କ୍ଷମତା, ପଦପଦବି, ପ୍ରଭାବ କିମ୍ବା ଭୌତିକ ସମ୍ପତ୍ତି, ଆମେ କିଛି ପାଇବାକୁ ଇଚ୍ଛା କଲେ ଏବଂ ସେଗୁଡ଼ିକୁ ହାସଲ କରିବା ଲାଗି କଠିନ ପରିଶ୍ରମ କଲେ ସେଥିରେ ସଫଳତା ମିଳିବା ପରେ ଆମକୁ କ୍ଷଣିକ ସୁଖ ମିଳିଥାଏ । ହେଲେ ମନ ପୁଣିଥରେ ଆଉ କିଛି ପାଇବାକୁ ଇଚ୍ଛା କରେ । ଯାହା ମିଳିଛି ତାହା ଏକ ମାପଦଣ୍ଡ ହେଇଯାଏ । ଆଉ ଯାହା ପାଇବାର ଇଚ୍ଛା ଥାଏ ତାହା ପରବର୍ତ୍ତୀ ଅନ୍ୱେଷଣ ବା ଅସ୍ଥିରତାର କାରଣ ପାଲଟେ । ଅଧିକାଂଶ ମଣିଷଙ୍କ କ୍ଷେତ୍ରରେ ଏପରି ଘଟେ । ସାର୍ବଜନୀନ ନୀତି ସମ୍ବନ୍ଧରେ ଆମେ ଏହିପରି ଦୃଷ୍ଟିକୋଣ ଗ୍ରହଣ କରିଥାଉ । ଆମେ କେତେକ ନୀତି କିମ୍ବା କାର୍ଯ୍ୟ ପାଇଁ କସରତ କରିଥାଉ । ସରକାର କୌଣସି ଦୀର୍ଘଦିନର ସମସ୍ୟା ସମାଧାନ କରିବା ପରେ ମାପଦଣ୍ଡ ଆହୁରି ଉଚ୍ଚ ହୋଇଯାଏ । ସଫଳତାର ଅପର୍ଯ୍ୟାପ୍ତ ସ୍ୱୀକୃତି ଓ ପ୍ରତିକୂଳ ପରିସ୍ଥିତି ଉପରେ ବିଚାର ମନ୍ଥନ- ହୀନମନ୍ୟତାର ସ୍ଥିତାବସ୍ଥାକୁ ଜାରି ରଖିଥାଏ । ଏଥର ଦଶମ ବର୍ଷ ପୂର୍ତ୍ତି ପାଳନ କରୁଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା କ୍ଷେତ୍ରରେ ଏପରି ଉଦାହରଣ ଦେଖିବାକୁ ମିଳିଛି ।
ଅନେକ ଦିନ ଧରି, ଆମେ କୋଟି କୋଟି ଭାରତୀୟଙ୍କୁ ଆର୍ଥିକ ଭାବେ ବିଚ୍ଛିନ୍ନ ରଖିବାର କୁମ୍ଭୀର କାନ୍ଦଣା କାନ୍ଦୁଥିଲୁ । ୨୦୧୪ରେ ତତ୍କାଳୀନ ନୂଆ ଏନଡିଏ ସରକାର ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମାଧ୍ୟମରେ ଭାରତୀୟମାନଙ୍କୁ ଔପଚାରିକ ଆର୍ଥିକ ବ୍ୟବସ୍ଥା ମଧ୍ୟକୁ ଆଣିବା ଲାଗି ଏକ ମହତ୍ତ୍ୱାକାଂକ୍ଷୀ ତଥା ଆହ୍ୱାନପୂର୍ଣ୍ଣ କାର୍ଯ୍ୟ କରିଥିଲେ । ଏହା ଏକ ଯୁଗାନ୍ତକାରୀ ସଫଳତା ସାବ୍ୟସ୍ତ ହୋଇଛି । ୧୪ ଅଗଷ୍ଟ ୨୦୨୪ ସୁଦ୍ଧା ମୋଟ୍ ୨.