ନୂଆଦିଲ୍ଲୀ,୧୨/୦୮: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲ୍ଙ୍କୁ ଆଗାମୀ ଏସିଆ କପ୍ ପାଇଁ ଉପ -ଅଧିନାୟକ ନିଯୁକ୍ତ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ସେ ଟି-ଟ୍ୱେଣ୍ଟି ଦଳର ନିୟମିତ ସଦସ୍ୟ ନଥିଲେ ହେଁ ଆଗାମୀ ଦିନରେ ସବୁ ଫର୍ମାଟ୍ ଅଧିନାୟକ ହେବାର ଯୋଜନା ରହିଛି । ତେଣୁ ଏବେଠୁ ତାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ବିସିସିଆଇ ଲକ୍ଷ୍ୟ ରଖିଛି । ଆସନ୍ତା ସପ୍ତାହରେ ଚୟନ କମିଟି ବୈଠକ ବସିବ।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଗିଲଙ୍କ ନେତୃତ୍ୱକୁ ପ୍ରଶଂସା କରାଯାଇଥିଲା । ଭାରତ ୨-୨ରେ ଟେଷ୍ଟ ସିରିଜ ଡ୍ର’ ରଖିଥିଲା । ଗିଲ୍ ସମ୍ପୂର୍ଣ୍ଣ ସିରିଜରେ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ । ଟେଷ୍ଟ ସିରିଜର ପ୍ରଦର୍ଶନ ବଳରେ ଗିଲ୍ ଟି-ଟ୍ୱେଣ୍ଟି ଦଳକୁ ଫେରିବେ । ସୂର୍ଯ୍ୟକୁମାର ଯାଦବ ଟି-ଟ୍ୱେଣ୍ଟି ଦଳର ଅଧିନାୟକ ରହିଛନ୍ତି ।
ଆଇପିଏଲ୍ରେ ଓପନ୍ କରୁଥିଲେ ହେଁ ଗିଲ୍ ଟି-ଟ୍ୱେଣ୍ଟି ଦଳକୁ ଫେରିଲେ ମଧ୍ୟ ୩ନଂ କ୍ରମରେ ଖେଳିବେ । ଆଇପିଏଲ୍ର ଗତ ୩ଟି ସିଜନରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଓପନ କରି ଗିଲ୍ ଯଥାକ୍ରମେ ୮୯୦, ୪୨୬ ଓ ୬୫୦ ରନ ସଂଗ୍ରହ କରିଥିଲେ । କିନ୍ତୁ ଭାରତୀୟ ଟି-ଟ୍ୱେଣ୍ଟି ଦଳରେ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଓପନର ଭାବେ ବେଶ୍ ସଫଳ ହୋଇଛନ୍ତି । ତେଣୁ ଗିଲ୍ ୩ନଂ ସ୍ଥାନରେ ଖେଳିବା ଆଶା କରାଯାଉଛି । ଟି-ଟ୍ୱେଣ୍ଟିରେ ତିଳକ ବର୍ମା ଏହି ସ୍ଥାନରେ ଖେଳି ୨ଟି ଶତକ ଅର୍ଜନ କରିସାରିଛନ୍ତି । ତଥାପି ଗିଲଙ୍କୁ ଅଗ୍ରାଧିକାର ଦିଆଯିବ।