ପ୍ରମୂଖ ଖବର
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

NCERT ପାଠ୍ୟକ୍ରମରେ ସାମିଲ ହେବ ଅପରେସନ୍ ସିନ୍ଦୁର; କ୍ଲାସ୍ ୩ ରୁ ୧୨ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ମଡ୍ୟୁଲ୍

Published By : Bijay Swain | July 26, 2025 11:42 PM

ନୂଆଦିଲ୍ଲୀ: ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ ଆଣ୍ଡ ଟ୍ରେନିଂ (NCERT) ଭାରତର ପ୍ରତିରକ୍ଷା ରଣନୀତି ଏବଂ କୂଟନୈତିକ ପ୍ରତିକ୍ରିୟା ବିଷୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ଅପରେସନ୍ ସିନ୍ଦୁର ଉପରେ ଏକ ସ୍ୱତନ୍ତ୍ର ପାଠ୍ୟକ୍ରମ ମଡ୍ୟୁଲ୍ ପ୍ରସ୍ତୁତ କରୁଛି। ଏହି ମଡ୍ୟୁଲ୍ ଦୁଇଟି ଭାଗରେ ବିଭକ୍ତ ହେବ: ପ୍ରଥମ ଭାଗ କ୍ଲାସ୍ ୩ ରୁ ୮ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ଭାଗ କ୍ଲାସ୍ ୯ ରୁ ୧୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ହେବ।

ସୂତ୍ରରୁ ଜଣାପଡ଼ିଛି ଯେ, ଏହି ମଡ୍ୟୁଲ୍ ୮ ରୁ ୧୦ ପୃଷ୍ଠା ମଧ୍ୟରେ ପ୍ରସ୍ତୁତ ହେବ। ଏବଂ ଏହା ଜାମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଭାରତର ରଣନୈତିକ ସାମରିକ ପ୍ରତିକ୍ରିୟା ଉପରେ କେନ୍ଦ୍ରୀଭୂତ ହେବ। ୨୦୨୫ ମସିହା ଏପ୍ରିଲ ୨୨ ତାରିଖରେ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପୁରୁଷଙ୍କୁ ସେମାଙ୍କ ପରିବାର ସମ୍ମୁଖରେ ହତ୍ୟା କରାଯାଇଥିଲା। ଏହାର ପ୍ରତିଶୋଧ ସ୍ୱରୂପ ଭାରତ ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ପାକିସ୍ତାନରେ ଥିବା ବିଭିନ୍ନ ଆତଙ୍କବାଦୀ ଠିକଣାଗୁଡ଼ିକୁ ଟାର୍ଗେଟ କରି ଅପରେସନ୍ ସିନ୍ଦୁର ଆରମ୍ଭ କରିଥିଲା। ଯାହା ଦୁଇ ଦେଶ ମଧ୍ୟରେ ଚାରି ଦିନିଆ ସଂଘର୍ଷର କାରଣ ହୋଇଥିଲା।

ଏନେଇ ଜଣେ ଅଧିକାରି ନିଜ ନାମ ଗୋପନ ରଖି କହିଛନ୍ତି ଯେ, “ଏହି ମଡ୍ୟୁଲ୍ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ଆତଙ୍କବାଦୀ ବିପଦ ପ୍ରତି ରାଷ୍ଟ୍ରଗୁଡ଼ିକ କିପରି ପ୍ରତିକ୍ରିୟା କରେ ଏବଂ ପ୍ରତିରକ୍ଷା, କୂଟନୀତି ଏବଂ ମନ୍ତ୍ରଣାଳୟଗୁଡ଼ିକ ମଧ୍ୟରେ ସମନ୍ୱୟ ଜାତୀୟ ସୁରକ୍ଷାରେ କିପରି ଭୂମିକା ନିର୍ବାହ କରେ ତାହା ବୁଝାଇବା।” ଏହା ସହିତ, ଏହି ମଡ୍ୟୁଲ୍ ଭାରତର ସାମରିକ ଶକ୍ତି, ବୈଜ୍ଞାନିକ ଅଗ୍ରଗତି ଏବଂ ଜାତୀୟ ଗୌରବକୁ ପ୍ରୋତ୍ସାହନ ଦେବା ପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡିଛି।

ଏହା ବ୍ୟତୀତ, ଅପରେସନ୍ ସିନ୍ଦୁର ଉପରେ ଏକ ସ୍ୱତନ୍ତ୍ର ଆଲୋଚନା ଲୋକସଭାରେ ଜୁଲାଇ ୨୮ ତାରିଖରୁ ଆରମ୍ଭ ହେବ, ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏହି ଆଲୋଚନା ୧୬ ଘଣ୍ଟା ଧରି ତିନି ଦିନ ପର୍ଯ୍ୟନ୍ତ ଚାଲିବ।

ଏହି ମଡ୍ୟୁଲ୍ ଇତିହାସ ଏବଂ ରାଜନୀତି ବିଜ୍ଞାନ ଭଳି ବିଷୟଗୁଡ଼ିକରେ ସାମିଲ ହେବ ଏବଂ ଶିକ୍ଷକମାନଙ୍କୁ ଏହା ଶିକ୍ଷା ଦେବା ପାଇଁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ। DIKSHA ଭଳି ଡିଜିଟାଲ୍ ପ୍ଲାଟଫର୍ମରେ ଭିଡିଓ, କୁଇଜ୍ ଏବଂ ଇଣ୍ଟରଆକ୍ଟିଭ୍ ସାମଗ୍ରୀ ମଧ୍ୟ ଉପଲବ୍ଧ ହେବ।

ଏହି ପଦକ୍ଷେପ ଦେଶର ଭାବି ପିଢ଼ିଙ୍କୁ ଜାତୀୟ ସୁରକ୍ଷା ଏବଂ ଦେଶଭକ୍ତିର ମହତ୍ତ୍ୱ ବୁଝାଇବା ସହିତ ଭାରତର ସାମରିକ ଓ କୂଟନୈତିକ ସଫଳତାକୁ ପ୍ରଦର୍ଶନ କରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.