ପ୍ରମୂଖ ଖବର
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

ଗ୍ୟାସ୍‌ ବିସ୍ଫୋରଣରେ ଜଳିଗଲା ୭୦% ଶରୀର, ୩୦ରୁ ଅଧିକ ସର୍ଜରି ପରେ ବ୍ୟୁଟି କୁଇନ୍‌

Published By : Prameya | January 6, 2025 11:56 AM

ନୂଆଦିଲ୍ଲୀ ୦୬/୦୧: ଦୁନିଆରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଅତ୍ୟନ୍ତ ନିରାଶାଜନକ ସ୍ଥିତିରେ ବି ଆଶାର କିରଣ ଦେଖିବା ବନ୍ଦ କରନ୍ତି ନାହିଁ । ନିଜର ସକାରାତ୍ମକ ଦୃଷ୍ଟିକୋଣ ଓ ଦୃଢ଼ ମାନସିକତା ବଳରେ ଅସମ୍ଭବକୁ ସମ୍ଭବ କରି ଦେଖାଇଥାନ୍ତି । କଲରାଡୋର ଡାନେଟ୍‌ ବର୍ଜଲାଫ୍‌-ହାଗ୍‌ ସେମାନଙ୍କ ମଧ୍ୟରୁ ଅନ୍ୟତମ । ଡାନେଟ୍‌ଙ୍କୁ ମାତ୍ର ୧୦ ବର୍ଷ ହୋଇଥିବାବେଳେ ଏକ ଗ୍ୟାସ୍‌ ବିସ୍ଫୋରଣରେ ତାଙ୍କ ଶରୀରର ୭୦ ପ୍ରତିଶତ ଜଳିଯାଇଥିଲା । ଜୀବନ ବଞ୍ଚାଇବା ଲାଗି ତାଙ୍କର ୩୦ରୁ ଅଧିକ ଅସ୍ତ୍ରୋପଚାର କରାଯାଇଥିଲା । ଏସବୁ ସତ୍ତେ୍ୱ ସେ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେବା ଲାଗି ନିଜର ସ୍ୱପ୍ନକୁ ମଉଳିବାକୁ ଦେଲେ ନାହିଁ । ଏବେ ସେ ଜଣେ ବ୍ୟୁଟି କୁଇନ୍‌ ଭାବେ ପ୍ରସିଦ୍ଧି ହାସଲ କରିଛନ୍ତି ।

ସେହି ଅଶୁଭ ଦିନକୁ ମନେ ପକାଇ ଏବେ ବି ଭୟରେ ଶିହରି ଉଠନ୍ତି ଡାନେଟ୍‌ । ସେଦିନ ତାଙ୍କ ଘରେ ପିଲାମାନଙ୍କ ଲାଗି ଏକ ପାର୍ଟି ରଖାଯାଇଥିଲା । ସେଥିଲାଗି ପ୍ରାୟ ୨୭ ଜଣ ଅତିଥି ସମବେତ ହୋଇଥିଲେ । ତେବେ ଭାଲ୍‌ଭରେ ତ୍ରୁଟି ଯୋଗୁ ଅଚାନକ ତାଙ୍କ ଘରେ ଗ୍ୟାସ୍‌ ବିସ୍ଫୋରଣ ହୋଇଥିଲା । ଏଥିଯୋଗୁ ଅଗ୍ନିକାଣ୍ଡ ଘଟିବାରୁ ତାଙ୍କ ସମେତ ମାତା ଓ ପିତା ବି ଗୁରୁତର ଆହତ ହୋଇଥିଲେ । ସୌଭାଗ୍ୟକୁ ସମସ୍ତଙ୍କର ଜୀବନରକ୍ଷା ହୋଇଥିଲା । ତେବେ ଡାନେଟ୍‌ଙ୍କର ଶରୀରର ୭୦ ପ୍ରତିଶତ ଜଳିଗଲା । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଗଲା । ଅନେକ ମାସ ଧରି ସେ ହସ୍ପିଟାଲରେ ହିଁ ରହିଲେ । ତାଙ୍କୁ ୨୦ ବର୍ଷ ହେବା ଯାଏ ସେ ହସ୍ପିଟାଲର ଚକ୍କର କାଟୁଥିଲେ । ଏହି ସମୟରେ ତାଙ୍କର ୩୦ରୁ ଅଧିକ ଅସ୍ତ୍ରୋପଚାର କରାଗଲା । ସେଥିମଧ୍ୟରୁ ଅଧିକାଂଶ ସ୍କିନ୍‌ ଗ୍ରାଫ୍ଟିଂ ଥିଲା । ପରବର୍ତ୍ତୀ ସମୟରେ ତାଙ୍କ ଜୀବନରେ ଅନେକ ଚାଲେଞ୍ଜ ଆଣିଲା ଏହି ଦୁର୍ଘଟଣା । ଏହା ତାଙ୍କୁ ମାନସିକ ସ୍ତରରେ ବି ଦୁର୍ବଳ କରିଦେଲା ।

ଡାନେଟ୍‌ ନିରାଶ, ଅସହାୟ ଓ ହତାଶ ହୋଇସାରିଥିଲେ । ଶରୀରରେ ଥିବା ପୋଡ଼ା ଦାଗ ଯୋଗୁ ସବୁବେଳେ ଢାଙ୍କି ହୋଇ ରହୁଥିଲେ । ପରେ କିନ୍ତୁ ମନକୁ ଦୃଢ଼ କରି ୨୦୧୯ରେ ପ୍ରଥମେ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଲେ । ପରେ ସେ ମିସେସ୍‌ କଲରାଡୋ ଟାଇଟଲ ଜିତିଲେ । ତାଙ୍କୁ ଯେତେବେଳେ ମିସେସ୍‌ କଲରାଡୋ ଭାବେ ମୁକୁଟ ପିନ୍ଧାଗଲା ତାହା ତାଙ୍କ ଜୀବନର ସବୁଠୁ ସୁନ୍ଦର ଅନୁଭବ ଥିଲା । ସେ ନିଜକୁ ପୀଡ଼ିତ ଭାବେ ଦେଖିବା ବନ୍ଦ କରିଦେଲେ । ଏବେ ସେ ନିଜକୁ ଗର୍ବର ସହ ଜଣେ ‘ବର୍ନ ସର୍ଭାଇଭର’ ବୋଲି କହୁଛନ୍ତି । ଆଜି ଡାନେଟ୍‌ ୪ଟି ସନ୍ତାନର ମା’ ଓ ପେସାରେ ଜଣେ ନର୍ସ ତଥା ଲାଇଫ୍‌ କୋଚ୍‌ । ନିଜର ଅନୁଭବ ଆଧାରରେ ସେ ଏକ ବହି ମଧ୍ୟ ଲେଖିଛନ୍ତି । ନିଜ ଶରୀରର ପୋଡ଼ା ଦାଗକୁ ସେ ଈଶ୍ୱରଙ୍କର କୃତି ବୋଲି ଦର୍ଶାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.