୩୧ଲକ୍ଷ କୋଟି ଟଙ୍କାର ଜମା ରାଶି ସହିତ ହିତାଧିକାରୀଙ୍କ ସଂଖ୍ୟା ୫୩କୋଟି ୧୩ଲକ୍ଷରେ ପହଞ୍ଚିଛି । ପ୍ରାୟ ୩୦କୋଟି ହିତାଧିକାରୀ ମହିଳା । ଡିସେମ୍ବର ୨୦୧୯ରେ ବିଆଇଏସ୍ ନିବନ୍ଧ ସଂଖ୍ୟା ୧୦୬ରେ ପ୍ରକାଶିତ "ଦ ଡିଜାଇନ୍ ଅଫ୍ ଡିଜିଟାଲ ଫିନାନ୍ସିଆଲ୍ ଇନଫ୍ରାଷ୍ଟ୍ରକ୍ଚର: ଲେସନ୍ସ ଫ୍ରମ୍ ଇଣ୍ଡିଆ'ଶୀର୍ଷକ ଗବେଷଣାପତ୍ରରେ ବ୍ୟାଙ୍କ ଫର୍ ଇଣ୍ଟରନାସନାଲ ସେଟଲମେଣ୍ଟସର ଗବେଷକମାନେ କହିଛନ୍ତି "୨୦୦୮ରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଔପଚାରିକ ପରିଚୟ ଉଭୟର ନିମ୍ନସ୍ତରକୁ ଦେଖିଲେ, ଏକ ଦଶନ୍ଧି ପୂର୍ବରୁ ଭାରତ ଆଗରେ ବହୁତ ବଡ଼ ଆହ୍ୱାନ ରହିଥିଲା । ବ୍ୟାଙ୍କ ଖାତାର ତଥ୍ୟ ଏବଂ ପୂର୍ବରୁ ଆଲୋଚିତ ମୁଣ୍ଡପିଛା ଜିଡିପି ସହ ତୁଳନା କଲେ, ମୋଟାମୋଟି ଅନୁମାନ କରାଯାଇପାରେ ଯେ, ପାରମ୍ପରିକ ପ୍ରଗତି ପ୍ରକ୍ରିୟା ଉପରେ ନିର୍ଭର କରିଥିଲେ ଭାରତର ୮୦ ପ୍ରତିଶତ ବୟସ୍କଙ୍କ ପାଇଁ ବ୍ୟାଙ୍କ ଖାତା ଖୋଲିବା ଲାଗି ୪୭ବର୍ଷ ଲାଗିଥାନ୍ତା' ।
"ବ୍ୟାଙ୍କିଙ୍ଗ୍ ଦ ଅନ୍ ବ୍ୟାଙ୍କଡ୍: ହ୍ୱାଟ୍ ଡୁ ୨୮୦ ମିଲିୟନ ନ୍ୟୁ ବ୍ୟାଙ୍କ ଏକାଉଣ୍ଟସ୍ ରିଭିଲ୍ ଏବାଉଟ୍ ଫିନାନ୍ସିଆଲ୍ ଆକ୍ସେସ୍?' ଶୀର୍ଷକ ଆଉ ଏକ ଗବେଷଣାରୁ ଜଣାପଡ଼ିଥାଏ ଯେ ପିଏମ୍ଜେଡିୱାଇ ଖାତାଗୁଡ଼ିକ ଆର୍ଥିକ ସଞ୍ଚୟକୁ ସୁରକ୍ଷିତ ରଖିବାରେ ସହାୟକ ହୋଇଛି । ଯେଉଁ ଦୁନିଆରେ ବ୍ୟତିକ୍ରମକୁ ଗ୍ରହଣ କରିବା ପରିବର୍ତ୍ତେ ତ୍ୱରିତ ରାୟ ଦେବାକୁ ଲୋକମାନେ ଅଧିକ ପସନ୍ଦ କରନ୍ତି, ସେଠାରେ ସମୀକ୍ଷକମାନେ ମତ ଦିଅନ୍ତି ଯେ ଅଧିକାଂଶ ପିଏମଜେଡିୱାଇ ଖାତା ଶୂନ୍ୟ ଜମାରାଶିରେ ଆରମ୍ଭ ହୋଇଛି । ଏହି ବ୍ୟାଙ୍କ ଖାତାଗୁଡ଼ିକରେ ମିଳିତ ଭାବେ ୨.