ପୁରୀ,୨୩/୦୮: ଶନିବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସପ୍ତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି । ଏଣୁ ଶୁକ୍ରବାର ଅପରାହ୍ନରେ ଆଲାମଚଣ୍ଡୀଙ୍କଠାରୁ ସପ୍ତପୁରୀ ତାଡ଼ ଶ୍ରୀମନ୍ଦିରରେ ପହଞ୍ଚିଛି । ପାରମ୍ପରିକ ପଟୁଆରରେ ଆସିଥିଲା ତାଡ଼ । ରାତ୍ରରେ ମା’ଦକ୍ଷିଣୀକାଳୀଙ୍କ ମନ୍ଦିରକୁ ଆଜ୍ଞାମାଳ ବିଜେ ନୀତି ସମ୍ପନ୍ନ ହୋଇଛି । ଅମାବାସ୍ୟା ଦିନ ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ । ଏଥିସହ ଅମାବାସ୍ୟାରେ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ଶ୍ରୀନାରାୟଣ ମହାପ୍ରଭୁ ସାଗର ବିଜେ କରିବେ । ସେଦିନ ବଡ଼ଦେଉଳରେ ଶ୍ରୀକୃଷ୍ଣ ଲୀଳା ଅବସରରେ ବସ୍ତ୍ରହରଣ ବିଧି ସମ୍ପନ୍ନ ହେବ ।
ଶୁକ୍ରବାର ଅପରାହ୍ନରେ ସପ୍ତପୁରୀ ତାଡ଼ ବିଜେ ହେଲେ । ଘଣ୍ଟ ଘଣ୍ଟା କାହାଳୀ ଏବଂ ଓହ୍ଲାରର ପଟୁଆରରେ ବଡ଼ଦାଣ୍ଡ ହୋଇ ସାତପୁରୀ ତାଡ଼ ଶ୍ରୀମନ୍ଦିରରେ ପହଞ୍ଚିଥିଲା । ଆଗେ ବଡ଼ଦେଉଳକୁ ବେଢା କରିଥିଲା ପଟୁଆର । ପରେ ଅଚିନ୍ତା ପହଣ୍ଡ ରୋଷ ବେହେରଣରେ ରଖାଯାଇଥିଲା।
ଆମାବସ୍ୟାରେ ଠାକୁରଙ୍କ ଅବକାଶ ନୀତି ଶେଷ ପରେ ତିନି ବାଡ଼ରେ ବେଶ ଅନୁଷ୍ଠିତ ହେବ । ଗମ୍ଭୀରାରେ ପାଣି ପଡ଼ି ଟେରାବନ୍ଧା ଯିବାରେ ସକାଳ ଧୂପ ସହ ସାତପୁରୀ ଭୋଗ ଆସିବ । ଏହାପରେ ଆଳତି ବଢ଼ି ପୂଜାପଣ୍ଡାସାଆନ୍ତେ, ପତିମହାପାତ୍ର, ମୁଦିରସ୍ତ ସେବକ ତିନି ବାଡ଼ରେ ବନ୍ଦାପନା କରିବେ ।