ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ସାମ୍ପ୍ରତିକ ସମସ୍ୟା ସମ୍ପର୍କରେ

ଦେଶର ଅର୍ଥନୈତିକ ପ୍ରଗତି ଦ୍ୱାରା ଆର୍ଥିକ ସମବଣ୍ଟନ ହୋଇପାରିନାହିଁ । ମୁଷ୍ଟିମେୟ କେତେକ ବ୍ୟକ୍ତିଙ୍କ ନିକଟରେ ଏହା ସୀମିତ । ସରକାରୀ ସହାୟତା ଦ୍ୱାରା ଖାଦ୍ୟ ଓ ବାସଗୃହ ସମସ୍ୟା ଆଂଶିକ ଭାବେ ସମାଧାନ ହୋଇଛି । ଏ ସହାୟତା ମଧ୍ୟ ସମବଣ୍ଟନ ହୋଇପାରିନାହିଁ । ଅର୍ଥନୈତିକ ସଂସ୍କାର ଦ୍ୱାରା ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ଅନେକ ସଂସ୍ଥା ବର୍ତ୍ତମାନ ସ୍ଥାଣୁ ।

ଆଧୁନିକତା ସୂଚକ ପ୍ରାୟ ସବୁ କ୍ଷେତ୍ରରେ ଭାରତର ଅଗ୍ରଗତି ଅର୍ଥନୈତିକ ସଂସ୍କାର ପରବର୍ତ୍ତୀ ସମୟରେ ପରିଲକ୍ଷିତ ହୋଇଛି । ଏହା ଆହୁରି କ୍ଷିପ୍ର ହୋଇଛି ଉତ୍ତର କୋଭିଡ-୧୯ର ତିକ୍ତ ଅନୁଭୂତି ପରେ । ସୂଚନା ପ୍ରସାର ନିମନ୍ତେ ଊଦ୍ଦିଷ୍ଟ ଉପକରଣମାନ ସହଜଲଭ୍ୟ ହେବା ପରେ ପଲ୍ଲୀ ଅଞ୍ଚଳରେ ମଧ୍ୟ ଜୀବନ ଧାରଣର ମାନ ପରିବର୍ତ୍ତିତ ହୋଇଛି । ଆର୍ଥିକ ପରିସଂଖ୍ୟାନ ସୂଚିତ କରୁଛି, ଭାରତ ପୃଥିବୀରେ ଏକ ଅଗ୍ରଗାମୀ ଅର୍ଥନୀତି । ପଡ଼ୋଶୀ ରାଷ୍ଟ୍ର ସହ ଶାନ୍ତିପ୍ରିୟ ସହାବସ୍ଥାନ ପାଇଁ ଆଲୋଚନା, କୂଟନୀତି ତଥା ମାନବିକ ସହାୟତା ସୂଚକ କ୍ରମିକରେ ଭାରତର ସ୍ଥାନ ଅତି ଉଚ୍ଚରେ ରହିଛି । ବର୍ତ୍ତମାନ ଦକ୍ଷିଣ ଗୋଲାର୍ଦ୍ଧ ସମୂହରେ ଅବସ୍ଥିତ ବିକାଶଶୀଳ ଦେଶମାନଙ୍କ ପାଇଁ ଭାରତ ନେତୃତ୍ୱ ଯୋଗାଇ ଦେବାକୁ ପ୍ରସ୍ତୁତ । କିନ୍ତୁ କେତେକ ଆଭ୍ୟନ୍ତରୀଣ ଓ ବାହ୍ୟ ସମସ୍ୟା ବର୍ତ୍ତମାନ ସୁଦ୍ଧା ଅସମାହିତ । 

ଦେଶର ସମ୍ବିଧାନ ପ୍ରଣେତା ସ୍ୱ-ସମକାଳୀନ ଅନୁଭୂତି ତଥା ଅତୀତର ଘଟଣାବଳୀ ପରିପ୍ରେକ୍ଷୀରେ ସାମାଜିକ ସଦ୍‌ଭାବ ନିମନ୍ତେ କେତେକ ଅବିସମ୍ବାଦିତ ତଥ୍ୟ ସଂଯୋଗ କରିଥିଲେ । ସେଥିମଧ୍ୟରୁ ଧର୍ମଗତ ସ୍ୱାଧୀନତା ଅନ୍ୟତମ । ଧର୍ମ ଆଧାରରେ ବହୁଧା ବିଭାଜିତ ଦେଶବାସୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଏହା ଏକ ସମୟୋଚିତ ଓ ଦୀର୍ଘକାଳୀନ ବ୍ୟବସ୍ଥା । କିନ୍ତୁ ଦେଶର ଅଗ୍ରଗତି ସହ ଧର୍ମଗତ ବିଦ୍ୱେଷ ଥମିବା ପରିବର୍ତ୍ତେ ବୃଦ୍ଧି ପାଇଥିବାରୁ ସମ୍ବିଧାନର ମୁଖବନ୍ଧରେ ନିରପେକ୍ଷ ଶବ୍ଦ ସଂଯୋଗ ହେଲା । ତଥାପି ଧାର୍ମିକ ପ୍ରତିସ୍ପର୍ଦ୍ଧା ବୃଦ୍ଧି ପାଇଛି । ବିଦେଶରୁ ପରିଚାଳିତ ବିଭାଜନାତ୍ମକ ଶକ୍ତି ତଥା ଆତଙ୍କବାଦୀ ଏହାକୁ ମାଧ୍ୟମ କରି ସୀମାନ୍ତରେ ଅସ୍ଥିରତା ସୃଷ୍ଟି କରିବା ଯୋଗୁଁ ସମସ୍ୟା ଜଟିଳ ହୋଇଛି । ଧର୍ମ ଆଧାରରେ ବିଭାଜିତ ଭାରତୀୟ ସମାଜ ଜାତି ଅନୁଯାୟୀ ବହୁଧା ବିଭକ୍ତ । ରାଜନୀତିକରଣ ଦ୍ୱାରା ଦୂର ଦୂରାନ୍ତ ପୁରପଲ୍ଲୀରେ ଏହାର ପ୍ରଭାବ କ୍ରମଶଃ ପ୍ରସାରିତ ହୋଇଛି । ସଂଚାର, ମାଧ୍ୟମଗୁଡ଼ିକର ବହୁଳ ପ୍ରୟୋଗ ଏହାକୁ ଆହୁରି ଗତିଶୀଳ କରିଛି । ଅର୍ଥନୈତିକ କାରଣଗୁଡ଼ିକ ମଧ୍ୟ ଏତେ ପ୍ରଭାବିତ କରିଛି । କହିବା ବାହୁଲ୍ୟ ଯେ, ସହରାଞ୍ଚଳରେ ବିଭିନ୍ନ କାରଣ ଯୋଗୁଁ ସେମାନଙ୍କ ମଧ୍ୟରେ ସାଂଗଠନିକ ଉଦ୍ୟମ ହୋଇପାରେ ନାହିଁ । କିନ୍ତୁ ଗ୍ରାମାଞ୍ଚଳବାସୀଙ୍କ ମଧ୍ୟରେ ଏକତା ଅଧିକ । 

ବର୍ତ୍ତମାନ ପରିପ୍ରେକ୍ଷୀରେ ବିଭାଜିତ ଜନସମାଜ ଦ୍ୱାରା ଭାରତର ପୁରପଲ୍ଲୀରେ ମଧ୍ୟ ଶାନ୍ତିପ୍ରିୟ ସହାବସ୍ଥାନ ବାଧିତ ହୋଇଛି । ଅତୀତର ବୌଦ୍ଧିକ ଆଧାରିତ ଜାତି ବିଭାଜନ ସାମାଜିକ, ଅର୍ଥନୈତିକ ପ୍ରଗତି ତଥା ପ୍ରାଦ୍ୟୋଗିକ ପ୍ରଶିକ୍ଷଣ ଦ୍ୱାରା କ୍ରମଶଃ ହ୍ରାସ ପାଇଥିଲେ ମଧ୍ୟ ଅନ୍ୟାନ୍ୟ କାରଣରୁ ଏହା ସଂପ୍ରସାରିତ ହେଉଛି । ଏସବୁ ଊଦ୍ଧ୍ୱର୍ରେ ରହିଛି ବେକାର ସମସ୍ୟା । ଶିକ୍ଷିତ ତଥା ପ୍ରଶିକ୍ଷିତ ଯୁବଗୋଷ୍ଠୀ ପାଇଁ ଆଶୁ ପରିବର୍ତ୍ତିତ ପ୍ରାଦ୍ୟୋଗିକୀ ଏବଂ କୃତ୍ରିମ ବୌଦ୍ଧିକତାର ବହୁଳ ପ୍ରୟୋଗ ଏକ ଆହ୍ୱାନ । ଶ୍ରମ ବଜାରରେ ତିଷ୍ଠି