୩୧ଲକ୍ଷ କୋଟି ଟଙ୍କାର ଜମା ରାଶି ରହିଛି । କୋଭିଡ ମହାମାରୀ ସମୟରେ ପିଏମଜେଡିୱାଇ ଖାତାଗୁଡ଼ିକର ଉପଯୋଗିତା ଅତୁଳନୀୟ ସାବ୍ୟସ୍ତ ହୋଇଥିଲା । କେନ୍ଦ୍ର ସରକାର ସିଧାସଳଖ ଏସବୁ ଖାତାକୁ ବିଭିନ୍ନ ଯୋଜନାର ଲାଭ ହସ୍ତାନ୍ତର କରିଥିଲେ । ତିନି ଆର୍ଥିକ ବର୍ଷରେ ପ୍ରାୟ ୮.୧ଲକ୍ଷ କୋଟି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ହସ୍ତାନ୍ତର କରାଯାଇଛି ।
"ଡଜ୍ ଓପନ୍ ବ୍ୟାଙ୍କିଙ୍ଗ୍ ଏକ୍ସପାଣ୍ଡ୍ କ୍ରେଡିଟ୍ ଆକ୍ସେସ୍? ଶୀର୍ଷକ ପ୍ରଗତିଶୀଳ ଗବେଷଣାରୁ ଜଣାପଡ଼ିଛି ଯେ ପିଏମଜେଡିୱାଇ ଯେକୌଣସି ଆର୍ଥିକ ଅନୁଷ୍ଠାନକୁ ମୁକ୍ତ ବ୍ୟାଙ୍କିଙ୍ଗ୍- ଗ୍ରାହକ-ସମ୍ମତି ଆଧାରିତ ତଥ୍ୟ ଦେବାର ସୁବିଧା ପ୍ରଦାନ କରିଛି । ଅଧିକ ନିର୍ଦ୍ଦିଷ୍ଟ ଭାବରେ କହିଲେ, ଅଧିକ ପିଏମଜେଡିୱାଇ ଖାତା ଥିବା ଅଞ୍ଚଳଗୁଡିକରେ ଫିନଟେକ୍ ନେତୃତ୍ୱରେ ଅଧିକ ଋଣ ଅଭିବୃଦ୍ଧି ଦେଖିବାକୁ ମିଳିଛି ଏବଂ ଶସ୍ତା ଓ ଉନ୍ନତ ଇଣ୍ଟରନେଟ୍ ସଂଯୋଗ ଥିବା ଅଞ୍ଚଳରେ ଏହା ଅଧିକ ପ୍ରଭାବୀ ରହିଛି । "ଏକାଉଣ୍ଟ ଏଗ୍ରିଗେସନ୍' ବା ଖାତା ଏକତ୍ରୀକରଣ ହେଉଛି ମୁକ୍ତ ବ୍ୟାଙ୍କିଙ୍ଗର ଏକ ପରିପ୍ରକାଶ । ଏହାଦ୍ୱାରା ଜନସାଧାରଣ ଅଧିକ ଆର୍ଥିକ ଉତ୍ପାଦ ଓ ସେବା ପାଇପାରିବେ । ବ୍ୟାବହାରିକ ରୂପରେ, ପିଏମଜେଡିୱାଇ ମହିଳାଙ୍କୁ ସେମାନଙ୍କର ନିଜସ୍ୱ ବ୍ୟାଙ୍କ ଖାତା ଏବଂ ସେଥିରେ ଟଙ୍କା ଦେଇ ସେମାନଙ୍କୁ ସଶକ୍ତ କରିଛି । ଏହି ଆର୍ଥିକ ସ୍ୱାଧୀନତାର ଆକଳନ କରିବା କଷ୍ଟକର, କିନ୍ତୁ ଏହା ଗୁରୁତ୍ୱପୂର୍ଣ୍ଣ । ଭାରତରେ ମହିଳାମାନଙ୍କର ସାଧାରଣତଃ ଅଧିକ ସଞ୍ଚୟ କ୍ଷମତା ଥାଏ ଏବଂ ସମୟ କ୍ରମେ ଏହାଦ୍ୱାରା ପରିବାରଗୁଡ଼ିକ ପାଇଁ ଆର୍ଥିକ ନିରାପତ୍ତା ବୃଦ୍ଧି ପାଇପାରେ ତଥା ଜାତୀୟ ସଞ୍ଚୟ ହାର ବଢ଼ିପାରେ । ଏହାବ୍ୟତୀତ ଏହା ଦେଶରେ ମହିଳା ଉଦ୍ୟୋଗକୁ ପ୍ରୋତ୍ସାହିତ କରିପାରିବ ।
