେ ଯେ କୋହଲିଙ୍କ ଭଳି ଜଣେ ଖେଳାଳି ବାହାରିବେ ସେ କଥା କେହି ଆକଳନ କରିନଥିଲେ । ବହୁ ଖେଳାଳି ୪ ନମ୍ବର ସ୍ଥାନରେ ଖେଳିବାର ଯୋଗ୍ୟତା ରଖିଛନ୍ତି । କିନ୍ତୁ ସେମାନଙ୍କୁ ସମୟ ଲାଗିପାରେ । ମାତ୍ର ଏବେ ରାହୁଲ ଏହି ସ୍ଥାନ ପାଇଁ ଫିଟ୍ । ତାଙ୍କ ଟେକନିକ ବହୁତ ଉନ୍ନତ ।’
ଅଧିନାୟକ: ବୁମରା/ଗିଲ
ରୋହିତଙ୍କ ଅବସର ପରେ କିଏ ହେବେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ? ଏହାକୁ ନେଇ ଏବେ ବିଚାର ବିମର୍ଶ ଆରମ୍ଭ ହୋଇଛି । ଯଶପ୍ରୀତ ବୁମରା ଟେଷ୍ଟ ଦଳର ଉପ ଅଧିନାୟକ ଥିଲେ । ରୋହିତଙ୍କ ଅନୁପସ୍ଥିତରେ ବର୍ଡର-ଗାଭାସ୍କର ଟ୍ରଫିରେ ଦଳର ନେତୃତ୍ୱ ନେଇଥିଲେ । ତେଣୁ ସେ ଅଧିନାୟକ ପାଇଁ ଦାବିଦାର ବୋଲି ଆର.ଅଶ୍ୱିନ ମତ ଦେଇଛନ୍ତି ।
ଅଶ୍ୱିନ କହିଛନ୍ତି, ‘ହଠାତ ରୋହିତ ଓ କୋହଲି ଯେ ଏମିତି ଅବସର ନେବେ ସେ ଧାରଣା ମୋର ନଥିଲା । ଭାରତୀୟ ଟେଷ୍ଟ ପାଇଁ ଏହା ପରୀକ୍ଷାର ସମୟ । ମୁଁ କହିବି, ଏବେଠୁ ହିଁ ଗୌତମ ଗମ୍ଭୀରଙ୍କ ଯୁଗ ଆରମ୍ଭ ହେଲା ।
ଏଥର ପୂରା ନୂଆ ଦଳ ଇଂଲଣ୍ଡ ଗସ୍ତ କରିବ । ଦଳରେ ବୁମରା ହେଉଛନ୍ତି ସବୁଠୁ ଅଭିଜ୍ଞ ଖେଳାଳି । ସେ ଅଧିନାୟକ ହେବା ପାଇଁ ଦାବିଦାର । ମୋ ମତରେ ବି ସେ ଯୋଗ୍ୟ । ମାତ୍ର ଶାରୀରିକ ସାମର୍ଥ୍ୟକୁ ଦୃଷ୍ଟି ଦେଇ ଚୟନକର୍ତ୍ତା ଅଧିନାୟକ ଚୟନ କରିବେ ।’ ଏକଥା ସତ ଯେ, ବୁମରା ବାରମ୍ବାର ଆହତ ହେବା ଯୋଗୁ ବେଶ କିଛି ମାସ ଲେଖାଏଁ ଦଳରୁ ଦୂରେଇ ରହିଥାନ୍ତି । ତାହା ହିଁ ତାଙ୍କ ପାଇଁ ବଡ଼ ସମସ୍ୟା ।
ଯୁବ ତାରକା ଶୁଭମନ ଗିଲଙ୍କୁ ନେଇ ଚର୍ଚ୍ଚା ହେଉଛି । ସେ ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଇ ଦଳକୁ ପ୍ଲେ ଅଫର ନିକଟତର କରାଇଛନ୍ତି । ତେଣୁ ହୁଏତ ଗିଲ ଅଧିନାୟକ ହୋଇ ପାରନ୍ତି । ସେମିତି ଲୋକେଶ ରାହୁଲଙ୍କୁ ମଧ୍ୟ ଏହି ଦୌଡ଼ରେ ସାମିଲ କରାଯାଇପାରେ ।