ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଶସ୍ୟପୂଜାର ଐତିହ୍ୟ ଓ ନବାନ୍ନ

ଆଦିମ ସମାଜରେ ବିକଶିତ ଧର୍ମାଚାର ଓ  ପାର୍ବଣ ପରମ୍ପରା ଆଦି ସମ୍ଭବତଃ ଦ୍ରାବିଡ଼  ସଭ୍ୟତା କାଳରୁ ଆରମ୍ଭ କରି ଗୁପ୍ତଯୁଗ ମଧ୍ୟରେ ସଂସ୍କୃତିକରଣ ପ୍ରକ୍ରିୟାରେ ଭାରତୀୟ ମହାନ୍‌  ପରମ୍ପରାରେ ପରିଣତ ହୋଇଥିଲା । ଅପରପକ୍ଷରେ  ଭାରତରେ ପ୍ରତିଷ୍ଠିତ ବହୁ ମହାନ୍‌ ପରମ୍ପରା  ମଧ୍ୟ ଉତ୍ତର କାଳରେ ବିଭିନ୍ନ କାରଣବଶତଃ  ସଂସ୍କୃତି ସଂକୋଚନର ବଶବର୍ତ୍ତୀ ହୋଇ ଆଞ୍ଚଳିକ  ପରମ୍ପରାରେ ପରିଣତ ହୋଇଯାଇଥିଲା ।  ଏହି ପରିପ୍ରେକ୍ଷୀରେ "ଶସ୍ୟପୂଜା' ଓ ‘ନବାନ୍ନ  ଅନୁଷ୍ଠାନ' ଏକ ପ୍ରାସଙ୍ଗିକ ଦୃଷ୍ଟାନ୍ତ । ବିଶ୍ୱସ୍ତରରେ  ଆରମ୍ଭ ହୋଇଥିବା ଆଦିମ କୃଷିଜୀବୀ ସମାଜରୁ  ଦିନେ ସାର୍ବଜନୀନ ଭାବେ "ନବାନ୍ନ ତତ୍ତ୍ୱ' ଓ  "ଶସ୍ୟପୂଜା'ର ପରମ୍ପରା ବିବର୍ତ୍ତିତ ଓ ବିକଶିତ  ହୋଇଥିବାର ନିଦର୍ଶନ ପ୍ରାଗୈତିହାସିକ ସ୍ମାରକୀ  ଗୁଡ଼ିକରୁ ମିଳିଥାଏ । ଫ୍ରାନ୍‌ସର କ୍ରୋମାଗନନ୍‌  ଗିରିଗହ୍ୱର ସମେତ ଇଟାଲୀ, ଲାଟିନ୍‌ ଆମେରିକା, ଇଂଲଣ୍ଡ, କାମ୍ବୋଡିଆ, ଇଣ୍ଡୋନେସିଆ, ବାଲିଦ୍ୱୀପ  ଓ ଭାରତ ଆଦି ବହୁ ଦେଶର ପ୍ରାଗୈତିହାସିକ  ଗୁହାଚିତ୍ର ଗୁଡ଼ିକରେ ଆଦିମ ସମାଜରେ ପ୍ରଚଳିତ ଶସ୍ୟପୂଜାର ପ୍ରତ୍ନତାତ୍ତ୍ୱିକ ନିଦର୍ଶନମାନ  ଦେଖିବାକୁ ମିଳେ । ଶସ୍ୟ ପୂଜାର ପ୍ରତ୍ନତାତ୍ତ୍ୱିକ  ଦୃଷ୍ଟାନ୍ତ ମହଞ୍ଜୋଦାରୋ ଓ ହରପ୍‌ପାର ମୃଣ୍ମୟ  ମୋହରରେ ଆହୁରି ସ୍ପଷ୍ଟ ହୋଇପାରିଛି । 

