ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଗୁରୁଜୀଙ୍କୁ ଗୁରୁ ଦାୟିତ୍ୱ...

ଜୁଲାଇ କି ଅଗଷ୍ଟ ହେବ! ବର୍ଷା ଦିନ । ସମୟ ସକାଳ ୯ଟା ପଇଁଚାଳିଶ । ମୋହନ ଗୁରୁଜୀ ତରତରରେ ବାହାରିଥାନ୍ତି ସରସ୍ୱତୀ ଶିଶୁ ମନ୍ଦିରକୁ । ଘର ଶିଶୁମନ୍ଦିର ଝୁମ୍ପୁରାଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ରାଇକଳା । ଏଇମାତ୍ର ବର୍ଷେ କି ଦେଢ଼ବର୍ଷ ହେବ ସେ ସେଠି ଆରମ୍ଭ କରିଛନ୍ତି ଶିକ୍ଷକତା । 

ଶିଶୁ ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ନିୟମ କରିଥାନ୍ତି ଯେ, ବିଦ୍ୟାଳୟ ଆରମ୍ଭ ହେବାର ଅତି କମ୍‌ରେ ପନ୍ଦର ମିନିଟ ପୂର୍ବରୁ ସମସ୍ତେ ଯେପରି ଆସି ବିଦ୍ୟାଳୟରେ ଉପସ୍ଥିତ ରହିବେ । ମାତ୍ର ସେଦିନ ମୋହନ ଗୁରୁଜୀ ବିଦ୍ୟାଳୟରେ ପହଞ୍ଚିବା ବେଳକୁ ପ୍ରାୟ ଦଶଟା ବାଜି ସାରିଥିଲା । ସ୍ୱାଭାବିକ ଭାବରେ ପ୍ରଧାନ ଆଚାର୍ଯ୍ୟଙ୍କ ନିକଟରୁ ମୋହନ ଗୁରୁଜୀଙ୍କୁ ଡାକରା ଆସିଲା । ମୋହନ ଗୁରୁଜୀ କାହିଁକି ବିଳମ୍ବ ହେଲା ତାର କାରଣ କହିବେ, ନକହିବେ ଏଇ ଦ୍ୱନ୍ଦ୍ୱରେ ରହିଥାନ୍ତି । ଶେଷକୁ ଭାବିଲେ, ଯାହା ବି ହେଉନା କାହିଁକି, ସତକଥା କହିଦେବି । ତେଣିକି ତାଙ୍କ ଇଚ୍ଛା ।

ଏଇଆ ଭାବି ପ୍ରଧାନ ଆଚାର୍ଯ୍ୟଙ୍କ କୋଠରିକୁ ପ୍ରବେଶ କଲେ । ହଠାତ୍‌ ପୁରଜିତ ଗୁରୁଜୀଙ୍କ ଗୁରୁଗମ୍ଭୀର ଶବ୍ଦରେ ଚମକି ପଡ଼ି ପ୍ରକୃତିସ୍ଥ ହେଲେ ମୋହନ । "କାହିଁକି ଆଜି ବିଳମ୍ବ ହେଲା ଗୁରୁଜୀ?' ପଚାରି ବସିଲେ ପ୍ରଧାନ ଆଚାର୍ଯ୍ୟ । ନିରବ ରହିଲେ ମୋହନ । "ମୁଁ କ’ଣ ପଚାରୁଛି ପରା!' ଧୀର ଅଥଚ ନମ୍ର ଭାବରେ ମୋହନ ବିଳମ୍ବର କାରଣ ଯାହା କହିଲେ ସେକଥା ଶୁଣି ପ୍ରଧାନ ଆଚାର୍ଯ୍ୟ ପୁରଜିତ ମୁନିଙ୍କ କଠୋର ହୃଦୟ ମଧ୍ୟ ତରଳିଗଲା । 

କହିବା ବାହୁଲ୍ୟ, ମୋହନଙ୍କ ପରିବାର ଥିଲେ ଖୁବ୍‌ ଗରିବ । ଏତେ ଗରିବ ଯେ, ବର୍ଷାଦିନ ପାଇଁ ଜାଳକାଠ ରଖିବାକୁ ମଧ୍ୟ ତାଙ୍କ ଘରେ ଥିଲା ସ୍ଥାନାଭାବ । ଘଟଣାଦିନ ପୂର୍ବ ରାତିଠାରୁ ସ୍ଥାନୀୟ ଅଞ୍ଚଳରେ ଢାଳୁଥିଲା ଲଗାଣ ବର୍ଷା । ଜାଳକାଠ ସବୁ ଓଦା ହୋଇଯାଇଥିଲା । ତାକୁ ଶୁଖାଇ ସେଥିରେ ରୋଷେଇ କରି ଛଅ ପ୍ରାଣୀ କୁଟୁମ୍ବଙ୍କୁ ଖାଇବାକୁ ଦେବା କିଛି ସହଜ ନଥିଲା ମୋହନଙ୍କ ମାଆଙ୍କ ପାଇଁ । ଘରର ବଡ଼ପୁଅ ହିସାବରେ ମାଆଙ୍କୁ ରୋଷେଇରେ ସାହାଯ୍ୟ କରୁଥିଲେ ମୋହନ । ତାହା ହିଁ ବିଳମ୍ବର କାରଣ । ହୁଏତ ଅନ୍ୟ କେହି ହୋଇଥିଲେ ସେ ଦିନଟି ଛୁଟିନେଇ ଘରେ ରହିଯାଇଥାନ୍ତା । ମାତ୍ର କର୍ମମୟ ଜୀବନରେ ଦିନଟିଏ ମଧ୍ୟ ଛୁଟି ନେଇନଥିବା ମୋହନ ଏଥିରେ ବ୍ୟତିକ୍ରମ କରିଥାନ୍ତେ ବା କିପରି?

ସେଦିନର ସେହି ମୋହନ ଗୁରୁଜୀ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ । ମୋହନ ଚରଣ ମାଝୀ । ବାସ୍ତବରେ ମୋହନ ମାଝୀ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ । ଆଜି ମଧ୍ୟ ନିଜ ଅଞ୍ଚଳରେ ସିଏ କାହାପାଇଁ ମୋହନ ଗୁରୁଜୀ ତ ଆଉ କାହାପାଇଁ ମୋହନ ଭାଇ ।

