କଟକ, ୨୩।୮: ସ୍ମାର୍ଟ୍ କ୍ଲାସରୁମ୍ରେ ଛାତ୍ରଛାତ୍ରୀଙ୍କ ସହ ପାଠ ପଢ଼ିଲେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କଟକ ସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପରିଦର୍ଶନ କରିଛନ୍ତି । ଏଥିସହ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଭେଟିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସ୍ମାର୍ଟ କ୍ଲାସରୁମ୍ରେ ପିଲାମାନଙ୍କ ସହ ବସି ପାଠପଢ଼ାର ଶୈଳୀ ଦେଖିବା ସହ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, “ଓଡ଼ିଶା ରାଜ୍ୟ ବୋର୍ଡ ବ୍ୟବସ୍ଥାରେ ଶିକ୍ଷା ପ୍ରଦାନ ପାଇଁ ଏକ ଆଦର୍ଶ ହାଇସ୍କୁଲ ଭାବରେ ବିକଶିତ ହୋଇଥିବା ଏହି ଅନୁଷ୍ଠାନର ଏକ ଅନନ୍ୟ ପରିଚୟ ରହିଛି । ବିଗତ ୬୬ ବର୍ଷ ଧରି ଏହି ବିଦ୍ୟାଳୟ ମଣିଷ ତିଆରି କାରଖାନାର ଏକ ପ୍ରୟୋଗଶାଳା ହୋଇଛି । ଆଜି ‘ଜାତୀୟ ମହାକାଶ ଦିବସ’ ଅବସରରେ ଏହି ଶିକ୍ଷାନୁଷ୍ଠାନକୁ ଆସିବା ଏବଂ ହାଇସ୍କୁଲର ହୀରକ ଜୟନ୍ତୀର ଏକ ଲୋଗୋ ଉନ୍ମୋଚନ କରିବା ମୋ ପାଇଁ ଗର୍ବର ବିଷୟ ।” ସେ ଆହୁରି କହିଛନ୍ତି ଯେ, ଏଠାରେ କାର୍ଯ୍ୟରତ ଶିକ୍ଷୟିତ୍ରୀମାନେ ପାଓ୍ୱାର ପଏଣ୍ଟ ଜରିଆରେ ଡିଜିଟାଲ କଣ୍ଟେଣ୍ ପ୍ରସ୍ତୁତ କରି ଯେଉଁ ଆଧୁନିକ ପଦ୍ଧତିରେ ଶିକ୍ଷା ପ୍ରଦାନ କରୁଛନ୍ତି, ତାହା ବେଶ୍ ପ୍ରଶଂସନୀୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ମାତୃଭାଷାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ ।
ଏହି ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ଶିକ୍ଷାନୁଷ୍ଠାନର ଐତିହ୍ୟ ଓ ବିଶେଷତାକୁ ବଜାୟ ରଖି ସ୍କୁଲ ପରିଚାଳନା ଉପରେ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ, ଏହି ଶିକ୍ଷାରୂପକ ମନ୍ଦିରର ଗୌରବ ବଢ଼ାଇବାରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଗଦାନ ଅତୁଳନୀୟ । ଓଡ଼ିଶାର ବହୁ ସୁନାମଧନ୍ୟ ବ୍ୟକ୍ତିବିଶେଷମାନେ ପାଠପଢ଼ି ଦେଶ ଏବଂ ଦେଶ ବାହାରେ ନିଜର ସୁନାମ ଅର୍ଜନ କରି ଏହାର ଗୌରବ ବଢ଼ାଇଛନ୍ତି । ଏହି ସ୍କୁଲର ଯତ୍ନ ନେବାକୁ ଆଗେଇ ଆସିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଥିଲେ ।