ପାଟନା: ପ୍ରାୟ ଦୁଇ ମାସ ପରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ବିରୋଧୀ ଏବଂ ସରକାର ପରଷ୍ପର ବିରୋଧରେ ଗମ୍ଭୀର ଅଭିଯୋଗ ଆଣୁଛନ୍ତି । ଏୟହାରି ମଧ୍ୟରେ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ମୁଖ୍ୟ ଏବଂ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶୱାନ ରାଜ୍ୟରେ କ୍ରମାଗତ ଭାବରେ ବଢ଼ୁଥିବା ଅପରାଧକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ଏପରି ଏକ ସରକାରଙ୍କୁ ସମର୍ଥନ କରୁଥିବାରୁ ମୁଁ ଦୁଃଖିତ । ଯେଉଁଠାରେ ଅପରାଧ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ।
ବିହାରରେ ଗତ କିଛି ଦିନ ଧରି ହତ୍ୟା ମାମଲା ସାମ୍ନାକୁ ଆସୁଛି । ଗତ ଗୋଟିଏ ମାସ ମଧ୍ୟରେ ୫୦ ରୁ ଅଧିକ ହତ୍ୟା ମାମଲା ରିପୋର୍ଟ ହୋଇଛି । ସ୍ପଷ୍ଟ ଦିବାଲୋକରେ ଗୁଳିକାଣ୍ଡ ଏବଂ ହସ୍ପିଟାଲରେ ହତ୍ୟା ଲୋକଙ୍କୁ ଭୟଭୀତ କରିଛି । ଏହି କାରଣରୁ ଏବେ ସରକାରଙ୍କୁ ପ୍ରଶ୍ନ ପଚରାଯାଉଛି । ସରକାରଙ୍କୁ ସମର୍ଥନ କରୁଥିବା ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏବେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି । ବିହାରରେ ବଢ଼ୁଥିବା ଅପରାଧ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ କହିଛନ୍ତି ଯେ, ଅପରାଧ ଯେପରି ଘଟୁଛି, ପ୍ରଶାସନ ସମ୍ପୂର୍ଣ୍ଣ ଭାବରେ ଅପରାଧୀଙ୍କ ନିକଟରେ ଆତ୍ମସମର୍ପଣ କରିଛି । ଏହି ଘଟଣାର ନିନ୍ଦା କରିବା ଜରୁରୀ, କିନ୍ତୁ ଏପରି ଘଟଣା କାହିଁକି ଘଟୁଛି ? ଏହା ବିଷୟରେ କଥା ହେବା ଗୁରୁତ୍ୱପୂର୍ଣ୍ଣ। ଅପରାଧର ଏକ ଧାରାବାହିକ ଚାଲିଛି । ଯଦି ଏହା ଏପରି ଜାରି ରହେ, ତେବେ ପରିସ୍ଥିତି ଭୟଙ୍କର ହୋଇଯିବ ।
ଚିରାଗ ପାଶୱାନ କହିଛନ୍ତି ଯେ, ଏହା ସରକାରଙ୍କୁ ବଦନାମ କରିବା ପାଇଁ ଏକ ଷଡ଼ଯନ୍ତ୍ର ହୋଇପାରେ, କିନ୍ତୁ ଏହାକୁ ନିୟନ୍ତ୍ରଣ କରିବା ପ୍ରଶାସନର ଦାୟିତ୍ୱ । ଏସବୁ ମଧ୍ୟରେ, ମୁଁ ସରକାରଙ୍କୁ ସମୟୋଚିତ ପଦକ୍ଷେପ ନେବାକୁ ଅନୁରୋଧ କରୁଛି । ମୁଁ ଦୁଃଖିତ ଯେ ମୁଁ ଏପରି ଏକ ସରକାରଙ୍କୁ ସମର୍ଥନ କରୁଛି, ଯେଉଁଠାରେ ଅପରାଧ ଅନିୟନ୍ତ୍ରିତ ହୋଇଗଲାଣି। ବିହାର ଆଉ ସେମାନଙ୍କ ନିୟନ୍ତ୍ରଣରେ ନାହିଁ। ଲୋକମାନେ ବିରକ୍ତ ହୋଇଗଲେଣି । ଚିରାଗ ପାଶୱାନ ଗତ କିଛି ଦିନ ଧରି ସରକାରଙ୍କ ଉପରେ ଲଗାତାର ପ୍ରଶ୍ନ ଉଠାଇ ଆସୁଛନ୍ତି। ପୂର୍ବରୁ, ଚିରାଗଙ୍କ ଦଳର ଅନ୍ୟ ସାଂସଦମାନେ ମଧ୍ୟ ଆଇନ ଶୃଙ୍ଖଳା ସମ୍ପର୍କରେ ସରକାରଙ୍କୁ ଘେରିଥିଲେ ଏବଂ ୟୁପିର ଯୋଗୀ ସରକାରଙ୍କଠାରୁ ଶିକ୍ଷା ନେବା ବିଷୟରେ କହିଥିଲେ ।