ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଅପପୁଷ୍ଟି...

ଭୁବନେଶ୍ୱର: ପଞ୍ଜରା ହାଡ଼ । କୋରଡ଼ ଆଖି । ଠାକରା ଗାଲ । ପୁଟୁଳି ପରି  ବାହାରି ପଡ଼ିଥିବା ପେଟ । ଶିଶୁଙ୍କର ଏମିତି ଚେହେରା ତ ନିଶ୍ଚୟ ଦେଖିଥିବେ । ବିଡ଼ମ୍ବନା, ‘ଅପପୁଷ୍ଟି’ର ଶିକାର ଏ ପିଲାମାନେ  ହେଉଛନ୍ତି ଆମ ଭବିଷ୍ୟତ । ପୁଷ୍ଟିହୀନତାରେ କଲବଲ ଆମ ଆଗାମୀ ପିଢ଼ି। ଭବିଷ୍ୟତ ନୁହଁ ବର୍ତ୍ତମାନକୁ ନେଇ ସେମାନଙ୍କ ଶେତା ଆଖିରେ  ଅପପୁଷ୍ଟିର କୋହ । କୁପୋଷଣ ବା ଅପପୁଷ୍ଟିରେ ଆମ ରାଜ୍ୟର ଶିଶୁମାନେ ଆକ୍ରାନ୍ତ । ଉପକୂଳରୁ ଉପାନ୍ତ ଓଡ଼ିଶା ସବୁଠି ବହୁ  ସଂଖ୍ୟାରେ ନିରୀହ ଶିଶୁଙ୍କ ଚେହେରା ହିଁ ଦେଉଛି ପୁଷ୍ଟିହୀନତାର  ପ୍ରମାଣ । କୁପୋଷଣ ଜୀବନ ନେଉଛି । ଓଡ଼ିଶା ମଥାରେ ପୁଷ୍ଟିହୀନତାର  କଳଙ୍କ । ବିକାଶର ପରିସଂଖ୍ୟାନ ତଳେ ଭବିଷ୍ୟତର ବିକଳ ଚିତ୍ର ।  ଏ ନିରବ ମହାମାରୀ ଆମ ସମାଜ ଓ ମାନବ ସମ୍ବଳକୁ ଗିଳିବାକୁ  ବସିଛି । ଆମ ଭବିଷ୍ୟତ ପିଢ଼ିର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ ସାଜିଛି ବଡ଼ ବାଧକ । ବର୍ଷ ବର୍ଷ ଧରି ଅପପୁଷ୍ଟି ଆମ  ସହ ରହିଛି । ସରକାରୀ ପ୍ରୟାସ ସତ୍ତେ୍ୱ ଏ ମହାମାରୀ ଏଯାଏ ସାରା ରାଜ୍ୟରେ ମେଲାଇ ଚାଲିଛି କାୟା । ରାଜ୍ୟର ବିକାଶ ଓ ଅଭିବୃଦ୍ଧିରେ  ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି ଅପପୁଷ୍ଟି । 

