ପ୍ରମୂଖ ଖବର
  • କଟକର ବିଭିନ୍ନ ହୋଟେଲ୍‌ରେ ଚଢାଉ, ଖାଦ୍ୟର ମାନ ସହ ଲାଇସେନ୍ସ ଯାଞ୍ଚ କରୁଛି ସିଏମ୍‌ସି ଫୁଡ୍ ସେଫ୍ଟି ଟିମ୍‌
  • ||
  • ରାଜଧାନୀରୁ ୩ ଗଞ୍ଜେଇ ବେପାରୀ ଗିରଫ, ୧ କୁଇଣ୍ଟାଲ ଗଞ୍ଜେଇ ଜବତ
  • ||
  • ଭାଲୁଡିଗୀ ଜଙ୍ଗଲରେ ଦୁଇ ଦିନରେ ୨୭ ଜଣ ମାଓବାଦୀ ନିହତ ଘଟଣା : ନୂଆପଡା ଗସ୍ତରେ ଯିବେ ଡିଜିପି
  • ||
  • ଚିକିତ୍ସାଧିନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ, ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ ସୂଚନା
  • ||
  • ଜଳେଶ୍ୱର : ଭରସାମ୍ୟ ହରାଇ ଶ୍ରମିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୭ ଗୁରୁତର
  • ||
  • କରଞ୍ଜିଆ : ମହିଳାଙ୍କୁ ହତ୍ୟା କରି ପୋତିଦେଲା ଯୁବକ, ମାଟିତଳୁ ଉଦ୍ଧାର ହେଲା ମୃତଦେହ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ୨୩ ରୁ ଖୋଲିବ ଭିତରକନିକା
  • ||
  • ୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ହେବେ ସାମିଲ
  • ||

ଟ୍ରମ୍ପଙ୍କ କଠୋର ଇମିଗ୍ରେସନ ନୀତି ଘୋଷଣା,ଅବୈଧ ପ୍ରବାସୀଙ୍କୁ ଚିହ୍ନଟ କରି ପଠାଯିବ ସ୍ୱଦେଶ

Published By : Anindita | January 22, 2025 10:53 AM

ନୂଆଦିଲ୍ଲୀ, ୨୨/୦୧: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଯାହାପରେ ସେ ଦେଶରେ ରହୁଥିବା ବେଆଇନ ପ୍ରବାସୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବିନା ବୈଧ ଦସ୍ତାବିଜରେ ଆମେରିକାରେ ରହୁଥିବା ପ୍ରବାସୀଙ୍କୁ ଚିହ୍ନଟ କରି ସେମାନଙ୍କୁ ତଡିବା ଲାଗି ଘୋଷଣା କରିଛନ୍ତି । ଯାହାକୁ ନେଇ ସେଠାରେ ରହୁଥିବା ବିଭିନ୍ନ ଦେଶର ପ୍ରବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । କିଛି ଲୋକ ଟ୍ରମ୍ପଙ୍କ ଏଭଳି କଠୋର ନିଷ୍ପତ୍ତିରୁ ବର୍ତ୍ତିବା ଲାଗି ଓକିଲ ଓ ଚର୍ଚ୍ଚର ସହାୟତା ମଧ୍ୟ ଲୋଡିଥିବା ସୂଚନା ମିଳିଛି ।

