ନୂଆଦିଲ୍ଲୀ: ପୂର୍ବ ଲେବାନନର ବେକା ଘାଟି ଅଞ୍ଚଳରେ ହିଜବୁଲ ନେତା ଶେଖ ମହମ୍ମଦ ଅଲି ହମାଦିଙ୍କୁ କିଛି ଅଜ୍ଞାତ ବନ୍ଧୁକଧାରୀ ଗତକାଲି (ମଙ୍ଗଳବାର) ଗୁଳି କରି ହତ୍ୟା କରିଛନ୍ତି। ଟାଇମ୍ସ ଅଫ୍ ଇସ୍ରାଏଲ ଅନୁଯାୟୀ, ହିଜବୁଲାର ସ୍ଥାନୀୟ କମାଣ୍ଡର ହାମାଦିଙ୍କୁ ପଶ୍ଚିମ ବେକା ଜିଲ୍ଲାର ମଛଘରାରେ ତାଙ୍କ ଘର ନିକଟରେ ହତ୍ୟା କରାଯାଇଛି । ଏହି ସମୟରେ ତାଙ୍କୁ ଛଅ ଥର ଗୁଳି କରାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହମାଦିଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା, ହେଲେ ସେଠାରେ ଚିକିତ୍ସାଧିନ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
କୁହାଯାଉଛି କି, ପାରିବାରିକ ବିବାଦ ସନ୍ଦେହ କରି ଏହି ଘଟଣା ଘଟିଛି। ଲେବାନନ୍ ଅଧିକାରୀ ମାନେ ଏହାର ଏକ ତଦନ୍ତ ଆରମ୍ଭ କରିଛନ୍ତି। ତେବେ କିଛି ଗଣମାଧ୍ୟମ ରିପୋର୍ଟରେ, ଏହି ହତ୍ୟା ପଛରେ ଇସ୍ରାଏଲର ହାତ ଥିବା କୁହାଯାଉଛି। ଆମେରିକାର ଫେଡେରାଲ୍ ଏଜେନ୍ସି ଏଫବିଆଇର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ତାଲିକାରେ ମହମ୍ମଦ ଅଲି ହମାଦି ମଧ୍ୟ ସାମିଲ ଥିଲା। ୧୫୩ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ନେଇ ଏଥେନ୍ସରୁ ରୋମ ଯାଉଥିବା ଏକ ବିମାନକୁ ସେ ଅପହରଣ କରିଥିଲା।
ଗତ ବର୍ଷ ନଭେମ୍ବରରେ ଇସ୍ରାଏଲ ଏବଂ ହିଜବୁଲା ମଧ୍ୟରେ ଏକ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।ଏହି ଚୁକ୍ତିନାମା ଅନୁଯାୟୀ, ଉଭୟ ପକ୍ଷ ମଧ୍ୟରେ ୧୩ ମାସ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟିଥିଲା। ଚୁକ୍ତିନାମା ଅନୁଯାୟୀ, ଲେବାନିଜ୍ ସେନା ଦକ୍ଷିଣ ଲେବାନନରେ ମୁତୟନ କରାଯିବା ଏବଂ ହିଜବୁଲା ଏବଂ ଇସ୍ରାଏଲ ସେମାନଙ୍କର ସେନା ପ୍ରତ୍ୟାହାର କରିବେ। ତଥାପି, ଉଭୟ ପକ୍ଷ ପରସ୍ପର ଉପରେ ଚୁକ୍ତିନାମା ଉଲ୍ଲଂଘନ କରିବାର ଅଭିଯୋଗ ଆଣିଥିଲେ।