ନୂଆଦିଲ୍ଲୀ,୧୯/୦୨: ପ୍ରତି ସଫଳ ଯାତ୍ରା ପଛରେ ଥାଏ ସଂଘର୍ଷର କାହାଣୀ । ଦିନ ଥିଲା ପାଣି ବୋତଲ ବିକ୍ରି କରୁଥିଲେ । ଆଜି ଜଣେ ଷ୍ଟାର ହକି ପ୍ଲେୟାର ବନିଛନ୍ତି । ଯୁଗରାଜ ସିଂହ ଏବେ ଏକ ଚର୍ଚ୍ଚତ ନାମ ଯିଏ କି ହକିପ୍ରେମୀଙ୍କ ହୃଦୟରେ ଘର କରିଛନ୍ତି । ଦିନେ ୱାଘା ବର୍ଡର ଥଣ୍ଡା ପାଣି ବୋତଲ ସେଲ କରୁଥିବା ଯୁଗରାଜ ଆଜି ଷ୍ଟାର ହକି ପ୍ଲେୟାର ହୋଇଛନ୍ତି । ପାଣି ବୋତଲ ବିକ୍ରି କରିବାଠୁ ନେଇ ହକି ଇଣ୍ଡିଆ ଲିଗ୍ ୨୦୨୪-୨୫ର ସର୍ବାଧିକ ଗୋଲ୍ ସ୍କୋରର ହେବା ଯାଏ...ଏହି ପ୍ରେରଣାଦାୟୀ ଯାତ୍ରାର ସଫଳ ନାୟକ ହେଉଛନ୍ତି ଭାରତୀୟ ହକି ତାରକା ଯୁଗରାଜ ସିଂହ । ଆସନ୍ତୁ ଜାଣିବା କେମିତି ଥିଲା ତାଙ୍କ ଯାତ୍ରା ।
ପଞ୍ଜାବର ଅଟାରୀରେ ଜନ୍ମଗ୍ରହଣ କରିଥିଲେ ଯୁଗରାଜ । ପିଲାଦିନ ଥଲା ବେଶ୍ ସଂଘର୍ଷପୂର୍ଣ୍ଣ । ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା । ଅଭାବ ଅନଟନ ଭିତରେ ଜୀନବ କଟୁଥିଲା । ହେଲେ ସେ ଆଗକୁ ବଢିବାକୁ ସ୍ବପ୍ନ ଦେଖିବା ଛାଡି ନଥିଲେ । ଭାରତୀୟ ସେନାରେ କୁଲି ଭାବେ କାମ କରୁଥିଲେ ତାଙ୍କ ବାପା । ଅଚାନକ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଯୁଗରାଜଙ୍କ ପିତାଙ୍କ ଶଯ୍ୟାଶାୟୀ ହୋଇଯାନ୍ତି । ଏହାପରେ ପୁରା ପରିବାର ଦାୟିତ୍ବ ତାଙ୍କ ଉପରକୁ ଚାଲି ଆସେ । ପରିବାରକୁ ସହୟତା କରିବାକୁ ଅତି ଛୋଟ ବୟସରୁ ଯୁଗରାଜଙ୍କୁ ତାଙ୍କ ଗାଁ ପାଖ ଭାରତ-ପାକିସ୍ତାନ ୱାଘା-ଅଟାରୀ ସୀମାରେ ପାଣି ବୋତଲ ସହ ତ୍ରିରଙ୍ଗା ବିକ୍ରି କରି ଗୁଜୁରାଣ ମେଣ୍ଟାଇବାକୁ ପଡିଥିଲା । ଏତେ କଷ୍ଟ ଭିତରେ ବି ହକି ପ୍ରତି ଭଲ ପାଇବା କମି ନଥିଲା । ୭ବର୍ଷ ବୟସରୁ ହକି ଖେଳିବା ଆରମ୍ଭ କରିଥିଲେ ।
ଜୀବନରେ ଯେତେ ବାଧାବିଘ୍ନ ଆସିଲେ ବି ସବୁକୁ ସାମ୍ନା କରିଥିଲେ ସେ । ଜୀବନ ରାସ୍ତାରେ ସବୁ ଅସୁବିଧାକୁ ପାର୍ କରି ହକି ଖେଳରେ ନିଜକୁ ହଜାଇ ଦେଇଥିଲେ । ତ୍ୟାଗ ଓ ପରିଶ୍ରମର ପରିଣାମ ତାଙ୍କୁ ପଞ୍ଜାବ ପରେ ଭାରତୀୟ ହକି ଦଳରେ ସୁଯୋଗ ମିଳିଥିଲା । ଭାରତ ପାଇଁ ସେ ୬୪ରୁ ଅଧିକ ମ୍ୟାଚ ଖେଳି ସାରିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକିରେ ଦୁଇଟି ସ୍ବର୍ଣ୍ମ ପଦକ ଜିତିଛନ୍ତି । ବର୍ତ୍ତମାନ ସେ ଜଣେ ପ୍ରତିଭାବାନ ରକ୍ଷଣଭାଗ ଖେଳାଳି । ପାଣି ବୋତଲ ବିକ୍ରେତାରୁ ହକି ଇଣ୍ଡିଆ ଲିଗ ବିଜେତା ହୋଇ ହକିପ୍ରେମୀଙ୍କ ହୃଦୟରେ ଘର କରିଛନ୍ତି ଡିଫେଣ୍ଡର ୨୮ ବର୍ଷୀୟ ଯୁଗରାଜ ସିଂହ । ଏଚଆଇଏଲ ଫାଇନାଲରେ ହାଇଦ୍ରାବାଦ ତୁଫାନ୍ସ ବିପକ୍ଷରେ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ ଯୁଗରାଜ ।