ନୂଆଦିଲ୍ଲୀ ୨୧/୧୨: ଅଷ୍ଟ୍ରିଆରେ ଜଣେ ଦମ୍ପତି ଦୀର୍ଘ ୪ ଦଶନ୍ଧି ଧରି ଏକ ଅଜବ ଦୁର୍ନୀତିରେ ଲିପ୍ତ ଥିଲେ । ଦୁହେଁ ବାରମ୍ବାର ପରସ୍ପରକୁ ବିବାହ ଓ ଛାଡ଼ପତ୍ର ଦେଉଥିଲେ । ଜର୍ମାନୀର ଏକ ଖବରକାଗଜ ଅନୁସାରେ, ୭୩ ବର୍ଷୀୟା ଜଣେ ମହିଳାଙ୍କ ପ୍ରଥମ ସ୍ୱାମୀଙ୍କ ମୃତ୍ୟୁ ୧୯୮୧ ମସିହାରେ ହୋଇଥିଲା । ଏହା ପରେ ଅନେକ ବର୍ଷ ମଧ୍ୟରେ ବିଧବା ଭତ୍ତା ଶୁଳ୍କ ବାବଦକୁ ସେ ମୋଟ୍ ୩୪୨,୦୦୦ ଡଲାର ପାଇଲେ । କିନ୍ତୁ ୧୯୮୨ ମସିହାରେ ସେ ପୁନଃ ବିବାହ କଲେ । ଏଥିସହିତ ତାଙ୍କର ବିଧବା ଭତ୍ତା ବନ୍ଦ ହୋଇଯିବା କଥା, କିନ୍ତୁ ତାଙ୍କୁ ମୋଟା ଅଙ୍କର କ୍ଷତିପୂରଣ ମିଳିଲା ।
ଦମ୍ପତି ଏମିତି ମାର୍ଗ ଆପଣେଇଲେ, ଯାହା ଦ୍ୱାରା ପ୍ରତ୍ୟେକ ଥର ବିବାହ ପରେ ସେମାନଙ୍କୁ ଭତ୍ତା ମିଳିଲା । ୧୯୮୮ ମସିହାରେ ଦମ୍ପତି ଏହି ସ୍କାମ୍ ଆରମ୍ଭ କଲେ । ବିବାହର ପ୍ରାୟ ୬ ବର୍ଷ ପରେ ୧୯୮୮ରେ ପ୍ରଥମେ ଉଭୟଙ୍କର ବିବାହ ବିଚ୍ଛେଦ ହେଲା । ସ୍ୱାମୀଙ୍କର ବାରମ୍ବାର ଅନୁପସ୍ଥିତିକୁ କାରଣ ବୋଲି ଦର୍ଶାଇ ଉଭୟଙ୍କର ଛାଡ଼ପତ୍ର ହେଲା । ଏହା ପରେ ମହିଳାଙ୍କର ବିଧବା ଭତ୍ତା ପୁଣି ଚାଲୁ ହେଲା । କିନ୍ତୁ ଯେତେବେଳେ ଦମ୍ପତି ପୁଣି ବିବାହ କରିବାକୁ ନିଷ୍ପତ୍ତି ନେଲେ, ମହିଳା ନିଜର ଭତ୍ତା ସୁବିଧା ହରାଇଦେଲେ । ଏଥିଯୋଗୁ ତାଙ୍କୁ ପୁଣି ଥରେ ୩୪,୦୦୦ ଡଲାର କ୍ଷତିପୂରଣ ମିଳିଲା । ଏହି ଧାରା ଜାରି ରହିଲା । ବିଗତ ୪୩ ବର୍ଷରେ ଦମ୍ପତି ୧୨ରୁ ଅଧିକ ଥର ବିଚ୍ଛେଦ ଓ ପୁନଃ ବିବାହ କଲେ । ପ୍ରତି ଥର ସେମାନଙ୍କର ବୈବାହିକ ସମ୍ପର୍କ ମାତ୍ର ୩ ବର୍ଷ ରହୁଥିଲା । ଏଥିସହିତ ମହିଳା ୧୩ ଥର କନ୍ୟା ସାଜିଥିଲେ ।