ଝାରସୁଗୁଡ଼ା ନିକଟସ୍ଥ  ବିକ୍ରମଖୋଲ ଗୁହାଚିତ୍ରରେ  ପୂଜା ଉପକରଣ ରୂପେ  ଏକ ଶସ୍ୟପାତ୍ରର ସଙ୍କେତ  ରହିଥିବାର ଦେଖିବାକୁ  ମିଳେ । କଳାହାଣ୍ଡିର  ଗୁହାଚିତ୍ର ମାନଙ୍କରେ ମଧ୍ୟ  ଏହାର ସଙ୍କେତ ଠାବ  କରାଯାଇପାରିଛି । ପ୍ରାଚୀନ ଯୁଗରୁ ଦକ୍ଷିଣକୋଶଳର ଅବିଚ୍ଛିନ୍ନ ଅଂଶ ଭାବରେ ବିଦିତ ହୋଇ  ଆସିଥିବା ପଶ୍ଚିମ ଓଡ଼ିଶାରେ ଶସ୍ୟପୂଜାର ଏକ  ଐତିହ୍ୟବାହୀ ପରମ୍ପରା ରହିଆସିଛି । ଏହି ଅଞ୍ଚଳର  ମହାନଦୀର ଉପର ଅବବାହିକା ଓ ତେଲନଦୀ  ଅବବାହିକା ଅଞ୍ଚଳରେ ପ୍ରାଗୈତିହାସିକ ଯୁଗରୁ  ସ୍ଥାନୀୟ ଅଧିବାସୀମାନେ ଶସ୍ୟକୁ ଦେବୀ ରୂପରେ  ପୂଜା କରିଆସୁଛନ୍ତି ଓ ଏଥିପାଇଁ ଏକ ପାର୍ବଣ  ପରମ୍ପରା ମଧ୍ୟ ସୃଷ୍ଟି କରିଛନ୍ତି । ଅନ୍ତତଃ ଦକ୍ଷିଣ  କୋଶଳରେ ସୋମବଂଶୀ ଶାସନ ବେଳକୁ ଏହି  ପରମ୍ପରା ଏକ ବ୍ୟାପକ ଗଣପାର୍ବଣର ରୂପ ଗ୍ରହଣ  କରିସାରିଥିଲା, ଯାହାର ପ୍ରମାଣ ତତ୍କାଳୀନ ବିଦ୍ୱାନ  ପଣ୍ଡିତ ଦାମୋଦର ଶାସ୍ତ୍ରୀଙ୍କ "କୋଶଳ ଗୁଣାଦର୍ଶ'  ଗ୍ରନ୍ଥରୁ ସ୍ପଷ୍ଟ ହୋଇଥାଏ । ପଣ୍ଡିତ ଦାମୋଦର ଶାସ୍ତ୍ରୀ  ସୋମବଂଶୀ ରାଜା ମହାଭବଗୁପ୍ତ ଜନ୍ମେଜୟଙ୍କ  ଦରବାରରେ ନିଯୁକ୍ତ ଥିବା ମନ୍ତ୍ରୀ ସାଧାରଣଙ୍କର  ପିତା ଥିଲେ । ମହାଭବଗୁପ୍ତ  ଜନ୍ମେଜୟଙ୍କ ଶାସନ କାଳ ହେଉଛି  ୮୫୦-୯୨୫ ଖ୍ରୀଷ୍ଟାବ୍ଦ । ଆଦିମ  ସମାଜରେ ବିବର୍ତ୍ତିତ ଓ ବିକଶିତ  ନବାନ୍ନ ତତ୍ତ୍ୱ ସଂସ୍କୃତିକରଣ ପ୍ରକ୍ରିୟା  ମାଧ୍ୟମରେ ଦିନେ ଭାରତୀୟ  ସମାଜର ଏକ ମହାନ୍‌ ପରମ୍ପରାରେ  ପରିଣତ ହୋଇଥିବାରୁ ଏବେ  ମଧ୍ୟ ଭାରତର ବିଭିନ୍ନ ପ୍ରଦେଶର  ସମସ୍ତ ଜନଜାତୀୟ ସମାଜରେ  "ଶସ୍ୟପୂଜା' ବା "ନବାନ୍ନ ଭକ୍ଷଣ'ର ପାରମ୍ପରିକ  ବିଧିବିଧାନ ପାରିବାରିକ ବା ସାମୂହିକ ଭାବେ  ରହିଛି । କିନ୍ତୁ କୋଶଳ କ୍ଷେତ୍ରୀୟ ପଶ୍ଚିମ ଓଡ଼ିଶା  ଓ ଛତିଶଗଡ଼ ଅଞ୍ଚଳରେ ଏହା ଏକ ମହାନ୍‌  ଗଣପାର୍ବଣର ଆଞ୍ଚଳିକ ରୂପ ନେଇ ସାମାଜିକ  ସଂହତିର ଶ୍ରେଷ୍ଠ ଲୋକଅନୁଷ୍ଠାନ ଭାବରେ ପାଳିତ  ହୋଇଆସୁଛି । 

