ନୂଆଦିଲ୍ଲୀ ୨୮/୦୭: ଜୁଲାଇ ୨୩ରେ ୪ ଦିନିଆ ବ୍ରିଟେନ୍ ଓ ମାଳଦ୍ୱୀପ ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରିଟେନ୍ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ଫଟୋ ପୋଷ୍ଟ କରିଥିଲେ । ସେଥିରେ ତାଙ୍କୁ ବ୍ରିଟେନ୍ ପ୍ରତିପକ୍ଷ କିର୍ ଷ୍ଟାର୍ମରଙ୍କ ସହ ଏକ ଭାରତୀୟ ଷ୍ଟଲ୍ରୁ ଚା’ ପିଉଥିବା ଦେଖିବାକୁ ମିଳିଥିଲା । କ୍ୟାପସନ୍ରେ ସେ ଲେଖିଥିଲେ, ‘କିର୍ ଷ୍ଟାର୍ମରଙ୍କ ସହ ଚାଏ ପେ ଚର୍ଚ୍ଚା’ । ମୋଦିଙ୍କ ପୋଷ୍ଟ ପରଠାରୁ ବେଶ୍ ଚର୍ଚ୍ଚାକୁ ଆସିଯାଇଛନ୍ତି ଚା’ ଷ୍ଟଲର ମାଲିକ ଅଖିଲ ପଟେଲ ।
ଭାରତୀୟ ବଂଶୋଦ୍ଭବ ଅଖିଲ ଲଣ୍ଡନରେ ବଡ଼ ହୋଇଥିଲେ । ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ ଆଣ୍ଡ ପଲିଟିକାଲ ସାଇନ୍ସରୁ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି ସେ । କିଛି ଦିନ ଧରି ଡାଟା ଆନାଲିଷ୍ଟ ଭାବେ କାମ କରିବା ପରେ ୨୦୧୯ରେ ଏକ ଭିନ୍ନ ରାସ୍ତା ବାଛିଥିଲେ ଅଖିଲ । ନିଜ ଜେଜେମା’ଙ୍କ ପାରମ୍ପରିକ ଚା’ ପ୍ରସ୍ତୁତି ଦ୍ୱାରା ପ୍ରଭାବିତ ହୋଇ ସେ ଅମାଲା ଚା’ ବ୍ରାଣ୍ଡ ପ୍ରତିଷ୍ଠା କରିଥିଲେ । ଆସାମ ଚା’ ଓ କେରଳର ମସଲାକୁ ମିଶାଇ ଚା’ ପ୍ରସ୍ତୁତ କରିଥାନ୍ତି । ଅଖିଲଙ୍କୁ ଗତ ଗୁରୁବାର ଭାରତ-ବ୍ରିଟେନ୍ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମ ପାଇଁ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ନିମନ୍ତ୍ରଣ କରାଯାଇଥିଲା । କାର୍ଯ୍ୟ କ୍ରମରେ ମୋଦି ଏବଂ ଷ୍ଟାର୍ମର ଅଖିଲଙ୍କ ଷ୍ଟଲ୍ରୁ ଚା’ ପିଇଥିଲେ ।
ଅମାଲା ଚା’ର ଇନ୍ଷ୍ଟାଗ୍ରାମ ପୋଷ୍ଟରେ ଅଖିଲ ଏହି ମୁହୂର୍ତ୍ତକୁ ଅସାଧାରଣ ବୋଲି ଦର୍ଶାଇଛନ୍ତି । ମୋଦିଙ୍କୁ ଚା’ ଦେବା ସମୟରେ ସେ ‘ଜଣେ ଚା’ ବାଲାଙ୍କ ପକ୍ଷରୁ ଅନ୍ୟ ଜଣେ ଚା’ ବାଲାଙ୍କୁ’ ବୋଲି କହିଥିଲେ । ଏହି ଟିପ୍ପଣୀ ଚା’ ବିକ୍ରେତା ଭାବେ ପ୍ରଧାନମନ୍ତ୍ରୀଙ୍କ ଅତୀତ ପ୍ରତି ଇଶାରା ଥିବାବେଳେ ତାହା ଶୁଣି ମୋଦି ହସି ଦେଇଥିଲେ । ତାଙ୍କ ଚା’କୁ ଭାରତର ସ୍ୱାଦ ବୋଲି କହିଥିଲେ । ଷ୍ଟାର୍ମର ମଧ୍ୟ ତାଙ୍କ ଚା’କୁ ପ୍ରଶଂସା କରିଥିଲେ । ଏହା ତାଙ୍କ ଜୀବନର ଅବିସ୍ମରଣୀୟ ମୁହୂର୍ତ୍ତ ବୋଲି ଅଖିଲ ଦର୍ଶାଇଛନ୍ତି ।