ନୂଆଦିଲ୍ଲୀ: ପାକିସ୍ତାନର ଖାଇବର ପଖତୁନ ଅଞ୍ଚଳରେ ଏକ ମୋବାଇଲ୍ ପୋଲିସ ଭ୍ୟାନ ଉପରେ ଗ୍ରେନେଡ୍ ଦ୍ୱାରା ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ ହେବା ସହ ଜଣେ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ଦିନ ଏନେଇ ସ୍ଥାନିୟ ଗଣମାଧ୍ୟମରେ ସୂଚନା ପ୍ରକାଶ ପାଇଛି। କୋହାଟ ଜିଲ୍ଲାର ଶାଦିପୁର ଅଞ୍ଚଳରେ ଏହି ଆକ୍ରମଣ ହୋଇଥିବା ନେଇ ସୂଚନା ରହିଛି।
ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ପାଲଟା ଗୁଳିଚାଳନା କରିବାରୁ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଆକ୍ରମଣରେ ସାମିଲ ଥିବା ନେଇ ଅନେକ ଆତଙ୍କବାଦୀମାନଙ୍କୁ ଗିରଫ କରାଯାଇଛି ବୋଲି ଅଧିକାରୀମାନେ ସୂଚନା ପ୍ରଦାନ କରିଛନ୍ତି। ଗିରଫ ଆତଙ୍କବାଦୀଙ୍କଠାରୁ ଗ୍ରେନେଡ୍ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହି ଆକ୍ରମଣ ପଛରେ ଥିବା ଆତଙ୍କବାଦୀମାନଙ୍କ ବିଷୟରେ ଅଧିକ ସୂଚନା ସଂଗ୍ରହ କରିବା ପାଇଁ ଏକ ସର୍ଚ୍ଚ ଅପରେସନ୍ ଜାରି ରହିଛି ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି।
ସେହିପରି ଅନ୍ୟ ଏକ ଘଟଣାରେ, ଆତଙ୍କବାଦୀମାନେ ରାତିରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଛନ୍ତି। ଏହାର ଜବାବରେ ସୁରକ୍ଷା କର୍ମୀମାନେ ମଧ୍ୟ ଗୁଳିବିନିମୟ କରିଥିଲେ। ତେବେ ଏହି ଆକ୍ରମଣରେ ଚାରି ଜଣ ସୈନିକଙ୍କ ମୃତ୍ୟୁ ହୋଇଯାଇଛି।