ଦକ୍ଷିଣ ଭାରତର ତାମିଲନାଡ଼ୁ ଓ ଆନ୍ଧ୍ରରେ  "ପୋଙ୍ଗଲ', କେରଳରେ "ଓଣମ୍‌', ପୂର୍ବ  ଭାରତର ଆସାମରେ ବିହୁ, ପଶ୍ଚିମବଙ୍ଗରେ  ନବାନ୍ନ, ପୂର୍ବ ଓଡ଼ିଶାରେ ସୁନିଆଁ, ତ୍ରିପୁରାରେ  ମିକାତଲ, ଗୁଜରାଟରେ ଗୁରୁପୂର୍ଣ୍ଣିମା,  ମହାରାଷ୍ଟ୍ରରେ ଋଷିପଞ୍ଚମୀ ଓ ଅନ୍ୟାନ୍ୟ  କେତେକ ଅଞ୍ଚଳରେ ଦଶହରା ଅବସରରେ  ନବାନ୍ନ ଭକ୍ଷଣ ପରମ୍ପରା ପାଳିତ ହୋଇଥାଏ ।  ସର୍ବଭାରତୀୟ ଆଦିବାସୀ ସମାଜରେ ଏହା ଏକ  ଅପରିହାର୍ଯ୍ୟ ପାର୍ବଣ ପରମ୍ପରା । 

ଆଦିମ ସମାଜ  ଅନ୍ତର୍ଗତ "କୋର୍‌ୱା'ମାନେ "ଧାନ୍‌ ନୱାଖାନି',  କୋରା, କିଶାନ୍‌, ଖଡ଼ିଆ ଓ ଖରୱାରମାନେ  "ନୱାଖାନି', ଓରାମମାନେ "ଗୋଣ୍ଡଳି/ନୱାଖାନି',  କୁର୍‌ମାଳିମାନେ "ଗୋରାନୱାଖାନି',  ବିରଜିଆମାନେ "ନଆଖାନି', ପାହାଡ଼ି ଖଡ଼ିଆ  ଓ ଦୁଧ୍‌ଖଡ଼ିଆମାନେ "ଜେଠ୍‌ ନୱାଖାନି',  ବିର୍‌ଝିଆମାନେ "ନଓଆ/ନୱା', ବିରହୋରମାନେ  "ନୱାଜମ୍‌', ମୁଣ୍ଡାମାନେ "ଜମ୍‌ନୱା', ହୋ'ମାନେ  "ଜନନାମେ', ସାନ୍ତାଳମାନେ "ଜାନ୍ତାଳ/ନାୱାଜମ',  ବୀରଭୂମ ସାନ୍ତାଳମାନେ ଇଲିଗୁନ୍ଦ୍‌ଲି "ନଉୱାଇ' ଓ  ଅଯୋଧ୍ୟା ସାନ୍ତାମାନେ "ନୱାଅବଡ଼' ନାମରେ ବର୍ଷର  ପ୍ରଥମ ଅମଳଯୋଗ୍ୟ ଶସ୍ୟର ଆଧାରରେ ନବାନ୍ନ  ପାର୍ବଣ ପାଳନ କରିଥାନ୍ତି । ପଶ୍ଚିମ ଓଡ଼ିଶାରେ  ନବାନ୍ନ ପାର୍ବଣ ବିଧି "ନୂଆଁଖାଇ ତିହାର' ନାମରେ  ପାଳିତ ହୁଏ । ପାଣିନୀଙ୍କ ଅଷ୍ଟାଧ୍ୟାୟୀରେ ବର୍ଣ୍ଣିତ  ଷଷ୍ଠିକା (୬୦ଦିନରେ ଅମଳ ହେଉଥିବା ଯୋଗୁଁ)  ବା ଛେଟ୍‌କା ଧାନରେ ନବାନ୍ନ ଭକ୍ଷଣ ସମ୍ପନ୍ନ ହୁଏ ।  ପଶ୍ଚିମ ଓଡ଼ିଶାରେ ଏହା ଶାକ୍ତ-ତନ୍ତ୍ର ମତରେ  ପାଳିତ ହେଉଥିବାରୁ ଦେବୀମାନେ ନବଯୌବନା  ରୂପରେ ନବାନ୍ନ ଗ୍ରହଣ କରିଥାନ୍ତି । 

