ଖରା ଆସି ଧରା ଛୁଇଁଲାଣି, ଅଥଚ ପେପରବାଲା ଶ୍ରୀତମର ଏପର୍ଯ୍ୟନ୍ତ ଦେଖା ଦର୍ଶନ ନାହିଁ । ବିକ୍ରମ ବାବୁଙ୍କ ବଡ଼ପୁଅ ବାଲକୋନୀରେ ପହରା ଦେଉଥାଏ । ଆଜି ଆଉ ଶ୍ରୀତମ ଆସିଲା ପରି ମନେ ହେଉନି । ପୁଅ ଯାଇ ବିକ୍ରମ ବାବୁଙ୍କ ପାଖରେ ଅଭିଯୋଗ ଆରମ୍ଭ କରିଦେଲା । ବାପା ଦେଖିଲ ସେ ଶ୍ରୀତମ ଆଜି କେମିତି ବନ୍ଦ କରିଦେଲା, ପୁଣି ଆଜି ରବିବାର । ନଜଣେଇ ନକହି ମନଇଚ୍ଛା ବନ୍ଦ କରିଦେଉଛି । ଆଗୁଆ କହିଥିଲେ ମୁଁ ଛକ ଉପରୁ ଖଣ୍ଡେ ପେପର ଘେନି ଆସିଥାନ୍ତି । ନଆସିବୁ ଯଦି ଆମେ ଅନ୍ୟ ବ୍ୟବସ୍ଥା କରିବୁ ନା ନାହିଁ । ଲକ୍ଷ୍ୟ କର ଏବେକୁ ଏବେ ତାର କେତେ ଭାଉ ହେଇଗଲାଣି । ଗୀତ ବୋଲି ବୋଲି କଲୋନୀକୁ ପଶିବ, ପୁଣି ମହାନ୍ତି ବାବୁ ଘର ପାଖରେ ବହେ ସମୟ ଗପିବ, ତା’ପରେ ଯାଇଁ ବାବୁଙ୍କର ଆମ ଘର କଥା ମନେ ପଡ଼ିବ । ସେ ରାଉତ୍ ବାବୁଙ୍କ ପେପରବାଲାକୁ ଦେଖିଲ କେତେ ଧୀରସ୍ଥିର, ଚୁପଚାପ୍ ଆସିବ ଯିବ କାହାକୁ କିଛି ଖବର ନଥିବ । ଏଇ ମାସ ପଇସା ଦେଇ ଶ୍ରୀତମକୁ ବନ୍ଦ କରିଦିଅ । ବିକ୍ରମ ବାବୁ ପୁଅକୁ ବୁଝେଇଲେ- ଆରେ ଏମିତି ତରବରିଆ କାମ ହୁଏନିରେ, ଅବିଚାର ହେଇଯିବ । କ’ଣ କାମଦାମ ପଡ଼ିଯାଇଥିବ, ନହେଲେ ସେ... ।
କଥା ମଝିରେ ପୁଅ ଟିକେ ବଡ଼ ସ୍ୱରରେ କହିଉଠିଲା- ବାପା ତୁମେ ଆଉ ତା’ ସପକ୍ଷରେ କୁହନି । ଏଠି ତ ଯାହାକୁ ଯେତେ ପେପରବାଲା । ପୁଅ କଥାରେ ରୋକ୍ ଲଗାଇ ବିକ୍ରମ ବାବୁ କହିଲେ- ଆରେ ଇଏପା ଶ୍ରାବଣ ମାସ । ଆଜି ରବିବାର ଅଛି, ମୋ ଅନୁମାନରେ ସେ ନିଶ୍ଚିତ ପାଣି ନେଇ ଠାକୁର ପାଖକୁ ଯାଉଥିବ । ଗଲାବର୍ଷ କହୁଥିଲା ମାନସିକ ରଖିଛି ପ୍ରତିବର୍ଷ ଠାକୁର ପାଖକୁ ପାଣି ନେଇକି ଯାଏ । ଆସିଲେ ନିଶ୍ଚିତ ସେ ସେଇଆ ହିଁ କହିବ । କାଲି ସୋମବାର ଆସିପାରିବ ନାହିଁ ମଙ୍ଗଳବାରକୁ ନିଶ୍ଚିତ ସେ କାଗଜ ଆଣିବ । ବାପାଙ୍କ ମୁହଁରୁ ସବୁକଥା ଶୁଣି ପୁଅ ପୂରାପୂରି ଚୁପ୍ ପଡ଼ିଗଲା । ଆଉ କିଛି ନକହି ଫେରି ଆସିଲା । ଆଜି ଆମେ ଏପରି ଏକ ଦୁନିଆରେ ରହୁଛୁ ଯେଉଁଠି ସମସ୍ତେ ପରସ୍ପରର ଖୁଣ ଖୋଜିବାରେ ବ୍ୟସ୍ତ । କେହି କାହାରି ମନକଥା, ସୁବିଧା ଅସୁବିଧା ବୁଝିବାକୁ ନାହାଁନ୍ତି ପ୍ରସ୍ତୁତ । ସେ ରାଜନୀତି ମଇଦାନ ହେଉ କି ଘର ପରିବାର କିମ୍ବା ନିଜ କର୍ମସ୍ଥଳ, ସବୁଠି ସଭିଁଏ ଲାଗିପଡ଼ିଛନ୍ତି ପରସ୍ପରର ଛିଦ୍ର ବା ଖୁଣ ଉଣ୍ଡିବାରେ ମସଗୁଲ୍ । ଟିକେ କେଉଁଠି ଖୁଣ ଦେଖିଲେ ଆରମ୍ଭ ହୋଇଯାଏ ସମାଲୋଚନା ଆଉ ଗାଳି ବର୍ଷଣ । ଆହୁରି ବି ସମସ୍ତଙ୍କ ମନରେ ବସା ବାନ୍ଧିଗଲାଣି ଯେ, ସେ ଏକମାତ୍ର ତ୍ରୁଟିଶୂନ୍ୟ, ଯାହା କୁହନ୍ତି ଆଉ କରନ୍ତି ତାହା ସମ୍ପୂର୍ଣ୍ଣ ଠିକ୍ । ସେ ଏକମାତ୍ର ଭରସାଯୋଗ୍ୟ ବିଶ୍ୱସ୍ତ ଆଉ ତାଙ୍କଦ୍ୱାରା ସବୁ କାମ ନିର୍ଭୁଲ ଭାବରେ ସମ୍ପାଦିତ ହୋଇଥାଏ । ବାସ୍ତବରେ ଏହା କେବଳ ମନର ଭ୍ରମ । କାରଣ ମଣିଷ ମାତ୍ରେକେ ଭୁଲ୍ । ଭୁଲ୍ ହେବ ଆଉ ସଂଶୋଧନ ହେବ, ହେଲେ ଆଦୌ ଭୁଲ୍ ହେବନି କହିବା ପାଣିରେ ଗାର ଟାଣିବା ସଙ୍ଗେ ସମାନ । ଅଳ୍ପ ବହୁତ ଭୁଲଚୁକ୍ ସମସ୍ତଙ୍କର ରହିଛି ଆଉ ରହିବ ମଧ୍ୟ । ଏଣୁ ସମ୍ପୂର୍ଣ୍ଣ ନିର୍ଭୁଲ ବା ତ୍ରୁଟିଶୂନ୍ୟ ମଣିଷ ମିଳିବା ସମ୍ଭବ ନୁହେଁ, ଅସମ୍ଭବ । ମଣିଷ ସିନା ଅନ୍ୟର ଦୋଷ ତ୍ରୁଟି ପରଖିପାରେ, ହେଲେ ତା’ ଦୋଷ ବା ଖୁଣ କେହି କାଢ଼ିଦେଲେ ତାକୁ ଖୁବ୍ ବାଧେ । ଆଉ ଯିଏ ନିଜକୁ ସମ୍ପୂର୍ଣ୍ଣ ଠିକ୍ ବିଚାରେ ଏହା କେବଳ ଅହଂ ଭାବନାକୁ ଦର୍ଶାଏ । ଆମ ଓଡ଼ିଆରେ ଗୋଟେ ସୁନ୍ଦର ରୁଢ଼ି ଅଛି- ସଜ ମାଛରେ ପୋକ ପକେଇବା ।
ଅର୍ଥାତ୍, କିଛି କଥା କି କାରଣ ନଥାଇ ଖୁଣ କାଢ଼ିବା । ଏଇଟା ଆଜି କିଛି ଲୋକଙ୍କର ସ୍ୱଭାବରେ ପରିଣତ ହୋଇଗଲାଣି । ଦୋଷ ଖୋଜିବା ଆଉ ଦୋଷ ଲଦିବା ଉଭୟ ସମାନ କଥା । ଆମେ ଯେବେ ସବୁ ସମୟରେ ଅନ୍ୟର ଦୋଷ, ତ୍ରୁଟି ପରଖି ଆକ୍ଷେପ କରିବା ଏହାଦ୍ୱାରା କେବଳ ଆମର ମୂଲ୍ୟବାନ ସମୟ ଅପଚୟ ହେବନି ବରଂ ଈଶ୍ୱର ପ୍ରଦତ୍ତ ଦିବ୍ୟଗୁଣ ସମୂହ ଆମଠାରେ ସୁପ୍ତ ପଡ଼ିଯିବ । ଆଉ ସତ୍ୟକୁ ଗ୍ରହଣ କରିବା କ୍ଷମତା ହରେଇ ଦେବା । ଦୟା, କ୍ଷମା, କରୁଣା, ତ୍ୟାଗ ସହନଶୀଳତା, ଉଦାରତା ଆଦି ଗୁଣ ସମୂହ ଧୀରେ ଧୀରେ ଆମଠାରୁ ଦୂରେଇ ଯିବ । ସୁଗୁଣର କ୍ଷୟ ଅର୍ଥ ଦୁର୍ଗୁଣ ବୃଦ୍ଧିର ସଙ୍କେତ । ପରବର୍ତ୍ତୀ ସମୟରେ ବ୍ୟକ୍ତି ମନରେ ରାଗ-ହିଂସାଘୃଣା, ସନ୍ଦେହ, ପରଶ୍ରୀକାତରତା ସୃଷ୍ଟିହୋଇ ତାକୁ କୁପଥକୁ ଅନୁପ୍ରେରିତ କରେ । ଏକ ସୁସ୍ଥ ସମାଜ ପାଇଁ ଲୋଡ଼ା ପରସ୍ପର ମଧ୍ୟରେ ସାହାଯ୍ୟ ସହଯୋଗ ଓ ଭାତ୍ରୁପ୍ରୀତି ମନୋଭାବ । ତେବେ ଯାଇ ଏକତାର ବାର୍ତ୍ତା ବହନ କରି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସମ୍ଭବ ହେବ । ଦୈନନ୍ଦିନ ଜୀବନରେ ଆମେ ଅନେକ ବ୍ୟକ୍ତିଙ୍କ ମାଧ୍ୟମରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଉପକୃତ ହେଇଥାଉ । ସେ ଖବରକାଗଜବାଲା, କ୍ଷୀର, ଫୁଲ, ପନିପରିବାବାଲା ହୁଅନ୍ତୁ କି ଅଟୋବାଲା । ଆମେ କାହାରି ନିକଟରେ ଦିନକ ପାଇଁ କୃତଜ୍ଞ ହୋଇନଥାଏ । କାମ ସରିଗଲେ ସେ ତା’ ରାସ୍ତାରେ ଆମେ ଆମ ରାସ୍ତାରେ । ହଁ, ଆମ ଲାଭ ଅପୂର୍ଣ୍ଣ ରହିଲେ ଆରମ୍ଭ ହୁଏ ଦୋଷ ଖୋଜିବାର ପର୍ବ । କାରଣ ଆମେ ଆମ ସ୍ୱାର୍ଥକୁ ସବୁ ସମୟରେ ପ୍ରାଥମିକତା ଦେଇଥାଉ । ଆମେ ଭୁଲିଯାଉ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ତାଙ୍କଦ୍ୱାରା କେତେ ଉପକୃତ ପାଇସାରିଲୁଣି । ଗୁଣ ଏବଂ ଦୋଷ ଏକ ମୁଦ୍ରାର ଦୁଇ ପାଶ୍ୱର୍ ପରି । ଉଭୟ ପ୍ରତ୍ୟେକ ମଣିଷ ପାଖରେ ମହଜୁଦ ।
ଆଜିର ସମୟରେ ପରର ଖୁଣ ବା ଛିଦ୍ର ସମସ୍ତଙ୍କୁ ଭାରି ଗହୀର ଦିଶେ ଆଉ ନିଜ ଖୁଣ ଆଡ଼େ ନଥାଏ କାହାରି ଧ୍ୟାନ । ନିଜର ଶହେ ଖୁଣକୁ ମାଫ୍ ଦେଇ ଅନ୍ୟର ଗୋଟିଏ ଖୁଣକୁ ଏଣେତେଣେ ରଙ୍ଗ ମାରି ଖୁବ୍ ବଖାଣିବେ । ଏପରି ବ୍ୟକ୍ତି ସୁବିଧାବାଦୀ ଓ ସ୍ୱାର୍ଥପର, ଯଥାସମ୍ଭବ ଏମାନଙ୍କ ଠାରୁ ଦୂରତା ରକ୍ଷା କରିବାକୁ ହେବ । ତୁମେ ତ୍ରୁଟି ଖୋଜିବାକୁ ଚାହୁଁଛ ତେବେ ନିଜ ଭିତରେ ଦେଖ ଓ ନିଜକୁ ସୁଧାରିବାକୁ ପ୍ରୟାସ କର । ଯିଏ ଯେତେ ଖରାପ ହେଇଥାଉ ନା କାହିଁକି, ଆମେ ଖୁଣ ନକାଢ଼ି କେବଳ ତାଙ୍କର ସୁଗୁଣକୁ ଦୃଷ୍ଟିଦେବା । ନିଶ୍ଚିତ ତାଙ୍କର ଗୋଟିଏ ଭଲ ଗୁଣ ଦିଶିବ । ସର୍ବଦା ଧ୍ୟାନ ଦେଉଥିବା ଆମ ଆକ୍ଷେପ ଦ୍ୱାରା ଜଣେ ନିର୍ଦ୍ଦୋଷ ଯେମିତି ଦୋଷୀ ନହେଉ । କାରଣ ସମୟ ପଟ୍ଟ ପରିବର୍ତ୍ତନ କଲେ ସୁଧ ମୂଳ ସହିତ ନିଜକୁ ହିଁ ବହନ କରିବାକୁ ହେବ ।