ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ସହରୀ ଦ୍ୱୀପ ଉତ୍ତପ୍ତୀକରଣ

ଭୁବନେଶ୍ୱର: ଜଳବାୟୁ ବିଶେଷଜ୍ଞ ମତାନୁସାରେ, ଉଭୟ ଜଳବାୟୁ ପରିବର୍ତ୍ତନ ଏବଂ ଏଲନିନୋ କାରଣରୁ ୨୦୨୩ ମସିହାରେ ବୈଶ୍ୱିକ ହାରାହାରି ତାପମାତ୍ରା ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ଅସହନୀୟ ଝଲକ ଆମେ ଓଡ଼ିଶା ସମେତ ଦେଶର ଅନେକତ୍ର ୨୦୨୪ରେ ସଦ୍ୟ ବିତାଇଥିବା ଗ୍ରୀଷ୍ମ ଋତୁରେ ଅନୁଭବ କରିଛେ । କେତେକ ଉପକୂଳବର୍ତ୍ତୀ ସହରକୁ ବାଦ୍‌ ଦେଲେ ଭୁବନେଶ୍ୱର, କଟକ, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ବାରିପଦା, ବଲାଙ୍ଗିର ଓ ଟିଟିଲାଗଡ଼ ସମେତ ରାଜ୍ୟର ଅନେକ ଛୋଟ ବଡ଼ ସହରରେ ଚଳିତ ଗ୍ରୀଷ୍ମଋତୁରେ ତାପମାତ୍ରା ୪୦ରୁ ୪୫ଡିଗ୍ରୀ ସେଲସିୟସ ଭିତରେ ରହୁଥିଲା । ଏପ୍ରିଲ ମାସରେ ଭୁବନେଶ୍ୱର ସହରର ତାପମାତ୍ରା ୪୩.୮ ଡିଗ୍ରୀ ସେଲସିୟସ ଛୁଇଁଥିଲା, ଯାହା ଥିଲା ଭୁବନେଶ୍ୱର ପାଇଁ ସର୍ବକାଳୀନ ରେକର୍ଡ । ସେଦିନ ଭୁବନେଶ୍ୱର ଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ଅନେକ ଦିନ ଧରି ଉତ୍ତର-ପଶ୍ଚିମ ଭାରତରେ ତାପମାତ୍ରା କ୍ରମାଗତ ୪୫ଡିଗ୍ରୀ ଉପରେ ଅବସ୍ଥାନ କରୁଥିଲା । ଦିଲ୍ଲୀର ଏକ ପାଣିପାଗ କେନ୍ଦ୍ରରେ ୫୨.୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ସହରଗୁଡ଼ିକର ତାପମାତ୍ରା ପାଶ୍ୱର୍ବର୍ତ୍ତୀ ଗ୍ରାମାଞ୍ଚଳ ଠାରୁ ଅଧିକ ଉତ୍ତପ୍ତ ରହୁଥିବା ଘଟଣାକୁ କୁହାଯାଉଛି ‘ହିଟ୍‌ ଆଇଲ୍ୟାଣ୍ଡ ଏଫେକ୍ଟ’ । ଏହାକୁ କୁହାଯାଇପାରେ ସହରୀ ଦ୍ୱୀପ ଉତ୍ତପ୍ତୀକରଣ । ସାଧାରଣତଃ ଦିନବେଳା ଅପେକ୍ଷା ରାତିରେ ଉତ୍ତାପ ପାର୍ଥକ୍ୟ ଅଧିକ ଅନୁଭୂତ ହୋଇଥାଏ ।