ଆଦିମ ସମାଜରେ "ଅନ୍ନ' ବା "ନବାନ୍ନ'କୁ  ଶସ୍ୟଦେବୀ ଭାବରେ ଗ୍ରହଣ କରାଯାଉଥିବା  ବେଳେ, ସଂସ୍କୃତିକରଣ ପ୍ରକ୍ରିୟାରେ ସାର୍ବଜନୀନ  ସମାଜରେ ଏବେ ମଧ୍ୟ ଏହାକୁ ଦେବୀ ଲକ୍ଷ୍ମୀଙ୍କର  ମାନ୍ୟତା ପ୍ରଦାନ କରାଯାଇଛି । ନୂତନ ପ୍ରସ୍ତର  ଯୁଗର କୃଷିଜୀବୀ ସମାଜରେ ଶସ୍ୟଦାୟିନୀ  ଭୂଦେବୀ କଳ୍ପିତା ହେଲେ । କୃଷିଜୀବୀ ସମାଜର  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା ଶସ୍ୟ ଭିତରେ  ଧାନର ଆବିଷ୍କାର । ସିନ୍ଧୁ ସଭ୍ୟତାରେ ଶସ୍ୟଦାୟିନୀ  ଭୂଦେବୀଙ୍କୁ ଶସ୍ୟ ଓ ଉଦ୍ଭିଦର ପ୍ରଜନନକାରିଣୀ  ମାତୃଦେବୀ ରୂପରେ ଗ୍ରହଣ କରାଯାଇଥିବାର  ଦୃଷ୍ଟାନ୍ତ ଏହି କାଳୀନ ପ୍ରତ୍ନତାତ୍ତ୍ୱିକ ମୂର୍ତ୍ତି କଳାରୁ ସ୍ପଷ୍ଟ  ହୋଇଥାଏ । ଶାକ୍ତ-ତନ୍ତ୍ର ପରମ୍ପରାରେ ବିକଶିତ  ହୋଇ ଆସିଥିବା "ନବାନ୍ନ'ର ସମସ୍ତ ମାତୃଦେବୀ  ମୂଳତଃ ପୂର୍ବୋକ୍ତ ଭୂଦେବୀ ବା ଶସ୍ୟଦାୟିନୀ  ଦେବୀଙ୍କ ଠାରୁ ହିଁ ବିବର୍ତ୍ତିତ ହୋଇଛନ୍ତି । 

ଆଦିମ କୃଷିଜୀବୀ ସମାଜରେ ଭୂଦେବୀଙ୍କୁ  ଶସ୍ୟଦାୟିନୀ ଶସ୍ୟଦେବୀ ରୂପରେ ଉପାସନା  ସହ "ନବାନ୍ନ' ପୂଜାର ଆନୁଷ୍ଠାନିକ ପରମ୍ପରା  ଗଢ଼ି ଉଠିଥିଲା ଓ "ଶସ୍ୟ ବା ଅନ୍ନ'କୁ ଶକ୍ତିମୟୀ  ଦେବୀ ଭାବରେ ଗ୍ରହଣ କରାଗଲା । ଶସ୍ୟଦାୟିନୀ  ଦେବୀଙ୍କ ଉପାସନା ସହ ଶସ୍ୟଦେବୀଙ୍କର  ଉପାସନା ଉର୍ବରତନ୍ତ୍ରର ପୃଷ୍ଠଭୂମିରେ ସମୀଭୂତ  ହୋଇ ରହିଲା, ଫଳରେ ଶସ୍ୟଦାୟିନୀ ଭୂଦେବୀଙ୍କ  ଠାରୁ ଉତ୍ପନ୍ନ ପ୍ରଥମ ଅମଳଯୋଗ୍ୟ ଶସ୍ୟକୁ  ଆନୁଷ୍ଠାନିକ ଧର୍ମାଚାର ମଧ୍ୟରେ ସେହି ଦେବୀଙ୍କ  ଉଦ୍ଦେଶ୍ୟରେ ଅର୍ପଣ କରି ଜୀବନ ରକ୍ଷାକାରୀ  ସେହି "ଶସ୍ୟ ବା ଅନ୍ନ'କୁ ଭକ୍ଷଣ କରିବାର  ବିଧିବିଧାନରୁ ନବାନ୍ନ ପାର୍ବଣର ପରମ୍ପରା ସୃଷ୍ଟି  ହେଲା । ସିନ୍ଧୁ ସଭ୍ୟତାର ଦାୟାଦମାନେ ଯୋଗେଶ୍ୱର  ଶିବଙ୍କ ଉପାସନା ସଙ୍ଗେ ସଙ୍ଗେ ଶସ୍ୟଦାୟିନୀ  ଭୂଦେବୀ ଓ ଶସ୍ୟଦେବୀଙ୍କର ଉପାସନା  କରୁଥିଲେ । ଏହି ସଭ୍ୟତାରେ ନବାନ୍ନ ପୂଜାର  ପରମ୍ପରା ରହିଥିଲା । 