ପିଉ ରିସର୍ଚ୍ଚ ରିପୋର୍ଟ ୨୦୨୪ ଅନୁସାରେ ଆମେରିକାରେ ବୈଧ ଦସ୍ତାବିଜ ନଥିବା ଭାରତୀୟଙ୍କ ସଂଖ୍ୟା ହେଉଛି ୭ ଲକ୍ଷ ୨୫ ହଜାର । ମେକ୍ସିକୋ ଓ ଏଲ୍‌ସାଲଭାଡୋର ପରେ ଏହା ତୃତୀୟ ସର୍ବାଧିକ । ଅବୈଧ ଦସ୍ତାବିଜ ସହ ଆମେରିକାରେ ରହୁଥିବା ମେକ୍ସିକୀୟଙ୍କ ସଂଖ୍ୟା ୪୦ ଲକ୍ଷ ହୋଇଥିଲା ବେଳେ ଏଲ୍‌ସାଲଭାଡୋର ଲୋକଙ୍କ ସଂଖ୍ୟା ରହିଛି ୭ ଲକ୍ଷ ୫୦ ହଜାରରୁ ଅଧିକ । ପୂର୍ବର ବାଇଡେନ ପ୍ରଶାସନର ସରଳ ନୀତି ସତ୍ତେ୍ୱ ଆମେରିକାରେ ରହୁଥିବା ୧୯୨ଟି ଦେଶର ୨ଲକ୍ଷ ୭୦ ହଜାର ପ୍ରବାସୀଙ୍କୁ ନିଜ ନିଜ ଦେଶକୁ ପଠାଇ ଦିଆଯାଇଥିଲା । ସେମାନଙ୍କ ମଧ୍ୟରେ ପ୍ରାୟ ୧୫୨୯ ଭାରତୀୟଙ୍କୁ ମଧ୍ୟ ନିଜ ଦେଶକୁ ଫେରିବାକୁ ପଡିଥିଲା । ୨୦୧୪ ପରଠାରୁ ବିଦେଶୀ ନାଗରିକଙ୍କୁ ନିଜ ଦେଶକୁ ପଠାଯିବାରେ ଏହା ସର୍ବାଧିକ ଥିଲା । ଜୋ ବାଇଡେନ, ବାରାକ ଓବାମା ଓ ଜର୍ଜ ବୁଶ୍‌ ରାଷ୍ଟ୍ରପତି ଥିବା ବେଳେ ପ୍ରବାସୀଙ୍କ ପ୍ରତି ସରଳ ନୀତି ଯୋଗୁ ଭାରତୀୟଙ୍କ ସମେତ ବହୁସଂଖ୍ୟକ ବିଦେଶୀ ନାଗରିକ ସେଠାକୁ ଯାଇ ବସବାସ କରୁଛନ୍ତି । ଆମେରିକାରେ ଅବୈଧ ଦସ୍ତାବିଜରେ ରହୁଥିବା ଭାରତୀୟଙ୍କ ମଧ୍ୟରୁ ଅଧିକାଂଶ କେବଳ ଟେକ୍ସାସ, ଫ୍ଲୋରିଡା, ନ୍ୟୁୟର୍କ ଓ ନ୍ୟୁଜର୍ସି ରାଜ୍ୟରେ ରହୁଛନ୍ତି । 

କେବଳ ଫ୍ଲୋରିଡାରେ ୪ ଲକ୍ଷରୁ ଅଧିକ ଭାରତୀୟ ରହୁଥିବା ସୂଚନା ମିଳିଛି । ବାଇଡେନ ରାଷ୍ଟ୍ରପତି ଥିଲା ବେଳେ ‘ଏକକ ପ୍ରବେଶ’ଯୋଜନା ଲାଗୁ କରିଥିଲେ । ଯାହାଫଳରେ ହଜାର ହଜାର ପ୍ରବାସୀମାନେ ଏକ ଆପ୍‌ ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ମାଧ୍ୟମରେ ଆମେରିକାରେ ପ୍ରବେଶ କରିବା ସହଜ ହୋଇଥିଲା । କିନ୍ତୁ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ସହ ସେସବୁ ବ୍ୟବସ୍ଥାକୁ ରଦ୍ଦ କରାଯାଇଛି । ଆମେରିକାରେ ବର୍ତ୍ତମାନ ପ୍ରାୟ ୧ କୋଟି ୪୦ ଲକ୍ଷ ଏଭଳି ନାଗରିକ ରହୁଛନ୍ତି ଯେଉଁମାନଙ୍କର ରହିବା ଲାଗି ବୈଧ ଦସ୍ତାବିଜ ନାହିଁ । କିନ୍ତୁ ଟ୍ରମ୍ପ ଦାବି କରିଛନ୍ତି କି ଏହି ସଂଖ୍ୟା ୨ କୋଟିରୁ ୨.୫ କୋଟି ହେବ । ସେମାନଙ୍କ ମଧ୍ୟରେ ଅପରାଧ ପୃଷ୍ଠଭୂମି ଥିବା ୫ ଲକ୍ଷ ୫୫ ହଜାର ଲୋକ ରହିଛନ୍ତି । ସେହିଭଳି ପୂର୍ବରୁ ମଧ୍ୟ ଦେଶ ଛାଡିବାକୁ ୧ କୋଟି ୪୦ ଲକ୍ଷ ଲୋକଙ୍କୁ ନୋଟିସ ଜାରି କରାଯାଇସାରିଛି । ବର୍ତ୍ତମାନ ଟ୍ରମ୍ପ ପ୍ରଶାସନ ଏସବୁ ଲୋକଙ୍କୁ ଦେଶରୁ ବିତାଡିତ କରିବା ଲାଗି ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିଛନ୍ତି । 