ସହରାଞ୍ଚଳଗୁଡ଼ିକ ସେମାନଙ୍କର ସ୍ଥିତି ଓ ଅବସ୍ଥିତି କାରଣରୁ, ପାଶ୍ୱର୍ବର୍ତ୍ତୀ ଗ୍ରାମାଞ୍ଚଳ ଓ ଖୋଲା ସ୍ଥାନ ତୁଳନାରେ ଦିନବେଳା ଅଧିକ ଉତ୍ତପ୍ତ ହୋଇଥାଏ । ଏହାର ପ୍ରମୁଖ କାରଣ ହେଲା- ସହରାଞ୍ଚଳର ଉଚ୍ଚ କଂକ୍ରିଟ ଅଟ୍ଟାଳିକା, ଉଭୟ ମୁଖ୍ୟ ଓ ଗଳିମାନଙ୍କରେ ପିଚୁ ଓ କଂକ୍ରିଟ ରାସ୍ତା, ଅନ୍ୟାନ୍ୟ ଆବଶ୍ୟକୀୟ ବା ଅନାବଶ୍ୟକ ଭିତ୍ତିଭୂମି । ପ୍ରାକୃତିକ ପରିବେଷ୍ଟନୀ ଯଥା- ଜଙ୍ଗଲ ଚାରଣ ଭୂମି ଏବଂ ଆର୍ଦ୍ରଭୂମିରେ ପଡ଼ୁଥିବା ସୂର୍ଯ୍ୟ କିରଣର ବହୁ ଭାଗ ପ୍ରତିଫଳିତ ହୋଇଯାଏ । ଏଠାରେ କିନ୍ତୁ ପ୍ରତିଫଳିତ ହେବା ପରିବର୍ତ୍ତେ ପିଚୁ, ସିମେଣ୍ଟ ଓ କଂକ୍ରିଟରେ ଅଧିକ ମାତ୍ରାରେ ଅବଶୋଷିତ ହୋଇଯାଏ । ଦୁର୍ବଳ ବାୟୁ ଚଳାଚଳ କାରଣରୁ ବାହାରକୁ ବିକିରିତ ହେବା ପରିବର୍ତ୍ତେ ଆବଦ୍ଧ ତାପମାତ୍ରା ସହର ଅଭ୍ୟନ୍ତରର ଉଷ୍ମତା ବଢ଼ାଏ । ଦିନବେଳା ଅଧିକ ଗରମ ଅନୁଭୂତ ହୁଏ ଏବଂ ରାତିରେ ମଧ୍ୟ ଯେତିକି ଥଣ୍ଡା ହେବା କଥା, ତାହା ଅପେକ୍ଷା ଅପେକ୍ଷାକୃତ କମ୍‌ ଥଣ୍ଡା ହୁଏ । ସହରାଞ୍ଚଳରେ ବାୟୁ ପ୍ରଦୂଷଣ ସ୍ତର ମଧ୍ୟ ଗ୍ରାମାଞ୍ଚଳର ବାୟୁ ପ୍ରଦୂଷଣ ଠାରୁ ଯଥେଷ୍ଟ ବେଶୀ । କାରଣ, ସେଠାରେ ଯାନବାହନ ଚଳାଚଳ ଅଧିକ ଥିବାରୁ ପରିବହନଜନିତ ପ୍ରଦୂଷଣର ମାତ୍ରା ଅଧିକ ଥାଏ । 

ଏହା ବ୍ୟତୀତ ପରିବହନଜନିତ ବର୍ଜ୍ୟ ଉତ୍ତାପ ଓ ଧୂଳିଛୂଆଁ, ସହରର ଅଧିବାସୀମାନଙ୍କ ଦ୍ୱାରା ଗରମରୁ ରକ୍ଷା ପାଇବା ପାଇଁ ବ୍ୟବହାର କରାଯାଉଥିବା ଶୀତତାପ ଯନ୍ତ୍ରରୁ ନିର୍ଗମନ ହେଉଥିବା ଉତ୍ତପ୍ତ ବାଷ୍ପ, କଳ କାରଖାନାରୁ ନିର୍ଗମିତ ଉତ୍ତପ୍ତ ବାଷ୍ପ ଏବଂ ମନୁଷ୍ୟକୃତ କାର୍ଯ୍ୟକଳାପ ସହରର ବାୟୁମଣ୍ଡଳକୁ ଅଧିକରୁ ଅଧିକ ଉତ୍ତପ୍ତ କରିଥାଏ । ସହରାଞ୍ଚଳରେ ଜନସଂଖ୍ୟାର ଅସ୍ୱାଭାବିକ କେନ୍ଦ୍ରୀକରଣ ମଧ୍ୟ ଅନ୍ୟତମ କାରଣ । ସହରାଞ୍ଚଳଗୁଡ଼ିକ ପୃଥିବୀର ଭୌଗୋଳିକ ଆୟତନର ମାତ୍ର ୦.