‘ଯାବତ୍ ଜୀବେତ୍ ସୁଖମ୍ ଜୀବେତ୍/ ଋଣମ୍ କୃତ୍ୱା ଘୃତମ୍ ପିବେତ୍' । ଦୁର୍ଲ୍ଲଭ ମାନବ ଜନ୍ମର ମୃତ୍ୟୁ ପରେ ଜୀବନ ନାହିଁ । ଯେତେ ଦିନ ଥିବ ଖାଇ ପିଇ ଭଲରେ ଥିବା । ବିଳାସରେ ଚଳିବାକୁ ସମ୍ବଳ ନଥିଲେ ଉଦ୍ଧାର ଆଣି ମଉଜ କରି ଜୀବନ କାଟିବା । ଆୟ ଭିତରେ ବ୍ୟୟକୁ ସୀମିତ ନରଖି ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ କରଜ କରିବାର ଇଚ୍ଛାକୁ ଲକ୍ଷ୍ୟ କରି ଋଷି ଚାର୍ବାକ୍ଙ୍କର ଏହି ଉକ୍ତିଟି ଭାରତରେ ବହୁଳ ବ୍ୟବହୃତ । ଆଜିକାଲି ଲୋକେ ଏହି ଆଦର୍ଶରେ ଅନୁପ୍ରାଣିତ । ଶିକ୍ଷା, ବ୍ୟବସାୟ, ଯାନବାହନ, ଘର ଇତ୍ୟାଦି ପାଇଁ ସହଜରେ ଋଣ ମିଳିଯାଉଛି । ଖାଲି ନାଗରିକ ଓ ଛୋଟବଡ଼ ବ୍ୟବସାୟୀ ନୁହଁନ୍ତି, ଋଣପ୍ରେମରୁ ସରକାର ମଧ୍ୟ ବାଦ୍ ପଡ଼ିନାହାନ୍ତି । ଉଭୟ ଦେଶ ବାହାରୁ ଏବଂ ଦେଶ ଭିତରୁ ଉଠାଉଥିବା କରଜ ସରକାରୀ ଋଣ ଭାବରେ ଜଣା । କେବଳ ଭାରତ ନୁହେଁ, ବିଶ୍ୱର ପ୍ରାୟ ସବୁ ଦେଶ ଋଣଭାରରେ ଭାରାକ୍ରାନ୍ତ ।
୧୯୬୭ ଡଲାର ବା ୧,୬୪,୮୫୫ ଟଙ୍କା ପ୍ରତି ଭାରତୀୟ ଉପରେ ଋଣ । ବିଗତ ସାତବର୍ଷରେ ଭାରତର ଋଣଭାର ଦୁଇ ଗୁଣ ହୋଇଛି ଏବଂ ଏହା ପ୍ରତିବର୍ଷ ବଢ଼ି ଚାଲିଛି । ସଂସଦରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସରକାର ଏହା କହିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତ ଉପରେ ୧୮୫ଲକ୍ଷ କୋଟି ଟଙ୍କାର ଋଣବୋଝ ଅନୁମାନ କରାଯାଏ । ଭାରତର ଋଣ ମୋଟ୍ ଘରୋଇ ଉତ୍ପାଦ(ଜିଡିପି)ର ଅନୁପାତ ୨୦୨୪-୨୫ ବର୍ଷ ଶେଷ ସୁଦ୍ଧା ୮୭.୫% ହେବାର ସମ୍ଭାବନା ରହିଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏହା ଶତକଡ଼ା ଶହେ ଗୁଣ ହେବାର ଆଶଙ୍କା ବ୍ୟକ୍ତ କରିଛନ୍ତି ।
ଗତ ଶତାବ୍ଦୀର ଅଶି ଦଶକରୁ ଭାରତର ରାଜସ୍ୱ ନିଅଣ୍ଟ ପରିମାଣ ଲଗାତାର ବଢୁଛି । ସରଳ ଭାଷାରେ କହିଲେ ରାଜସ୍ୱ ନିଅଣ୍ଟର ଅର୍ଥ ସରକାରଙ୍କ ଆୟ ତୁଳନାରେ ବ୍ୟୟ ଅଧିକ । ସାମ୍ବିଧାନିକ ବ୍ୟବସ୍ଥାରେ ବନ୍ଧା ଏକ ଲୋକତାନ୍ତ୍ରିକ ସରକାର ଯେତେବେଳେ ଚାହିଁବେ ଯେକୌଣସି ସ୍ରୋତରୁ ସମ୍ବଳ ସଂଗ୍ରହ କରିପାରିବେ ନାହିଁ । ତେଣୁ ଖର୍ଚ୍ଚ ତୁଲାଇବା ପାଇଁ ଋଣ ହିଁ ଏକମାତ୍ର ବିକଳ୍ପ । ୨୦୨୪-୨୫ ଆର୍ଥକ ବର୍ଷରେ ରାଜସ୍ୱ ନିଅଣ୍ଟକୁ ମୋଟ୍ ଘରୋଇ ଉତ୍ପାଦର ୪.୯ ପ୍ରତିଶତରେ ସୀମିତ ରଖିବାକୁ ବଜେଟରେ ସ୍ଥିର କରାଯାଇଛି । ଋଣ ଉପରେ ସୁଧ ଏକ ବଡ଼ ଖର୍ଚ୍ଚ ଯାହା ଦିନକୁ ଦିନ ବଢ଼ିଚାଲିଛି । ସୁଧ ଶୁଝିବା ପାଇଁ ପୁଣି ଋଣ- ଏହିପରି ଦେଶ ଋଣର ଚକ୍ରବ୍ୟୂହ ଭିତରେ ପଡ଼ିଯାଏ । ଅଧିକ ଋଣ ଯୋଗୁଁ ଭାରତକୁ ବର୍ତ୍ତମାନ ଅଧିକ ସୁଧ ଦେବାକୁ ପଡୁଛି । ୨୦୨୪-୨୫ ଆର୍ଥିକ ବର୍ଷରେ ସୁଧ ବାବଦକୁ ୧୧,୯୦,୪୪୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି, ଯାହା ମୋଟ୍ ବ୍ୟୟର ୨୫ ପ୍ରତିଶତ ବା ଏକ-ଚତୁର୍ଥାଂଶ । ପୁଞ୍ଜିନିର୍ମାଣ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପରି ଅତ୍ୟାବଶ୍ୟକ ସେବା ପାଇଁ ବ୍ୟୟବରାଦ ଠାରୁ ମଧ୍ୟ ସୁଧ ପରିମାଣ ଅଧିକ । ଏଥିରୁ ଋଣର ଭାର ସହଜରେ ଅନୁମେୟ ।
ସରକାର ଋଣ କରିବାର ଦୁଇଟି ମୁଖ୍ୟ କାରଣ ହେଉଛି- ଦେଶର ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ ଏବଂ ସାମାଜିକ କଲ୍ୟାଣ ଯୋଜନା । ବିଗତ ସାତବର୍ଷରେ ନାସନାଲ ଇନ୍ଫ୍ରାଷ୍ଟ୍ରକ୍ଚର୍ ପାଇପ୍ ଲାଇନ୍, ଭାରତମାଳା, ସ୍ମାର୍ଟ ସିଟି, ଗତିଶକ୍ତି ଇତ୍ୟାଦି ଦୀର୍ଘମିଆଦୀ ଭିତ୍ତିଭୂମି ବିକାଶ ଯୋଜନା ତଥା ୨୦୭୦ ମସିହା ସୁଦ୍ଧା ଶୂନ୍ୟ ଅଙ୍ଗରକାମ୍ଳ ନିର୍ଗମାନ ପାଇଁ ବିଶ୍ୱକୁ ଦେଇଥିବା ପ୍ରତିବଦ୍ଧତାକୁ ପୂରଣ କରିବା ପାଇଁ ଅଣପାରମ୍ପରିକ ଶକ୍ତି ଉତ୍ପାଦନ ଓ ବ୍ୟବହାର ପାଇଁ ବିଭିନ୍ନ ପ୍ରକଳ୍ପ ଉପରେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଭିତ୍ତିଭୂମିର ବିକାଶ ସ୍ଥାୟୀ ପୁଞ୍ଜି ଏବଂ ନିଯୁକ୍ତି ସୃଷ୍ଟି କରେ । ରାସ୍ତାଘାଟ, ପୋଲ, ପୋତାଶ୍ରୟ, ବିମାନବନ୍ଦର ଆଦି ନିର୍ମାଣ ହେବାଦ୍ୱାରା ସ୍ଥାନମାନଙ୍କୁ ଦୂରତା