ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ମୁଖ୍ୟସ୍ରୋତରେ ଜଳବାୟୁ ପ୍ରସଙ୍ଗ

କେରଳର ୱାୟାନାଡରେ ନିକଟରେ ମଧ୍ୟରାତ୍ରିର  ଅସମ୍ଭାଳ ବାଦଲଫଟା ବର୍ଷାର ପ୍ରତିଫଳରେ  ସଂଘଟିତ ଭୂସ୍ଖଳନ ଦ୍ୱାରା ସୃଷ୍ଟ ବିନାଶର ଭୟଙ୍କର ତାଣ୍ଡବ  ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ପ୍ରାକୃତିକ ସୌନ୍ଦର୍ଯ୍ୟର  ବୈଭବ ଓ ମାନବ ନିର୍ମିତ ବହୁମୂଲ୍ୟ ଭିତ୍ତିଭୂମି ଏପରି ବିପର୍ଯ୍ୟୟରେ ଧ୍ୱସ୍ତବିଧ୍ୱସ୍ତ ହୋଇ ଧ୍ୱଂସସ୍ତୂପରେ ପରିଣତ  ହେବା ସହ ଧନଜୀବନର ଅପୂରଣୀୟ କ୍ଷୟକ୍ଷତି ଘଟିଲା ।  ପର୍ଯ୍ୟଟନର ଆକର୍ଷଣୀୟ କ୍ଷେତ୍ର ଥିବା ଉତ୍ତରାଖଣ୍ଡର ଓମ୍‌  ପର୍ବତ ସମ୍ପ୍ରତି ବରଫହୀନ ପାଲଟିବା ବର୍ଦ୍ଧିତ ତାପମାତ୍ରାର  ପ୍ରତିକୂଳ ପ୍ରଭାବର ମୂକ ସାକ୍ଷୀ ରୂପେ ଦଣ୍ଡାୟମାନ  ରହିଛି । 

ଗ୍ରୀଷ୍ମପ୍ରବାହ, ଅତ୍ୟଧିକ ବର୍ଷା, ବନ୍ୟା, ବାତ୍ୟା,  ଭୂସ୍ଖଳନ, ବଜ୍ରପାତ, ଜଙ୍ଗଲାଗ୍ନି, ମରୁଡ଼ି,  ମହାମାରୀ, ମେରୁ ଅଞ୍ଚଳସ୍ଥ ବରଫ  ତରଳିବା, ସମୁଦ୍ର ପତ୍ତନରେ ବୃଦ୍ଧି ଓ କୂଳ  ଲଙ୍ଘନ ପରି ପ୍ରାକୃତିକ ବିପର୍ଯ୍ୟୟ କ୍ରମଶଃ  ସମଗ୍ର ବିଶ୍ୱର କୋଣାନୁକୋଣରେ ସଂଖ୍ୟା  ଓ ତୀବ୍ରତାରେ ବୃଦ୍ଧିପାଇ ଚାଲିଛି । ଏହି  ପରିପ୍ରେକ୍ଷୀରେ ବୈଜ୍ଞାନିକ ଗବେଷଣାଲବ୍ଧ  ତଥ୍ୟ ସୂଚିତ କରେ ଯେ, ବିଶ୍ୱରେ  ସମ୍ପ୍ରତି ଗମ୍ଭୀର ରୂପ ଧାରଣ କରୁଥିବା ବିଶ୍ୱତାପନ ଏବଂ  ତଦ୍‌ଜନିତ ଜଳବାୟୁ ପରିବର୍ତ୍ତନ ତଥା ନକାରାତ୍ମକ  ମାନବୀୟ କାର୍ଯ୍ୟକଳାପର ସମ୍ମିଳିତ ପ୍ରଭାବରେ ଏସବୁ ଦୁର୍ବିପାକ ଘଟଣାକ୍ରମେ ତ୍ୱରାନ୍ୱିତ ହେଉଛି । 

ମାନବୀୟ  କାର୍ଯ୍ୟଧାରାରେ ପରିବର୍ତ୍ତନ ନଘଟିଲେ ଆଗାମୀ  ଦିନରେ ଏପରି ଘଟଣା ଅଧିକ ତୀବ୍ରତର ହେବ ଏବଂ  ମହାବିନାଶ ସଂଘଟିତ ହୋଇ ଜୀବଜଗତ ବିଲୁପ୍ତି  ଦିଗରେ ଗତି କରିବ । ଏହି ପରିପ୍ରେକ୍ଷୀରେ ଜଳବାୟୁ  ପରିବର୍ତ୍ତନ ଉପରେ କାର୍ଯ୍ୟରତ ଆନ୍ତଃ-ସରକାରୀ ଗୋଷ୍ଠୀ  (ଆଇପିସିସି) ଏହାର ରିପୋର୍ଟ ମାଧ୍ୟମରେ ବିଶ୍ୱବାସୀଙ୍କ  ନିମନ୍ତେ ଯେତେ ସତର୍କ ସୂଚନା ଜାରି କଲେ ଏବଂ  ଜାତିସଙ୍ଘ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ସ୍ତରରେ ଯେତେ  ଚୁକ୍ତିନାମା ସ୍ୱାକ୍ଷରିତ ହେଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା  ଗ୍ରହଣରେ ରାଷ୍ଟ୍ରମାନଙ୍କର ମନ୍ଥରତା ଆଗାମୀ ଭବିଷ୍ୟତ  ନିମନ୍ତେ ନିରାଶାର ଭାବ ସୃଷ୍ଟି କରୁଛି । 

ପୃଥିବୀର ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀରେ ସୀମିତ  ରଖିବା ଉଦ୍ଦେଶ୍ୟରେ ୨୦୧୫ରେ ଗୃହୀତ ଜାତିସଂଘର  ପ୍ୟାରିସ୍‌ ଚୁକ୍ତିନାମାର ଲକ୍ଷ୍ୟକୁ ଏପର୍ଯ୍ୟନ୍ତ ଆଶାନୁଯାୟୀ  ସଫଳତା ଉପଲବ୍ଧ ହୋଇନାହିଁ । ଦୁବାଇରେ ଅନୁଷ୍ଠିତ  ଜାତିସଂଘର ଜଳବାୟୁ ସମ୍ମିଳନୀ ୨୦୨୩ (କୋପ୍‌ ୨୮) ରେ ସଦସ୍ୟ ରାଷ୍ଟ୍ରମାନଙ୍କର ଏଥିନିମନ୍ତେ ପ୍ରତିବଦ୍ଧତାର  ଅଭାବ ସ୍ପଷ୍ଟ ରୂପେ ପ୍ରତୀୟମାନ ହୋଇଥିଲା ।  ତାପମାତ୍ରାକୁ ସୀମିତ ରଖିବାର ଲକ୍ଷ୍ୟ ହାସଲ ନିମନ୍ତେ  ୨୦୧୯ରୁ ୨୦୩୦ ପର୍ଯ୍ୟନ୍ତ ବୈଶ୍ୱିକ ସବୁଜଗୃହ ବାଷ୍ପ  (ଅଙ୍ଗାରକାମ୍ଳ ପରି) ନିର୍ଗମନକୁ ୪୩ ପ୍ରତିଶତ ହ୍ରାସ  କରିବାର ଆବଶ୍ୟକତା ରହିଛି । ଏପରି ଦୃଶ୍ୟପଟ୍ଟରେ  ଜଳବାୟୁ ସଙ୍କଟର ପ୍ରଭାବକୁ ଦ୍ରୁତବେଗରେ ପ୍ରତିହତ  କରିବା ନିମନ୍ତେ ମାନବ ଜାତି ନିଜର ଦୈନନ୍ଦିନ  କାର୍ଯ୍ୟକ୍ରମରେ ଏବଂ ସରକାରଙ୍କର ସମସ୍ତ ଗୃହୀତ ନୀତି,  ନିଷ୍ପତ୍ତିରେ ଏହାକୁ ଏକ ସର୍ବୋଚ୍ଚ ପ୍ରାଥମିକତାର ପ୍ରସଙ୍ଗ  ରୂପେ ଗ୍ରହଣ କରିବାର ଆବଶ୍ୟକତା ରହିଛି । 

