ନୂଆଦିଲ୍ଲୀ,୨୮/୦୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଡ୍ରମ୍ପ ବିଭିନ୍ନ ଦେଶ ବିରୋଧରେ ଯେସାକୁ ତେସା ଟିକସ ଲାଗୁ କରିଛନ୍ତି । ଏହି ଟାରିଫ୍ ଲାଗୁ ହେବାର ସୀମା ଅଗଷ୍ଟ ୧ ରହିଥିଲା । ତେବେ ଏହି ସୀମା ଆଉ ବଢ଼ିବନି । ନୂଆ ଟାରିଫ ଅଗଷ୍ଟ ୧ରୁ ଲାଗୁ ହେବ ବୋଲି ବାଣିଜ୍ୟ ସଚିବ ହୋୱାର୍ଡ ଲୁଟନିକ କହିଛନ୍ତି । ଏ ନେଇ ଏଏଫ୍ପି ଏକ ରିପୋର୍ଟ ପ୍ରକାଶ କରିଛି ।
ଲୁଟନିକ କହିଲେ, ଦେଶ ଗୁଡ଼ିକ ପ୍ରତି ଆଉ କୋହଳ ମନୋଭାବ ପୋଷଣ କରାଯିବନି । ଧାର୍ଯ୍ୟ ଟାରିଫ ହିଁ ଲାଗୁ ହେବ । ସୀମା ଶୁଳ୍କ ଆଦାୟ କରିବା ଦିଗରେ ଆମେ ଅଗ୍ରସର ହେବାକୁ ଯାଉଛୁ । ଏଭଳି ସ୍ଥିତିରେ ଭାରତ ଭଳି ଦେଶ ଗୁଡ଼ିକ ଲାଗି ଏହା ବିଶେଷ ଗୁରୁତ୍ୱ ବହନ କରୁଛି । କାରଣ ଟାରିଫ୍ ଲାଗୁ ହେବା ଆଗରୁ ଏକ ବାଣିଜ୍ୟ ଚୁକ୍ତି ନେଇ ଭାରତ ଆଶାବାଦୀ ରହିଛି । ଆଉ ୨ ଦିନରେ ଭାରତ ବାଣିଜ୍ୟ ଚୁକ୍ତି ନ କଲେ ଟାରିଫ ଲାଗୁ ହେବ ।
ପାଲଟା ଟାରିଫ୍ ଲାଗୁ ହେବାର ଧାର୍ଯ୍ୟ ସୀମା ବଢ଼ିବ କି ନାହିଁ ସେ ନେଇ ଟ୍ରମ୍ପ କିଛି ସ୍ପଷ୍ଟ କରି ନ ଥିଲେ । ତେବେ ବାଣିଜ୍ୟ ସଚିବଙ୍କ ସ୍ପଷ୍ଟୀକରଣ ପରେ ଦେଶ ଗୁଡ଼ିକ ବିରୋଧରେ ଏହା ଲାଗୁ ହେବ ବୋଲି ପ୍ରାୟ ସ୍ପଷ୍ଟ ହୋଇଛି । ଧାର୍ଯ୍ୟ ସୀମା ସରିବାର ୨ ଦିନ ଆଗରୁ ଲୁଟନିକ ଆଭାଷ ଦେଇଛନ୍ତି ଯେ, ମୂଳଭୂତ ଟାରିଫ୍ ୧୫%ରୁ କମ୍ ହୋଇ ନ ପାରେ । ଏହା ୧୦% ରହିବ ବୋଲି ଏପ୍ରିଲରେ କୁହାଯାଇଥିଲା । ତେବେ ଚୂଡ଼ାନ୍ତ ଟାରିଫ୍ ୧୫%ରୁ ୫୦% ରହିପାରେ ।
ଟ୍ରମ୍ପ ଘୋଷଣା କରିଥିବା ପାଲଟା ଟିକସ ସୀମା ଜୁଲାଇ ୯ରୁ ଅଗଷ୍ଟ ୧କୁ ବୃଦ୍ଧି କରିଥିଲେ । ଗତ କିଛି ସପ୍ତାହ ହେବ ଆମେରିକା ବ୍ରିଟେନ, ଜାପାନ, ଇଣ୍ଡୋନେସିଆ, ଫିଲିଫାଇନ୍ସ ଭଳି ବିଭିନ୍ନ ଦେଶ ସହ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷର କରିଛି । ଚଳିତ ମାସ ଆରମ୍ଭରେ ଟ୍ରମ୍ପ ବିଭିନ୍ନ ଦେଶକୁ ଟାରିଫ ସମ୍ପର୍କିତ ଚିଠି ପଠାଇଥିଲେ । ଛୋଟ ଦେଶ ଗୁଡ଼ିକ ଉପରେ ୧୦% ରୁ ୧୫% ଟିକସ ଲାଗୁ କରିବା ଲାଗି ଟ୍ରମ୍ପ ଯୋଜନା ରଖିଛନ୍ତି । ରବିବାର ଟ୍ରମ୍ପ ୟୁରୋପୀୟ କମିସନର ସଭାପତି ଉର୍ସୁଲା ଭନ୍ ଡେର୍ ଲାଏନଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ଟ୍ରମ୍ପ ୟୁରୋପୀୟ ସଂଘ (ଇୟୁ ) ସହ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର ନେଇ ଘୋଷଣା କରିଛନ୍ତି । ଏହା ଉଭୟ ପକ୍ଷଙ୍କ ଲାଗି ଏକ ଭଲ ଡିଲ୍ ବୋଲି କହିଛନ୍ତି ଟ୍ରମ୍ପ । ସେହିଭଳି ଭନ୍ ଡେର୍ ଲାଏନ ମଧ୍ୟ ଏହାକୁ ଉତ୍ତମ ଡିଲ୍ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।
ଅତ୍ୟଧିକ ବାଣିଜ୍ୟିକ ଘାଟା ଥିବା ଦେଶ ଗୁଡ଼ିକ ବିରୋଧରେ ବଡ଼ ଧରଣର ଟାରିଫ ଲାଗୁ କରିବା ଲାଗି ଟ୍ରମ୍ପ ଦେଶ ସମୂହଙ୍କୁ ବାରମ୍ବାର ଧମକ ଦେଇଥିଲେ । ଏହା ମଧ୍ୟରେ ୟୁରୋପୀୟ ସଂଘରେ ଥିବା ଦେଶଗୁଡ଼ିକ ମଧ୍ୟ ସାମିଲ ଥିଲେ । ତେବେ ଟାରିଫ ଲାଗୁ ହେବା ଆଗରୁ ୟୁରୋପୀୟ ସଂଘ ଆମେରିକା ସହ ଡିଲ୍ କରିଛି । ଆମେରିକା ପକ୍ଷରୁ ଏହି ଚୁକ୍ତି ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇନାହିଁ । ଏହା ଦ୍ୱାରା ୟୁରୋପୀୟ ସଂଘ ଆମେରିକାକୁ ପଠାଉଥିବା ସାମଗ୍ରୀ ଉପରେ ୧୫% ମୂଳଭୂତ ଟିକସ ଲାଗିବ ବୋଲି କୁହାଯାଉଛି ।
ସେହିଭଳି ଇୟୁ ଆମେରିକାଠାରୁ ପ୍ରତିରକ୍ଷା ଏବଂ ୧୫୦ ବିଲିୟନ ଡଲାରର ପେଟ୍ରୋଲିୟମ ସାମଗ୍ରୀ କିଣିବ । ଆମେରିକାରେ ନିବେଶ, ନିଜ ଦେଶର କୃଷିଜାତ ସାମଗ୍ରୀରେ ଆମେରିକା ବଜାର ସୁଯୋଗ ଦେବ ଇୟୁ । ଚୁକ୍ତି ପରିସରରେ ଅଟୋମୋବାଇଲ ଏବଂ ସେମିକଣ୍ଡକ୍ଟର ଚିପ୍କୁ ସାମିଲ କରାଯାଇଛି । ଇସ୍ପାତ ଏବଂ ଆଲୁମିନିୟମ ଉପରେ ଟିକସ ପୂର୍ବଭଳି ସମାନ ରହିଛି ।