ନିରବ ମହାମାରୀ 

ଆଖି କହୁଛି କଥା । କୋରଡ଼ ଆଖିରେ ଧରିବ ପୋଷେ ଚାଉଳ ।  ବୟସ ତୁଳନାରେ କାହାର ଓଜନ ଅଧାରୁ କମ୍‌ । କାହାର ପୁଣି  ବଢ଼ୁନି ଉଚ୍ଚତା । ଘରେ ଭାତ ଥିଲେ ଡାଲି ନାହିଁ । ରୋଗ ଥିଲେ,  ଔଷଧ ନାହିଁ । ସନ୍ତୁଳିତ ବିକାଶରେ ବାଧକ ସାଜିଛି ପୁଷ୍ଟିକର ଖାଦ୍ୟର  ଅଭାବ । ଗ୍ରାମାଞ୍ଚଳ ଓ ବିଶେଷ ଭାବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ  ପିଲାମାନେ ଦାରିଦ୍ର‌୍ୟ ହେତୁ କୁ-ପୋଷଣର ଶିକାର ହେଉଛନ୍ତି ।  ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌ ରହୁଛି । ବର୍ଷ ତମାମ  ରୋଗରେ ଆକ୍ରାନ୍ତ ହେଉଛନ୍ତି । ପରିବାର ଛଟପଟ ହେଉଛି । ସରକାରୀ ତଥ୍ୟ କହୁଛି, ରାଜ୍ୟରେ ୧୦.୭ ଲକ୍ଷ ପିଲା ବୟସ  ତୁଳନାରେ ଗେଡ଼ା । ୫.୧୩ ଲକ୍ଷ ଉଚ୍ଚତା ଅନୁସାରେ ପତଳା । ୧୦.୮  ଲକ୍ଷ ପିଲାଙ୍କର ବୟସ ବଢ଼ୁଛି ମାତ୍ର ଓଜନ ଢେର କମ୍‌ । ଓଡ଼ିଶାରେ  ୬-୨୩ ମାସ ମଧ୍ୟରେ ପାଖାପାଖି ୮୦% ଶିଶୁ ସର୍ବନିମ୍ନ ଆବଶ୍ୟକ  ଖାଦ୍ୟ ପାଉନାହାନ୍ତି । ଶିଶୁର ଅଭିବୃଦ୍ଧି ଓ ବିକାଶକୁ ସୁନିଶ୍ଚିତ କରିବା  ପାଇଁ ଅତି କମରେ ଶସ୍ୟ, ମିଲେଟ୍‌, ସବୁଜ ପନିପରିବା, ଡାଲି,  କ୍ଷୀର, ଫଳ, ମାଛ, ଅଣ୍ଡା ଇତ୍ୟାଦି ଠିକଣା ସମୟରେ ମିଳୁନି ।  ସାରା ଓଡ଼ିଶା କୁ-ପୋଷଣମୁକ୍ତ ହେବ କେମିତି? 

ପରିସଂଖ୍ୟାନ ଦର୍ଶାଉଛି, ରାଜ୍ୟରେ ପ୍ରତି ହଜାରରେ ଶିଶୁ ମୃତ୍ୟୁ  ହାର ୩୬ ରହିଛି । ହେଲେ ଆଦିବାସୀ ଶିଶୁଙ୍କ କ୍ଷେତ୍ରରେ ଏହା  ୫୬ । ସେହିଭଳି ସହରରେ ରହୁଥିବା ଅଧିକାଂଶ ପିଲାଙ୍କୁ  ଏବେ ମେଦବହୁଳତା ରୋଗ ମାଡ଼ି ବସିଲାଣି । ଏହାକୁ ମଧ୍ୟ  ପୁଷ୍ଟିହୀନତା ଭାବେ ଗ୍ରହଣ କରାଯାଉଛି । ସହରୀ ଅଭିଭାବକମାନେ  ନିଜ ପିଲାଙ୍କ ଖାଦ୍ୟ ଓ ସ୍ୱାସ୍ଥ୍ୟ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ।  ମାତ୍ର ପିଲାମାନେ ସ୍ୱାସ୍ଥ୍ୟବାନ ହେବା ବଦଳରେ ମୋଟାପଣର  ଶିକାର ହେଉଛନ୍ତି । ଫାଷ୍ଟଫୁଡ୍‌, ପ୍ରକ୍ରିୟାକୃତ ଖାଦ୍ୟ, ନିଦ୍ରାହୀନତା  ଓ ଜୀବନଶୈଳୀରୁ ସହରର ଶିଶୁ ଓ କିଶୋରମାନେ ମଧ୍ୟ  ଚିନ୍ତାଜନକ ଭାବେ ପୁଷ୍ଟିହୀନତା କବଳରେ ପଡ଼ୁଛନ୍ତି । କେଉଁଠି  ଖାଦ୍ୟ ମିଳୁନି, ଆଉ କେଉଁଠି ହାଉଜାଉ ଖାଦ୍ୟ ହିଁ ଅପପୁଷ୍ଟିକୁ  ଡାକି ଆଣୁଛି । ଆଦିବାସୀବହୁଳ ଜିଲ୍ଲାରେ କଅଁଳ ଶିଶୁଙ୍କ ପ୍ରାଣ  ନେଉଛି ଅପପୁଷ୍ଟି ଯମ । ଏହା ହିଁ ଆମ ସ୍ୱାସ୍ଥ୍ୟସେବା ପାଇଁ ବଡ଼ ଚାଲେଞ୍ଜ ଛିଡ଼ା କରାଇଛି । 

ମିଶନ୍‌ କୁପୋଷଣ 

ଓଡ଼ିଶାର ମଥାରେ କୁ-ପୋଷଣର ପାପ । ନଗଡ଼ାର କାହାଣୀ ଆଜି ବି  ଡରାଉଛି । ଆଖି ବନ୍ଦ କରି ବି ଦେଖିହେଉଛି ଆଦିବାସୀ ଓ ଦୁର୍ଗମ  ଜିଲ୍ଲାରେ ପୋଷଣହୀନତାର ସଂଗୀନ ଚିତ୍ର । ଅପପୁଷ୍ଟିରେ ଆଜି ବି  ଶିଶୁଙ୍କ ପ୍ରାଣହାନି ପାଲଟୁଛି ବଡ଼ ଖବର । 

ସରିନି ଲଢ଼େଇ, ହାରିନି କୁ-ପୋଷଣ । ପୁଷ୍ଟିହୀନତା ଦୂରେଇବାକୁ  ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଯୋଜନା ଓ  କାର୍ଯ୍ୟକ୍ରମର ତାଲିକା ଲମ୍ବି ଚାଲିଛି । ମାତ୍ର ସଫଳତାର ହାର  ଆଖିଦୃଶିଆ ହେଉନି । ଯୋଜନା ଓ କାର୍ଯ୍ୟକାରିତା ମଧ୍ୟରେ ତାଳମେଳ ରହୁନି । ନିଷ୍ଠା ଓ ଆନ୍ତରିକତାର ଅଭାବ ମଧ୍ୟ ରହୁଛି ।  କେଉଁଠି ସଚେତନତା ନାହିଁ । ଆଉ କେଉଁଠି ନିମ୍ନମାନର ଛତୁଆ  ମିଳୁଛି । କେବେ ଅଣ୍ଡା ମିଳିଲେ, ଆଉ କେବେ ଉଭାନ୍‌ । ଆଦିବାସୀ ବର୍ଗର ସିଂହଭାଗ ଶିଶୁ (୭୨.୯%) ରକ୍ତହୀନତାରେ  ଆକ୍ରାନ୍ତ । ସାଧାରଣ ବର୍ଗର ଶିଶୁଙ୍କ କ୍ଷେତ୍ରରେ ଏହି ହାର ୬୪.୨%  ରହିଛି । କେବଳ ଶିଶୁ ନୁହେଁ, ମହିଳାଙ୍କ ଅବସ୍ଥା ଆହୁରି ଜଟିଳ ।  ୧୫ରୁ ୪୯ ବର୍ଷ ବୟସର ୭୧.୭% ଆଦିବାସୀ ମହିଳା ମଧ୍ୟ ଆନିମିଆ ବା ରକ୍ତହୀନତାରେ ଆକ୍ରାନ୍ତ । ଶିଶୁ ସ୍ୱାସ୍ଥ୍ୟ ପାଇଁ ମାଆ ସ୍ୱାସ୍ଥ୍ୟର ଯତ୍ନ  ଜରୁରି । ଶିଶୁର ପ୍ରଥମ ହଜାରେ ଦିନ ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ ।  ଏ ସମୟରେ ଶିଶୁ ମସ୍ତିଷ୍କର ୮୦ ପ୍ରତିଶତ ଅଭିବୃଦ୍ଧି ଘଟିଥାଏ ।  କୌଣସି ପ୍ରକାର ହେଳା କଲେ କୁ-ପୋଷଣର ଶିକାର ହେବା  ଏକରକମ ନିଶ୍ଚିତ । ମାଆ ଗର୍ଭରେ ରହିବାଠାରୁ ଜନ୍ମର ଦୁଇବର୍ଷ  ପର୍ଯ୍ୟନ୍ତ ମନୁଷ୍ୟର ଜୀବନ ପୋଷଣ ଅତ୍ୟନ୍ତ ସମ୍ବେଦନଶୀଳ । ମା’  ଏବଂ ଶିଶୁର ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ ହେଲେ ଶିଶୁର  ଶାରୀରିକ ଓ ମାନସିକ ବୃଦ୍ଧି ଉପଯୁକ୍ତ ଭାବେ ହୋଇପାରେ ନାହିଁ ।  ଓଡ଼ିଶାରେ ଅନ୍ୟ ରାଜ୍ୟ ତୁଳନାରେ ଶିଶୁ ମୃତ୍ୟୁହାର ଅଧିକ ।  ସେଥିମଧ୍ୟରୁ କୁ-ପୋଷଣ ଅନ୍ୟତମ କାରଣ । ବିବାହ ବୟସ  ନହେଉଣୁ ଝିଅ ବିବାହ କରୁଛନ୍ତି । ଫଳ ହେଉଛି, କମ୍‌  ଓଜନର ଶିଶୁ ଜନ୍ମ ହେବା ସହ କୁପୋଷଣ ସମସ୍ୟାରେ ଘାଣ୍ଟି  ହେଉଛନ୍ତି ମାଆ ଓ ଛୁଆ । 