ରହିବା ପାଇଁ ପରିବର୍ତ୍ତନ ସହ ପ୍ରଶିକ୍ଷଣ ମଧ୍ୟ ଶାଣିତ କରିବା ଆବଶ୍ୟକ । କିନ୍ତୁ ଦ୍ରୁତ ଗତିଶୀଳ ପରିବର୍ତ୍ତନ ସହ ସମାନୁପାତିକ ଭାବେ କର୍ମଦକ୍ଷତା ହାସଲ କରିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇପାରୁନାହିଁ । ଏ ପରିସ୍ଥିତିରେ ମାନସିକ ସନ୍ତୁଳନ ସ୍ଥିର ରଖିବା ଅସମ୍ଭବ । ସେମାନଙ୍କର ନୈରାଶ୍ୟ ମନୋଭାବ ପ୍ରତିଫଳିତ ହୋଇଛି ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ । ସି.ଏମ.ଆଇ.ଇ. ତଥ୍ୟ ଅନୁଯାୟୀ ଜୁନ ୨୦୨୪ରେ ଦେଶରେ ବେକାରଙ୍କ ସଂଖ୍ୟା ଥିଲା ୯.୨ ପ୍ରତିଶତ । ଜାତୀୟ ପରିସଂଖ୍ୟାନ ସଂସ୍ଥା କର୍ମ ଅନ୍ୱେଷଣ ଓ ଉପଲବ୍‌ଧି ଆଧାରରେ ବେକାର ସଂଖ୍ୟା ଆକଳନ କରିଥାଏ । ପଞ୍ଜିକୃତ କର୍ମ ଅନ୍ୱେଷଣକାରୀ ବ୍ୟତୀତ ଅନେକ ଅଣପଞ୍ଜିକୃତ ବେକାର ଅଛନ୍ତି । ସେମାନେ ହୁଏତ ଅଣସଂଗଠିତ କ୍ଷେତ୍ରରେ ସାମୟିକ ଭାବେ ନିଯୁକ୍ତି ପାଇଥାନ୍ତି । 

ଜନସଂଖ୍ୟା ବୃଦ୍ଧି, ଆର୍ଥିକ ବିକାଶର ଅସମ ବଣ୍ଟନ, ଲଘୁ ଉଦ୍ୟୋଗ ସଂଖ୍ୟା ହ୍ରାସ, ଅପ୍ରଭାବୀ ଆର୍ଥିକ ଯୋଜନା ଇତ୍ୟାଦିକୁ ଏଥିପାଇଁ ଦାୟୀ କରାଯାଇଛି । କିନ୍ତୁ ସରକାରୀ କ୍ଷେତ୍ରରେ ରିକ୍ତ ଥିବା ଅନେକ ରିକ୍ତ ପଦବି ପୂରଣ ହୋଇପାରୁନାହିଁ । ଦେଶର ଅର୍ଥନୈତିକ ପ୍ରଗତି ଦ୍ୱାରା ଆର୍ଥିକ ସମବଣ୍ଟନ ହୋଇପାରିନାହିଁ । ମୁଷ୍ଟିମେୟ କେତେକ ବ୍ୟକ୍ତିଙ୍କ ନିକଟରେ ଏହା ସୀମିତ । ସରକାରୀ ସହାୟତା ଦ୍ୱାରା ଖାଦ୍ୟ ଓ ବାସଗୃହ ସମସ୍ୟା ଆଂଶିକ ଭାବେ ସମାଧାନ ହୋଇଛି । ଏ ସହାୟତା ମଧ୍ୟ ସମବଣ୍ଟନ ହୋଇପାରିନାହିଁ । ଅର୍ଥନୈତିକ ସଂସ୍କାର ଦ୍ୱାରା ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ଅନେକ ସଂସ୍ଥା ବର୍ତ୍ତମାନ ସ୍ଥାଣୁ । ପ୍ରାଦ୍ୟୋଗିକୀ ନବୀକରଣ ତ୍ୱରାନ୍ୱିତ ହେବା ଯୋଗୁଁ ବହୁ ଔଦ୍ୟୋଗିକ ସଂସ୍ଥା ପରିସ୍ଥିତିର