ପ୍ରମୂଖ ଖବର
  • ପୁରୀ : ୩୧ ଓ ୧ ତାରିଖ ପାଇଁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, କେବଳ ସିଂହଦ୍ୱାର ଦେଇ ପ୍ରବେଶ
  • ||
  • ନୂଆବର୍ଷରୁ କୃଷକ ପଞ୍ଜୀକରଣ ଆରମ୍ଭ, ମାର୍ଚ୍ଚ ୩୧ରେ ଶେଷ
  • ||
  • ବଣାଇ : ହାଇୱା -ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା : ୨ ମୃତ, ଦୁଇ ଗୁରୁତର
  • ||

ମହିଳାଙ୍କ ବ୍ୟକ୍ତିଗତ ସମସ୍ୟାର ସମାଧନ କରୁଛି ହ୍ବାଇଟ୍ ମାଫିଆ, ସେବା ଅନୁସାରେ ଅର୍ଥ

Published By : Ankita S | December 21, 2024 1:03 PM

ନୂଆଦିଲ୍ଲୀ,୨୧/୧୨: ଚୀନ୍‌ରେ ଯୁବ ବର୍ଗର ମହିଳାମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଜୀବନସାଥୀ, ଘରମାଲିକଙ୍କ ସହ ବିବାଦ ଭଳି ବ୍ୟକ୍ତିଗତ ସମସ୍ୟାର ସମାଧାନ ଲାଗି ଏବେ ‘ହ୍ୱାଇଟ୍‌ ମାଫିଆ’ ନାମକ ଏକ ଗୋଷ୍ଠୀର ସହାୟତା ନେଉଛନ୍ତି । ପ୍ରଫେସନାଲ ବଡିଗାର୍ଡ ଟିମ୍‌ ଭାବେ ପରିଚିତ ଏହି ଗ୍ରୁପ୍‌ ଦେଶର ସୋସିଆଲ ମିଡିଆ ବିଶେଷ କରି ଡୟିନ୍‌ରେ ଲୋକପ୍ରିୟ । ଏମାନଙ୍କୁ ମାଫିଆ କୁହାଯାଉଥିଲେ ମଧ୍ୟ ଗ୍ରୁପ୍‌ର ସଦସ୍ୟମାନେ ନିଜକୁ କୌଣସି ଅପରାଧିକ ଗ୍ୟାଙ୍ଗର ସଦସ୍ୟ ନୁହେଁ, ବରଂ ଅଭିଭାବକ ବୋଲି ଦର୍ଶାଇଥାନ୍ତି । ଯେଉଁମାନେକି ଆବଶ୍ୟକତା ଅନୁସାରେ ଆଇନଗତ ଉପାୟରେ ନିଜ ଗ୍ରାହକଙ୍କୁ ସହାୟତା କରିଥାନ୍ତି । 

ହ୍ୱାଇଟ୍‌ ମାଫିଆ ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ପୂର୍ବତନ ସାମରିକ ଅଧିକାରୀ, ବ୍ୟାବସାୟିକ ପ୍ରଫେସନାଲ ଓ ମହିଳା ବକ୍ସର ସାମିଲ । ଏହି ଗ୍ରୁପ୍‌ର ଜଣେ ସଦସ୍ୟ ଲେଇ କହିଛନ୍ତି, ୨୦୧୮ରେ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଓ ସେଲିବ୍ରିଟିମାନଙ୍କୁ ସୁରକ୍ଷା ଦେବା ଲାଗି ଏହି କଂପାନି ଆରମ୍ଭ ହୋଇଥିଲା । କିନ୍ତୁ ୨୦୨୨ ବେଳକୁ ସାଧାରଣ ଲୋକେ ସହାୟତା ଲାଗି ସେମାନଙ୍କୁ ଯୋଗାଯୋଗ କଲେ । ଆଇନରେ ଥିବା ଗଳାବାଟ ଯୋଗୁ କିଛି ସମସ୍ୟାର ସମାଧାନ ପାରମ୍ପରିକ ଭାବେ ହୋଇପାରେ ନାହିଁ । ସେହି କ୍ଷେତ୍ରରେ ସେମାନେ ନିଜସ୍ୱ ମାଧ୍ୟମରେ ଦୁର୍ବଳ ଲୋକଙ୍କୁ ସହାୟତା କରିଥାନ୍ତି । କଂପାନିର ଅଧିକାଂଶ ଗ୍ରାହକ ୨୫ରୁ ୩୫ ବର୍ଷୀୟ ମହିଳା । 

