ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ବାବୁ ଅମଙ୍ଗ...

ଇଚ୍ଛା ନାହିଁ କି ଆଗ୍ରହ । ଗାଁ ମାଟି ମାଡ଼ିବାକୁ କୁନ୍ଥକୁନ୍ଥ ।  ଶୀତତାପ ନିୟନ୍ତ୍ରିତ ଅଫିସ୍‌ ଛାଡ଼ି କିଏ ଧୂଳି ଧୂସରିଆ  ଲୋକଙ୍କ ପାଖକୁ ଯାଉଛି । ନିର୍ଦ୍ଦେଶ ଅଛି, ହେଲେ ପାଣିର  ଗାର । ସରକାରୀ ଚାକିରିରେ ଥାଇ ମଧ୍ୟ ଖାମଖିଆଲି, ଢିଲା ଓ  ଉଦାସୀନ । ମା’, ମାଟି, ମଣିଷର ସ୍ୱରକୁ ସରକାର ଅଗ୍ରାଧିକାର  ତାଲିକାର ସବା ଆଗରେ ରଖୁଛନ୍ତି । ଆମ ଆଇଏଏସ୍‌ ବାବୁଙ୍କ  ଇଚ୍ଛାର ତାଲିକାରେ ଏହା କିନ୍ତୁ ସବୁଠୁ ତଳେ । ଗାଁ ଗଣ୍ଡାକୁ  ଯାଇ ଲୋକଙ୍କ ଭଳମନ୍ଦ ବୁଝିବା ସରକାରୀ ଯୋଜନାର ଫଳ  ସାଧାରଣ ଲୋକଟିଏ ପାଉଛି ନା ନାହିଁ ତା’କୁ ନିଜେ ପରଖିବାର ମାନସିକତା ନାହିଁ । ମାରଫତଦାର ମାଟିକୁ ଓହ୍ଲାଇବାକୁ ଆଗପଛ ।  ସରକାରଙ୍କ ଫତ୍‌ୱା କାଟୁ କରୁନି । ବାବୁମାନଙ୍କ ଏ ଉଦାସପଣ ବିକାଶକୁ ବାଟବଣା କରୁନି କି? ବାବୁ କିନ୍ତୁ ନିଜ ମନୋଭାବକୁ  ଛାଡ଼ି ପାରୁନାହାନ୍ତି । ରାଜ୍ୟ ଭାସିଗଲେ, ସାଧାରଣ ମଣିଷ ଅଭାବ  ଅସୁବିଧାରେ ଛଟପଟ ହେଲେ ତାଙ୍କର କି ଯାଏ ଆସେ? ତାଙ୍କ  ସ୍ୱାଚ୍ଛନ୍ଦ୍ୟ ପାଇଁ ତ ରାଜକୋଷ ସବୁ ଖଞ୍ଜି ଦେଇଛି । 