ସମ୍ମୁଖୀନ କରିନପାରି ଏସବୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ନିୟୋଜିତ କର୍ମଚାରୀ ମଧ୍ୟ ବେକାର । ଏ ପରିପ୍ରେକ୍ଷୀରେ ଆକଳନ କରାଯାଉଛି ଯେ, ଆଗାମୀ ଏକ ଦଶନ୍ଧି ମଧ୍ୟରେ ପ୍ରାୟ ଅଧିକାଂଶ ଅଧୁନା ସଫଳ ଉଦ୍ୟୋଗ ବନ୍ଦ ହୋଇଯାଇପାରେ । ପ୍ରାଦ୍ୟୋଗିକୀ ଉପଲବ୍‌ଧି ସୁବିଧାଜନକ ହୋଇଥିବାରୁ କେତେକ ପେସାର ଆବଶ୍ୟକତା ରହିବ ନାହିଁ । ସ୍ୱାଧୀନ ପେସାରେ ନିୟୋଜିତ ବ୍ୟକ୍ତି ମଧ୍ୟ ଅର୍ଥାଗମ ପନ୍ଥା ହରେଇବେ । ବଜାର ଅର୍ଥନୀତି ତୀବ୍ର ପ୍ରତିଦ୍ୱନ୍ଦ୍ୱିତାରେ ପର୍ଯ୍ୟବେସିତ । ଉପଲବ୍‌ଧ ସୁଯୋଗର ସମୟୋଚିତ ସଦୁପଯୋଗ ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । ସରକାରୀ କ୍ଷେତ୍ରରେ କର୍ମ ନିୟୋଜନ ସଂକୁଚିତ ଏବଂ ବେସରକାରୀ କ୍ଷେତ୍ରରେ ସୁରକ୍ଷା ଅଭାବରୁ ଯୁବଗୋଷ୍ଠୀ ମନରେ ନୈରାଶ୍ୟ ହେବା ସ୍ୱାଭାବିକ । ବର୍ତ୍ତମାନ ଏହା ଏକ ବିଶ୍ୱ ସମସ୍ୟା । ଫଳସ୍ୱରୂପ ସାମାଜିକ ଓ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି । 

ଉଲ୍ଲେଖନୀୟ ଯେ, ଦେଶର ପ୍ରଗତି ଦ୍ୱାରା ସମାଜରେ ହିଂସା ହ୍ରାସ ପାଇନାହିଁ । ପ୍ରତିସ୍ପର୍ଦ୍ଧୀ ପର୍ଯ୍ୟବେସିତ ବଜାର ଅର୍ଥନୀତିର ଦ୍ୱେଷ ଏକ ବିଶେଷତ୍ୱ । ଅନେକ କ୍ଷେତ୍ରରେ ମହିଳାମାନଙ୍କର ପାରଦର୍ଶିତା ପୁରୁଷକୈନ୍ଦ୍ରିକ ମାନସିକତା ଯୋଗୁଁ ସ୍ପୃହଣୀୟ ହୋଇପାରିନାହିଁ । ତେଣୁ ସଫଳ, ଉଦ୍ୟମୀ, ଆତ୍ମନିର୍ଭର ତଥା ପରିଶ୍ରମୀ କର୍ମଜୀବୀ ମହିଳା ମାନସିକ ତଥା ଶାରୀରିକ ନିର୍ଯାତନାର ଶିକାର ହୋଇଛନ୍ତି । କ୍ରମଶଃ ଏହା ବ୍ୟାପକ ଏବଂ ହିଂସ୍ର ହେଉଛି । କଠୋର ଆଇନ ସତ୍ତେ୍ୱ ଏହା ପ୍ରଶମିତ ହେଉନାହିଁ । ଘରୋଇ ହିଂସା ମଧ୍ୟ ଅନୁରୂପ ଭାବେ ବୃଦ୍ଧି ପାଇଛି । ୨୦୨୨ରେ ଏକ ପରିସଂଖ୍ୟାନ ଅନୁଯାୟୀ, ଏସବୁର ସଂଖ୍ୟା ୩୨,୦୦୦ ଥିଲା । ଏ ସଂଖ୍ୟା