ଆଇପିସିସି  ଅଧ୍ୟକ୍ଷ ହୋସଙ୍ଗ ଲି କହିଛନ୍ତି ଯେ, ପ୍ରଭାବଶାଳୀ ତଥା  ନ୍ୟାୟସଙ୍ଗତ ଜଳବାୟୁ କାର୍ଯ୍ୟଧାରାକୁ ମୁଖ୍ୟସ୍ରୋତରେ  ସାମିଲ କରିବା ଦ୍ୱାରା ମାନବ ସମାଜ ଏବଂ ପ୍ରକୃତି  ଉଭୟଙ୍କର କ୍ଷୟକ୍ଷତି ହ୍ରାସ ହେବା ସହ ଏହି ପଦକ୍ଷେପ  ବ୍ୟାପକ ଲାଭ ପ୍ରଦାନକାରୀ ପାଲଟିବ । କାନାଡ଼ା ଏହାର  ପ୍ରଥମ ଜାତୀୟ ଉପଯୋଗୀକରଣ (ଆଡାପ୍‌ଟେସନ୍‌)  ଯୋଜନାରେ ଦେଶର ଅଧିବାସୀମାନଙ୍କୁ ସେମାନଙ୍କ  ଦୈନନ୍ଦିନ ନିଷ୍ପତ୍ତିରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ  ବିଚାର କରିବାକୁ ଅନୁରୋଧ ଜଣାଇଛି । ଏଥିରେ ଦର୍ଶାଯାଇଛି ଯେ, ଯଦି ଜଳବାୟୁ ସଙ୍କଟ ଅଧିକ ଗମ୍ଭୀର  ରୂପ ଧାରଣ କରେ ଏବଂ ବାରମ୍ବାର ସଂଘଟିତ ହୁଏ  ତଥା ଏଥିନିମନ୍ତେ ବ୍ୟୟ ବୃଦ୍ଧିପାଏ, ତେବେ ସ୍ୱାସ୍ଥ୍ୟରକ୍ଷା,  ସାମାଜିକ, ପରିବେଶ, ଭିତ୍ତିଭୂମି ଏବଂ ଅର୍ଥନୈତିକ  କ୍ଷେତ୍ରରେ ଖାପ ଖୁଆଇବାକୁ ଅନ୍ତର୍ଭୁକ୍ତ କରି ନିଷ୍ପତ୍ତି  ଗ୍ରହଣରେ ଆମର ସାମୂହିକ ପ୍ରୟାସ ଜାରି ରଖିବା ନିଶ୍ଚିତ  ରୂପେ କଷ୍ଟକର ହେବ । 

ଅତ୍ୟନ୍ତ ଉଦ୍‌ବେଗର ବିଷୟ ହେଉଛି ଯେ,  କ୍ରମାଗତ ଉତ୍ତାପ ବୃଦ୍ଧିର ପରିଣାମରେ ୨୦୨୪ ବର୍ଷ  ଚଳିତ ଶତାବ୍ଦୀର ସର୍ବାଧିକ ଉତ୍ତପ୍ତ ବର୍ଷ ଭାବରେ  ରେକର୍ଡ ସ୍ଥାପନ କରିବାକୁ ଯାଉଛି, ଯାହା ପ୍ୟାରିସ୍‌  ଚୁକ୍ତିନାମାର ୧.୫ ଡିଗ୍ରୀ ଲକ୍ଷ୍ୟକୁ ପ୍ରଥମ ଥର ପାଇଁ  ଅତିକ୍ରମ କରିଯିବ । ତଦନୁଯାୟୀ ବିବିଧ ଜଳବାୟୁ  ପ୍ରକ୍ରିୟା ପରିବର୍ତ୍ତିତ ହୋଇ ପ୍ରାକୃତିକ ବିପର୍ଯ୍ୟୟ ଘଟଣା  ଅଧିକ ବିନାଶକାରୀ ସାଧିତ ହେବା ସହ ଜୀବଜଗତକୁ  ଅଧିକ ଚାପଗ୍ରସ୍ତ କରିବ । ଏପରି ସ୍ଥିତିରେ ଜଳବାୟୁ  ଆହ୍ୱାନର ପ୍ରତିରୋଧ ବିଷୟକୁ ଏକ ପୃଥକ ପ୍ରସଙ୍ଗ  ଭାବରେ ବିବେଚନା କରାଯିବା ପରିବର୍ତ୍ତେ ଏହାକୁ ସମସ୍ତ  ନୀତି ଏବଂ କାର୍ଯ୍ୟଧାରାରେ ବ୍ୟବସ୍ଥିତ ଭାବରେ ଅନ୍ତର୍ଭୁକ୍ତ  କରାଯିବା ଆବଶ୍ୟକ । ଦୁଇଟି ପ୍ରମୁଖ ବିଷୟକୁ ଗୁରୁତ୍ୱ  ପ୍ରଦାନ କରି ଜଳବାୟୁ ସଙ୍କଟକୁ ପ୍ରତିହତ କରିବାର  ଯୋଜନା ପ୍ରସ୍ତୁତ ହେଉଛି, ଯାହା ହେଲା ପରିବର୍ତ୍ତିତ  ପରିସ୍ଥିତି ସହ ଉପଯୋଗୀକରଣ ବା ଖାପ ଖୁଆଇବା  ଏବଂ ଏହାର ଉପଶମ ବା ପ୍ରଶମନ ନିମନ୍ତେ କାର୍ଯ୍ୟକ୍ରମ  ଗ୍ରହଣ କରିବା । 