ସାଧନ ଅଛି, ଇଚ୍ଛା ନାହିଁ 

ସଚିବସ୍ତରୀୟ ଅଧିକାରୀ ପ୍ରତି ମାସରେ ଜିଲ୍ଲା ଗସ୍ତରେ ଯିବେ ।  ଜିଲ୍ଲାପାଳ ନିୟମିତ ବ୍ଲକ ଓ ପଞ୍ଚାୟତ ବୁଲିବେ । ବ୍ଲକ୍‌ ସ୍ତରୀୟ  ଅଧିକାରୀ ଗାଁ ଗଣ୍ଡା ଯାଇ ଲୋକଙ୍କ ଭଲମନ୍ଦ ବୁଝିବେ ।  ସରକାରୀ ଯୋଜନାର ତଦାରଖ କରିବେ । ସରକାରୀ ଚାକିରିରେ  ଥିବା ବାବୁମାନଙ୍କର ଏହା ହେଉଛି ଦୈନନ୍ଦିନ ରୁଟିନ୍‌ କାମର  ପରିସରଭୁକ୍ତ । ମାତ୍ର ବାବୁ ଅମଙ୍ଗ । ଲୋକସେବା ଭବନ ଓ  ଜିଲ୍ଲାପାଳ ଅଫିସର ଶୀତତାପ ନିୟନ୍ତ୍ରିତ କକ୍ଷ ଛାଡ଼ି କ୍ଷେତ୍ର ପରିଦର୍ଶନ କରିବାକୁ  ବାବୁମାନେ ଆଗ୍ରହ ଦେଖାଉ ନାହାନ୍ତି । ଯଦି ତୃତୀୟ ମହଲାରୁ ଚାପ ପଡ଼ିଲା  କାଁ ଭାଁ କେଉଁ ଅଧିକାରୀ ଗାଁ ଗଣ୍ଡାକୁ  ଯାଆନ୍ତି । ଦୋଷ ଛଡ଼େଇବାକୁ ଘେରାଏ  ବୁଲି ଦେଇ ଆସନ୍ତି । ଏହା ପଛରେ  ସେମାନଙ୍କର ଆନ୍ତରିକତା ନଥାଏ । ଗାଁ ହେଉଛି ରାଜ୍ୟର ଆତ୍ମା । ବିକଶିତ ଓଡ଼ିଶା ଗଠନ ପାଇଁ ଗାଁ  ବିକାଶ ନିଶ୍ଚୟ ଜରୁରି । ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ସାଧାରଣ ଲୋକଙ୍କ ସହ ଶାସନକୁ ଯୋଡ଼ିବାକୁ ଅମଲାମାନେ  ଲୋକଙ୍କ ପାଖକୁ ଯିବା ଜରୁରି । ମାତ୍ର ଗାଁ ମାଟି ମାଡ଼ିବାକୁ ବାବୁଙ୍କ ଅନାଗ୍ରହ ଲାଗି ରହିଛି । ଦୁଇବର୍ଷ ହେବ ରାଜ୍ୟରେ ସଚିବମାନେ ଜିଲ୍ଲା ଗସ୍ତରେ ଯାଇନାହାନ୍ତି । ନା ଜିଲ୍ଲାର ସମସ୍ୟା ଓ ସରକାରୀ  ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଅବଗତ ହେଉଛନ୍ତି । ନା  ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦେଉଛନ୍ତି । ତୃଣମୂଳସ୍ତରରେ  ଶାସନ କେମିତି ଚାଲିଛି ତାହା ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟ ସଚିବ  ଜାଣିପାରୁ ନାହାନ୍ତି । ବିକାଶରେ ଏହା ହେଉଛି ବଡ଼ ବାଧକ ।  

ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ରାଜ୍ୟରେ ଜିଲ୍ଲା ସଂଖ୍ୟା  ୧୭ରୁ ୩୦ ଛୁଇଁଲା । ତହସିଲ ସଂଖ୍ୟା ମଧ୍ୟ ବଢ଼ିଲା । ରାଜ୍ୟରେ  ବଜେଟ୍‌ ପରିମାଣ ବଢ଼ି ୨ ଲକ୍ଷ ୬୫ ହଜାର କୋଟି ଛୁଇଁଲାଣି ।  କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ସହ ରାଜ୍ୟ ସରକାର ନିଜସ୍ୱ ବହୁ  ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମାତ୍ର ଏହି ଯୋଜନା ତଳସ୍ତରରେ  କେତେ ପହଞ୍ଚୁଛି? ଯୋଗ୍ୟ ହିତାଧିକାରୀ ଯୋଜନାର ସୁଫଳ  ପାଉଛନ୍ତି ନା ନାହିଁ? ଏହାର ଅନୁଧ୍ୟାନ କରିବାକୁ ବ୍ୟାପକ କ୍ଷେତ୍ର  ପରିଦର୍ଶନର ଆବଶ୍ୟକତା ଅଛି । ଅମଲାଙ୍କ ମାନସିକତା ଏଥିରେ  ବଡ଼ ପ୍ରତିବନ୍ଧକ । ସଚିବମାନଙ୍କ ଅନାଗ୍ରହକୁ ଦେଖି ଜିଲ୍ଲାପାଳମାନେ  ମଧ୍ୟ ଢିଲା ମାରୁଛନ୍ତି । ସରକାରଙ୍କ ମୂଳ ଲକ୍ଷ୍ୟ ଫେଲ୍‌ ମାରୁଛି । କ୍ଷେତ୍ର ପରିଦର୍ଶନ ପାଇଁ ବାବୁଙ୍କ ପାଖରେ ଗାଡ଼ିଘୋଡ଼ାର ଅଭାବ  ନାହିଁ । ମାତ୍ର ପୂର୍ବରୁ ସଚିବ ଓ ଜିଲ୍ଲାପାଳମାନେ ସାଧନର  ଅଭାବ ଥାଇ ଜିଲ୍ଲା ଓ ବ୍ଲକ ଗସ୍ତ କରିବାକୁ ଯେତିକି ତତ୍ପରତା  ଦେଖାଉଥିଲେ ଏବେ ତାହା ଦେଖାଯାଉନି । ଏହାକୁ ଅନୁଭବ  କରି ପୂର୍ବ ସରକାର ସଚିବମାନଙ୍କୁ ଜିଲ୍ଲା ବଣ୍ଟନ କରିବା ସହ  ଯୋଜନା ତଦାରଖ କରିବାକୁ ମଧ୍ୟ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦେଇଥିଲେ ।  