ଆହୁରି ଅଧିକ ହୋଇପାରେ, କାରଣ ଦେଶର କୋଣ ଅନୁକୋଣରେ ପରିବ୍ୟାପ୍ତ ନିର୍ଯାତନା ପରିସଂଖ୍ୟାନଭୁକ୍ତ ହୋଇଥାଇନପାରେ । କନ୍ୟା ସନ୍ତାନ ପ୍ରତି ବିତୃଷ୍ଣା ସାମାଜିକ ସଂସ୍କୃତି ଦ୍ୱାରା ପ୍ରଭାବିତ । ତେଣୁ ଅନେକ ଆଇନ ଓ ଯୋଜନା ସତ୍ତେ୍ୱ କନ୍ୟାଭ୍ରୂଣ ନଷ୍ଟ କରାଯାଉଛି । ମହିଳାଙ୍କ ପ୍ରତି ଦ୍ୱେଷ ମନୋଭାବ ଏବଂ ପୁରୁଷଙ୍କ ସହ ତୁଳନାତ୍ମକ ଭାବେ ସେମାନଙ୍କର ଅବମୂଲ୍ୟାୟନ ପୃଥିବୀର ଅଧିକାଂଶ ସଂସ୍କୃତିର ଏକ ବିଶେଷତ୍ୱ । ଉଦ୍ୟମୀ ମହିଳା ସୁଯୋଗର ସଦୁପଯୋଗ କରି ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିଲେ ହେଁ ସେମାନଙ୍କୁ ନ୍ୟୂନ ଦର୍ଶାଇବା ମାନସିକତା ପୁରୁଷକୈନ୍ଦ୍ରିକ ସଂସ୍କୃତିକୁ ପରିପୁଷ୍ଟ କରିଛି । ନାରୀ ନିର୍ଯାତନାର କେତେକ ଚୟନିତ ଘଟଣାକୁ ଅଧିକ ଗୁରୁତ୍ୱ ଦେବା ଦ୍ୱାରା ଅନ୍ୟ ଅନୁରୂପଗୁଡ଼ିକ ସାଧାରଣ କ୍ଷେତ୍ରରେ ବିଶେଷ ପ୍ରଭାବ, ଆଇନ ଅବମାନନା ସରକାରୀ ସ୍ତରରେ ମୁଦ୍ରାସ୍ଫୀତି ପାଇଁ ଖାଦ୍ୟସାମଗ୍ରୀର ଅତ୍ୟଧିକ ମୂଲ୍ୟବୃଦ୍ଧି ଦର୍ଶାଯାଇଛି । ଜୁନ ମାସରେ ପ୍ରାୟ ସବୁ ଖାଦ୍ୟସାମଗ୍ରୀ ମୂଲ୍ୟ ୧୦ରୁ ୫୦ ପ୍ରତିଶତ ବୃଦ୍ଧି ପାଇଛି । ଋତୁକାଳନୀ ପନିପରିବା ଓ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଉନାହିଁ । 

ପରିଣାମ ସ୍ୱରୂପ, ଲୋକଙ୍କର କ୍ରୟଶକ୍ତି ହ୍ରାସ ପାଇଛି ଏବଂ ଆର୍ଥିକ ଅଭିବୃଦ୍ଧି ପ୍ରଭାବିତ ହୋଇଛି । ମୁଦ୍ରାସ୍ଫୀତି ଚାପ ଯୋଗୁଁ ମଧ୍ୟ ବେରୋଜଗାରୀ ସଂଖ୍ୟା ବୃଦ୍ଧି ପାଇଛି । ଦେଶର ଆଭ୍ୟନ୍ତରୀଣ ସମସ୍ୟା ଜଟିଳ ହେବା ସହ ବିଦେଶରେ ମଧ୍ୟ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ବର୍ତ୍ତମାନ ସକ୍ରିୟ । ପଡ଼ୋଶୀ ରାଷ୍ଟ୍ର ସହ ସୁସମ୍ପର୍କ ରକ୍ଷା ପାଇଁ ଆମର ବୈଦେଶିକ ନୀତି ସୁପରିଚାଳିତ ହୋଇଥିଲେ ହେଁ ସେମାନେ ଭାରତ ମହାସାଗରର