ନୂଆଦିଲ୍ଲୀ,୦୨/୦୧:ନୂଆବର୍ଷରେ ଅଘଟଣ। ମୋଣ୍ଟେନେଗ୍ରୋର ଏକ ବାରରେ ଗୁଳିମାଡ଼। ଫଳରେ ବାର ମାଲିକ ସମେତ ୧୦ ଜଣଙ୍କ ମତ୍ୟୁ ହୋଇଛି। ତେବେ ଗୁଳିମାଡ଼଼ କରିଥିବା ବ୍ୟକ୍ତି ବାରକୁ ଅତିଥି ଭାବେ ଆସିଥିବା ଜଣାପଡିଛି। ଗୁଳିମାଡ଼ ପରେ ସନ୍ଦିଗ୍ଧ ବ୍ୟକ୍ତି ଜଣଙ୍କ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୟୁରୋପର ପଶ୍ଚିମ ମୋଣ୍ଟେନେଗ୍ରୋ ସହର ସ୍ଥିତ ଏକ ବାରରେ ଗୁଳିକାଣ୍ଡ ଘଟିଥିଲା । ନୂଆବର୍ଷ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବାରରେ କୌଣସି ବ୍ୟକ୍ତିଗତ ବିବାଦକୁ ଗୁଳିମାଡ଼ ହୋଇଥିଲା । ଏହି ଘଟଣାରେ ବାର ମାଲିକ ଓ ୨ ଶିଶୁଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଏଥିରେ ୪ ଜଣ ଆହତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।ପାର୍ଟିରେ ଅତିଥି ଭାବେ ଯୋଗ ଦେଇଥିବା ଅଭିଯୁକ୍ତ ଜଣକ ୪୫ ବର୍ଷୀୟ ଏକୋ ମାର୍ଟିନୋୱିକ୍ ବୋଲି ଜଣାପଡିଛି । ଅଭିଯୁକ୍ତ ଜଣକ ମୋଣ୍ଟେନେଗ୍ରୋ ରାଜଧାନୀ ଠାରୁ ପ୍ରାୟ ୩୮ କିଲୋମିଟର ଦୂରରେ ଥିବା ସେଟିଞ୍ଜେ ସହରର ବାସିନ୍ଦା ବୋଲି ଜଣାପଡିଛି । ତେବେ ନୂଆବର୍ଷ ଥିବାରୁ ବାରରେ ଅନ୍ୟ ଅତିଥିଙ୍କ ସହ ସେ ଦିନରେ ମଜା ମସ୍ତି କରୁଥିଲେ । ସେଠାରେ କିଛି ବ୍ୟକ୍ତିଙ୍କ ସହ ଝଗଡ଼ା ପରେ ସେ ଘରକୁ ଫେରି ଆସି ଥିଲେ । ଘରୁ ସେ ନିଜ ବନ୍ଧୁକ ନେଇ ଗୁଳିମାଡ଼ କରିଥିବା ଜଣାପଡିଛି । ସେପଟେ ପୋଲିସ ଏନେଇ ଖବର ପାଇ ଘଟଣାର ତଦନ୍ତ କରୁଛି ।