ଷ୍ଟାର୍ଟଅପ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ସରକାରୀ ପଦକ୍ଷେପ ଷ୍ଟାର୍ଟ-ଅପ୍ ଇଣ୍ଡିଆ ଏବଂ ମହିଳା ଓ ଏସସି/ଏସଟି ସମ୍ପ୍ରଦାୟ ମଧ୍ୟରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଯୋଜନା ଷ୍ଟାଣ୍ଡ-ଅପ୍ ଇଣ୍ଡିଆ ମାଧ୍ୟମରେ ଉଦ୍ୟୋଗର ଲହରରେ ମହିଳାଙ୍କ ଅଂଶଗ୍ରହଣ ବେଶ୍ ଉତ୍ସାହଜନକ ରହିଛି । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରାୟ ୬୮ ପ୍ରତିଶତ ଋଣ ମଞ୍ଜୁର କରାଯାଇଛି ଏବଂ ମେ ୨୦୨୪ ସୁଦ୍ଧା ଷ୍ଟାଣ୍ଡ-ଅପ୍ ଇଣ୍ଡିଆ ଅଧୀନରେ ୭୭.୭ ପ୍ରତିଶତ ହିତାଧିକାରୀ ହେଉଛନ୍ତି ମହିଳା । ପିଏମଜେଡିୱାଇ ଆକାଉଣ୍ଟଗୁଡିକ ମହିଳାମାନଙ୍କୁ ସଶକ୍ତ କରିଛି ଏବଂ ସେମାନଙ୍କୁ ସ୍ୱରୋଜଗାରକ୍ଷମ କରିବା ଓ ଉଦ୍ୟୋଗ କ୍ଷେତ୍ରରେ ପ୍ରବେଶ କରିବାରେ ସହାୟକ ହୋଇଛି ବୋଲି ଧାରଣା ବାସ୍ତବବାଦୀ । ପିଏମଜେଡିୱାଇ ଖାତାଧାରକ ହିତାଧିକାରୀଙ୍କୁ ଦେଇଥିବା ବ୍ୟାପକ ଲାଭ ପ୍ରତି ଦୃଷ୍ଟି ଦେଲେ, ଯଥେଷ୍ଟ ତଥ୍ୟଭିତ୍ତିକ ପ୍ରମାଣ ମିଳିଥାଏ । ସୁତରାଂ, ଯଦି ପିଏମ୍ଜେଡିୱାଇ ଆରମ୍ଭ କରିବାର ଦୂରଦୃଷ୍ଟିପୂର୍ଣ୍ଣ ନିଷ୍ପତ୍ତି ନିଆଯାଇନଥାନ୍ତା ଏବଂ ଏହାକୁ ଖୁବ୍ କମ୍ ସମୟ ମଧ୍ୟରେ ସଫଳତାପୂର୍ବକ କାର୍ଯ୍ୟକାରୀ କରାଯାଇନଥାନ୍ତା, ତାହେଲେ ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ବିକାଶ ଉପଲବ୍ଧି ବର୍ତ୍ତମାନ ଠାରୁ ଯଥେଷ୍ଟ କମ୍ ହୋଇଥାନ୍ତା ।