ଲୋକଙ୍କ ମୁଖ୍ୟମନ୍ତ୍ରୀ ଆଖ୍ୟା ପାଇଥିବା ମୋହନ ଚରଣ ମାଝୀ ଆନନ୍ଦପୁର କଲେଜରେ ଯୁକ୍ତଦୁଇ ପଢ଼ିବା ସମୟର ଆଉ ଏକ ଘଟଣା । ସେ କଲେଜର ଟିଆରଡବ୍ଲ୍ୟୁଏସ୍‌ ହଷ୍ଟେଲରେ ରହି ପଢୁଥିଲେ । ରାଇକଳା ଗ୍ରାମ ନିକଟସ୍ଥ ତେରଣ୍ଟି ଗ୍ରାମର ବିବେକାନନ୍ଦ ମହାନ୍ତ ନାମକ ଜଣେ ଛାତ୍ର ମାଟ୍ରିକ୍‌ ପାସ୍‌ କରି କଲେଜରେ ପଢ଼ିବାକୁ ଯାଉଥାନ୍ତି । ରାଇକଳା ଗ୍ରାମର ଲୋଚନ ମହାନ୍ତ ନାମକ ତାଙ୍କର ଜଣେ ଶିକ୍ଷକ ତାଙ୍କୁ ମୋହନଙ୍କ ଠିକଣା ଦେବା ସହ ତାଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ବିବେକାନନ୍ଦଙ୍କୁ ଧରାଇଦେଲେ । ସେ ଆନନ୍ଦପୁରରେ ପହଞ୍ଚି ମୋହନଙ୍କୁ ଖୋଜି ଖୋଜି ତାଙ୍କ ହଷ୍ଟେଲରେ ଉକ୍ତ ଚିଠିଟି ନେଇ ଦେଲେ । ଲୋଚନ ସାର୍‌ଙ୍କ ଚିଠି ପଢ଼ି ମୋହନ ଖୁବ୍‌ ଆନନ୍ଦିତ ହୋଇଗଲେ । ବିବେକାନନ୍ଦ କହନ୍ତି- ମୋତେ ମୋହନ ଭାଇ ତାଙ୍କ ସହ ହଷ୍ଟେଲରେ ରଖାଇଲେ । ବିଳମ୍ବରେ ପହଞ୍ଚିଥିବାରୁ ସେ ଦିନ ଆଉ ଫର୍ମ ପକାଇବା ହୋଇପାରିଲା ନାହିଁ । ସନ୍ଧ୍ୟାବେଳେ ମୋହନ ଭାଇ କହିଲେ- ଚାଲ ଆଜି ସିନେମା ଦେଖିବାକୁ ଯିବା । ସିନେମା ଦେଖି ଆସିବା ବାଟରେ ଏକ ଝୁମ୍ପୁଡ଼ି ହୋଟେଲରେ ଖାଇସାରି ଫେରିଲୁ । ରାତିରେ ହଠାତ୍‌ ପ୍ରବଳ ବର୍ଷା ଆରମ୍ଭ ହେଲା । ଟିଆରଡବ୍ଲ୍ୟୁଏସ୍‌ ହଷ୍ଟେଲର ସେହି ଛାତରୁ ପାଣି ଗଳିବା ଆରମ୍ଭ ହେଲା । ଏତେ ଜୋରରେ ପାଣି ଗଳିଲା ଯେ, ଆମେ ତଳେ ଥିବା ତାଙ୍କ ବାକ୍ସ ଓ ବହିପତ୍ର ଇତ୍ୟାଦି ଉଠାଇ ବିଛଣାରେ ରଖିଲୁ । ଅବଶିଷ୍ଟ ରାତି ଆଉ ଶୋଇବା ସମ୍ଭବ ହେଲାନାହିଁ ।

ଆଉ ଥରକର କଥା । ସେଦିନଟି ଥାଏ ରଜ ସଂକ୍ରାନ୍ତି । ସମସ୍ତଙ୍କ ଘରେ ଉତ୍ସବର ପରିବେଶ । ହେଲେ ରାଇକଳା ଗାଁରେ ପିଲାଙ୍କ ମଧ୍ୟରେ ଭାଳେଣି ପଡ଼ିଛି । କାରଣ ଆଗକୁ ପ୍ରସ୍ତାବିତ ଯୁବକ ସଂଘର ପଞ୍ଜୀକରଣ ହେବ । କେମିତି ହେବ ପଞ୍ଜୀକରଣ? ପାଖରେ ଅର୍ଥ ନାହିଁ । ଏହାର ଉଦ୍ୟୋକ୍ତା ମୋହନଙ୍କ ମୁହଁରେ ଚିନ୍ତାର ରେଖା ସ୍ପଷ୍ଟ । ଏପରି ସମୟରେ ଯେମିତି ଭଗବାନ ସାହା ହେଲେ । ଗାଁ ମୁଣ୍ଡ ପଞ୍ଚାୟତ ଅଫିସ ନିକଟରେ କ୍ଷେତ୍ରମୋହନ ମହାନ୍ତଙ୍କ ଘର । ସେ ଗୃହ ନିର୍ମାଣ ପାଇଁ ପାଖ ପଡ଼ିଆରେ ଏକ ଇଟାଭାଟି ଦେଇଥିଲେ । ସେ ଗାଁ'ର ପିଲାମାନଙ୍କୁ କହିଲେ, ଇଟାତକ ଆମ ଘର ନିକଟକୁ ବୋହିଦେଲେ ମୁଁ କିଛି ଅର୍ଥ ଦେବି । ବାସ୍‌, ମୋହନଙ୍କୁ ହଜାଇଥିବା ଲଉଡ଼ିଟି ମିଳିଗଲା ସତେଯେମିତି ।

ଗାଁ' ପିଲାଙ୍କ ମଧ୍ୟରୁ ଅନେକେ ମୋହନଙ୍କ ପାଖରେ ପାଠ ପଢ଼ି ମଣିଷ ହୋଇଛନ୍ତି । ତେଣୁ ସେମାନଙ୍କ ପାଇଁ ତାଙ୍କ ଆଜ୍ଞା ଶିରୋଧାର୍ଯ୍ୟ । ଅତଏବ ସମସ୍ତ ଛାତ୍ର ଯୁବକଙ୍କୁ ଏକାଠି କରି ପଡ଼ିଆର ଗୋଟିଏ ମୁଣ୍ଡରୁ କ୍ଷେତ୍ରମୋହନଙ୍କ ଘର ପର୍ଯ୍ୟନ୍ତ ଧାଡ଼ିକରି ଛିଡ଼ା କରାଇଲେ ମୋହନ । ଏହାପରେ ଗୋଟିଏ ମୁଣ୍ଡରୁ ଇଟାଭାଟି ପାଖରୁ ହାତକୁ ହାତ କରି ବୁହାଚାଲିଲା ଇଟା । ପିଲାଙ୍କ ପରିଶ୍ରମ ଲାଘବ କରିବାକୁ ମୋହନ ମଝିରେ ମଝିରେ "ରଜ ଦୋଳି କଟମଟ' ଗୀତ ଗାଇ ଦେଉଥାନ୍ତି । ଇଟାବୁହା କାମ ସରିଲା । ଆଉ ତା' ବାବଦକୁ ମିଳିଥିବା ପାଉଣାରେ ଯୁବକ ସଂଘର ପଞ୍ଜୀକରଣ ମଧ୍ୟ ହେଲା । ମୋହନଙ୍କ ମାନସ ସନ୍ତାନ ଏହି ଯୁବକ ସଂଘଟିର ନାଁ ରହିଲା "ଯୁବଜ୍ୟୋତି ଯୁବକ ସଂଘ ।' ତରଣୀସେନ ମହାନ୍ତ ଥିଲେ କ୍ଲବ୍‌ ସଭାପତି । ଆଉ ମୋହନ ସାଧାରଣ ସମ୍ପାଦକ । ମୋହନ ଥିଲେ ଅତ୍ୟନ୍ତ ଫୁଟବଲ୍‌ ପ୍ରିୟ । ସେଥିପାଇଁ ଗାଁ'ରେ ଏକ ଫୁଟବଲ୍‌ କ୍ଲବ୍‌ ମଧ୍ୟ ଗଢ଼ାଗଲା । ନାଁ ରହିଲା "ରାଇଜିଂ ଷ୍ଟାର୍‌ ଫୁଟବଲ୍‌ କ୍ଲବ୍‌ ।' ଆଖପାଖର ପ୍ରାୟ ସମସ୍ତ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ ସେହି କ୍ଲବ୍‌ ନିଜର ଉପସ୍ଥିତି ଜାହିର କଲା । କ୍ଲବ୍‌ ସଭାପତି ଭାବରେ ବଢ଼ିଥିଲା ମୋହନଙ୍କ ଖ୍ୟାତି । 

ଆଜି ଗୁରୁଦିବସ ଅବସରରେ ଏକଥା ଲେଖିବାର ଉଦ୍ଦେଶ୍ୟ, ରାଜ୍ୟର ସମସ୍ତ ଶିକ୍ଷକ ଓ ଛାତ୍ରସମାଜ "ଲୋକପ୍ରିୟ ମୁଖ୍ୟମନ୍ତ୍ରୀ'ଙ୍କ ଜୀବନର ଅନାଲୋଚିତ ଅଧ୍ୟାୟ ସମ୍ପର୍କରେ ଜାଣିବା କଥା । ତା'ହେଲେ ସେମାନଙ୍କୁ ପ୍ରେରଣା ମିଳିବ, ଅନ୍ୟମାନଙ୍କୁ ବି ପ୍ରେରଣା ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.