ନୂଆଦିଲ୍ଲୀ,୦୪/୦୧: ପୁଣି ଭୂକମ୍ପ ଝଟକାରେ ଥରିଲା ଇଥିଓପିଆ । ଆଜି ସକାଳେ ଇଥିଓପିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ଼ କରାଯାଇଛି । ତେବେ ଏହି ଭୂକମ୍ପଜନିତ ଆହତ କିମ୍ବା କ୍ଷୟକ୍ଷତି ସମ୍ବନ୍ଧରେ ଏବେ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ । ହେଲେ ଭୂକମ୍ପ ଯୋଗୁଁ ଜ୍ବାଳାମୁଖି ଫାଟିବର ଆଶଙ୍କା କରାଯାଉଛି । ଭୂକମ୍ପ ସମୟରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲେ ।
ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ଏହି ଭୂମିକମ୍ପର ଗଭୀରତା ୧୦ କିଲୋମିଟର ଥିବା ଜଣାପଡ଼ିଛି। ତେବେ ଏହି ବଡ଼ ଧରଣର ଭୂକମ୍ପ ଯୋଗୁଁ ଇଥିଓପିଆର ମଧ୍ୟ ମାଉଣ୍ଟ ଡ଼ୋଫନରେ ଥିବା ଜ୍ବାଳାମୁଖି ଫାଟିବାର ସମ୍ଭାବନା ଥିବା ସୂଚନା ମିଳିଛି। ତେବେ ଅନେକ ସମୟ ଧରି ଏହି ଅଞ୍ଚଳରେ ଛୋଟଛୋଟ ଭୂକମ୍ପ ହେଉଛି। ଯାହା ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଆସିବାର ସଂକେତ ଅଟେ । ମିଡ଼ିଆ ରିପୋର୍ଟ ଅନୁସାରେ , ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସେପ୍ଟେମ୍ବର ୨୦୨୪ ଶେଷରେ ଆମେରିକା ଭୂବୈଜ୍ଞାନିକ ସର୍ବେକ୍ଷଣ ଏହି ଅଞ୍ଚଳରେ ୬୭ରୁ ଅଧିକ ଭୂକମ୍ପ ରେକର୍ଡ଼ କରିଛି। ପ୍ରକାଶ ଥାଉକି, ଗତ ୩ ତାରିଖରେ ନେପାଳର କର୍ଣ୍ଣୋଳି ପ୍ରାନ୍ତର ମୁଗୁ ଜିଲ୍ଲାରେ ଭୁକମ୍ପ ହୋଇଥିଲା । ସକାଳ ପ୍ରାୟ ୮.୦୩ ଭୂକମ୍ପ ହୋଇଥିବା ବେଳେ ଏହାର ତୀବ୍ରତା ପ୍ରାୟ ରିକ୍ଟର ସ୍କେଲରେ ୪.୪ ରେକର୍ଡ଼ କରାଯାଇଥିଲା।