ନୂଆଦିଲ୍ଲୀ,୬।୧: ଆମେରିକାରେ ଥିବା ଭାରତୀୟଙ୍କ ପାଇଁ ଖୁସି ଖବର। ଆମେରିକା ଦ୍ବାରା ‘ଏଚ୍-୧ ବି’ ଭିସା ରିନ୍ୟୁଆଲ ପାଇଁ ଆରମ୍ଭ ହୋଇଥିବା ପ୍ରୋଜେକ୍ଟ ସଫଳ ରହିଛି। ଏବେ ସ୍ବଦେଶ ନଆସି ଆମେରିକାରେ ହିଁ ଭାରତୀୟ ଲୋକ ଭିସା ରିନ୍ୟୁ କରିପାରିବେ। ନୂଆଦିଲ୍ଲୀ ସ୍ଥିତ ଆମେରିକୀୟ ଦୂତାବାସ କହିଛି ଆମେରିକା ଖୁବ୍ ଶୀଘ୍ର ଭିସା ନବୀକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଏହା ଅନୁସାରେ, ଏଚ୍-୧ ଭିସା ଧାରକ ଦେଶ ବାହାରକୁ ନଯାଇ ନିଜର ଦସ୍ତାବିଜକୁ ରିନ୍ୟୁ କରିପାରିବେ।
ଏଚ୍-୧ ବି ଭିସା ଧାରକଙ୍କ ପାଇଁ ଆମେରିକା ସ୍ଥିତ ନବୀକରଣ କାର୍ଯ୍ୟକ୍ରମ ଚଳିତ ବର୍ଷ ଲାଗୁ ହେବାର ସମ୍ଭାବନା ରହିଛି। ଏହାଦ୍ବାରା ସେଠାରେ ରହୁଥିବା ଭାରତୀୟଙ୍କୁ ଲାଭ ମିଳିବ। ଏହା ତାଙ୍କ ପାଇଁ ବରଦାନ ପ୍ରମାଣିତ ହେବ। କାରଣ ବର୍ତ୍ତମାନ ତାଙ୍କୁ ନିଜର ଭିସା ରିନ୍ୟୁ କରିବା ପାଇଁ ସ୍ବଦେଶ ଫେରିବାକୁ ପଡୁଥିଲା। ଏଚ୍-୧ ବି ଭିସାକୁ ରିନ୍ୟୁ କରିବା ଓ ପୁଣିଥରେ ଏହାକୁ ଭରିବା ପାଇଁ ଭାରତ ଫେରିବା ଆମେରିକାରେ ଥିବା ଭାରତୀୟ ଶ୍ରମିକଙ୍କ ପାଇଁ ଦୀର୍ଘ ଦିନ ହେବ ଚିନ୍ତାର ବିଷୟ ରହିଥିଲା।
ଆମେରିକା ଦୂତାବାସ ପକ୍ଷରୁ କୁହାଯାଇଛି ଏଚ୍-୧ ବି ଭିସାକୁ ନବୀକୃତ କରିବା ପାଇଁ ଏକ ପାଇଲଟ୍ କାର୍ଯ୍ୟକ୍ରମକୁ ସଫଳତା ସମାପନ ପରେ ଏଭଳି ସମ୍ଭବ ହୋଇପାରିଛି। ଏହି ପାଇଲଟ୍ କାର୍ଯ୍ୟକ୍ରମ ହଜାର ହଜାର ଆବେଦକଙ୍କ ଭିସା ରିନ୍ୟୁ କରିଛି। ଅନ୍ୟପକ୍ଷେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଶପଥ ଗ୍ରହଣ ସମାରୋହର ତିନି ସପ୍ତାହ ପୂର୍ବରୁ ‘ଏଚ୍-୧ ବି’ ଭିସାକୁ ନେଇ ବିବାଦ ଆରମ୍ଭ ହୋଇଛି, ଯେଉଁ କାରଣରୁ ଡେମୋକ୍ରାଟିକ୍ ଓ ରିପବ୍ଲିକାନ୍ ଦଳ ଭିତରେ ମତଭେଦ ସୃଷ୍ଟି ହୋଇଛି। ଟ୍ରମ୍ପ ୨୦ ଜାନୁଆରୀରେ ଆମେରିକାର ୪୭ ତମ ରାଷ୍ଟ୍ରପତି ରୂପରେ ଶପଥ ନେବେ। ସେ ଏଚ୍-୧ ବି ଭିସାର ସମର୍ଥନ କରିଛନ୍ତି।