୫ ପ୍ରତିଶତ ସ୍ଥାନ ଅଧିକାର କରିଥିବାବେଳେ ସେଠାରେ ବିଶ୍ୱ ଜନସଂଖ୍ୟାର ୫୦ ପ୍ରତିଶତ ଲୋକ ବସବାସ କରନ୍ତି । ଏହିସବୁ କାରଣରୁ ବଡ଼ ବଡ଼ ଅଟ୍ଟାଳିକା ପରିବେଷ୍ଟିତ ସହରର ଅବରୁଦ୍ଧ ଉତ୍ତପ୍ତ ବାୟୁ ସହଜରେ ବାହାରକୁ ସଂପ୍ରସାରିତ ହୋଇପାରେ ନାହିଁ । ଉତ୍ତପ୍ତ ଦ୍ୱୀପ ଉପସର୍ଗ ଭୂଗୋଳ ଶାସ୍ତ୍ରର ଏକ ଅବଧାରଣା, ଯାହାକି ବର୍ତ୍ତମାନ ବାରମ୍ବାର ସମ୍ବାଦରେ ଆସୁଥିବା ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ହେତୁ ଘଟୁଥିବା ସହରର ଉତ୍ତପ୍ତୀକରଣ ସହ ପ୍ରାସଙ୍ଗିକତା ରଖିଛି ।

ସହରୀ ଦ୍ୱୀପର ଉତ୍ତପ୍ତୀକରଣ କାରଣରୁ ସେଠାରେ ବସବାସ କରୁଥିବା ଅଧିବାସୀମାନେ ଅନୁପାତ ବିହୀନ ତାପମାତ୍ରାରୁ ବିପଦ ଆଶଙ୍କା କରିପାରନ୍ତି । ସ୍ୱାସ୍ଥ୍ୟ ସଂକଟ ବା ଅସୁସ୍ଥତା ଯଥା ଅସ୍ୱାଭାବିକତା, ବ୍ୟାକୁଳତା, ଶ୍ୱାସକ୍ରିୟାରେ କଷ୍ଟ, ମାଂସପେଶୀ ଆକୁଞ୍ଚନ, ଶୀଘ୍ର କ୍ଳାନ୍ତ ହୋଇପଡ଼ିବା ଏବଂ ବେଳେବେଳେ ସାମାନ୍ୟ ଧରଣର ହୃଦଘାତର ସାମନା କରିବାକୁ ପଡ଼ିଥାଏ । ବର୍ତ୍ତମାନ ସାରା ବିଶ୍ୱରେ ଦ୍ରୁତ ସହରୀକରଣ ପ୍ରକ୍ରିୟା ଆଗେଇ ଚାଲିଛି । ଏବେ ବିଶ୍ୱ ଜନସଂଖ୍ୟାର ୫୬%, ଅର୍ଥାତ୍‌ ୪୪୦କୋଟି ଲୋକ ସହରରେ ବସବାସ କରୁଛନ୍ତି । ୨୦୫୦ ସୁଦ୍ଧା ସହରୀ ଜନସଂଖ୍ୟା ଦ୍ୱିଗୁଣିତ ହୋଇଯାଇପାରେ । ଅର୍ଥାତ୍‌, ସେତେବେଳକୁ ପ୍ରତି ଦଶଜଣରେ ସାତଜଣ ସହରରେ ବସବାସ କରୁଥିବେ । ଜନସଂଖ୍ୟା ବୃଦ୍ଧି କାରଣରୁ ସହରରେ ଅଧିକରୁ ଅଧିକ ଅଟ୍ଟାଳିକା ନିର୍ମାଣ କରାଯାଉଛି । ତେଣୁ ପ୍ରାକୃତିକ ପରିବେଶ ସଂକୁଚିତ ହେବାରେ ଲାଗିଛି । ଜଙ୍ଗଲ ଓ ଗଛ ଅବାଧରେ କଟାଯାଉଛି । ସବୁଜ ଘାସ ପଡ଼ିଆ, ରାସ୍ତାପାଶ୍ୱର୍ରେ ଥିବା ଖାଲି ସ୍ଥାନକୁ ଇଟା, ସିମେଣ୍ଟ, ପେଭରରେ ଆଚ୍ଛାଦନ କରାଯାଇଛି । ପୂର୍ବରୁ ଥିବା ଆର୍ଦ୍ରଭୂମି, ଜଳାଶୟ ଓ ଜଳ ନିଷ୍ପାସନ ନାଳଗୁଡ଼ିକ ପୋତିଦେଇ ସେଠି ନଭଶ୍ଚୁମ୍ବୀ ଅଟ୍ଟାଳିକାମାନ ଗଢ଼ି ଉଠୁଛି ।

ଏହି ପୃଷ୍ଠଭୂମିରେ ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱର ସହର କଥା ବିଚାରକୁ ନିଆଯାଉ । ୧୯୪୬ ମସିହାରେ ରାଜଧାନୀ ପାଇଁ ଯୋଜନା ପ୍ରସ୍ତୁତ କଲାବେଳେ ୫୦ହଜାର ଜନସଂଖ୍ୟା ଓ ୧୦ହଜାର କୋଠାବାଡ଼ିକୁ ନେଇ ଆକଳନ କରାଯାଇଥିଲା । ଏବେ ୨୦୨୪ ବେଳକୁ ସହରର ଜନସଂଖ୍ୟା ୧୨ଲକ୍ଷରୁ ୧୩ଲକ୍ଷରେ ପହଞ୍ଚିଲାଣି । ଅତ୍ର, ତତ୍ର, ସର୍ବତ୍ର ବୃହତ୍‌ ଅଟ୍ଟାଳିକାମାନ ଗଢ଼ି ଉଠୁଛି, ବ୍ୟକ୍ତିଗତ ମାଲିକାନାରେ ଥିବା ଘର ୨ଲକ୍ଷକୁ ଟପିଲାଣି । ଭୁବନେଶ୍ୱର ଚତୁଃପାଶ୍ୱର୍ରେ ଯୋଜନାବଦ୍ଧ ଭାବେ ଛୋଟ ଛୋଟ ସାଟେଲାଇଟ ସହର ଗଢ଼ିଉଠିଥିଲେ ହୁଏତ ଏ ସମସ୍ୟା କେତେକ ପରିମାଣରେ ସୁଧୁରି ଯାଇଥାନ୍ତା । କିନ୍ତୁ ଭୁବନେଶ୍ୱର ରାଜ୍ୟର ରାଜଧାନୀ ହୋଇଥିବାରୁ ବିଭିନ୍ନ ଅଞ୍ଚଳରୁ ଲୋକମାନେ ଉଠିଆସି ଏଠି ଘରଦ୍ୱାର କରି ରହିବାକୁ ପସନ୍ଦ କରୁଛନ୍ତି । ଏପରିକି ଗଙ୍ଗୁଆନାଳ, ଦୟାନଦୀ ଅବବାହିକା ଓ ନିମ୍ନାଞ୍ଚଳ ଖାଲୁଆ ଜମିରେ ମଧ୍ୟ ଅଟ୍ଟାଳିକାମାନ ଗଢ଼ିଉଠି ଜଳ ନିଷ୍କାସନ ପଥ ଅବରୋଧ କରୁଛି । ସହର ମାନଚିତ୍ରରୁ ଆର୍ଦ୍ରଭୂମି ଉଭେଇ ଗଲାଣି ।

ସହରୀ ଦ୍ୱୀପ ଉତ୍ତପ୍ତୀକରଣ ପ୍ରକ୍ରିୟାକୁ ହ୍ରାସ କରିବାର ଏକମାତ୍ର ଉପାୟ ଘର ଚାରିପଟେ ଅଧିକରୁ ଅଧିକ ଗଛ ଲଗାଅ । ଘର ଚାରିପଟେ ଥିବା ବଡ଼ ବଡ଼ ଗଛ ଛାୟା ପ୍ରଦାନ କରି ପରିବେଶ ତଥା ଘରକୁ ଥଣ୍ଡା ରଖେ ।  ଶୀତତାପ ଯନ୍ତ୍ର ପରି ଶୀତଳତା ଆଣିଦିଏ । ଗଛର ବାଷ୍ପୀକରଣ ପ୍ରକ୍ରିୟାରେ ଉପର ବାୟୁମଣ୍ଡଳ ମଧ୍ୟ ଶୀତଳ ହୋଇଯାଏ । ପୂର୍ବରୁ ଭୁବନେଶ୍ୱର ଡେଭଲପମେଣ୍ଟ ଅଥରିଟି (ବିଡିଏ) ଅଟ୍ଟାଳିକାଗୁଡ଼ିକର ପ୍ଲାନ ଅନୁମୋଦନ କଲାବେଳେ ଆଗରେ ଦଶଫୁଟ ଏବଂ ଅନ୍ୟ ତିନିପଟେ ପାଞ୍ଚଫୁଟ ଖାଲି ସ୍ଥାନ ଛାଡ଼ିବାର ନିୟମ ରଖିଥିଲା । ଏବେ ସେ ନିୟମ ବଦଳିଯାଇ କେବଳ ଆଗରେ ଦଶଫୁଟ ଛାଡ଼ିବା ବ୍ୟତୀତ ଅନ୍ୟ ତିନିପଟେ ଖାଲି ଜାଗା ରଖିବାର ସୀମା ୫ଫୁଟରୁ ୩ଫୁଟକୁ କମାଇ ଦେଇଛି । ତିନି ଫୁଟରେ କେଉଁ ବଡ଼ ଗଛ ଲଗାଯାଇ ପାରିବ, ପାଠକେ ବିଚାର କରନ୍ତୁ । କୋଠାଘରର କଂକ୍ରିଟ ଛାତକୁ ଉନ୍ମୁକ୍ତ ନରଖି, ସବୁଜ କରିବାକୁ, ଛାତ ଉପରେ ରୁଫ୍‌ଟପ୍‌ ଗାର୍ଡନ ବା ବଗିଚା କରିବାକୁ ପରାମର୍ଶ ଦିଆଯାଉଛି । ଏ ଦିଗରେ ଅନ୍ୟ ଏକ ପରାମର୍ଶ ଦିଆଯାଇପାରେ, କିନ୍ତୁ ତାହା କେତେଦୂର ଗ୍ରହଣଯୋଗ୍ୟ ହେବ ମୁଁ ଜାଣେନା । ପ୍ରଥମତଃ ସହରରେ ଚଳପ୍ରଚଳ ହେଉଥିବା ଯାନବାହନ ସଂଖ୍ୟା ୫୦ ପ୍ରତିଶତ କମାଇ ଦିଆଯାଉ । ଦ୍ୱିତୀୟରେ ସହରର ମୁଖ୍ୟ ରାସ୍ତାକୁ ଛାଡ଼ି, ଗଳି ଉପଗଳିର ରାସ୍ତାଗୁଡ଼ିକୁ ପିଚୁ ବା କଂକ୍ରିଟ ନକରି, ମାଟି ବା ପାଦଚଲା ରାସ୍ତାରେ ପରିବର୍ତ୍ତନ କରାଯାଉ । ରାସ୍ତାର ଦୁଇପାଶ୍ୱର୍ରେ ପେଭମେଣ୍ଟ ନକରି ଖୋଲା ଛାଡ଼ିଦେଲେ ସେଠି ଘାସ ଉଠିବ ଏବଂ ପଥପାଶ୍ୱର୍ ବନୀକରଣ କରାଯାଇ ପାରିବ । ବନୀକରଣ ସମୟରେ ସଂପୂର୍ଣ୍ଣ ପତ୍ରଝଡ଼ା ଦେଉନଥିବା ଗଛ ଯଥା- ନିମ୍ବ, କରଞ୍ଜ, ଅଶ୍ୱତ୍‌ଥ, ଅଶୋକ, ଜାମୁ, ସ୍ୱର୍ଣ୍ଣଚମ୍ପା ଆଦି ଗଛ ଲଗାଯାଉ, ଯାହାକି ବାୟୁମଣ୍ଡଳରୁ ଅଧିକ ଅଙ୍ଗାରକାମ୍ଳ ଆହରଣ କରିପାରିବ ଏବଂ ସୂର୍ଯ୍ୟକିରଣକୁ ପ୍ରତିଫଳିତ କରାଇବାରେ ସହାୟକ ହେବ ।