ଶିକାଗୋ ଓ ନ୍ୟୁୟର୍କରେ କାର୍ଯ୍ୟକାରୀ ହେଉଥିବା ପ୍ରୋ ବୋନୋ ଲିଗାଲ ସର୍ଭିସ ଓ ସାଙ୍କଚୁଆରୀ ପ୍ରୋଗ୍ରାମ ମାଧ୍ୟମରେ କିଛି ପ୍ରବାସୀ ସେଠାରେ ରହିବାକୁ ଉଦ୍ୟମ ଚଳାଇଛନ୍ତି । ଏକଥା ଜଣାପଡିବା ପରେ ଟ୍ରମ୍ପ ସେଠାକାର ପ୍ରଶାସନକୁ ଚେତାବନୀ ଦେଇଛନ୍ତି । କହିଛନ୍ତି କୌଣସି ବେଆଇନ କାମ କଲେ କଡା କାର୍ଯ୍ୟାନୁଷ୍ଠାନ ହେବ । ପ୍ରବାସୀଙ୍କ ପ୍ରତି ଟ୍ରମ୍ପଙ୍କ ଏଭଳି କାର୍ଯ୍ୟାନୁଷ୍ଠନ ଫଳରେ ସେଠାରେ ରହୁଥିବା ଲୋକମାନେ ଏବେ ଭୟରେ ଥରହର ହୋଇଛନ୍ତି । ବିଭିନ୍ନ ସଂସ୍ଥାରେ ଚାକିରି କରିଥିବା ଲୋକେ, ସ୍କୁଲ ଓ କଲେଜ ଯାଉଥିବା ପିଲାମାନେ ଏବେ କରିବେ କ’ଣ ତାକୁ ନେଇ ଘୋର ସଙ୍କଟରେ ପଡିଛନ୍ତି । ସେପଟେ ଭାରତ ସରକାର କହିଛନ୍ତି ଆମେରିକାରେ ବେଆଇନ ଭାବେ ୧୮ ହଜାର ଭାରତୀୟ ରହୁଥିବାର ସୂଚନା ମିଳିଛି । ସେମାନଙ୍କୁ ସେଠାରୁ ଫେରାଇ ଆଣିବା ଦିଗରେ ଟ୍ରମ୍ପ ସରକାର ସହ ବିଚାରବିମର୍ଶ କରାଯାଉଛି । କିନ୍ତୁ ଆମେରିକାରେ ଏହାଠାରୁ ବହୁ ଅଧିକ ଭାରତୀୟ ବସବାସ କରୁଛନ୍ତି । ସରକାରୀ ଭାବେ ସେମାନଙ୍କ ଗଣତି କରାଯାଇ ନଥିବାରୁ ପ୍ରକୃତ ତଥ୍ୟ ଆସପାରିନାହିଁ ।

 କେବଳ ବେଆଇନ ପ୍ରବାସୀ ନୁହନ୍ତି, ଏଚ୍‌-୧ବି ଭିସାଧାରୀଙ୍କ ଉପରେ ମଧ୍ୟ ଟ୍ରମ୍ପଙ୍କ ଶକ୍ତ ପ୍ରହାର ପଡିବାକୁ ଯାଉଛି । ଗତବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ୧ ଲକ୍ଷ ୩୦ ହଜାର ଲୋକଙ୍କୁ ଆମେରିକା ଏଚ୍‌-୧ବି ଭିସା ଜାରି କରିଥିଲା । ସେମାନଙ୍କ ମଧ୍ୟରେ ୨୪,୭୬୬ ଜଣ ଥିଲେ ଭାରତୀୟ । କିନ୍ତୁ ସେମାନଙ୍କୁ ମଧ୍ୟ ଆମେରିକାରୁ ତଡାଯିବ । ଯାହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଗତକାଲି ଟ୍ରମ୍ପ ଶପଥ ନେବା ପରେ ବେଆଇନ ଅନୁପ୍ରବେଶର ମୁଖ୍ୟ କେନ୍ଦ୍ର ଥିବା ଦକ୍ଷିଣ ସୀମାକୁ ସିଲ୍‌ କରିବାକୁ ନିର୍ଦ୍ଦେଶ ଦେବା ସହ ସେଠାରେ ଜରୁରି ପରିସ୍ଥିତି ଘୋଷଣା କରିଥିଲେ । କହିଥିଲେ ଆମେ ସବୁଦିନ ପାଇଁ ବେଆଇନ ଅନୁପ୍ରବେଶକୁ ରୋକିବୁ । ଆମକୁ କେହି ଦଖଲ କରିପାରିବେ ନାହିଁ କିମ୍ବା ଆମ ଉପରେ କେହି ଆଧିପତ୍ୟ ଜାହିର କରିପାରିବେ ନାହିଁ । ଆମେ ପୁଣି ମୁକ୍ତ ଓ ଗୌରବାନ୍ୱିତ ହେବୁ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.