ଭୁବନେଶ୍ବର,୦୫/୦୨: ମାଲକାନଗିରି ଜିଲ୍ଲା ଜଳ ସମ୍ପଦ ବିଭାଗର ପ୍ରକଳ୍ପ ଉପ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢାଉ । ଏହି ଚଢାଉରେ କୋରାପୁଟର ଜୟପୁର ସହରରେ ୬୦୦୦ ବର୍ଗଫୁଟର ଏକ ତିନି ମହଲା ବିଶିଷ୍ଟ କୋଠା, ଭୁବନେଶ୍ୱର ଏବଂ ଜୟପୁର ସହରରେ ୪ ଟି ଦାମୀ ପ୍ଲଟ୍ ଠାବ କରାଯାଇଛି । କେବଳ ସେତିକି ନୁହେଁ, ନଗଦ ୧.୫୫ କୋଟି ଟଙ୍କା, ପ୍ରାୟ ୩୦୦ ଗ୍ରାମ ଓଜନର ସୁନା ଅଳଙ୍କାର, ଏକ ଚାରି ଚକିଆ ଯାନ (ହୁଣ୍ଡାଇ ଆଇ-୨୦) ଏବଂ ଦୁଇଟି ଦୁଇ ଚକିଆ ଯାନ ସହ ବ୍ୟାଙ୍କ, ବୀମା, ଅନ୍ୟାନ୍ୟ ଜମା ଏବଂ ନିବେଶ ଇତ୍ୟାଦି ଭିଜିଲାନ୍ସ ଟିମ୍ ଠାବ କରିଛି ।
କହିରଖୁ କି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ଜଳ ସମ୍ପଦ ବିଭାଗର ପ୍ରକଳ୍ପ ଉପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ ହେଉଛି । ମାଲକାନଗିରି, ଜୟପୁର ଏବଂ ଭୁବନେଶ୍ୱରର ମୋଟ ୭ ଟି ସ୍ଥାନରେ ବୁଧବାର ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଏନେଇ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ସର୍ଚ୍ଚ ୱାରେଣ୍ଟ ଜାରି ହେବା ପରେ ଓଡିଶା ଭିଜିଲାନ୍ସ ଦ୍ୱାରା ଚଡାଉ କରାଯାଉଛି । ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସ୍ପି, ୪ ଜଣ ଡିଏସ୍ପି, ୧୦ ଜଣ ଇନିସ୍ପେକ୍ଟର, ୬ ଜଣ ଏଏସ୍ଆଇଙ୍କ ସମେତ ସହାୟକ କର୍ମିଚାରୀ ସାମିଲ ହୋଇଛନ୍ତି । ମାଲକାନଗିରି, ଜୟପୁର ଏବଂ ଭୁବନେଶ୍ୱରର ମୋଟ ୭ ଟି ସ୍ଥାନରେ ରେଡ୍ ଜାରି ରଖିଛି ଭିଜିଲାନ୍ସ ଟିମ୍ ।