ସୋସିଆଲ୍‌ ମିଡିଆ ଡୟିନ୍‌ ଜରିଆରେ ସେମାନେ ଗୋଷ୍ଠୀ ସହିତ ଯୋଗାଯୋଗ କରିଥାନ୍ତି । ସେବାର ପ୍ରକାର ଓ ଅବଧି ହିସାବରେ ଗ୍ରାହକଙ୍କଠାରୁ ଅର୍ଥ ଆଦାୟ କରାଯାଇଥାଏ । ସମୟ ସମୟରେ ଭାରତୀୟ ମୁଦ୍ରାରେ ତାହା ୧ ଲକ୍ଷ ବି ଛୁଇଁଥାଏ । କିଛି ସେବା ତ୍ୱରିତ ଦିଆଯାଉଥିବାବେଳେ ଆଉ କିଛି ସେବାର ଅବଧି ଏକ ବର୍ଷରୁ ଅଧିକ ହୋଇପାରେ । ଲେଇ ହ୍ୱାଇଟ୍‌ ମାଫିଆଙ୍କ ନିକଟରୁ ସହାୟତା ନେଇଥିବା ଜଣେ ମହିଳାଙ୍କ କାହାଣୀ ମଧ୍ୟ ଅବତାରଣା କରିଛନ୍ତି । ମହିଳା ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ତାଙ୍କର ସ୍ୱାମୀଙ୍କଠୁ ଛାଡ଼ପତ୍ର ଚାହୁଁଥିଲେ । କିନ୍ତୁ ସ୍ୱାମୀ ଏଥିଲାଗି ରାଜି ନଥିଲେ । ଦିନେ ମହିଳା କୋର୍ଟରୁ ବାହାରିବା ପରେ ସ୍ୱାମୀ ତାଙ୍କ ଉପରକୁ ଏସିଡ୍‌ ଫିଙ୍ଗିଦେଲେ । ସୌଭାଗ୍ୟବଶ୍ୟତଃ ସେମାନଙ୍କ ଟିମ୍‌ର ଜଣେ ସଦସ୍ୟ ଛତା ଖୋଲିଦେଇ ତାଙ୍କୁ ରକ୍ଷା କଲେ । 

ସେହିପରି ଅନ୍ୟ ଏକ ମାମଲାରେ ଜଣେ ମହିଳା ତାଙ୍କର ନିଷ୍ଠୁର ବୟଫ୍ରେଣ୍ଡଙ୍କଠାରୁ ବ୍ରେକଅପ୍‌ ଚାହୁଁଥିଲେ । ସେ ତାଙ୍କର ଗୋପନ ଫଟୋକୁ ଲିକ୍‌ କରିବାକୁ ଧମକ ଦେଇଥିଲେ । ମହିଳା ଜଣକ ଲେଇଙ୍କ ଟିମ୍‌ ସହ ଯୋଗାଯୋଗ କରି ସଂପର୍କକୁ ଶେଷ କରିବାକୁ ଭାରତୀୟ ମୁଦ୍ରାରେ ୨ ଲକ୍ଷ ପଇଠ କରିଥିଲେ । ଟିମ୍‌ର ସଦସ୍ୟମାନେ ମଧ୍ୟ ଘରମାଲିକଙ୍କଠାରୁ ବକେୟା ଟଙ୍କା ପାଇବା ଲାଗି ଗ୍ରାହକଙ୍କୁ ସହାୟତା କରିଥାନ୍ତି । ଲେଇଙ୍କ ଅନୁସାରେ, ସେମାନଙ୍କର ସବୁ ସେବା ଆଇନଗତ । କାରଣ ସେମାନେ ଆବଶ୍ୟକ ପଡ଼ିଲେ ପୁଲିସକୁ ମଧ୍ୟ ଅପରେସନ୍‌ରେ ସାମିଲ କରିଥାନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.