ନୂଆଦିଲ୍ଲୀ: ଜଲଦି ବନ୍ଦ ହେବ ଋଷ ଓ ୟୁକ୍ରେନ୍ ଯୁଦ୍ଧ। ଏନେଇ ଋଷ ଓ ଆମେରିକା ପ୍ରାରମ୍ଭିକ ସ୍ତରରେ ପ୍ରୟାସ ଆରମ୍ଭ କରିଛନ୍ତି। ଏଥିପାଇଁ ମଙ୍ଗଳବାର(୧୮ ଫେବ୍ରୁଆରୀ ୨୦୨୫) ଆମେରିକା ଓ ଋଷିଆର ଉଚ୍ଚସ୍ତରୀୟ ଅଧିକାରୀମାନେ ସାଉଦି ଆରବରେ ପରସ୍ପର ସହ ଭେଟିଛନ୍ତି। ଏହି ବୈଠକରେ ଆମେରିକା ଓ ଋଷର ମଧ୍ୟରେ ଥିବା ସମ୍ପର୍କକୁ ସୁଦୃଢ କରିବା ସହ ଋଷ-ୟୁକ୍ରେନ ଯୁଦ୍ଧର ଅବସାନ ଉପରେ ଆଲୋଚନା ହୋଇଥିବା ନେଇ ଆମେରିକା ବୈଦେଶିକ ମନ୍ତ୍ରଣାଳୟ ଘୋଷଣା କରିଛି।
ଆମେରିକାର ସେକ୍ରେଟେରି ଅଫ ଷ୍ଟେଟ ମାର୍କୋ ରୁବିଓ, ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ ୱାଲ୍ଡଜ୍ ଓ ଜାତୀୟ ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫ ଋଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ ଦୀର୍ଘ ୪.୫ ଘଣ୍ଟାର ବୈଠକ କରିଛନ୍ତି। ସାଉଦି ଆରବରେ ହୋଇଥିବା ଏହି ବୈଠକରେ ଗତ ସପ୍ତାହରେ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟର ହୋଇଥିବା କଥାବର୍ତ୍ତା ସମ୍ୱଦ୍ଧିୟ ପରବର୍ତ୍ତୀ ଆଲୋଚନା ହୋଇଥିଲା।
ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ୟୁରୋପରେ ଦେଖା ଦେଇଥିବା ଏହି ଭୟଙ୍କର ଯୁଦ୍ଧକୁ ରୋକିବାକୁ ଦୁଇ ଦେଶ ପକ୍ଷରୁ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନିଯୁକ୍ତି କରାଯାଇଛି। ଖୁବ୍ଶୀଘ୍ର ଦୁଇ ପକ୍ଷର ଗ୍ରହଣୀୟତାରେ ଏକ ସ୍ଥାୟୀ ମାର୍ଗ ବାହାରିବ ବୋଲି ଉଭୟ ଦେଶ ଆଶା ବ୍ୟକ୍ତ କରିଛନ୍ତି। ସେପଟେ ୟୁକ୍ରେନ କିନ୍ତୁ ସଫା ସଫା କହି ଦେଇଛି ଯେ ତା’ର ବିନା ଅନୁମତିରେ ସେ କୌଣସି ନିଷ୍ପତ୍ତି ଗ୍ରହଣ କରିବ ନାହିଁ।
ତେବେ ଏହି ବୈଠକର ଉଦ୍ଦେଶ୍ୟ କେବଳ ଋଷ ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ନଥିଲା, ଦୀର୍ଘଦିନ ଧରି ତିକ୍ତ ଥିବା ଆମେରିକା ଓ ଋଷ ମଧ୍ୟରେ ପୁନଃ ସୁସମ୍ପର୍କ ସ୍ଥାପନ କରିବା ଦିଗରେ ମଧ୍ୟ ଆଲୋଚନା ହୋଇଥିଲା। ତେବେ ୟୁକ୍ରେନ୍ ଯୁଦ୍ଧ ସମାପ୍ତ ହେବା ସହିତ ଦୁଇ ଆମେରିକା ଓ ଋଷ ମଧ୍ୟରେ ସୁସମ୍ପର୍କ ସ୍ଥାପନ କାର୍ଯ୍ୟ ଆରମ୍ବ ହେବ। ତେବେ ଖୁବ୍ଶୀଘ୍ର ଏହି କାମ ଆରମ୍ଭ ହେବ ବୋଲି ଉଭୟ ଦେଶ ସୂଚନା ଦେଇଛନ୍ତି।
