ନୂଆଦିଲ୍ଲୀ, ୧୬।୧: ଆମେରିକା ସରକାର BARC ସମେତ ୩ ଭାରତୀୟ ପ୍ରତିଷ୍ଠାନ ଉପରୁ ଲାଗୁ ହୋଇଥିବା ପ୍ରତିବନ୍ଧକୁ ହଟାଇଛି । ଶୀତଳ ଯୁଦ୍ଧ ସମୟରେ ଇଣ୍ଡିଆନ୍ ରେୟାର ଆର୍ଥସ୍, ଇନ୍ଦିରା ଗାନ୍ଧୀ ସେଣ୍ଟର ଫର୍ ଆଟମିକ୍ ରିସର୍ଚ୍ଚ ଏବଂ ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟର ଏହି ତିନୋଟି ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପଦ ଗ୍ରହଣ କରିବାର ମାତ୍ର, କିଛି ଦିନ ପୂର୍ବରୁ ବିଡେନ ଆଡମିନିଷ୍ଟ୍ରେସନ୍ ଏଭଳି ନିଷ୍ପତ୍ତି ନେଇଛି ।
ବାଣିଜ୍ୟ ବିଭାଗର ଶିଳ୍ପ ଏବଂ ସୁରକ୍ଷା ବ୍ୟୁରୋ (ବିଆଇଏସ)ର କହିବାନୁସାରେ, ଆମେରିକୀୟ ପ୍ରଶାସନର ଏହି ପଦକ୍ଷେପ ମିଳିତ ଗବେଷଣା ଏବଂ ବିକାଶ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସହଯୋଗ ସମେତ ଉନ୍ନତ ଶକ୍ତି ସହଯୋଗରେ ପ୍ରତିବନ୍ଧକଗୁଡ଼ିକୁ ହ୍ରାସ କରି ଆମେରିକୀୟ ବୈଦେଶିକ ନୀତି ଉଦ୍ଦେଶ୍ୟକୁ ସମର୍ଥନ କରିବ । ଯାହା ସହଭାଗୀ ଶକ୍ତି ସୁରକ୍ଷା ଆବଶ୍ୟକତା ପାଇଁ ସହାୟକ ହେବ । BARC ଆମେରିକାର ଜାତୀୟ ସୁରକ୍ଷା ଏବଂ ବୈଦେଶିକ ନୀତି ସ୍ୱାର୍ଥ ବିପରୀତ କାର୍ଯ୍ୟକଳାପ ପାଇଁ ପିପଲ୍ସ ରିପବ୍ଲିକ୍ ଅଫ୍ ଚାଇନା ଅଧୀନରେ ୧୧ଟି ସଂସ୍ଥାକୁ ଏଣ୍ଟିଟି ତାଲିକାରେ ଯୋଡ଼ିଛି । ଆମେରିକା ଏବଂ ଭାରତ ଶାନ୍ତିପୂର୍ଣ୍ଣ ପରମାଣୁ ସହଯୋଗ ଏବଂ ସମ୍ବନ୍ଧିତ ଗବେଷଣା ଏବଂ ବିକାଶ କାର୍ଯ୍ୟକଳାପକୁ ଆଗକୁ ବଢ଼ାଇବା ପାଇଁ ପ୍ରତିବଦ୍ଧ ଏବଂ ଗତ କିଛି ବର୍ଷ ଧରି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗକୁ ମଜବୁତ କରିଛନ୍ତି । ଏହା ଦୁଇ ଦେଶ ଏବଂ ବିଶ୍ୱର ସେମାନଙ୍କର ଅଂଶୀଦାରମାନଙ୍କୁ ପରମାଣୁ ବିଜ୍ଞାନର ଭବିଷ୍ୟତ ସହିତ ଯୋଡ଼ିଛି ଓ ଲାଭ ଦେଇଛି ବୋଲି ବିଆଇଏସ କହିଛି ।
ଅନ୍ୟପଟେ ରପ୍ତାନି ପ୍ରଶାସନ ପାଇଁ ବାଣିଜ୍ୟ ବିଭାଗର ପ୍ରମୁଖ ଉପ ସହାୟକ ସଚିବ ମାଥ୍ୟୁ ବୋରମ୍ୟାନ କହିଛନ୍ତି ଯେ, ତିନୋଟି ଭାରତୀୟ ସଂସ୍ଥା ଉପରୁ ପ୍ରତିବନ୍ଧକ ଉଠାଇବା ଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ ଘନିଷ୍ଠ ହେବ । ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ସ୍ୱଚ୍ଛ ଶକ୍ତି ଯୋଗାଣ ଶୃଙ୍ଖଳ ସୁରକ୍ଷିତ କରିବା ପାଇଁ ନିବିଡ଼ ସହଯୋଗ ହୋଇପାରିବ । ଏହା ଆମେରିକା-ଭାରତ ସହଭାଗୀର ସାମଗ୍ରିକ ମହତ୍ୱାକାଂକ୍ଷା ଏବଂ ରଣନୈତିକ ଦିଗ ସହିତ ସମନ୍ୱିତ ଏବଂ ସମର୍ଥନ କରେ ।