ପୁରୀ,୨୩/୮ : ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ର ସ୍ନାନବେଳେ ବୁଡ଼ିଯାଇ ଜଣେ ପର୍ଯ୍ୟଟକ ନିଖୋଜ । ସମୁଦ୍ରରେ ସ୍ନାନ କରୁଥିବା ସମୟରେ ସ୍ତ୍ରୀ ଓ ପୁଅ ସାମ୍ନାରେ ନିଖୋଜ ହୋଇଯାଇଛନ୍ତି ପର୍ଯ୍ୟଟକ । ନିଖୋଜ ପର୍ଯ୍ୟଟକ ଜଣକ ହେଉଛନ୍ତି ହାଇଦ୍ରାବାଦର ବିକାଶ ଚାନ୍ଦ । ଚୈତନ୍ୟ ଛକ ସମୁଦ୍ର କୂଳରେ ଘଟିଛି ଏଭଳି ଘଟଣା । ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି।
ସୂଚନା ଅନୁଯାୟୀ ବିକାଶ ତାଙ୍କ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ । ଆଜି ଚୈତନ୍ୟ ଛକ ନିକଟ ସମୁଦ୍ରରେ ସ୍ନାନ କରୁଥିବାବେଳେ ଏକ ବଡ଼ ଲହଡ଼ି ତାଙ୍କୁ ସମୁଦ୍ର ଭିତରକୁ ଟାଣି ନେଇଥିଲା । ନିଜ ପୁଅ ଓ ସ୍ତ୍ରୀ ସାମ୍ନାରେ ବିକାଶ ଭାସି ଯାଉଥିବାବେଳେ ପରିବାର ଲୋକେ ଚିତ୍କାର କରିଥିଲେ । ତେବେ ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସମୁଦ୍ର ଭିତରକୁ ଯାଇ ଖୋଜାଖୋଜି ଜାରି ରଖିଥିବାବେଳେ ଏ ପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରି ନାହିଁ।