ପ୍ରଥମତଃ, ବିପର୍ଯ୍ୟୟରେ ପ୍ରଭାବିତ  ହେବାକୁ ଥିବା ବ୍ୟକ୍ତିମାନେ ସଶକ୍ତ ଏବଂ ତାଙ୍କର ଜ୍ଞାନ  ଓ ଅଭିଜ୍ଞତାର ପରିସୀମା ବୃଦ୍ଧିପ୍ରାପ୍ତ ହେଲେ ବିପର୍ଯ୍ୟୟ  ପରିସ୍ଥିତିକୁ ମୁକାବିଲା କରିବାରେ ସେମାନଙ୍କର ଦକ୍ଷତା  ବୃଦ୍ଧି ପାଇବ, ଯାହାର ପରିଣାମରେ କ୍ଷୟକ୍ଷତିରେ  ହ୍ରାସ ଘଟିବ । ଦ୍ୱିତୀୟଟି ହେଉଛି ଜଳବାୟୁ ସଙ୍କଟର  ମୂଳ କାରଣକୁ ମୁକାବିଲା କରିବା ଏବଂ ପ୍ରାକୃତିକ  ବିପର୍ଯ୍ୟୟ ଦ୍ୱାରା ସୃଷ୍ଟି ହେଉଥିବା ବିପଦ କିମ୍ବା ଅବାଞ୍ଛିତ  ଘଟଣାର ପ୍ରଭାବକୁ ହ୍ରାସ ବା ଦୂର କରିବା ନିମନ୍ତେ ଏକ  ସୁଚିନ୍ତିତ ଯୋଜନା ବା ରଣନୀତିର ପ୍ରସ୍ତୁତି କରିବା । ଏ  ଦୁଇଟି ପ୍ରସଙ୍ଗକୁ ଯଦି ସାମଗ୍ରିକ ଦୃଷ୍ଟିରୁ ବିଚାର କରି  ସରକାରଙ୍କର ସମସ୍ତ ବିଭାଗର ମିଳିତ ସମନ୍ୱୟରେ  ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ, ତେବେ ଉଭୟ  କାରଣର ନିରାକରଣ ହେବା ସହ ଜଳବାୟୁ କ୍ଷୟକ୍ଷତିକୁ  ନିମ୍ନସ୍ତରକୁ ଆଣିବାରେ ଆମର ଉଦ୍ୟମ ସଫଳତା  ହାସଲ କରିବ । 

ପୁନଶ୍ଚ, ଏବେ ସମୟ ଉପନୀତ ହୋଇଛି  ଯେତେବେଳେ ପରିବେଶ ପ୍ରତି ଆମର ଉତ୍ତରଦାୟିତ୍ୱ  ଏକ ନୈତିକ କର୍ତ୍ତବ୍ୟ ରୂପେ ପରିଗଣିତ ହେବା  ବିଧେୟ । ନିକଟରେ କର୍ଣ୍ଣାଟକ ସରକାର ରାଜ୍ୟର  ମାଡିକେରୀ ଜଙ୍ଗଲରେ ୮୦୦ ଗଛ ବେଆଇନ ଭାବେ  କଟା ଯାଇଥିବା ଘଟଣାରେ ଅନୁମତି ପ୍ରଦାନକାରୀ  ଜଣେ ଅବସରପ୍ରାପ୍ତ ଉପ-ବନ ସଂରକ୍ଷକଙ୍କୁ ପାଞ୍ଚବର୍ଷ  ପରେ ମଧ୍ୟ ଦଣ୍ଡିତ କରିଛନ୍ତି । ଜଳବାୟୁ ସଙ୍କଟ ପରିପ୍ରେକ୍ଷୀରେ ଦାୟିତ୍ୱବୋଧ, ନିଷ୍ଠା ଏବଂ କର୍ତ୍ତବ୍ୟର  ଅବହେଳାକୁ ପ୍ରଶାସନିକ ବ୍ୟବସ୍ଥା ଗମ୍ଭୀରତାର ସହ  ବିଚାର କରି ଏପରି ଦୃଷ୍ଟାନ୍ତ ସୃଷ୍ଟି କଲେ, ତା'ର  ସକାରାତ୍ମକ ପ୍ରଭାବ ସମଗ୍ର ସମାଜରେ ପ୍ରତିଫଳିତ  ହେବ ଏବଂ ଲୋକମାନେ ମଧ୍ୟ ପରିବେଶ ପ୍ରତି ଅଧିକ  ଯତ୍ନଶୀଳ ହେବେ । 

ଏହି କ୍ରମରେ ଜଳବାୟୁ ସଙ୍କଟକୁ  ପ୍ରତିହତ କରିବା ନିମନ୍ତେ ସରକାର ଗ୍ରହଣ କରୁଥିବା  ପଦକ୍ଷେପ ପ୍ରତିବଦ୍ଧତା ଓ ସଚ୍ଚୋଟତାର ସହ କାର୍ଯ୍ୟକାରୀ  ହେଲେ ସଫଳତା ଅର୍ଜନ ସମ୍ଭବପର ହେବ । ଏଥିରେ  ଜଙ୍ଗଲ ସୁରକ୍ଷା, ବୃକ୍ଷରୋପଣ, ଜଳ ଅମଳ ପ୍ରକଳ୍ପ,  ବିକଳ୍ପ କୃଷି ଯୋଜନା, ନବୀକରଣୀୟ ଶକ୍ତି ଉତ୍ସ,  ବିଦ୍ୟୁତଚାଳିତ ଯାନ, ବର୍ଜ୍ୟବସ୍ତୁ ନିଷ୍କାସନ, ପ୍ରଦୂଷଣ  ନିୟନ୍ତ୍ରଣ, ବିଭିନ୍ନ ପ୍ରଯୁକ୍ତିର ପ୍ରୟୋଗ ଇତ୍ୟାଦି କାର୍ଯ୍ୟକ୍ରମ  ଅନ୍ତର୍ଭୁକ୍ତ ଅଟେ । ଏସବୁଥିର ସଫଳତା ଜଳବାୟୁ  ପରିବର୍ତ୍ତନର ପାରିବେଶିକ, ସାମାଜିକ, ଅର୍ଥନୈତିକ  ତଥା ରାଜନୈତିକ ଦିଗକୁ ଏକତ୍ର ସମ୍ବୋଧିତ କରିବାରେ  ସମର୍ଥ ହେବ । ସୌଭାଗ୍ୟବଶତଃ, ସମଗ୍ର ବିଶ୍ୱରେ  ସୃଜନଶୀଳ ଏବଂ ପ୍ରତିବଦ୍ଧ ବୈଜ୍ଞାନିକ, ଯୋଜନାକାରୀ  ଏବଂ ପରିବେଶ ବିଶାରଦମାନେ ଜଳବାୟୁ ସଙ୍କଟ  ସମାଧାନର ଏକ ବ୍ୟାପକ ଧାରା ଚିହ୍ନଟ କରିଆସୁଛନ୍ତି,  ଯାହା ଆମ ଗ୍ରହର ପ୍ରକୃତିକୁ ସୁସ୍ଥତା ପ୍ରଦାନରେ ସକ୍ଷମ  ହେବ ଏବଂ ସମାଜର ଦୁଃସ୍ଥ, ବଞ୍ଚିତ ସମ୍ପ୍ରଦାୟ ସମ୍ମୁଖୀନ  ହେଉଥିବା ବିପଜ୍ଜନକ ପରିସ୍ଥିତିରୁ ସେମାନଙ୍କୁ ମୁକ୍ତି  ପ୍ରଦାନ କରିବ । ଏହି ସମାଧାନଗୁଡିକ ମଧ୍ୟରୁ କେତେକ  ବୈଷୟିକ ଅଗ୍ରଗତିକୁ ଉପଯୋଗ କରନ୍ତି ଏବଂ ଜଳବାୟୁ  ପରିବର୍ତ୍ତନ ସହ ଜଡ଼ିତ ପରିବେଶ ସମ୍ବନ୍ଧୀୟ ବିଷୟ  ଉପରେ ବିଶେଷ ଧ୍ୟାନ ଦିଅନ୍ତି । 

ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଜଳସଙ୍କଟ  କ୍ରମେ ଗମ୍ଭୀର ରୂପ ଧାରଣ କରୁଥିବାରୁ ଜଳ ଅମଳକୁ  ଏକ ଉପଯୁକ୍ତ ପ୍ରସଙ୍ଗ ରୂପେ ବିଚାର କରାଯାଇପାରେ ।  ବର୍ଷାଜଳ ଅମଳ ପ୍ରକଳ୍ପର ସଫଳ ରୂପାୟନ ଏବଂ  ସଦୁପଯୋଗ ନିମନ୍ତେ ସରକାରଙ୍କର ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ସହରାଞ୍ଚଳ ବିକାଶ, ପଞ୍ଚାୟତିରାଜ, କୃଷି ଓ  ଉଦ୍ୟାନ, ଜଙ୍ଗଲ ଓ ପରିବେଶ ଇତ୍ୟାଦି ବିବିଧ ବିଭାଗ  ମଧ୍ୟରେ ସମନ୍ୱୟର ଆବଶ୍ୟକତା ରହିଛି । ଚିରାଚରିତ  ଭାବରେ ଯଦି ପ୍ରଶାସନିକ ସ୍ଥାଣୁତା ବଜାୟ ରହିବ ଏବଂ ଆବଶ୍ୟକ ସମନ୍ୱୟରେ ଅଭାବ ପରିଲକ୍ଷିତ ହେବ, ତେବେ ସଫଳତା ମଧ୍ୟ ଦୂର ଦିଗ୍‌ବଳୟରେ  ରହିବ ଏବଂ ପ୍ରପୀଡ଼ିତ ଲୋକଙ୍କର ଦୁର୍ଦ୍ଦଶା ଦୂରୀଭୂତ  ହେବନାହିଁ । ତେଣୁ ଗୁରୁତ୍ୱପୂର୍ଣ୍ଣ ପଦବିରେ ଅଧିଷ୍ଠିତ  ବ୍ୟକ୍ତିବିଶେଷଙ୍କର ମାନସିକତା ଓ ବିଚାରଧାରାରେ  ବୈପ୍ଳବିକ ପରିବର୍ତ୍ତନର ଆବଶ୍ୟକତା ରହିଛି ।

ଏଇଠି ଉତ୍ତରଦାୟିତ୍ୱ ପ୍ରସଙ୍ଗକୁ କଡ଼ାକଡ଼ି ଭାବରେ ଲାଗୁ  କରିବା ସରକାରଙ୍କର ଦୃଢ଼ ରାଜନୈତିକ ପ୍ରତିବଦ୍ଧତାର  ପରିଚାୟକ ହେବ । ଜଳବାୟୁ ସଙ୍କଟ ସହିତ ଜଡ଼ିତ  ସମସ୍ତ ପ୍ରସଙ୍ଗକୁ ଏପରି ଦୃଷ୍ଟିକୋଣରୁ ବିଚାର କରି  ଗୃହୀତ କାର୍ଯ୍ୟକ୍ରମକୁ ମୁଖ୍ୟସ୍ରୋତରେ ସ୍ଥାନିତ କରିବା  ଏବଂ ସଂସ୍ଥାଗତ ପ୍ରତିବନ୍ଧକକୁ ଦୂର କରିବା ଆମର  ଇପ୍ସିତ ଲକ୍ଷ୍ୟ ହେଉ । ଏହାକୁ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରର  ଦାୟିତ୍ୱ ଭାବରେ ବିବେଚନା ନକରି ଏକ ସାମୂହିକ  ଦାୟିତ୍ୱ ରୂପେ କାର୍ଯ୍ୟକାରୀ କରିବା ଏକାନ୍ତ ବାଞ୍ଛନୀୟ । 

