ନୂଆଦିଲ୍ଲୀ,୨୭/୦୭: ଯୁଦ୍ଧବିରତ ପାଇଁ ରାଜି ଥାଇଲାଣ୍ଡ ଓ କମ୍ବୋଡିଆ । ଦୁଇଦେଶ ବସି କଥାବାର୍ତ୍ତା ପାଇଁ ସହମତି ପ୍ରକାଶ କରିଛନ୍ତି । ଯୁଦ୍ଧ ବନ୍ଦ ନକଲେ ବାଣିଜ୍ୟ ଚୁକ୍ତି ହେବନି ବୋଲି ଧମକ ଦେବା ପରେ ଦୁଇଦେଶ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଘୋଷଣା କରିଛନ୍ତି । ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ୩ ଦିନ ହେବ ଯୁଦ୍ଧ ଜାରି ରହିଛି । ଆଜି ଚତୁର୍ଥ ଦିନରେ ପହଞ୍ଚିଛି ସଂଘର୍ଷ । ଦୁଇ ଦେଶରୁ ୩୩ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇଦେଶ ମଧ୍ୟରେ ୮୧୭ କିମି ଲମ୍ବ ସୀମାକୁ ନେଇ ବିବାଦ ଉପୁଜିଛି ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ସ୍କଟଲ୍ୟାଣ୍ଡ ଗସ୍ତରେ ଅଛନ୍ତି । ଟ୍ରମ୍ପ ଟ୍ରୁଥ ସୋସିଆଲକୁ ସୂଚନା ଦେଇଛନ୍ତି ଯେ, ସେ ଥାଇଲାଣ୍ଡର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଫୁମଥାମ୍ ଭେଚାୟାଚାଇ ଏବଂ କାମ୍ବୋଡିଆର ପ୍ରଧାନମନ୍ତ୍ରୀ ହୁନ୍ ମାନେଟ୍ଙ୍କ ସହ ପୃଥକ ଭାବରେ ଆଲୋଚନା କରିଛନ୍ତି । ଉଭୟଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ଯୁଦ୍ଧ ଜାରି ରହେ, ତେବେ ଆମେରିକା ସେମାନଙ୍କ ସହିତ ବାଣିଜ୍ୟ ଚୁକ୍ତି କରିବ ନାହିଁ ।
ଟ୍ରମ୍ପ ଲେଖିଛନ୍ତି, "ଉଭୟ ଦେଶ ତୁରନ୍ତ ଶାନ୍ତି ଚାହାଁନ୍ତି ଏବଂ ସମାଧାନ ପାଇଁ ପ୍ରସ୍ତୁତ ଅଛନ୍ତି । ଉଭୟ ନେତା ଖୁବଶୀଘ୍ର ଏକ ଯୁଦ୍ଧବିରତି ପାଇଁ ଏକାଠି କାମ କରିବେ ।" ହ୍ୱାଇଟ୍ ହାଉସ୍ କିମ୍ବା ଉଭୟ ଦେଶର ଦୂତାବାସ ଏପର୍ଯ୍ୟନ୍ତ ଏହି ଆଲୋଚନାକୁ ନିଶ୍ଚିତ କରିନାହାଁନ୍ତି ।
ଅଧିକ ପଢନ୍ତୁ...କାମ୍ବୋଡିଆ-ଥାଇଲାଣ୍ଡକୁ ଟ୍ରମ୍ପଙ୍କ ଧମକ, ‘ଯୁଦ୍ଧ ବନ୍ଦ ନକଲେ ହେବନି ବାଣିଜ୍ୟ’
ଥାଇଲାଣ୍ଡ-କମ୍ବୋଡିଆ ସଂଘର୍ଷ- ହଜାରେ ବର୍ଷର ପୁରୁଣା ଦୁଇଟି ଶିବ ମନ୍ଦିରକୁ ନେଇ ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ସଙ୍ଘର୍ଷ ଚତୁର୍ଥ ଦିନରେ ପହଞ୍ଚିଛି । ଏହି ସଙ୍ଘର୍ଷରେ ଏ ପର୍ଯ୍ୟନ୍ତ ୩୩ ଲୋକଙ୍କ ମୃତ୍ୟୁ ହୋଇଛି । କାମ୍ବୋଡିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁତାବକ, ମୁହାଁମୁହିଁ ଯୋଗୁ ଦେଶର ୧୩ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ୮ ନାଗରିକ ଓ ୫ ସୈନିକ ଅନ୍ତର୍ଭୁକ୍ତ । ଏହାଛଡ଼ା ୭୧ ଜଣ ଆହତ ହୋଇଛନ୍ତି । ସେପଟେ ଥାଇଲାଣ୍ଡରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୧୪ ନାଗରିକ ଓ ୬ ସୈନ୍ୟ ରହିଛନ୍ତି । ୧ ଲକ୍ଷ ୩୦ ହଜାର ଲୋକ ବାସ୍ଥାପିତ ହୋଇଛନ୍ତି । ଥାଇଲାଣ୍ଡ ଜାଣିଶୁଣି ଆକ୍ରମଣ କରୁଥିବା ନେଇ କାମ୍ବୋଡିଆ ଅଭିଯୋଗ କରିଛି । ଥାଇ ସେନା ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କରିଥିବା କୁହାଯାଇଛି । ଥାଇଲାଣ୍ଡ ସହ ନିଃସର୍ତ୍ତ ଅସ୍ତ୍ରବିରତି ପାଇଁ କମ୍ବୋଡିଆ ଅପିଲ୍ କରିଥିଲା । ଥାଇଲାଣ୍ଡ ବି ଆଲୋଚନା ପ୍ରସ୍ତାବ ଦେଇଥିଲା । ଦୁଇ ଦେଶ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରି ଯୁଦ୍ଧବିରତି ପାଇଁ ରାଜି କରିଥିବା କହିଛନ୍ତି ଟ୍ରମ୍ପ । ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ଟ୍ରମ୍ପ ପୃଥକ ପୃଥକ ଭାବେ ଆଲୋଚନା କରିଛନ୍ତି ।