ପ୍ରମୂଖ ଖବର
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

୬୦ ବର୍ଷ ବିବାଦର ଅନ୍ତ: ମରିସସ୍‌ ଫେରିପାଇବ ‘ଚାଗୋସ୍‌’ ଦ୍ୱୀପ, ବୁଝାମଣାପତ୍ରରେ ସ୍ୱାକ୍ଷର କଲା ବ୍ରିଟେନ୍‌

ଲଣ୍ଡନ,୦୪/୧୦: ‘ଚାଗୋସ୍‌’  ଦ୍ୱୀପସମୂହକୁ ନେଇ ବ୍ରିଟେନ୍‌ ଓ ମରିସସ୍‌  ମଧ୍ୟରେ ପ୍ରାୟ ୬୦ ବର୍ଷ ଧରି ଯେଉଁ  ବିବାଦ ଲାଗିରହିଥିଲା, ତାହାର ଅନ୍ତ  ଘଟିଛି । ଉଭୟ ଦେଶ ମଧ୍ୟରେ ଶେଷରେ  ବୁଝାମଣା ସ୍ଥାପନ ହୋଇଛି । ବୁଝାମଣା  ଅନୁସାରେ ମରିସସ୍‌କୁ ଏହାର ଚାଗୋସ୍‌ ଦ୍ୱୀପକୁ ବ୍ରିଟେନ୍‌ ଫେରାଇଦେବ । ବ୍ରିଟେନ୍‌  ପଟେ ଥିବା ଭାରତ ମହାସାଗରରେ ଏହି  ଦ୍ୱୀପସମୂହ ରହିଛି । ଏଠାରେ ପୂର୍ବରୁ  ମରିସସ୍‌ର ହକ୍‌ ଥିଲା । କିନ୍ତୁ ଜୋର  ଜବରଦସ୍ତ ଛଡ଼ାଇ ନେଇଥିଲା ବ୍ରିଟେନ୍‌ ।  ଭାରତ କିନ୍ତୁ ଏହି ପ୍ରସଙ୍ଗରେ ମରିସସ୍‌କୁ  ଖୋଲାଖୋଲି ଭାବେ ସମର୍ଥନ ଜଣାଇଥିଲା ।  ସାମରିକ ଦୃଷ୍ଟିକୋଣରୁ ଚାଗୋସ୍‌ ଦ୍ୱୀପ  ବେଶ୍‌ ମହତ୍ତ୍ୱପୂର୍ଣ୍ଣ କୁହାଯାଉଛି । 

ବ୍ରିଟେନ୍‌ କହିଛି ଯେ ଦୁଇଦେଶ ମଧ୍ୟରେ  ହୋଇଥିବା ବୁଝାମଣା ଅନୁସାରେ ଚାଗୋସ୍‌  ଦ୍ୱୀପର ଅଖଣ୍ଡତା ଏଣିକି ମରିସସ୍‌ ହାତକୁ  ଯିବ । ଏହାଦ୍ୱାରା ଅନେକ ଦଶନ୍ଧି ତଳେ ଦ୍ୱୀପରୁ  ବିସ୍ଥାପିତ ହୋଇଥିବା ଲୋକମାନେ ପୁନର୍ବାର  ନିଜ ଘରକୁ ଫେରିବାକୁ ଅନୁମତି ପାଇବେ । ତେବେ ଭାରତ ମହାସାଗରର ଡିଏଗୋ ଗାର୍ସିଆ  ଦ୍ୱୀପରେ ଥିବା ବ୍ରିଟେନ୍‌-ଆମେରିକା ସାମରିକ  ଘାଟିକୁ ବ୍ରିଟେନ୍‌ ବ୍ୟବହାର କରିପାରିବ । ଉଲ୍ଲେଖଯୋଗ୍ୟ, ଆମେରିକା ସହ ମିଶି  ବ୍ରିଟେନ୍‌ ଚାଗୋସ୍‌ର ଡିଏଗୋ ଗାର୍ସିଆ ଦ୍ୱୀପରେ  ସାମରିକ ଘାଟି ପରିଚାଳନା କରୁଛି । ଏହା ଭାରତ ମହାସାଗରରେ ଊଭୟଙ୍କୁ ରଣନୀତିକ  ଫାଇଦା ପ୍ରଦାନ କରୁଛି । 