ଆଞ୍ଚଳିକ କ୍ଷେତ୍ରରେ ଭାରତର ପ୍ରାଧାନ୍ୟତା ସ୍ୱୀକାର କରିବା ପାଇଁ ଅନାଗ୍ରହୀ । ନେପାଳ, ମାଲଡିଭସ, ଶ୍ରୀଲଙ୍କାରେ ଭାରତ ବିରୋଧୀ ମନୋଭାବ କ୍ରମଶଃ ଆୟତ୍ତ ହେବା ପରେ ବର୍ତ୍ତମାନ ବାଙ୍ଗଲାଦେଶରେ ରାଜନୈତିକ ଅସ୍ଥିରତା ଦେଶର ପ୍ରତିବେଶୀ ପ୍ରଥମ ବୈଦେଶିକ ନୀତି ପାଇଁ ଏକ ଆହ୍ୱାନ । ଚୀନ ଓ ପାକିସ୍ତାନ ଆମର ସୁରକ୍ଷା ପାଇଁ ସର୍ବଦା ବିପଦ ସୃଷ୍ଟି କରିଥିବା ଯୋଗୁଁ ସୀମାନ୍ତ ସୁରକ୍ଷା ପାଇଁ ଅଧିକ ସାଧନ ଯୋଗାଇବାକୁ ପଡ଼ୁଛି । ଦ୍ୱିପାକ୍ଷିକ ସମ୍ପର୍କ ସୁରକ୍ଷିତ ରଖିବା ଆୟାସସାଧ୍ୟ ଏବଂ ବ୍ୟୟ ବହୁଳ ହୋଇଛି । 

ଆଲୋଚିତ କିଛି ସମସ୍ୟା ଦେଶର ସାମଗ୍ରିକ ସମସ୍ୟାର କିୟଦଂଶ ମାତ୍ର । ତେବେ ଅନେକ କଠିନ ସମସ୍ୟାର ବନ୍ଧୁର ପଥ ଅତିକ୍ରମ କରି ଭାରତ ଦକ୍ଷିଣ ଏସିଆ ରାଷ୍ଟ୍ରସମୂହରେ ଏକ ପ୍ରଗତିଶୀଳ ଉନ୍ନତ ରାଷ୍ଟ୍ର ରୂପେ ପ୍ରତିଭାତ ହୋଇଛି । ରାଜନୈତିକ ସ୍ଥିରତା ଗଣତନ୍ତ୍ରକୁ ଶକ୍ତିଶାଳୀ କରିଛି । ଅର୍ଥନୀତି ସୁପରିଚାଳନା ଯୋଗୁଁ ଦେଶର ଗରୁତ୍ୱପୂର୍ଣ୍ଣ ଆଭ୍ୟନ୍ତରୀଣ ସମସ୍ୟା କିଛିକାଂଶରେ ସମାଧାନ ହେବା ସହ ବିଦେଶୀ ରାଷ୍ଟ୍ରକୁ ମଧ୍ୟ ସହାୟତା ଯୋଗାଇ ଦିଆଯାଇପାରୁଛି । ସାମରିକ ଶକ୍ତିର ଅଭିବୃଦ୍ଧି ଯୋଗୁଁ ଭାରତ ମହାସାଗର ତଥା ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭାରତ ସାମୁଦ୍ରିକ ନିରାପତ୍ତା ଯୋଗାଇ ପାରୁଛି । କିନ୍ତୁ ବର୍ତ୍ତମାନର ଅତ୍ୟାଶିତ ଯୁଦ୍ଧ, ଏଥିରେ ବ୍ୟବହୃତ ଆୟୁଧ ଏବଂ ଆଶୁ ତଥ୍ୟ ସଂଚରିତ ଇତ୍ୟାଦି କ୍ଷେତ୍ରରେ ଭାରତ ବିଶେଷ ଉନ୍ନତି କରିପାରିନାହିଁ । ଅଶାନ୍ତ ସୀମାନ୍ତ ଏବଂ ଚୀନର ବୈଷୟିକ ଓ ଆର୍ଥିକ ପ୍ରଗତି ପରିପ୍ରେକ୍ଷୀରେ ପ୍ରାଦ୍ୟୋଗିକ ନବୀକରଣ ସହ ସାମରିକ ପ୍ରସ୍ତୁତି ଓ ଆର୍ଥିକ ଅଗ୍ରଗତି ଆବଶ୍ୟକ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.