ନୂଆଦିଲ୍ଲୀ, ୧୪/୦୮ : ଭାରତୀୟ ହକି ଖେଳାଳି ତଥା ଅଲମ୍ପିକ୍ ପଦକ ବିଜେତା ଟେନିସ୍ ଖେଳାଳି ଲିଏଣ୍ଡର ପେସ୍ଙ୍କ ପିତା ଭେସ୍ ପେସ୍ଙ୍କ ପରଲୋକ। ୮୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ବୟସାଧିକ କାରଣରୁ ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ମଙ୍ଗଳବାର ସକାଳେ ତାଙ୍କୁ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଭେସ୍ଙ୍କ ମୃତ୍ୟୁ ଖବର ପରେ ଭାରତୀୟ ହକି ଜଗତରେ ଶୋକର ଛାୟା ଖେଳି ଯାଇଛି। ବିଦେଶରୁ ତାଙ୍କର ଝିଅମାନେ ଫେରିବା ପରେ ସୋମବାର କିମ୍ଵା ମଙ୍ଗଳବାର ତାଙ୍କର ଶେଷକୃତ୍ୟ ହେବ।
ହକି ଇଣ୍ଡିଆ ପକ୍ଷରୁ ଏନେଇ ଏକ୍ସରେ ପୋଷ୍ଟ କରାଯାଇଛି। ଏହି ପୋଷ୍ଟରେ ଲେଖାଯାଇଛି ଯେ, 'ଜଣେ ପ୍ରକୃତ କ୍ରୀଡ଼ା ଆଇକନ୍, ଡକ୍ଟର ଭେସ୍ ପେସ୍ଙ୍କର ଆଜି ସକାଳେ ଦେହାନ୍ତ ହୋଇଛି। ଉଭୟ ମଇଦାନ ଭିତରେ ଏବଂ ବାହାରେ ତାଙ୍କର ସଫଳତା ପିଢ଼ିକୁ ପ୍ରେରଣା ଦେଇଥିଲା। ୧୯୭୨ ମ୍ୟୁନିଖ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜୟୀ ଦଳର ସଦସ୍ୟ ଭାବରେ, ସେ ଭାରତକୁ ଗର୍ବିତ କରିଥିଲେ। ତାଙ୍କର କୃତିତ୍ଵ ଅମର ରହିବ।'
ଭାରତୀୟ ହକି ଦଳ ୧୯୭୨ ମ୍ୟୁନିଖ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲା। ଭେସ୍ ଏହି ବିଶ୍ୱସ୍ତରୀୟ ଖେଳରେ ଭାରତ ପାଇଁ ଜଣେ ମିଡଫିଲ୍ଡର ଭାବରେ ଖେଳିଥିଲେ। ହକି ବ୍ୟତୀତ ସେ ଡିଭିଜନାଲ୍ କ୍ରିକେଟ୍, ଫୁଟବଲ୍ ଏବଂ ରଜବି ଖେଳି ବହୁମୁଖୀ ପ୍ରତିଭାର ପରିଚୟ ଦେଇଥିଲେ। ୧୯୯୬ ରୁ ୨୦୦୨ ଯାଏଁ ଭାରତୀୟ ରଗ୍ବି ଫୁଟବଲ୍ ସଙ୍ଘର ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟଭାର ତୁଲାଇଥିଲେ। ସେ ପୂର୍ବତନ ଭାରତୀୟ ବାସ୍କେଟବଲ୍ ଖେଳାଳି ଜେନିଫରଙ୍କୁ ବିବାହ କରିଥିଲେ।
ଭେସ୍ ପେସ୍ ହକି କ୍ୟାରିଅର ପରେ ଜଣେ ଖେଳ ଚିକିତ୍ସକ ଥିଲେ। ସେ ଏସିସି ଓ ବିସିସିଆଇ ସହ ଡୋପିଂ ନିରୋଧୀ ଶିକ୍ଷା କାର୍ଯ୍ୟକ୍ରମରେ ମଧ୍ୟ କାମ କରିଥିଲେ। ୨୦୦୪ରେ ଏଥେନ୍ସ ଅଲମ୍ପିକରେ ସେ ଭାରତୀୟ ଖେଳାଳିଙ୍କ ଡକ୍ଟର ଭାବେ ନିୟୋଜିତ ଥିଲେ। ସେ କୋଲକାତା କ୍ରିକେଟ ଓ ଫୁଟବଲ୍ କ୍ଲବର ଅଧ୍ୟକ୍ଷ ରୂପରେ କାମ କରିଥିଲେ।
ପିତା-ପୁତ୍ର ଅଲମ୍ପିକ ପଦକ ବିଜେତା
ଭେସ୍ଙ୍କ ବ୍ୟତୀତ ତାଙ୍କ ପୁଅ ଲିଏଣ୍ଡର ପେସ୍ ମଧ୍ୟ ଜଣେ ଅଲମ୍ପିକ୍ ପଦକ ବିଜେତା। ଟେନିସ୍ ଖେଳାଳି ଲିଏଣ୍ଡର ଆଟଲାଣ୍ଟରେ ୧୯୯୬ରେ ଅଲମ୍ପିକ୍ ଖେଳରେ କାଂସ୍ୟ ପଦକ ଜିତିଥିଲେ। ସେ ଫର୍ଣ୍ଣାଡୋ ମେଲିଗାନୀଙ୍କୁ ପରାସ୍ତ କରି ପୁରୁଷ ଏକକ ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ସେ ପହିଲମାନ କେଡି ଯାଧବଙ୍କ ପରେ ବ୍ୟକ୍ତିଗତ ଅଲମ୍ପିକ ପଦକ ଜିତିଥିବା ଦ୍ଵିତୀୟ ଭାରତୀୟ ହୋଇପାରିଥିଲେ।