ନୂଆଦିଲ୍ଲୀ,୨୧/୦୨: ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଭାରତ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ବାଂଲାଦେଶ ବିପକ୍ଷରେ ଖେଳିଥିବା ପ୍ରଥମ ମ୍ୟାଚକୁ ୬ ୱିକେଟରେ ଜିତିଛି ରୋହିତ ସେନା । ଯଦିଓ ଭାରତ ବିଜୟ ହାସଲ କରିଛି ମାତ୍ର କିଛି ତ୍ରୁଟି ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ଯାହାକୁ ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ସୁଧାରିବାକୁ ହେବ । ଆସନ୍ତା ୨୩ ତାରିଖରେ ଭାରତ ତାର ଦ୍ବିତୀୟ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ଭେଟିବ । ଯଦି ପାକ୍ ବିପକ୍ଷରେ ଭୁଲ ରିପିଟ୍ କରେ ତେବେ ଦଳକୁ ମହଙ୍ଗା ପଡିପାରେ । ଜାଣନ୍ତୁ କଣ ସେହି ଭୁଲ ।
ଖରାପ ଫିଲ୍ଡିଂ ପଡିପାରେ ମହଙ୍ଗା- ବାଂଲାଦେଶ ବିପକ୍ଷରେ ଭାରତ ବିଜୟୀ ହୋଇଥିଲେ ସୁଦ୍ଧା ଦଳର ଖରାପ ଫିଲ୍ଡିଂ ଦେଖିବାକୁ ମିଳିଥିଲା । ବାଂଲାଦେଶ ବିପକ୍ଷରେ ଭାରତ ଦୁଇଟି ସହଜ କ୍ୟାଚ ମିସ୍ କରିଥିଲା । ଯେପରିକି ରୋହିତଙ୍କ କ୍ୟାଚ୍ ଡ୍ରପ ପାଇଁ ଅକ୍ଷରଙ୍କ ହ୍ୟାଟ୍ରିକ ମିସ୍ ହୋଇଥିଲା । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏକ ସହକ କ୍ୟାଚ ଛାଡିଥିଲେ । ଭାରତୀୟ ଦଳରେ ଉନ୍ନତ ଫିଲ୍ଡର ରହିଛନ୍ତି । ତଥାପି ଦଳକୁ ଏ ଦିଗରେ ସଜାଗ ରହିବାକୁ ପଡିବ । ପାକିସ୍ତାନ ବିପକ୍ଷରେ ଭାରତକୁ ଏହି ତ୍ରୁଟି ସୁଧାରିବାକୁ ହେବ । ଯଦି ଏହି ଭୁଲ ରିପିଟ କଲେ ତେବେ ଦଳକୁ ମହଙ୍ଗା ପଡିପାରେ ।
ମଧ୍ୟଭାଗରେ ଖରାପ ବୋଲିଂ- ବାଂଲାଦେଶ ବିପକ୍ଷରେ ଭାରତୀୟ ବୋଲରଙ୍କ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପ୍ରଥମ ଓଭରରେ ହିଁ ମହମ୍ମଦ ସାମି ୱିକେଟ ହାସଲ କରିଥିଲେ । ହର୍ଷିତ ରାଣା ଦ୍ବିତୀୟ ଓଭରରେ ଆଉ ଏକ ୱିକେଟ ଅକ୍ତିଆର କରିଥିଲେ । ୩୫ ରନରେ ୫ୱିକେଟ ହାସଲ କରିଥିଲେ ଟିମ୍ ଇଣ୍ଡିଆ ବୋଲର । ଏହାପରେ ବି ବାଂଲାଦେଶ ୨୨୮ ରନ କରିଥିଲା । ଜାକିର ଓ ତୋହିଦ ହୃଦୟ ଷଷ୍ଠ ୱିକେଟରେ ୧୫୪ରନ ସାନଦାର ଭାଗିଦାରୀ କରିଥିଲେ । ମଧ୍ୟଭାଗ ଓଭରରେ ଭାରତର ବୋଲିଂ ପ୍ରଦର୍ଶନ ଭଲ ନଥିଲା । ମଧ୍ୟଭାଗରେ ଭାରତୀୟ ବୋଲରଙ୍କୁ ୱିକେଟ ମିଳିନଥିଲା ।