ଓ ସମୟ କମିଯିବାରୁ ଗମନାଗମନ, ପରିବହନ, ପର୍ଯ୍ୟଟନ, ଚାହିଦା, ଉତ୍ପାଦନ, ଯୋଗାଣ ଇତ୍ୟାଦିକୁ ପ୍ରୋତ୍ସାହନ ମିଳିଥାଏ, ଦେଶର ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇଥାଏ । ଜୀବାଶ୍ମ ଇନ୍ଧନର ବ୍ୟବହାର କମିବା ଦ୍ୱାରା ଆମଦାନୀ କମି ଦେଶର ବୈଦେଶିକ ମୁଦ୍ରା ଖର୍ଚ୍ଚ ହ୍ରାସ ପାଏ ଏବଂ ଅଙ୍ଗାରକାମ୍ଳ ନିର୍ଗମନ କମ୍ ହେବା ଯୋଗୁଁ ପ୍ରଦୂଷଣ କମ୍ ହୁଏ ।
ସମ୍ବିଧାନର ଧାରା-୩୮ଭାରତକୁ ଏକ ଜନମଙ୍ଗଳ ରାଷ୍ଟ୍ର ଭାବରେ ଘୋଷଣା କରିଥିବାରୁ ଲୋକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ବାସଗୃହ, ପାନୀୟଜଳ ଇତ୍ୟାଦି ସାମାଜିକ ସୁରକ୍ଷା ଯୋଗେଇବା ରାଷ୍ଟ୍ରର କର୍ତ୍ତବ୍ୟ । ସେଥିପାଇଁ ଆବଶ୍ୟକ ପର୍ଯ୍ୟାପ୍ତ ପାଣ୍ଠି ଯାହା ରାଜସ୍ୱ ଆୟ ପୂରଣ କରିପାରିନଥାଏ । ଦେଶରେ ଦୁର୍ନୀତି ଓ କଳାଧନ ରୋକିବା ଉଦ୍ଦେଶ୍ୟରେ ୨୦୧୬ ମସିହାରେ ବିମୁଦ୍ରାୟନ କରାଯାଇଥିଲା । କିନ୍ତୁ ସେ ଉଦ୍ଦେଶ୍ୟ ପୂରଣ ହୋଇନଥିଲା ବରଂ ଭାରତୀୟ ଅର୍ଥନୀତି ପ୍ରଭୂତ କ୍ଷତିର ସମ୍ମୁଖୀନ ହେଲା, ଆର୍ଥିକ ବିକାଶ ବାଧାପ୍ରାପ୍ତ ହୋଇଥିଲା । ଏହାପରେ ୨୦୨୦ ମସିହାରେ କରୋନା ମହାମାରୀ ଭାରତର ଅର୍ଥନୀତିକୁ ଦୋହଲାଇ ଦେଇଥିଲା । ଦେଶ ପନ୍ଦରବର୍ଷ ତଳକୁ ଖସିଗଲା ବୋଲି ଅର୍ଥନୀତିଜ୍ଞଙ୍କ ମତ । ଦେଶର ଶିଳ୍ପ ଓ ଉତ୍ପାଦନକୁ ପୁଣିଥରେ ବାଟକୁ ଆଣି ଅର୍ଥନୀତିକୁ ବିକାଶ ପଥରେ ନେବାକୁ କରଜ କରିବାକୁ ପଡ଼ିଲା ।
ଋଣ ଅଧିକ ହେଲେ ଦେଶର କ୍ରେଡିଟ୍ ରେଟିଙ୍ଗ୍ କମିଯାଏ । ଅନ୍ତର୍ଜାତୀୟ ସଂସ୍ଥା କରୁଥିବା ଋଣ ପରିଶାଧ କ୍ଷମତାର ମୂଲ୍ୟାଙ୍କନରେ ଦେଶ ତଳକୁ ଖସିଯିବା ଫଳରେ ଭବିଷ୍ୟତରେ ଋଣ ମିଳିବା କଷ୍ଟ ହୁଏ । ଋଣାଧିକ୍ୟ ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରେ । ଋଣଦାତା ଅନ୍ତଃରାଷ୍ଟ୍ରୀୟ ସଂସ୍ଥା ଏବଂ ଦେଶମାନେ ନିଜର ବିଭିନ୍ନ ସର୍ତ୍ତ ପାଳନ ପାଇଁ ଚାପ ସୃଷ୍ଟି କରନ୍ତି, ଯାହା ଦେଶର ଆଭ୍ୟନ୍ତରୀଣ ପରିସ୍ଥିତିରେ ସଂକଟ ସୃଷ୍ଟି କରେ । ପାକିସ୍ତାନ ଏହାର ସଦ୍ୟ ଓ ନିକଟତମ ଉଦାହରଣ । ଅନେକ ସମୟରେ ସର୍ତ୍ତପାଳନ ଏବଂ ଋଣ ବା ସୁଧ ପରିଶୋଧରେ ଖିଲାପ ହେଲେ ଋଣ କିସ୍ତି ବନ୍ଦ ହୋଇଯିବା ଫଳରେ ଚାଲୁଥିବା ପ୍ରକଳ୍ପ ଅଧାରେ ଅଟକିଯାଏ । ଋଣ ଦେଇଥିବା ଦେଶର ଆର୍ଥିକ ଓ ରାଜନୈତିକ ପରିସ୍ଥିତିର ପ୍ରଭାବ ମଧ୍ୟ ଋଣୀ ଦେଶ ଉପରେ ପଡ଼ିଥାଏ । ଆମେରିକା ଏକପ୍ରକାର ପୃଥିବୀର ଅର୍ଥନୀତିକୁ ନିୟନ୍ତ୍ରଣ କରୁଥିବାରୁ କୁହାଯାଏ, ଆମେରିକା ଛିଙ୍କିଲେ ସାରା ବିଶ୍ୱକୁ ଥଣ୍ଡା ଧରେ ।
ଋଣ ଆଣି ଦେଶରେ ସରକାରୀ ଖର୍ଚ୍ଚ ବଢ଼ିଲେ ଅର୍ଥଚକ୍ରରେ ଅଧିକ ଅର୍ଥ ଉପଲବ୍ଧ ହୁଏ । ଲୋକଙ୍କର ଜିନିଷ ପାଇଁ ଚାହିଦା ବୃଦ୍ଧି ହୁଏ । ଯୋଗାଣ ଏକ ସମୟସାପେକ୍ଷ ପ୍ରକ୍ରିୟା ହୋଇଥିବାରୁ ଚାହିଦାକୁ ତାଳ ଦେଇପାରେନି । ଫଳରେ ମୁଦ୍ରାସ୍ଫୀତି ବଢ଼େ, ଟଙ୍କାର ମୂଲ୍ୟ କମେ । ମୁଦ୍ରାସ୍ଫୀତି ଲୋକଙ୍କର କ୍ରୟଶକ୍ତି ହ୍ରାସ କରେ । ତେଣୁ ଲୋକମାନଙ୍କର ଜୀବନଧାରଣର ମାନ କମିଯାଏ । ଏହାଦ୍ୱାରା ନିମ୍ନ ମଧ୍ୟବିତ୍ତ ଓ ଗରିବ ଲୋକ ବେଶୀ ପ୍ରଭାବିତ ହୁଅନ୍ତି ।
ଋଣଭାର ହ୍ରାସ କରିବାର ଏକମାତ୍ର ବିକଳ୍ପ ହେଉଛି ଦେଶର ନିଜସ୍ୱ ଆୟ ବୃଦ୍ଧି । ଅର୍ଥାତ୍ ଅଧିକ କର ଆଦାୟ । ଭାରତରେ କର ବ୍ୟବସ୍ଥାରେ ଅନେକ ଅସଂଗତି ପରିଲକ୍ଷିତ ହୁଏ । ଭାରତରେ କର ବ୍ୟବସ୍ଥା ପ୍ରଗତିଶୀଳ ବା ଅନୁଗାମୀ (ଆୟ ଅଧିକ, କର ଅଧିକ) ହେବା ପରିବର୍ତ୍ତେ ପ୍ରତିଗାମୀ (ଆୟ କମ୍, କର ଅଧିକ) । ଦେଶର ଜନସାଧାରଣଙ୍କ ମାତ୍ର ଦୁଇ ପ୍ରତିଶତରୁ କମ୍ ଲୋକ ପ୍ରତ୍ୟକ୍ଷ କର ଦିଅନ୍ତି । ପ୍ରତ୍ୟକ୍ଷ କରଦତା ଆୟକର ବାଦ୍ ବ୍ୟବହାର କରୁଥିବା ସବୁ ଜିନିଷ ଓ ସେବା ଉପରେ ଜି.ଏସ୍.ଟି. ଦିଅନ୍ତି । ତା' ସହିତ ପୌରସଂସ୍ଥା ଯୋଗାଉଥିବା ସେବା ଉପରେ ମଧ୍ୟ କର ଦେଇଥାନ୍ତି । ଅନେକ ଯୁକ୍ତି କରନ୍ତି ଚୀନ୍, ଆମେରିକା ଏବଂ ବିଶ୍ୱର ଅନେକ ଦେଶ ତୁଳନାରେ ଭାରତରେ କର କମ୍ । କିନ୍ତୁ ସେସବୁ ବିକାଶଶୀଳ ଦେଶରେ ଉନ୍ନତମାନର ସେବା ଆପେ ଆପେ ମିଳିଥାଏ ।