ପ୍ରତ୍ୟେକ ଥର ଛାଡ଼ପତ୍ର ପରେ ମହିଳାଙ୍କୁ ବିଧବା ଭତ୍ତା ମିଳିଯାଉଥିଲା, ସେପଟେ ତାଙ୍କ ଟ୍ରକ୍ ଚାଳକ ସ୍ୱାମୀ ଚାକିରି ପାଇଁ ଘରଠୁ ଦୂରରେ ରହୁଥିଲେ । ୨୦୨୨, ମେ’ ମାସରେ ମହିଳାଙ୍କର ଛାଡ଼ପତ୍ର ପରେ ଭତ୍ତା କର୍ତ୍ତୃପକ୍ଷ ତାଙ୍କର ବିଧବା ଭତ୍ତା ପୁନଃ ଲାଗୁ କରିବାକୁ ମନା କରିବାରୁ ଦମ୍ପତି ନିକଟରେ ପେନ୍ସନ ଫଣ୍ଡ ବିରୋଧରେ ମକଦ୍ଦମା କଲେ । ଉଭୟଙ୍କ ସନ୍ଦେହଜନକ ବୈବାହିକ ଜୀବନର ଇତିହାସ ବିଷୟରେ ଜାଣିବା ପରେ ପେନ୍ସନ ଭତ୍ତା ଦେବାକୁ ଫଣ୍ଡ୍ ମନା କରିଥିଲା ।
ଅଷ୍ଟ୍ରିଆ ସୁପ୍ରିମକୋର୍ଟ ଦମ୍ପତିଙ୍କ ମାମଲାକୁ ଖାରଜ କରି କହିଲେ, ବାସ୍ତବରେ ଯଦି ବିବାହ ବିଚ୍ଛେଦ ହୋଇନାହିଁ ଏବଂ କେବଳ ବିଧବା ଭତ୍ତା ଦାବି ପାଇଁ ଯଦି ଛାଡ଼ପତ୍ର ଦିଆଯାଉଥାଏ, ତେବେ ସେହି ସାଥୀଙ୍କୁ ବାରମ୍ବାର ବିବାହ କରିବା ଓ ତା’ପରେ ଛାଡ଼ପତ୍ର ଦେବା ଦୁର୍ବ୍ୟବହାର ଅନ୍ତର୍ଗତ । ଦମ୍ପତିଙ୍କ ପରିଜନ ଓ ପଡ଼ୋଶୀ ଦାବି କରିଛନ୍ତି, ପ୍ରକୃତରେ ଉଭୟଙ୍କର କଦାପି ବିବାହ ବିଚ୍ଛେଦ ହୋଇନଥିଲା । ଦୀର୍ଘ ଦଶନ୍ଧିର ବିଚ୍ଛେଦ ଓ ମିଳନର ଯାତ୍ରା ମଧ୍ୟରେ ସେମାନେ ଏକାଠି ସୁଖୀ ଦାମ୍ପତ୍ୟ ଜୀବନ ବିତାଉଥିଲେ । କୋର୍ଟଙ୍କ ନିଷ୍ପତ୍ତି ପରେ ଷ୍ଟାଇରିଆନ୍ ଷ୍ଟେଟ୍ ପୁଲିସ ଡାଇରେକ୍ଟୋରେଟ୍ ଏକ ଠକେଇ ମାମଲା ରୁଜୁ କରି ଯାଞ୍ଚ୍ ଆରମ୍ଭ କଲା । ଅନ୍ୟପକ୍ଷେ, ଦମ୍ପତି ସେମାନଙ୍କର ୧୨ ଥର ବିବାହ ବିଚ୍ଛେଦ ହୋଇଥିବା ଦାବି କରିଛନ୍ତି । କିନ୍ତୁ ଅଧିକାରୀମାନେ ଛାଡ଼ପତ୍ରକୁ ସ୍ୱୀକାର କରିବାକୁ ମନା କରିଛନ୍ତି । ବର୍ତ୍ତମାନ ଉଭୟ ଆଇନଗତ ଭାବେ ବିବାହିତ ଏବଂ ଭବିଷ୍ୟତରେ ଉଭୟଙ୍କର ଆଉ ଛାଡ଼ପତ୍ର ହେବ ନାହିଁ ।