ଯଦି ପ୍ରଥମେ ବ୍ୟାଟିଂ କରିବାକୁ ପଡେ- ଅନେକ ସମୟରେ ଦେଖିବାକୁ ମିଳିଛି କି ଭାରତ ଟାର୍ଗେଟ ପିଛା କରି ବିଜୟୀ ହୋଇଛି । ଅର୍ଥାତ ପ୍ରଥମେ ବୋଲିଂ କରିବା ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଦୁବାଇ ଗ୍ରାଉଣ୍ଡରେ କାକର ପଡୁଥିବାରୁ ଦ୍ବିତୀୟ ଭାଗରେ ବ୍ୟାଟିଂ କରିବା କଷ୍ଟକର ହୋଇପାରେ । ଏ ଦିଗରେ ଭାରତକୁ ଧ୍ୟାନ ଦେବାକୁ ହେବ । ମାତ୍ର ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ପାଇଁ ଅଧିକ ଚ୍ୟାଲେଞ୍ଜ ପୂର୍ଣ୍ଣ ହେବ । ଏହି ପିଚ୍ ଧିମା ହେବ । ସ୍ପିନରଙ୍କୁ ସୁହାଇବ । ପ୍ରଥମେ ବ୍ୟାଟିଂ କରିବା ଦଳକୁ ପିଚ୍ ସହାୟକ ହେବ ନାହିଁ । ଯଦି ଭାରତ ପ୍ରଥମେ ବ୍ୟାଟିଂ କରେ ତେବେ ବଡ ସ୍କୋର କରିପାରିବ ନାହିଁ ।
ଅଧିକ ପଢନ୍ତୁ...କୋହଲୀ କ୍ୟାଚ୍ ଧରି ମନାଇଲେ ଖୁସି, ରୋହିତଙ୍କ ରିଆକ୍ସନ ଭାଇରାଲ

ପାକ୍ ବିପକ୍ଷରେ ଅପରିବର୍ତ୍ତିତ ରହିବ ଭାରତୀୟ ସ୍କ୍ବାର୍ଡ- ଦୁବାଇ ମୈଦାନରେ ଭାରତ ବିପକ୍ଷରେ ପାକିସ୍ତାନକୁ ଜଗିରଖି ଖେଳିବାକୁ ହେବ କାରଣ ସେଠାରେ ଭାରତ ଦିନିକିଆରେ ବିଲକୁଲ ପରାସ୍ତ ହୋଇନାହିଁ । ଦିନିକିଆରେ ଟିମ୍ ଇଣ୍ଡିଆର ଭଲ ରେକର୍ଡ ରହିଛି । ଯାହା ପାକିସ୍ତାନ ସମେତ ବାକି ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇପାରେ । ବାଂଲାଦେଶ ବିପକ୍ଷରେ କେଏଲ ରାହୁଲଙ୍କର ପ୍ରଦର୍ଶନ ଭଲ ଥିଲା । ତେଣୁ ଭାରତ ସ୍କ୍ବାର୍ଡରେ ଋଷବ ପନ୍ତଙ୍କୁ ସାମିଲ କରାନଯାଇ ପାରେ । ତେଣୁ ପାକିସ୍ତାନ ବିପକ୍ଷରେ ଭାରତୀୟ ସ୍କ୍ବାର୍ଡ ଅପରିବର୍ତ୍ତିତ ରହିବ ।
ପଏଣ୍ଟ ଟେବୁଲରେ ଭାରତର ସ୍ଥାନ- ବାଂଲାଦେଶ ବିପକ୍ଷରେ ବିଜୟ ସତ୍ତ୍ବେ ପଏଣ୍ଟ ଟେବୁଲରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଟେବୁଲ ଟପରେ ରହିଛି ନ୍ୟୁଜିଲାଣ୍ଡ । ୧.୨ ରନରେଟ୍ ଆଧାରରେ ୨ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ଶୀର୍ଷରେ ରହିଥିବା ବେଳେ ଭାରତ ୦.୪୦୮ ରନରେଟ୍ ସହ ସମାନ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି ରୋହିତ ସେନା ।