ମାତ୍ର ତାହା ଆଖିଦୃଶିଆ ହେଲାନାହିଁ । କେଉଁ ସଚିବ ଗଲେ, ଆଉ  କିଏ ଗଲେ ନାହିଁ। ଯୋଜନାର ବାସ୍ତବତାକୁ ଅନୁଧ୍ୟାନ କି ସମୀକ୍ଷା  କରାଗଲାନି । ତୃଣମୂଳସ୍ତରରେ ବହୁ ଯୋଜନାର ଲାଭ ଅଯୋଗ୍ୟ  ହିତାଧିକାରୀ ଉଠାଉଛନ୍ତି । ଯୋଗ୍ୟ ହିତାଧିକାରୀ ରାସନ କାର୍ଡ  ପାଉନାହାନ୍ତି । ୧୫ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଖାଦ୍ୟ ସାମଗ୍ରୀ  ବୋହି ଚାଲିଛନ୍ତି । ରାଜ୍ୟରେ ଆବାସ  ଯୋଜନା ଦୁର୍ନୀତିକୁ ଉତ୍ସାହିତ କଲା  ବାବୁଙ୍କ ଉଦାସୀନତା । କେନ୍ଦ୍ର-ରାଜ୍ୟ  ଟଣା ଓଟରା ଲାଗିଲା । ବର୍ଷ ବର୍ଷ  ଧରି ଆବାସରେ ଘର ମିଳିଲାନି ।  ସଚିବଙ୍କ ଅନାଗ୍ରହ, ଜିଲ୍ଲାପାଳଙ୍କ  ଢିଲା ମାନସିକତାର ଫାଇଦା  ଉଠାଇଲେ ଅଯୋଗ୍ୟ ହିତାଧିକାରୀ । ବହୁ ଯୋଜନାକୁ ହଡ଼ପ  କରି ଚାଲିଲେ । ସରକାର ବି ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛନ୍ତି । 

ଗାଁକୁ ଯିବେ ବାବୁ? 