୨୦୨୪ର ଏକ ଅଧ୍ୟୟନ ପ୍ରକାଶ କରେ ଯେ,  ରଣନୀତିକ ଯୋଜନା, ନେତୃତ୍ୱ ବହନ, ସାଂଗଠନିକ  ସଂସ୍କୃତି ଏବଂ ଉତ୍ତରଦାୟିତ୍ୱର ଅଭାବ ଜଳବାୟୁ ସଂକଟ  ପ୍ରସଙ୍ଗକୁ ମୁଖ୍ୟସ୍ରୋତକୁ ଆଣିବାରେ ପ୍ରତିବନ୍ଧକ  ସାଜୁଛି । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସରକାର,  ବିକାଶ କାର୍ଯ୍ୟକ୍ରମର ସହଭାଗୀ ଏବଂ ଶିଳ୍ପସଂସ୍ଥାମାନେ  ତିନିଟି କାର୍ଯ୍ୟଧାରାକୁ ଗୁରୁତ୍ୱ ପ୍ରଦାନ କରିବା ଅତ୍ୟନ୍ତ  ପ୍ରୟୋଜନୀୟ ଅଟେ । କେତେକ ଉତ୍ତମ ଅଭ୍ୟାସ,  ଯେପରିକି ବ୍ୟାପକ ଜଳବାୟୁ ପଦକ୍ଷେପ ଏବଂ ନିର୍ଦ୍ଦିଷ୍ଟ  କ୍ଷେତ୍ରରେ ହସ୍ତକ୍ଷେପ ନିମନ୍ତେ ଏକାଧିକ ରଣନୀତିର  ପ୍ରସ୍ତୁତି ଓ କାର୍ଯ୍ୟକାରୀ କରାଯିବା ଆବଶ୍ୟକ । 

ଏ  କ୍ଷେତ୍ରରେ ସଂଘଟିତ ଅଗ୍ରଗତି ଉପରେ ନିୟମିତ  ପର୍ଯ୍ୟବେକ୍ଷଣ ନିମନ୍ତେ ବଳିଷ୍ଠ ପଦ୍ଧତି ପ୍ରତିଷ୍ଠା ହେବା  ଜରୁରି, ଯେଉଁଥିରେ ଆନୁଷ୍ଠାନିକ ଉତ୍ତରଦାୟିତ୍ୱ  ଅନ୍ତର୍ଭୁକ୍ତ । ଏହା ସ୍ୱଚ୍ଛତା, ନିୟନ୍ତ୍ରଣ ଏବଂ ଜଳବାୟୁ  କାର୍ଯ୍ୟ ପାଇଁ ଏକ ଦୃଢ଼ ପ୍ରତିବଦ୍ଧତା ନିଶ୍ଚିତ କରିବ । ପରିଶେଷରେ, ଜଳବାୟୁ ପରିବର୍ତ୍ତନରେ ଅସୁରକ୍ଷିତ  ଜନତାଙ୍କର ଆବଶ୍ୟକତାକୁ ଅଗ୍ରାଧିକାର ଏବଂ  ଅର୍ଥନୈତିକ ଅଭିବୃଦ୍ଧିରେ ସାମୂହିକ ମାନବୀୟ ଏବଂ  ପରିବେଶୀୟ ଅଧିକାରକୁ ପ୍ରାଥମିକତା ପ୍ରଦାନ ଏକାନ୍ତ  ଅପରିହାର୍ଯ୍ୟ । ଏ ସମସ୍ତ କାର୍ଯ୍ୟର ସଫଳ ରୂପାୟନ  ନିମନ୍ତେ ଧନୀକ ରାଷ୍ଟ୍ରମାନେ ବିକାଶଶୀଳ ଦେଶମାନଙ୍କୁ  ଆର୍ଥିକ ତଥା ବୈଷୟିକ ସହାୟତାର ହସ୍ତ ପ୍ରସାରିତ  କରିବା ଶ୍ରେଷ୍ଠ ସମୟୋପଯାଗୀ ପଦକ୍ଷେପ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.