ଏହି ବୈଠକରେ ଆମେରିକା ଓ ଋଷ ମଧ୍ୟରେ ଥିବା ଖରାପ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବା ଉପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ଏନେଇ ଆମେରିକୀୟ ପ୍ରବକ୍ତା ଟମି ବ୍ରୁସ ଗଣମାଧ୍ୟମ ସାମ୍ନାରେ ନିଜ ବୟାନ ଜାରି କରିଛନ୍ତି। ଏହା ସହ ୟୁକ୍ରେନ ଯୁଦ୍ଧ ବହୁ ଜଲଦି ବନ୍ଦ ହେବାକୁ ଯାଉଛି। ଏନେଇ ଦୁଇ ପକ୍ଷଙ୍କ ମତାମତାକୁ ଲକ୍ଷ୍ୟ ରଖି ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଲାଭରୋଭ ଏହି ଆଲୋଚନାକୁ ଗଠନମୂଳକ ବୋଲି କହିବା ସହିତ ଏ ଦିଗରେ କାମ ଆଗକୁ ବଢ଼ିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।
ସୂଚନା ମୁତାବକ ଋଷ-ୟୁକ୍ରେନ୍ ଯୁଦ୍ଧ ହେବା ପରେ ଆମେରିକା ଓ ଋଷ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଛି। ଦୁଇ ଦେଶର ବ୍ୟବସାୟ ମଧ୍ୟ ଏଥିରେ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଟ୍ରମ୍ପ ପ୍ରଶାସନ ଋଷ ସହ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରୁଛନ୍ତି।
ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫୋନ୍ କରି କଥା ହୋଇଥିଲେ। ଏହାପରେ ୟୁକ୍ରେନ୍ ସହ ଯୁଦ୍ଧ ରୋକିବାରୁ ସମ୍ଭାବନା ପ୍ରକାଶ ପାଇଥିଲା। ଏହାପରେ ଆଜିର ଏହି ବୈଠକ ଆୟୋଜନ କରାଯାଇଥିଲା। ତେବେ ଟ୍ରମ୍ପ ଓ ପୁଟିନ୍ଙ୍କ ସାକ୍ଷାତ୍କାର ନେଇ ଏଥିରେ କୌଣସି ତାରିଖ ସ୍ଥିର କରାଯ।ଇ ନାହିଁ।
ସେପଟେ ୟୁକ୍ରେନ ଏହି ବୈଠକକୁ ପ୍ରତ୍ୟାଖ୍ୟାନ କରିଛି। ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଆମ ପଛ ପଟେ ହେଉଥିବା କୌଣସି ଆଲୋଚନାକୁ ଗ୍ରହଣ କରାଯିବ ନାହିଁ। ୟୁକ୍ରେନ୍କୁ ସାମିଲ ନ କରି ନିଷ୍ପତ୍ତି ନେବା ଆଦୌ ଗ୍ରହଣୀୟ ନୁହେଁ। ଏଥିପାଇଁ ଆମେରିକା ପ୍ରତିନିଧି ଆମ ଦେଶକୁ ଆସି ଆମ ସହ ଆଲୋଚନା କରନ୍ତୁ। ତେବେ ସାଉଦି ଆରବରେ ବୈଠକ ହେବା ପୂର୍ବରୁ ୟୁକ୍ରେନ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଥିଲା। ହେଲେ ୟୁକ୍ରେନ୍ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସେପଟେ ଋଷ କହିଛି ଆବଶ୍ୟକ ପଡ଼ିଲେ ପୁଟିନ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିବାକୁ ରାଜି ଅଛନ୍ତି।
ସୂଚନା ଥାଉକି ୨୦୨୧ ଫେବ୍ରୁଆରୀରେ ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଋଷ ପକ୍ଷରୁ ୟୁକ୍ରେନ ଉପରେ ମିସାଇଲ ମାଡ଼ କରାଯାଇଥିଲା।