ବୌଦ୍ଧ, ୨୩/୦୮ : ମହଙ୍ଗା ପଡ଼ିଲା ସ୍କୁଲ୍ ପିଲାଙ୍କ ମଧ୍ୟାହ୍ନ ଭୋଜନରେ ଅବହେଳା। ବୌଦ୍ଧ ଜିଲ୍ଲାର ୫୬ଟି ସ୍କୁଲ୍କୁ କାରଣ ଦର୍ଶାଅ ନୋଟିସ୍। ସ୍ଵାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ନଦେବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ହରଭଙ୍ଗା ବ୍ଲକର ୩୩, ବୌଦ୍ଧ ବ୍ଲକର ୧୫ ଓ କଣ୍ଟାମାଳ ବ୍ଲକର ୮ଟି ସ୍କୁଲକୁ ନୋଟିସ୍ ଜାରି କରିଛନ୍ତି। ୭ ଦିନ ମଧ୍ୟରେ SMC କମିଟି ଆଗରେ ପ୍ରମାଣ ସ୍ଵରୂପ ଭିଡିଓ ଓ ଫଟୋ ସହ ଉତ୍ତର ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାନୁଯାୟୀ, ଅବଜରଭେସନ ଡେରେ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦେବା ନେଇ ଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିଲା। ସ୍ଵାଧୀନତା ଦିବସ ପୂର୍ବଦିନ ସମସ୍ତ DEOଙ୍କୁ ନୋଡାଲ ଅଫିସର ଚିଠି ମଧ୍ୟ କରିଥିଲେ। ସ୍ଵାଧୀନତା ଦିବସରେ ସ୍କୁଲରେ ମଧ୍ୟାହ୍ନ ଭୋଜନ ରନ୍ଧା ହେବ ବୋଲି କୁହାଯାଇଥିଲା। ହେଲେ ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ କରି ବୌଦ୍ଧ ଜିଲ୍ଲାରେ ଅନେକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯାଇ ନଥିଲା। ମଧ୍ୟାହ୍ନ ଭୋଜନ ଦେଇ ନଥିବାରୁ ବୌଦ୍ଧ ଜିଲ୍ଲାର ୩ଟି ବ୍ଲକର ୫୬ଟି ସ୍କୁଲକୁ କାରଣ ଦର୍ଶାଓ ନୋଟିସ୍ ଜାରି ହୋଇଛି। ୭ଦିନ ମଧ୍ୟରେ ସ୍କୁଲ ଗୁଡିକ ଉତ୍ତର ରଖିବା ସହ SMC କମିଟି ଆଗରେ ଉତ୍ତର ପ୍ରଦାନ କରିବା ସହ ଫଟୋ ଓ ଭିଡିଓ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।