ନୂଆଦିଲ୍ଲୀ,୨୯/୧୨: ଆଜିକାଲି ବିଭିନ୍ନ ଥିମ୍ଭିତ୍ତିକ ରେସ୍ତୋରାଁର ପରିକଳ୍ପନା କରାଯାଉଛି । ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ସେହିଭଳି ଏକ ନିଆରା ରେସ୍ତୋରାଁ ରହିଛି । ତାହା ବର୍ଷା ଥିମ୍ ଉପରେ ଆଧାରିତ । ସେଠାରେ ପ୍ରତି ୧୫ ମିନିଟ୍ରେ କୃତ୍ରିମ ବର୍ଷା କରାଯାଇଥାଏ । ଏଭଳିସ୍ଥିତିରେ ବାହାରେ ତାପମାତ୍ରା ଯାହା ଥାଉ ପଛକେ ରେସ୍ତୋରାଁ ମଧ୍ୟକୁ ପ୍ରବେଶ କରିବା ପରେ ଆପଣ ବର୍ଷାଦିନର ଅନୁଭବ ପାଇପାରିବେ । ଖାସ୍ ସେଥିଯୋଗୁ ଚଳିତବର୍ଷ ଆରମ୍ଭ କରାଯାଇଥିବା ‘ରେନ୍ ରିପୋର୍ଟ କାଫେ’ ନାମକ ସେହି ରେସ୍ତୋରାଁ ଏବେ ସେଠାରେ ବେଶ୍ ଲୋକପ୍ରିୟ ସ୍ଥାନ ପାଲଟିଛି । ସେଠାରେ ଗ୍ରାହକଙ୍କ ସମେତ ଅନେକ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସରଙ୍କ ଭିଡ଼ ରହୁଛି । ସିଓଲର ଇଟାୱନ୍ ଜିଲ୍ଲାରେ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ରହିଛି ଏହି ରେସ୍ତୋରାଁ । ତାର ଚାରିପାଖରେ ବାଉଁଶ ଗଛ ଲଗାଯାଇ ଏକ ଜଙ୍ଗଲିଆ ପରିବେଶ ସୃଷ୍ଟି କରାଯାଇଛି । ରେସ୍ତୋରାଁ ପରିସରରେ ଥିବା ଖାଲି ସ୍ଥାନରେ ପ୍ରତି ୧୫ ମିନିଟ୍ରେ କୃତ୍ରିମ ଭାବେ ଜୋରଦାର୍ ବର୍ଷା କରାଯାଇଥାଏ । ଏହା ମଧ୍ୟ ବର୍ଷାରେ ଭିଜିବାର ମଜା ନେବାକୁ ଚାହୁଁଥିବା ଗ୍ରାହକଙ୍କୁ ମାଗଣାରେ ଛତା, ରେନକୋଟ୍ ଓ ରବର ବୁଟ୍ ଦେଇଥାଏ । ଶାନ୍ତିରେ ବସି କପେ କଫି ସହ ବର୍ଷାକୁ ଉପଭୋଗ କରିବାକୁ ଚାହୁଁଥିବା ଗ୍ରାହକଙ୍କ ରାଗି ଅଲଗା କାଫେଟେରିଆ ରହିଛି । ରେସ୍ତୋରାଁ ମଧ୍ୟରେ ଲଗାତର ବର୍ଷାର ଦୃଶ୍ୟ ଦେଖାଉଥିବା ଅନେକ ଏଚ୍ଡି ସ୍କ୍ରିନ୍ ବି ଲାଗିଛି । ଏହିସବୁ ସ୍ୱତନ୍ତ୍ରତା କାରଣରୁ ବର୍ତ୍ତମାନ ସିଓଲର ଯୁବପିଢ଼ିଙ୍କ ମଧ୍ୟରେ ଏହା ବେଶ୍ ଆଦୃତ ହୋଇପାରିଛି । ସ୍ଥିତି ଏମିତି ହୋଇଛି ଯେ, ଏଠାରେ ବର୍ଷାରେ ଭିଜି ଭିଡିଓ ସୁଟ୍ କରିବାକୁ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସରମାନେ ଧାଡ଼ି ଲଗାଉଛନ୍ତି । ସେହିପରି ରେସ୍ତାରାଁର ମେନ୍ୟୁରେ ବର୍ଷାପାଗରେ ଖିଆଯାଉଥିବା ଆଇଟମ୍କୁ ପ୍ରାଧାନ୍ୟ ଦିଆଯାଇଥାଏ ।
ମାସ ଶେଷ ସୁଦ୍ଧା ନୂଆ ପିସିସି, ରାହୁଲ, ଖଡ୍ଗେ ନିଷ୍ପ...