ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ଚାଲିଥିବା ବିବାଦରେ ହସ୍ତକ୍ଷେପ କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶକୁ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଧମକ ଦେଇଛନ୍ତି । ଯୁଦ୍ଧ ବିରତି ନେଇ ଉଭୟ ଦେଶର ମୁଖ୍ୟଙ୍କ ସହ ସେ କଥା ହେଉଥିବା କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ଆମେରିକା ରାଷ୍ଟ୍ରପତି ଶନିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି, ‘ମୁଁ ଥାଇଲାଣ୍ଡର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛି ଏବଂ ଏହା ଏକ ବହୁତ ଭଲ ଆଲୋଚନା ଥିଲା । କାମ୍ବୋଡିଆ ପରି ଥାଇଲାଣ୍ଡ ତୁରନ୍ତ ଯୁଦ୍ଧବିରାମ ଏବଂ ଶାନ୍ତି ଚାହୁଁଛି । ମୁଁ କାମ୍ବୋଡିଆର ପ୍ରଧାନମନ୍ତ୍ରୀଙ୍କୁ ଏକଥା କହିଛି।’
ପରେ ଟ୍ରମ୍ପ କହିଛନ୍ତି, ଉଭୟ ପକ୍ଷଙ୍କ ସହ କଥା ହେବା ପରେ, ଏହା ମନେ ହେଉଛି ଯେ, ଯୁଦ୍ଧବିରତି, ଶାନ୍ତି ଏବଂ ସମୃଦ୍ଧି ସ୍ୱାଭାବିକ ଭାବରେ ସମ୍ଭବ। ଏବେ ଆମେ ଶୀଘ୍ର ଦେଖିବୁ ପରବର୍ତ୍ତୀ ସମୟରେ କ'ଣ ହେବ ।’ ଥାଇଲାଣ୍ଡ ସହିତ ଯୁଦ୍ଧ ବନ୍ଦ କରିବା ସମ୍ପର୍କରେ କାମ୍ବୋଡିଆ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଉଛନ୍ତି ବୋଲି ମଧ୍ୟ କହିଛନ୍ତି ଟ୍ରମ୍ପ ।
ଟ୍ରମ୍ପ କହିଛନ୍ତି, ଏହା ମଧ୍ୟ ଏକ ସଂଯୋଗ । ବର୍ତ୍ତମାନ ଏହି ଉଭୟ ଦେଶ ସହିତ ବାଣିଜ୍ୟ ସମ୍ପର୍କରେ ଆଲୋଚନା କରୁଛୁ। କିନ୍ତୁ ମୁଁ ସେମାନଙ୍କୁ ସ୍ପଷ୍ଟ ଭାବରେ କହିସାରିଛି ଯେ, ଯଦି ସେମାନେ ଏହି ଯୁଦ୍ଧ ଜାରି ରଖନ୍ତି, ତେବେ ଆମେ (ଆମେରିକା) ଉଭୟ ଦେଶ ସହିତ କୌଣସି ବାଣିଜ୍ୟ ଚୁକ୍ତି କରିବୁ ନାହିଁ।
କାମ୍ବୋଡିଆ ଏବଂ ଥାଇଲାଣ୍ଡରେ ଯୁଦ୍ଧ ବନ୍ଦ କରିବା ପାଇଁ ତାଙ୍କ ପ୍ରୟାସ ଉପରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ମୁଁ ଏକ ଜଟିଳ ପରିସ୍ଥିତିକୁ ସରଳ କରିବାକୁ ଚେଷ୍ଟା କରୁଛି। ଏହି ଯୁଦ୍ଧରେ ଅନେକ ଲୋକ ମରୁଛନ୍ତି। ଏହା ମୋତେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ କଥା ମନେ ପକାଇ ଦେଉଛି, ଯାହାକୁ ସଫଳତାର ସହ ବନ୍ଦ କରାଯାଇଥିଲା।’ ଟ୍ରମ୍ପ ବାରମ୍ବାର କହୁଛନ୍ତି ଯେ, ସେ ମେ’ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ବନ୍ଦ କରିଥିଲେ। ତଥାପି, ଭାରତ ଟ୍ରମ୍ପଙ୍କ ଦାବିକୁ ଗୁରୁତ୍ୱ ଦେଇନାହିଁ ଏବଂ ତାଙ୍କ ଦାବିକୁ ପ୍ରତ୍ୟାଖାନ କରିଆସିଛି।
ପାରଷ୍ପରିକ ପ୍ରତିରକ୍ଷା ଚୁକ୍ତି ଅନୁଯାୟୀ ଥାଇଲାଣ୍ଡ ଆମେରିକାର ଦୀର୍ଘକାଳୀନ ସହଯୋଗୀ ହୋଇଆସିଛି। ଦକ୍ଷିଣ-ପୂର୍ବ ଏସିଆରେ ପ୍ରଭାବ ପାଇଁ ଆମେରିକାକୁ ଥାଇଲାଣ୍ଡର ଆବଶ୍ୟକତା ଅଛି। ଏପରି ପରିସ୍ଥିତିରେ, ଥାଇଲାଣ୍ଡରେ ଅସ୍ଥିରତାକୁ ରୋକିବା ଆମେରିକା ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମେରିକା ଯୁଦ୍ଧବିରତି ପାଇଁ ଆଗକୁ ଆସିଛି। ବିଶେଷଜ୍ଞଙ୍କ ଅନୁସାରେ, ଆମେରିକା ଆହୁରି ଆଗକୁ ଯାଇ ସାମରିକ କିମ୍ବା କୂଟନୈତିକ ହସ୍ତକ୍ଷେପ ମଧ୍ୟ କରିପାରେ ।