କାଦୁଅ ପଚ ପଚ ରାସ୍ତା । ଅଭାବୀ ମଣିଷଙ୍କ ଭିଡ଼ । ଗାଁ ଦାଣ୍ଡରେ  ଲୋକଙ୍କ ସମସ୍ୟା ଶୁଣିବା ଆଉ ସମାଧାନ କରିବା ହେଉଛି  ବିଭାଗୀୟ ସଚିବ ଓ ଜିଲ୍ଲାପାଳଙ୍କ ଦାୟିତ୍ୱ । ଏହା ହିଁ ଶାସନକୁ  ସିଧାସଳଖ ଲୋକଙ୍କ ସହ ଯୋଡ଼ିବ । ତୃଣମୂଳସ୍ତରରେ କେଉଁଠି  ଦୋଷ ତ୍ରୁଟି ରହୁଛି ତାହା ପଦାକୁ ଆସିବ । ସଂଶୋଧନ ଓ  ସମାଧାନର ବାଟ ଫିଟିବ । ପୂର୍ବ ସରକାର ଏହାକୁ ଗମ୍ଭୀରତା  ସହ ନେଇ ବାରମ୍ବାର ଚିଠି କଲେ । ହେଲେ ବାବୁମାନେ ଆମର  ନିଦାବିଷ୍ଣୁ । କିଏ ଶୁଣିଲା, ଆଉ କିଏ ଗାଲୁ ମାରି ଗାଁ ଆଡ଼େ ଗୋଡ଼  ବଢ଼ାଇଲେନି । ରାଜ୍ୟରେ ନୂଆ ସରକାର ଆସିବା ପରେ ପୁଣି ଜାରି  କରିଛନ୍ତି ନିର୍ଦ୍ଦେଶନାମା । ଜିଲ୍ଲା ବୁଲିବେ ସଚିବ । ପ୍ରତି ମାସରେ  ଦୁଇରୁ ତିନି ଦିନ ନିଶ୍ଚିତ ଜିଲ୍ଲାକୁ ଯିବେ । ପଞ୍ଚାୟତକୁ ଯିବେ ।  

ଯୋଜନାର ତଦାରଖ କରିବେ । ଯେଉଁଠିକୁ ଚାହିଁବେ ଅଚାନକ  ପରିଦର୍ଶନ କରି ସତ ମିଛ ଜାଣିପାରିବେ । ଅପହଞ୍ଚ ଓ ଆଦିବାସୀ  ଅଞ୍ଚଳକୁ ଯାଇ ବିକାଶ କାମ କେଉଁଠି ପହଞ୍ଚିଛି, ତାକୁ ନିଜ ଆଖିରେ  ଦେଖିବେ । ସରକାରୀ ଯୋଜନାରେ ଲୋକେ ମୌଳିକ ସୁବିଧା  ପାଉଛନ୍ତି ନା’ ବଞ୍ଚିତ ଅଛନ୍ତି, ପଚାରି ବୁଝିବେ । ଅନାଥାଶ୍ରମ କିମ୍ବା  ଆହାର କେନ୍ଦ୍ରରେ ବାବୁ ମଧ୍ୟାହ୍ନ ଭୋଜନ ଖାଇବେ । ଯାଞ୍ଚ କରିବେ  ଖାଦ୍ୟର ଗୁଣବତ୍ତା । ପରିଷ୍କାର, ପରିଚ୍ଛନ୍ନତା ଓ ସୁରକ୍ଷା ଦିଗକୁ  ପରଖିବେ । କାର୍ଯ୍ୟକାରୀ ହେଉଥିବା ଯୋଜନାର ଟିକିନିଖି ସମୀକ୍ଷା  ହେବ । ଅଭିଯୋଗ ଶୁଣାଣିରେ କେତେ ସମାଧାନ ହୋଇଛି ତାହାକୁ  ମଧ୍ୟ ଯାଞ୍ଚ କରିବେ ସଚିବ । ଏ ନିର୍ଦ୍ଦେଶ ଦେଇଛନ୍ତି ସରକାର । 

କେବଳ ଏତିକି ନୁହେଁ, ୧୬ ଜିଲ୍ଲାରେ ଥିବା ୨୯ଟି ଆକାଂକ୍ଷୀ ବ୍ଲକ୍‌  ବୁଲିବାକୁ ଆଇଏଏସ୍‌ ଅଧିକାରୀଙ୍କୁ କୁହାଯାଇଛି । ୮ ଡିଏମ୍‌ଏଫ୍‌ ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି ଓ ଓମ୍ବାଡ୍‌ସି ପାଣ୍ଠିର କିଭଳି ବିନିଯୋଗ  ହୋଇଛି, ତା’ର ତଦାରଖ କରିବେ । ଜିଲ୍ଲାରେ ଥିବା ବନ୍ଦର, ବିମାନବନ୍ଦର, ଶିଳ୍ପପାର୍କ, ମେଡିକାଲ କଲେଜ ଓ ଜଳସେଚନ  ପ୍ରକଳ୍ପର ସମୀକ୍ଷା କରି ମୁଖ୍ୟ ସଚିବଙ୍କୁ ରିପୋର୍ଟ ଦେବେ ।  ବାବୁମାନେ ନୂଆ ସରକାରଙ୍କ ଏ ନିର୍ଦ୍ଦେଶକୁ ପାଳନ କରିବେ ନା  ଅଳିଆଗଦାକୁ ଫିଙ୍ଗିବେ ତା’ର ଉତ୍ତର ତ ସମୟ କହିବ । ମାତ୍ର  ବାବୁମାନେ ଆନ୍ତରିକତା ଓ ଆଗ୍ରହ ଦେଖାଇଲେ ରାଜ୍ୟ ପାଇଁ  ହେବ ଶୁଭଙ୍କର ।

‘ବିକଶିତ ଓଡ଼ିଶା’ ଗଠନ ଆଗକୁ ଯିବ

ଗଣତନ୍ତ୍ରରେ ଜନତା ହେଉଛନ୍ତି ଜନାର୍ଦ୍ଦନ । ଆମମାନଙ୍କୁ  ଲୋକମାନେ ଭଲପାଇଛନ୍ତି । ବିଜେପିକୁ ଆଶୀର୍ବାଦ ଦେଇଛନ୍ତି ।  ଲୋକଙ୍କ ସମସ୍ୟା ଶୁଣ । ସମାଧାନ କର । ନିଷ୍ଠାର ସହ ଏମିତି  ଲୋକ କଲ୍ୟାଣ କାମ କର, ଯେମିତି ଆମେ ଦୀର୍ଘବର୍ଷ ଯାଏ  କ୍ଷମତାରେ ରହିବା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ସାଂସଦମାନଙ୍କୁ  ଏମିତି ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶାସନକୁ  ଲୋକଙ୍କ ପାଖକୁ ନେବାକୁ ଅମଲାଙ୍କୁ ଲୋକଙ୍କ ସହ ଯୋଡ଼ିବା  ଉପରେ ପ୍ରଧାନମନ୍ତ୍ରୀ ଜୋର୍‌ ଦେଇଛନ୍ତି । 

ମୋଦି ଫର୍ମୁଲାକୁ ଆପଣାଇବାକୁ ଅଣ୍ଟା ଭିଡ଼ିଛି ରାଜ୍ୟର ନୂଆ ସରକାର ।  ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳିବ  ରାଜ୍ୟ । ୧୨ ବର୍ଷ ମଧ୍ୟରେ ‘ବିକଶିତ ଓଡ଼ିଶା’ ଗଠନ ପାଇଁ ମୋହନ  ସରକାର ପରିକଳ୍ପନା ରଖିଛନ୍ତି । ସଚିବ ଓ ଜିଲ୍ଲାପାଳମାନେ ଯେତେ  ଗାଁକୁ ଯାଇ ଲୋକଙ୍କ ସହ ଯୋଡ଼ିହେବେ ବିକାଶ ସେତିକି ଆଗକୁ ଯିବ ।  ବିକଶିତ ଓଡ଼ିଶା ଗଠନରେ ଏହା ବେଶ୍‌ ସହାୟକ ହେବ। ଏଥିପାଇଁ  ବାବୁମାନଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଲୋଡ଼ା । ବାବୁଗିରି ଛାଡ଼ି ଗାଁ  ମାଟିରେ ପାଦ ରଖିବାକୁ ହେବ । ମାଟି ମଣିଷଙ୍କ ମେଳରେ ବସି  ଭଲମନ୍ଦ ବୁଝିଲେ ହିଁ ଶାସନ ଅଧିକ ସମ୍ବେଦନଶୀଳ, ଲୋକାଭିମୁଖୀ,  ଉତ୍ତରଦାୟୀ ହେବ । ଅଧିକ ଦକ୍ଷ ହେବ ଶାସନ ବ୍ୟବସ୍ଥା । ମେଧାରେ  ପରିପୂର୍ଣ୍ଣ ବାବୁମାନଙ୍କୁ କ’ଣ ଏହା ବୁଝାଇବାକୁ ପଡ଼ିବ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.