ନୂଆଦିଲ୍ଲୀ: ପୂର୍ବ କଙ୍ଗୋରେ ଇସଲାମିକ୍ ଷ୍ଟେଟ୍ ସମର୍ଥିତ ବିଦ୍ରୋହୀମାନେ ଏକ ଚର୍ଚ୍ଚ ଉପରେ ଆକ୍ରମଣ କରିଛନ୍ତି । ରବିବାର ହୋଇଥିବା ଏହି ଆକ୍ରମଣରେ ପ୍ରାୟ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ଏକ ନାଗରିକ ସଂଗଠନର ଜଣେ ନେତା ଏ ବିଷୟରେ ସୂଚନା ଦେଇଛନ୍ତି । ପୂର୍ବ କଙ୍ଗୋରେ ଥିବା ଏକ କ୍ୟାଥୋଲିକ ଚର୍ଚ୍ଚ ପରିସରରେ ରାତି ପ୍ରାୟ ୧ଟା ସମୟରେ ଆଲାଇଡ୍ ଡେମୋକ୍ରାଟିକ୍ ଫୋର୍ସେସ୍ (ADF)ର ସଦସ୍ୟମାନେ ଏହି ଆକ୍ରମଣ କରିଥିଲେ । ଆକ୍ରମଣରେ ଅନେକ ଘର ଏବଂ ଦୋକାନ ମଧ୍ୟ ଜଳି ଯାଇଛି। ୨୧ ରୁ ଅଧିକ ଲୋକଙ୍କୁ ଗୁଳି କରାଯାଇଥିଲା ଏବଂ ତିନୋଟି ପୋଡ଼ିଯାଇଥିବା ମୃତଦେହ ପାଇଛୁ ବୋଲି ଜଣେ ନାଗରିକ କହିଛନ୍ତି ।
ଚଳିତ ମାସର ଆରମ୍ଭରେ ଏହି ଗୋଷ୍ଠୀ ଇଟୁରିରେ ଅନେକ ଲୋକଙ୍କୁ ହତ୍ୟା କରିଥିଲା । ଯାହାକୁ ଜାତିସଂଘର ଜଣେ ମୁଖପାତ୍ର ଏକ ରକ୍ତାକ୍ତ ସଂଘର୍ଷ ବୋଲି ବର୍ଣ୍ଣନା କରିଥିଲେ । ଉଗାଣ୍ଡା ଏବଂ କଙ୍ଗୋ ସୀମାନ୍ତ ଅଞ୍ଚଳରେ ସକ୍ରିୟ ଥିବା ଏକ ବିଦ୍ରୋହୀ ଗୋଷ୍ଠୀ, ଇସଲାମିକ୍ ଷ୍ଟେଟ୍ ସହିତ ଜଡିତ ADF ସାଧାରଣ ଜନତାଙ୍କ ଉପରେ ବାରମ୍ବାର ଆକ୍ରମଣ କରୁଛି । ଉଗାଣ୍ଡାରେ ଅସନ୍ତୋଷ ପରେ ପୃଥକ ଛୋଟ ଗୋଷ୍ଠୀ ଦ୍ୱାରା ୧୯୯୦ ଦଶକର ଶେଷ ଭାଗରେ ADF ଗଠନ କରାଯାଇଥିଲା ।
୨୦୦୨ ରେ, ଉଗାଣ୍ଡା ସେନା ଦ୍ୱାରା ସାମରିକ ଆକ୍ରମଣ ପରେ ଏହି ଗୋଷ୍ଠୀ ଏହାର କାର୍ଯ୍ୟକଳାପକୁ ପଡ଼ୋଶୀ DRC (କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟ)କୁ ସ୍ଥାନାନ୍ତରିତ କରିଥିଲା ଏବଂ ସେବେଠାରୁ ହଜାର ହଜାର ସାଧାରଣ ନାଗରିକଙ୍କ ହତ୍ୟା କରିଛି । ୨୦୧୯ ମସିହାରେ ଏହା ଇସଲାମିକ୍ ଷ୍ଟେଟ୍ ପ୍ରତି ନିଷ୍ଠା ପ୍ରକାଶ କରିଥିଲା । ADF ନେତୃତ୍ୱ ଏହି ପୂର୍ବ ଆଫ୍ରିକୀୟ ଦେଶରେ ଏକ ଇସଲାମିକ୍ ସରକାରର କଳ୍ପନା କରୁଛି ।