ବର୍ଷକୁ ବର୍ଷ ବିଶ୍ୱ ତାପନର ଅହେତୁକ ବୃଦ୍ଧି ଘଟୁଥିବା କାରଣରୁ ଏବେ ସବୁ ସ୍ତରରେ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା ସହିତ ଅନାବଶ୍ୟକ ଭାବେ ବୃକ୍ଷ ନକାଟିବାକୁ ପରାମର୍ଶ ଦିଆଯାଉଛି । ନ୍ୟାୟାଳୟଗୁଡ଼ିକ ମଧ୍ୟ ଏ ଦିଗରେ ଏକ ଅଭିନବ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । ଜୁନ ମାସ ୨୫ ତାରିଖରେ ‘ପ୍ରମେୟ’ରେ ପ୍ରକାଶିତ ଏକ ସମ୍ବାଦର ଶୀର୍ଷକ ଦୃଷ୍ଟିଆକର୍ଷଣ କରିଥିଲା । ସମ୍ବାଦଟି ଥିଲା ‘ବୃକ୍ଷ ରୋପଣ ସର୍ତ୍ତରେ ଅଭିଯୁକ୍ତକୁ ଜାମିନ’ । ମାନ୍ୟବର ଓଡ଼ିଶା ହାଇକୋର୍ଟ ଜଣେ ଅଭିଯୁକ୍ତଙ୍କୁ ମାଆଙ୍କର ସ୍ୱାସ୍ଥ୍ୟାବସ୍ଥା ପାଇଁ ଜାମିନ ପ୍ରଦାନ କଲାବେଳେ ଉକ୍ତ ଅଭିଯୁକ୍ତ ସ୍ଥାନୀୟ ସରକାରୀ ଜମିରେ ୨୦ଟି ଗଛ ଲଗାଇବେ ବୋଲି ସର୍ତ୍ତ ଧାର୍ଯ୍ୟ କରିଛନ୍ତି । ସେହିପରି ଜୁନ ୨୯ ତାରିଖରେ ପ୍ରକାଶିତ ଅନ୍ୟ ଏକ ରୋଚକ ସମ୍ବାଦ ହେଉଛି ‘ଜାମିନ ପାଇଁ ଦେଢ଼ଶହ ଗଛ ଲଗାଇବେ ଦୁଇ ଅଭିଯୁକ୍ତ’ । ଜାମିନ ଆବେଦନ କରାଯାଇଥିବା ଦୁଇଟି ପୃଥକ ମାମଲାରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ଜଣେ ଅଭିଯୁକ୍ତକୁ ଶହେ ଗଛ ଏବଂ ଅନ୍ୟ ଜଣଙ୍କୁ ୫୦ ଗଛ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୪ ତାରିଖରେ ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ ‘ଗୋଶାଳା’ ରାସ୍ତା ନିମନ୍ତେ ବୃକ୍ଷ କାଟିବାକୁ ଦେଇଥିବା ପ୍ରସ୍ତାବର ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ସହ ପୁନର୍ବିଚାର କରିବାକୁ ପରାମର୍ଶ ଦେଇଥିଲେ । ଏଥିରୁ ଜଣାପଡୁଛି ସହରୀ ଦ୍ୱୀପ ଉତ୍ତପ୍ତୀକରଣର ମୁକାବିଲା ନିମନ୍ତେ ବୃକ୍ଷ ଆଚ୍ଛାଦନ ହିଁ ଅନ୍ୟତମ ଠୋସ୍‌ ଉପାୟ, ଏଥିରେ ସନ୍ଦେହ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.