ଉଲ୍ଲେଖଯୋଗ୍ୟ, ୧୯୬୦-୭୦  ଦଶକରେ ବ୍ରିଟେନ୍‌ ଚାଗୋସ ଦ୍ୱୀପ  ସମୂହରେ ରହୁଥିବା ଲୋକମାନଙ୍କୁ  ବିଦା କରିଦେଇଥିଲା । ଏହି ଘଟଣାକୁ  ମାନବତା ବିରୋଧୀ ଅପରାଧ ବିବେଚନା  କରାଯାଇଥିଲା । ୧୯୬୮ରେ ଯେତେବେଳେ  ମରିସସ୍‌ ସ୍ୱାଧୀନ ହେଲା, ତାହା ପରେ ବି  ବ୍ରିଟେନ୍‌ ଏହି କ୍ଷେତ୍ର ଉପରେ ନିଜ କବ୍‌ଜା  ଜାରି ରଖିଥିଲା । ୧୮୧୪ରୁ ଏହା ଉପରେ  ବ୍ରିଟେନ୍‌ର ନିୟନ୍ତ୍ରଣ ରହିଥିଲା । ମରିସସ୍‌  ଓ ସେସେଲ୍ସର ପ୍ରାୟ ୨ ହଜାର ଲୋକଙ୍କୁ  ବ୍ରିଟେନ୍‌ ତଡ଼ିଦେଇଥିଲା । ଏହାପରେ  ଏଠାରେ ସାମରିକ ଘାଟି ପ୍ରତିଷ୍ଠା ଲାଗି  ଆମେରିକାକୁ ଆମନ୍ତ୍ରଣ କରିଥିଲା । ୨୦୧୯ରୁ  ୨୦୨୧ ମଧ୍ୟରେ ଅନ୍ତର୍ଜାତୀୟ ଅଦାଲତ ବି  ମରିସସ୍‌ ପକ୍ଷରେ ରାୟ ଦେଇଥିଲେ ।  କୋର୍ଟ କହିଥିଲେ କି ବ୍ରିଟେନ୍‌ ୧୯୬୮ରେ  ମରିସସ୍‌କୁ ସ୍ୱାଧୀନତା ଦେବା ପୂର୍ବରୁ  ଚାଗୋସ୍‌ ଦ୍ୱୀପସମୂହକୁ ମରିସସ୍‌ଠାରୁ  ବେଆଇନ ଭାବେ ପୃଥକ୍‌ କରିଦେଇଥିଲା । 

ଚାଗୋସ୍‌ ହେଉଛି ୬୦ ଛୋଟବଡ଼  ଦ୍ୱୀପକୁ ନେଇ ଏକ ସମୂହ, ଯାହା କି  ଭାରତ ମହାସାଗର ମଝିରେ ରହିଛି ।  ଏହା ୬୦ ବିର୍ଗ କିଲୋମିଟର ଅଞ୍ଚଳରେ  ପରିବ୍ୟାପ୍ତ । ଏହି ଦ୍ୱୀପସମୂହ ମରିସସ୍‌ରୁ  ପ୍ରାୟ ୨,୨୦୦ କିଲୋମିଟର ଏବଂ ଭାରତୀୟ  ଉପ-ମହାଦ୍ୱୀପର ଦକ୍ଷିଣରୁ ପାଖାପାଖି  ୧,୦୦୦ ନଟିକାଲ ମାଇଲ୍‌ ଦୂରରେ ରହିଛି ।  ଚାଗୋସ୍‌ର ଭୌଗୋଳିକ ସ୍ଥିତି ଯେ କୌଣସି  ଦେଶକୁ ଭାରତ ମହାସାଗରରେ ନିଜ  ସାମରିକ ଶକ୍ତି ବଢ଼ାଇବା ଲାଗି ସହାୟକ  ହୋଇପାରିବ । ଏହି କାରଣରୁ ଆମେରିକା  ଓ ବ୍ରିଟେନ୍‌ ମିଶି ଏଠାରେ ନିଜ ସାମରିକ  ଆଡ୍ଡା ଚଳାଇବା ଜାରି ରଖିବାକୁ ଚାହୁଁଛନ୍ତି । 

ବୁଝାମଣା ବାବଦରେ ବ୍ରିଟେନ୍‌ର  ବିଦେଶ ମନ୍ତ୍ରୀ ଡେଭିଡ୍‌ ଲ୍ୟାମି ଏକ  ବୟାନରେ କହିଛନ୍ତି, ବ୍ରିଟେନ୍‌ ଡିଏଗୋ  ଗାର୍ସିଆରେ ଥିବା ମହତ୍ତ୍ୱପୂର୍ଣ୍ଣ ସାମରିକ  ଆଡ୍ଡାକୁ ନିଜ ପାଖରେ ସୁରକ୍ଷିତ ରଖି ସମ୍ପୂର୍ଣ୍ଣ  ଚାଗୋସ୍‌ ଦ୍ୱୀପକୁ ମରିସସ୍‌କୁ ହସ୍ତାନ୍ତର  ଲାଗି ବୁଝାମଣା କରିଛି । ଆମେରିକା ମଧ୍ୟ  ଏହି ବୁଝାମଣାକୁ ସମର୍ଥନ ଜଣାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.