ବୈଦିକ ଋଷିଗଣ କୃଷିର ଆଧାରଭୂମିକୁ  ମାତାରୂପରେ ଓ ଭୂମିରୁ କୃଷିଦ୍ୱାରା ଉତ୍ପନ୍ନ  "ଅନ୍ନ'(ଶସ୍ୟ)କୁ ବ୍ରହ୍ମରୂପରେ ସମ୍ବୋଧନ  କରି ବେଦରେ ପୃଥିବୀମାତା ଓ ଅନ୍ନର ମହିମା  ଗାନ କରିଛନ୍ତି । ଦେବୀଙ୍କ ସାତ୍ୱିକ ରୂପର ଦୁଇଟି  କ୍ରମକୁ ସୂଚାଇ ଏକାଦଶ ଅଧ୍ୟାୟରେ ସପ୍ତଶତୀ  ଚଣ୍ଡୀ ପରିପୂରକ ଭାବେ ଠିକ୍‌ ଏହି କଥା ହିଁ  କହିଛନ୍ତି । ଶ୍ରୀଶ୍ରୀଚଣ୍ଡୀ ପ୍ରଥମେ ଦେବୀଙ୍କୁ ମହୀ  ବା ଭୂମିସ୍ୱରୂପା ବୋଲି ସମ୍ୱୋଧନ କରି ଶ୍ଳୋକର  ପରବର୍ତ୍ତୀ ପଙକ୍ତିରେ ପୁଣି ଦେବୀଙ୍କୁ ଅନନ୍ତବୀର୍ଯ୍ୟା  ବୈଷ୍ଣବୀଶକ୍ତି ବୋଲି ସମ୍ବୋଧନ କରିଛନ୍ତି ।  

ଅନନ୍ତବୀର୍ଯ୍ୟା ବୈଷ୍ଣବୀ ଶକ୍ତି ହେଉଛନ୍ତି ସ୍ୱୟଂ  ମହାଲକ୍ଷ୍ମୀ, ଯିଏ ପ୍ରକୃତିର ସମସ୍ତ ଶସ୍ୟବୀଜ,  କନ୍ଦମୂଳ ଓ ଶାକାଦି କୃଷିଜାତ ଦ୍ରବ୍ୟରେ  ରୂପାନ୍ତରିତ । ଏହି ଦୃଷ୍ଟିରୁ ଶସ୍ୟଦେବୀ କଳ୍ପନା  ଯଥାର୍ଥ ଭାବେ ଗ୍ରହଣୀୟ । କୃଷିସମାଜରେ  ମାନବୀୟ ସହଯୋଗ ଓ ସଂହତିର ଆବଶ୍ୟକତା  ରହିଥିବାରୁ ମଣିଷ ସର୍ବପ୍ରଥମେ ଏହି ଯୁଗରେ  କୁଟୁମ୍ବ ଓ ପରିବାରର ପରିକଳ୍ପନା କରିଥିଲା ।  ଏହି କୁଟୁମ୍ବ ଓ ପରିବାର ମଧ୍ୟରେ ସ୍ୱତଃ ପ୍ରକାଶିତ  ସ୍ନେହ, ପ୍ରେମ, ସଂହତି ଓ ଆତ୍ମୀୟତା ଆଦି ସ୍ୱର୍ଗୀୟ  ଗୁଣର ମହାନତାକୁ ବ୍ୟାପକ ପରିସର ମଧ୍ୟରେ  ଲାଭ କରିବାର ଜିଜ୍ଞାସାରୁ ମଣିଷର ଗ୍ରାମ୍ୟ,  ଗୋଷ୍ଠୀ, ସମାଜ ଓ ରାଷ୍ଟ୍ରଜୀବନ ସମ୍ଭବ ହେଲା ।  ବୈଦିକ ଋଷିମାନେ ଏହାକୁ ହିଁ ବିଶ୍ୱଦୃଷ୍ଟିରେ  ପ୍ରତିଫଳିତ କରାଇ "ବସୁଧୈବ କୁଟୁମ୍ବକମ୍‌'ର  ପରିକଳ୍ପନା କରିଥିଲେ । ଶସ୍ୟପୂଜା ଓ କୃଷିଭିତ୍ତିକ  ସମାଜ ଦର୍ଶନର ପୃଷ୍ଠଭୂମିରେ "

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.