ନୂଆଦିଲ୍ଲୀ: ପାକିସ୍ତାନରେ ଏକ ଯନ୍ତ୍ରଣା ଦାୟକ ସଡ଼କ ଦୁର୍ଘଟଣା ଘଟିଛି। ରବିବାର ଏହି ବସ୍ ଦୁର୍ଘଟଣାରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ସମ୍ପର୍କରେ ଅଧିକାରୀ ମାନେ ସୂଚନା ଦେଇଛନ୍ତି। ବସ୍ଟି ଇସଲାମାବାଦରୁ ଲାହୋର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପଞ୍ଜାବ ପ୍ରଦେଶର ଚକୱାଲ ଜିଲ୍ଲାର ବାଲକାସର ନିକଟରେ ବସ୍ଟି ଏକ ଖାତକୁ ଖସିପଡ଼ିଥିଲା । ଗାଡ଼ିରେ ୪୦ ରୁ ଅଧିକ ଯାତ୍ରୀ ଥିଲେ।
ଚକୱାଲ ଜରୁରୀକାଳୀନ ସେବାର ଜଣେ ମୁଖପାତ୍ରଙ୍କ ଅନୁଯାୟୀ, ବସ୍ର ଟାୟାର ଫାଟିଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ, ଯାହା ଫଳରେ ଗାଡ଼ିଟି ଓଲଟି ପଡ଼ି ଖାତକୁ ଖସିପଡ଼ିଥିଲା। ଚକୱାଲ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରାଧିକରଣ (DHA)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ସଇଦ ଅଖତର ଏକ ବିବୃତ୍ତିରେ କହିଛନ୍ତି, "ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୩୦ ଜଣ ଆହତ ହୋଇଛନ୍ତି।" ୮ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି, ଯେତେବେଳେ ଜଣେ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ମଧ୍ୟରେ ବସ୍ ଡ୍ରାଇଭର ମଧ୍ୟ ଅଛନ୍ତି। ଆହତ ମାନଙ୍କୁ ଚକୱାଲର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଜରୁରୀକାଳୀନ ଉଦ୍ଧାର ସେବାର ମୁଖପାତ୍ର କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ମହିଳା ଏବଂ ପିଲାମାନେ ମଧ୍ୟ ଅଛନ୍ତି। ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ ପୀଡିତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।