ତିରୁଅନନ୍ତପୁରମ: କେରଳରେ ଗତ କିଛି ମାସ ଧରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ପ୍ରୋତ୍ସାହନ ରାଶି ବୃଦ୍ଧି ଓ ଅବସର ପରେ ସୁବିଧା ଦାବିରେ ଆନ୍ଦୋଳନ କରୁଥିବା ଆକ୍ରିଡିଟେଡ୍ ସୋସିଆଲ୍ ହେଲଥ୍ ଆକ୍ଟିଭିଷ୍ଟ (ଆଶା) କର୍ମୀମାନେ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି ନିଷ୍ପତ୍ତିକୁ ଶନିବାର ସ୍ୱାଗତ କରିଛନ୍ତି। ଏହି ନିଷ୍ପତ୍ତି ଦେଶର ୧୦ ଲକ୍ଷରୁ ଅଧିକ ଆଶା କର୍ମୀଙ୍କ ପାଇଁ ଲାଭଦାୟକ ହେବ ବୋଲି ସେମାନେ କହିଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ନିକଟରେ ଅନୁଷ୍ଠିତ ମିଶନ ଷ୍ଟିଅରିଂ ଗ୍ରୁପର ୯ମ ବୈଠକରେ ଆଶା କର୍ମୀଙ୍କ ସ୍ଥିର ମାସିକ ପ୍ରୋତ୍ସାହନ ରାଶିକୁ ୨,୦୦୦ ଟଙ୍କାରୁ ୩,୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ଏହା ସହିତ ଅବସର ସୁବିଧା ମଧ୍ୟ ୨୦,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। କେରଳ ଆଶା ହେଲଥ୍ ୱାର୍କର୍ସ ଆସୋସିଏସନ (KAHWA)ର ରାଜ୍ୟ ଉପାଧ୍ୟକ୍ଷ ଏସ୍. ମିନି କହିଛନ୍ତି ଯେ, ଏହି ଦାବି ପୂରଣ ପାଇଁ ସେମାନେ ଦୁଇଥର ପାର୍ଲାମେଣ୍ଟ ମାର୍ଚ୍ଚ କରିଛନ୍ତି।
ତେବେ, ମିନି ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟ ସରକାର ସେମାନଙ୍କ ମାସିକ ହୋନୋରାରିୟମକୁ ୭,୦୦୦ ଟଙ୍କାରୁ ୨୧,୦୦୦ ଟଙ୍କାକୁ ଏବଂ ଅବସର ସୁବିଧାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ନ କରିବା ପର୍ଯ୍ୟନ୍ତ ସେମାନଙ୍କ ଅନିର୍ଦ୍ଦିଷ୍ଟକାଳୀନ ଆନ୍ଦୋଳନ ଜାରି ରହିବ। ଫେବୃଆରୀ ୧୦ରୁ ସେକ୍ରେଟାରିଆଟ ସମ୍ମୁଖରେ ଚାଲିଥିବା ଏହି ଆନ୍ଦୋଳନରେ ଆଶା କର୍ମୀମାନେ ନିଜର ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି।
କେରଳରେ ଆଶା କର୍ମୀମାନେ ରାଜ୍ୟ ସରକାରଙ୍କଠାରୁ ୭,୦୦୦ ଟଙ୍କା ହୋନୋରାରିୟମ ପାଉଛନ୍ତି, ଯାହା ସମ୍ପୂର୍ଣ୍ଣ ରାଜ୍ୟ ଦ୍ୱାରା ପ୍ରଦାନ କରାଯାଏ। ସ୍ଥିର ପ୍ରୋତ୍ସାହନ ରାଶି ୬୦:୪୦ ଅନୁପାତରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପ୍ରଦାନ କରିଥାନ୍ତି। ବିଜେପି ରାଜ୍ୟ ସଭାପତି ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, କେନ୍ଦ୍ର ସରକାର ନିଜ ପ୍ରତିଶ୍ରୁତି ପୂରଣ କରିଛି। ଏବେ ରାଜ୍ୟ ସରକାରଙ୍କୁ ଆଶା କର୍ମୀଙ୍କ ଦରମା ବୃଦ୍ଧି କରିବାକୁ ପଡିବ। ସେ ଉଲ୍ଲେଖ କରିଛନ୍ତି ଯେ, ବିଜେପି ଶାସିତ ମହାରାଷ୍ଟ୍ରରେ ଆଶା କର୍ମୀମାନେ ୧୦,୦୦୦ ଟଙ୍କା ପାଉଛନ୍ତି, ଯାହା କେରଳର ତୁଳନାରେ ଅଧିକ।
ଏହି ଆନ୍ଦୋଳନ କେରଳରେ ଆଶା କର୍ମୀଙ୍କ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ଓ ସେମାନଙ୍କ ଅଧିକାର ପାଇଁ ଲଢେଇ ଉପରେ ଆଲୋକପାତ କରିଛି। ତେବେ ଦାବି ପୁରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦଳନକାରୀମାନେ ସୂଚନା ପ୍ରଦାନ କରିଛନ୍ତି।