ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ବାଂଲାଦେଶରେ ଛାତ୍ର ଆନ୍ଦୋଳନ ବେଳେ ୧୪ ଶହ ଲୋକଙ୍କ ମୃତ୍ୟୁ ହୋଇଛି : ଜାତିସଂଘ ରିପୋର୍ଟ

Published By : Prameya | February 12, 2025 10:24 PM

ନୂଆଦିଲ୍ଲୀ: ବାଂଲାଦେଶରେ ଗତ ବର୍ଷ ଜୁଲାଇ-ଅଗଷ୍ଟରେ ଛାତ୍ର ଆନ୍ଦୋଳନ ପରେ ଏକ ବିଦ୍ରୋହ ଘଟିଥିଲା। ଏହି ପ୍ରଦର୍ଶନରେ ଅନେକ ଲୋକ ପ୍ରାଣ ହରାଇଲେ। ଆଜି (ବୁଧବାର) ଜାତିସଂଘ ମାନବାଧିକାର ତତ୍କାଳୀନ ଶେଖ ହସିନା ସରକାର ଉପରେ ପ୍ରତିବାଦକାରୀଙ୍କୁ ଆକ୍ରମଣ ଏବଂ ହତ୍ୟା କରିବାର ଷଡ଼ଯନ୍ତ୍ର ରଚନା କରିଥିବା ଅଭିଯୋଗ କରିଛି । ଜାତିସଂଘ ଆକଳନ କରିଛି ଯେ, ଶେଖ ହାସିନାଙ୍କ ବିରୋଧରେ ପ୍ରତିବାଦ କରୁଥିବା ପ୍ରଦର୍ଶନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମୟରେ ପ୍ରାୟ ୧୪ ଶହ ଲୋକଙ୍କ ମୃତ୍ୟୁ ହୋଇଛି।

ଜାତିସଂଘ ରିପୋର୍ଟରେ ବିସ୍ତୃତ ଭାବରେ ଦର୍ଶାଯାଇଛି ଯେ, କିପରି ସରକାର, ଆୱାମୀ ଲିଗ୍ ପାର୍ଟି ଏବଂ ସୁରକ୍ଷା ସେବା ସହିତ ମିଶି, ପ୍ରଦର୍ଶନକାରୀ ଏବଂ ଅନ୍ୟାନ୍ୟ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିଥିଲେ। ଜାତିସଂଘ କହିଛି ଯେ ସୁରକ୍ଷା ଏବଂ ଗୁଇନ୍ଦା ସେବାର ଅଧିକାର ଉଲ୍ଲଂଘନରେ ସମ୍ପୃକ୍ତ ଶେଖ ହାସିନାଙ୍କ ବିରୋଧରେ ତଦନ୍ତ କରାଯିବା ଆବଶ୍ୟକ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ,ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଅନୁରୋଧ କ୍ରମେ, ଜାତିସଂଘ ମାନବାଧିକାରର ତଥ୍ୟ ଅନୁସନ୍ଧାନକାରୀ ଦଳକୁ ତଦନ୍ତ ପାଇଁ ବାଂଲାଦେଶକୁ ଡକାଯାଇଥିଲା। ଜାତିସଂଘ ଦାବି କରିଛି ଯେ ୨୩୦ ରୁ ଅଧିକ ସାକ୍ଷାତକାର ଏବଂ ଦଲିଲ ଉପରେ ଆଧାରିତ ଏକ ତଦନ୍ତରୁ ଜଣାପଡିଛି ଯେ ବାଂଲାଦେଶରେ ହିଂସା ସମୟରେ ସୁରକ୍ଷା ବାହିନୀ ନିରନ୍ତର ଭାବରେ ଶେଖ ହାସିନାଙ୍କ ପ୍ରଶାସନକୁ ସମର୍ଥନ କରିଥିଲା।

ଜାତିସଂଘ ରିପୋର୍ଟରେ ୪୫ ଦିନରେ ପ୍ରାୟ ୧୪୦୦ ଲୋକ ମୃତାହତ ହେବାର ଆକଳନ କରାଯାଇଛି। ଅଧିକାଂଶ ମୃତ୍ୟୁ ସୁରକ୍ଷା ବାହିନୀଙ୍କ ଦ୍ୱାରା ହୋଇଥିଲା, ଯେଉଁଥିରୁ ୧୨-୧୩ ପ୍ରତିଶତ ଶିଶୁ ଥିଲେ। ଜାତିସଂଘର ଅଧିକାର ମୁଖ୍ୟ ଭୋଲକର ତୁର୍କ ଏହାକୁ କ୍ଷମତା ବଜାୟ ରଖିବା ପାଇଁ ଏକ ସୁଚିନ୍ତିତ ରଣନୀତି ବୋଲି ବର୍ଣ୍ଣନା କରିଛନ୍ତି। 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.