କୁପୋଷଣ ସମସ୍ୟା ଗମ୍ଭୀର ରୂପ ନେଉଥିବାରୁ ଗତ କିଛି  ବର୍ଷ ହେବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୋଷଣ  ଅଭିଯାନ ଆରମ୍ଭ କରିଛନ୍ତି । ଗର୍ଭବତୀ ମାଆଙ୍କ ସ୍ୱାସ୍ଥ୍ୟକୁ  ସର୍ବାଧିକ ଗୁରୁତ୍ୱ ଦେଇ ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଣ,  ଟୀକାକରଣ, ପରିଛନ୍ନତା ସହ ଶିଶୁ ସୁରକ୍ଷା ପାଇଁ ସଚେତନ  କରାଯାଉଛି । ମାଆ ଯଦି ପୁଷ୍ଟିହୀନରେ ସଢ଼ିବ, ଶିଶୁ ମଧ୍ୟ ଶିକାର  ହେବ । ସୁସ୍ଥ ସମାଜ ଗଠନ ନିମନ୍ତେ ସୁସ୍ଥ ମା’ ଏବଂ ସୁସ୍ଥ ଶିଶୁ  ଉପରେ ଗୁରୁତ୍ୱ ଦେଇ ଗର୍ଭବତୀ ମହିଳାଙ୍କୁ ଅତିରିକ୍ତ ପୁଷ୍ଟିକର  ଖାଦ୍ୟ ମିଳୁଛି । ମାତ୍ର କୁ-ପୋଷଣରୁ ମୁକ୍ତି କାହିଁ? 

ଓଡ଼ିଶାର କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କର  ପୁଷ୍ଟିହୀନତା ଓ ରକ୍ତହୀନତାର ମୁକାବିଲା ପାଇଁ ମହିଳା ଓ ଶିଶୁ  ବିକାଶ ବିଭାଗ “ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ କାର୍ଯ୍ୟକାରୀ  କରୁଛି । ଶିଶୁ, ପ୍ରସୂତି ଓ ସାଧାରଣ ମହିଳାଙ୍କ ଉତ୍ତମ ସ୍ୱାସ୍ଥ୍ୟ  ସୁନିଶ୍ଚିତ କରିବା ଓ ଏକ ସୁସ୍ଥ ଭବିଷ୍ୟତ ଗଢ଼ିବା ହେଉଛି ଏହାର  ମୂଳ ଲକ୍ଷ୍ୟ । ଅପପୁଷ୍ଟି ଦୂରେଇବାକୁ ସରକାର ବ୍ୟାପକ ଯୋଜନା ହାତକୁ ନେଉଛନ୍ତି । ରାଜକୋଷରୁ ପାଣି ଭଳି ପାଣ୍ଠି ଖର୍ଚ୍ଚ ହେଉଛି ।  ମାତ୍ର ଆମ ଭବିଷ୍ୟତଙ୍କ ଜୀବନ ଆଜି ବି କୁ-ପୋଷଣରେ ଜର୍ଜରିତ । 

ଲଢ଼େଇ ଆମ ସମସ୍ତଙ୍କର 

ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ ପାଇଁ ପୋଷଣ ହେଉଛି  ଏକ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ । ଏସ୍‌ଡିଜିର ୧୭ ସୂଚକାଙ୍କ ମଧ୍ୟରୁ ପୋଷଣ, ସ୍ୱାସ୍ଥ୍ୟ ୧୨ଟି ଲକ୍ଷ୍ୟ ସହ ଜଡ଼ିତ । ୬ ବର୍ଷରୁ କମ୍‌ ଶିଶୁ,  ଗର୍ଭବତୀ ମହିଳାଙ୍କ ପୋଷଣଜନିତ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାକୁ ପୋଷଣ ଅଭିଯାନ କେନ୍ଦ୍ର ଆରମ୍ଭ କରିଛି । ଏ ଅଭିଯାନ ପରେ  ଗୁରୁତର ପୁଷ୍ଟିହୀନ ପିଲାଙ୍କ ସଂଖ୍ୟାରେ ହ୍ରାସ ଘଟୁଛି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍‌’ରେ ଏ ପ୍ରସଙ୍ଗ  ଉଠାଇଛନ୍ତି । ଦେଶର ସବୁବର୍ଗ ସଚେତନ ହେବା ସହ କୁ-ପୋଷଣ ବିରୋଧରେ ଲଢ଼େଇକୁ ଜୋରଦାର କରିବାକୁ ଅପିଲ କରିଛନ୍ତି ।  ସେପ୍‌ଟେମ୍ବର ମାସ ହେଉଛି ପୋଷଣ ମାସ । ପୁଷ୍ଟିହୀନତା  ବିରୋଧରେ ସାରା ରାଜ୍ୟ ଏକଜୁଟ ହେବାର ସମୟ ଆସିଛି । ଏ  କ୍ଷେତ୍ରରେ ମାଆମାନଙ୍କୁ ପରିବାରର ସହଯୋଗ ଜରୁରି । ଗର୍ଭଧାରଣ  ସମୟରେ ପ୍ରତି ଶହେରେ ୫ ଜଣ ମହିଳା ଘରୋଇ ହିଂସା ଏବଂ  କ୍ଷୁଧାର ଶିକାର ହେଉଛନ୍ତି । ପ୍ରସବ ପରେ ସ୍ତନ୍ୟପାନ ପାଇଁ ମାଆକୁ  ଯଥେଷ୍ଟ ସମୟ ମିଳୁନି । ଶିଶୁଟି ଅବହେଳା ଓ ଅଣଦେଖାର ଶିକାର  ହେଉଛି । ସୁସ୍ଥ ଶିଶୁ ପାଇଁ ପରିବାରର ଭୂମିକା ଯେ ସବୁଠୁ ବଡ଼,  ଏହାକୁ ଭୁଲିଗଲେ ହେବ କି?

ପୋଷଣ ଅଭିଯାନକୁ ନୂଆ ଶିକ୍ଷା ନୀତି ସହ ଯୋଡାଯାଇଛି ।  “ପୋଷଣ ଭି, ପଢାଇ ଭି’ ଅଭିଯାନରେ ପିଲାଙ୍କ ସନ୍ତୁଳିତ ବିକାଶ  ଉପରେ ଜୋର୍‌ ଦିଆଯାଇଛି । ଆମକୁ ଅଧିକ ସଚେତନ ହେବାକୁ  ହେବ । ସରକାର ‘ବିକଶିତ ଓଡ଼ିଶା’ର ନକ୍ସା ଆଙ୍କିଛନ୍ତି । ହେଲେ  ଆମ ଭବିଷ୍ୟତଙ୍କୁ ରୋଗୀଣା କରି ଏ ସ୍ୱପ୍ନ କ’ଣ ସତ ହେବ?  ଜଣେ ଓଡ଼ିଆ ଭାବେ କୁ-ପୋଷଣ କଳଙ୍କ ପୋଛିବାକୁ ଆସନ୍ତୁ  ଆଗକୁ ବାହାରିବା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.