ଦେଶର ନିଜସ୍ୱ ଆୟ ବୃଦ୍ଧି ପାଇଁ କର ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆବଶ୍ୟକ । ସରକାର କେତେକ ସୁଧାର ଆଣିଛନ୍ତି । ଆହୁରି ବାକି ଅଛି । ଧନୀକଙ୍କ ଉପରେ କରଭାର ଅଧିକ ହେବା ଉଚିତ । ବଡ଼ ଚାଷୀଙ୍କୁ ଋଣ ଛାଡ଼ ଓ ସବ୍ସିଡି ପ୍ରତ୍ୟାହାର କରାଯିବା ଉଚିତ । ସର୍ବୋପରି ଟ୍ୟାକ୍ସ ଚୋରିକୁ ରୋକିବା ପାଇଁ ପ୍ରଚଳିତ ଆଇନକୁ କଡ଼ାକଡ଼ି କରାଯିବା ସହିତ କର ସଂଗ୍ରହରେ ହେଉଥିବା ଅତ୍ୟଧିକ ଖର୍ଚ୍ଚର ନିୟନ୍ତ୍ରଣ ହେବା ଆବଶ୍ୟକ । ଜି.ଏସ୍.ଟି. ଉପରେ ପୁନର୍ବିଚାର ଜରୁରି ବୋଲି ବିଶେଷଜ୍ଞ କହନ୍ତି । ଏସବୁ ହେଲେ କର ବ୍ୟବସ୍ଥାରେ ସୁଧାର ଆସିବା ସହିତ କର ଆଦାୟ ବୃଦ୍ଧିପାଇବ । ଦେଶର ଋଣବୋଝ ହାଲ୍କା କରିବାର ଅନ୍ୟ ଏକ ଉପାୟ କୋଟି କୋଟି ଲୋକଙ୍କୁ ମାଗଣା ଦ୍ରବ୍ୟ ଓ ସେବା ଯୋଗାଣ ବନ୍ଦ । ଭୋଟ ପାଇଁ ପ୍ରତିଯାଗିତାରେ ପରିଣତ ମାଗଣା ବଣ୍ଟନ ଯୋଗୁଁ ସରକାରୀ ତହବିଲରୁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବା ସହିତ ଲୋକ କର୍ମବିମୁଖ ହେଉଛନ୍ତି ।
ଭାରତରେ ଯୋଜନାର ସଫଳ ରୂପାୟନରେ ସବୁଠାରୁ ବଡ଼ ବାଧକ ଦୁର୍ନୀତି । ଦୃଢ଼ ଆର୍ଥିକ ପରିଚାଳନାର ଅଭାବ, ସଠିକ୍ ରୂପାୟନର ଏବଂ ସମୟ ଭିତରେ ପ୍ରକଳ୍ପ ନସରିଲେ ଖର୍ଚ୍ଚ ବଢ଼ିଯାଏ । ଏସବୁ ପ୍ରକ୍ରିୟା ଆବଣ୍ଟିତ ଅର୍ଥର ସୁବିନିଯୋଗ ନହୋଇ ବାଟମାରଣା ହୋଇଥାଏ । ଅନ୍ୟ ଏକ ଦିଗ ହେଉଛି ଥରେ ଋଣର ଅଭ୍ୟାସ ହେଲେ ଆତ୍ମନିର୍ଭଶୀଳତା ଓ ଖର୍ଚ୍ଚକାଟର ମାନସିକତା ଲୋପ ପାଏ । ଦୁର୍ନୀତିର ଲୋପ କେବଳ କଥାରେ ନୁହେଁ, କାମରେ ପ୍ରତିଫଳିତ ହେବା ଦରକାର । ଦେଶକୁ ବିକାଶ ପଥରେ ଆଗେଇ ନେଇ ଦେଶବାସୀଙ୍କୁ ସାମାଜିକ ଓ ଅର୍ଥନୈତିକ ନ୍ୟାୟ ପ୍ରଦାନ କରି ସ୍ୱାଧୀନତାର ଶହେ ବର୍ଷ³ ଅର୍ଥାତ୍ ୨୦୪୭ ମସିହା ବେଳକୁ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଋଣର ଆବଶ୍ୟକତା ଅନସ୍ୱୀକାର୍ଯ୍ୟ । କିନ୍ତୁ ତାହା ସୀମା ଭିତରେ ରହିବା ଉଚିତ, ଯେମିତି ଦେଶ ଦେବାଳିଆ ହୋଇନଯାଏ ।