ନୂଆଦିଲ୍ଲୀ,୨୭/୦୭: ୨୦ ବର୍ଷ ପରେ ସାମ୍ନାକୁ ଆସିଛି ବିଶ୍ୱର ସବୁଠୁ ଛୋଟ ଓ ବିଲୁପ୍ତ ସାପ । ବାରବାଡୋସରେ ଏହି ସାପ ଦେଖିବାକୁ ମିଳିଛି, ଯାହା ଏତେ ଛୋଟ ଯେ ତାକୁ ଏକ କୀଟ ବୋଲି ମଧ୍ୟ ମନେକରାଯାଏ । ବିଶ୍ୱର ଏହି ସବୁଠୁ ଛୋଟ ସାପର ନାଁ ବାରବାଡୋସ ଥ୍ରେଡ୍ସ୍ନେକ୍ । ୨୦ ବର୍ଷ ତଳେ ଶେଷ ଥର ଏହାକୁ ଦେଖିବାକୁ ମିଳିଥିଲା । ତା’ପରେ ବୈଜ୍ଞାନିକମାନେ ଏହି ପ୍ରଜାତି ବିଲୁପ୍ତ ହେବାର ଆଶଙ୍କା କରିଥିଲେ । ବାରବାଡୋସର ପରିବେଶ ମନ୍ତ୍ରାଳୟ ଓ ସଂରକ୍ଷଣ ସଂଗଠନ ରିୱାଇଲ୍ଡ ଦ୍ୱାରା ଗତ ମାର୍ଚ୍ଚରେ କରାଯାଇଥିବା ଏକ ଇକୋ ସର୍ଭେରେ ଦ୍ୱୀପ ଭିତରେ ଏକ ଚଟାଣ ତଳେ ପୁଣି ଥରେ ଏହି ସାପ ଆବିଷ୍କୃତ ହେଲା । ପୂର୍ଣ୍ଣ ବିକଶିତ ହେଲେ ମଧ୍ୟ ଏହା କେବଳ ୧୦ ସେମି ପର୍ଯ୍ୟନ୍ତ ଲମ୍ବା ହୋଇପାରେ । ସୂତା ଭଳି ଏହା ପତଳା । ବିଲୁପ୍ତ ୪,୮୦୦ ଉଦ୍ଭିଦ, ଜନ୍ତୁ ଓ କବକ ପ୍ରଜାତିଙ୍କ ବୈଶ୍ୱିକ ସୂଚୀରେ ଏହାକୁ ସାମିଲ କରାଯାଇଥିଲା ।
ପରିବେଶ ମନ୍ତ୍ରାଳୟର ପ୍ରକଳ୍ପ ଅଧିକାରୀ କନର୍ ବ୍ଲେଡ୍ସ କହିଛନ୍ତି, ଥ୍ରେଡ୍ସ୍ନେକ୍ଙ୍କ ସଂଖ୍ୟା ବହୁତ ଅଧିକ ନୁହେଁ । ତେଣୁ ବିପଦରେ ଥିବା ଏହି ପ୍ରଜାତିର ଅଧିକ ସାପଙ୍କୁ ଖୋଜିବା ଆବଶ୍ୟକ । ରିୱାଇଲ୍ଡର କାରିବିନ୍ କାର୍ଯ୍ୟକ୍ରମ ଅଧିକାରୀ ଜଷ୍ଟିନ୍ ସ୍ପ୍ରିଙ୍ଗର୍ ଏକ ସଂରକ୍ଷଣ ପ୍ରକଳ୍ପରେ ଗତ ୧ ବର୍ଷରୁ ଅଧିକ ସମୟ ହେଲା ଥ୍ରେଡ୍ସ୍ନେକ୍ ଓ ଅନେକ ଅନ୍ୟ ସ୍ଥାନୀୟ ସରୀସୃପଙ୍କୁ ଖୋଜୁଥିଲେ । ଗତ ମାର୍ଚ୍ଚରେ ସର୍ଭେ ସମୟରେ ସେ ମଜାରେ ବ୍ଲେଡ୍ସଙ୍କୁ କହିଥିଲେ, ଥ୍ରେଡ୍ସ୍ନେକ୍ର ଗନ୍ଧ ମୁଁ ବାରିପାରୁଛି । ସେତେବେଳେ ସେ ଏକ ବୃକ୍ଷ ମୂଳରେ ଫସିଥିବା ପଥରକୁ ଓଲଟାଉଥିଲେ । ସେତିକିବେଳେ ଏକ ଛୋଟ ଜୀବ ସେଠାରେ ମିଳିଲା । ତାକୁ ଦେଖି ତାଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ବ୍ଲେଡ୍ସ ସାପକୁ ୱେଷ୍ଟ୍ ଇଣ୍ଡିଜ ବିଶ୍ୱବିଦ୍ୟାଳୟକୁ ନେଲେ । ସେଠାରେ ଯାଞ୍ଚ୍ ପରେ ଜଣାପଡ଼ିଲା ତାହା ଥ୍ରେଡ୍ସ୍ନେକ୍ ।
ବାରବାଡୋସ ଥ୍ରେଡ୍ସ୍ନେକ୍କୁ ପ୍ରଥମ ଥର ୧୮୮୯ରେ ଦେଖାଯାଇଥିଲା । ତା’ପରେ ଖୁବ୍ କମ୍ ଥର ଏହା ଚିହ୍ନଟ ହୋଇଛି । ମାଈ ଥ୍ରେଡ୍ସ୍ନେକ୍ ଥରକେ କେବଳ ଗୋଟିଏ ଅଣ୍ଡା ଦିଏ । ୫୦୦ ବର୍ଷରୁ ଅଧିକ ବର୍ଷ ତଳେ ଏହି ଦ୍ୱୀପରେ ଯେତେବେଳେ ଉପନିବେଶ ସ୍ଥାପିତ ହେଲା, ସେବେଠୁ କୃଷି ପାଇଁ ୯୮ ପ୍ରତିଶତ ଜଙ୍ଗଲ ନଷ୍ଟ କରାଯାଇଛି । ଏହି ସରୀସୃପର ବାସସ୍ଥଳୀ ନଷ୍ଟ ଓ ଆକ୍ରାମକ ପ୍ରଜାତିଙ୍କ ପାଇଁ ବିଲୁପ୍ତ ହେବା ନେଇ ବନ ସଂରକ୍ଷଣ ଅଧିକାରୀମାନେ ଚିନ୍ତିତ ।