ଖଲ୍ଲିକୋଟ,୩୦/୦୬: ଗାଁଠାରୁ ଅଳ୍ପ ଦୂର ପାହାଡ଼କୁ ଛେଳି ଚରାଇବାକୁ ଯାଇଥିଲେ । ରାତି ପ୍ରାୟ ୧୧ଟାରେ ଛେଳିପଲ ଧରି ଫେରୁଥିଲେ। ଫେରିବାବେଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାର୍ ହେବା ବେଳେ ଏକ ଟ୍ରକ୍ ଛେଳିପଲଙ୍କ ଉପରେ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ୨୯ଟି ଛେଳିଙ୍କ ମୃତ୍ୟୁ ହୋଇଥିଲା । ଚଣ୍ଡୀ ଢାବା ନିକଟରେ ଶୁକ୍ରବାର ବିଳମ୍ବିତ ରାତି ୧୧ଟାରେ ଏହି ଅଘଟଣ ଘଟିଛି । ଏହି ମୃତ ଛେଳିଗୁଡ଼ିକ ଉକ୍ତ ଥାନା ଅଧୀନ ଦଲିବାଟି ଗାଁର କୈଳାସ ପାତ୍ରଙ୍କର ବୋଲି ଜଣାପଡ଼ିଛି । ଅନ୍ୟ ଶତାଧିକ ଛେଳି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ।
ସୂଚନା ଅନୁସାରେ ପ୍ରତିଦିନ ପରି ଶୁକ୍ରବାର ସକାଳେ କୈଳାସ ଛେଳିପଲ ଧରି ଗାଁଠାରୁ ୨ କିଲୋମିଟର ଦୂର ପାହାଡ଼କୁ ଚରାଇବାକୁ ଯାଇଥିଲେ । ତାଙ୍କ ସହ ଆଉ ଦୁଇ ଜଣ ଛେଳି ଚରାଇ ଯାଇଥିଲେ । କୈଳାସ ୧୦୦ରୁ ଅଧିକ ଛେଳି ରଖିଥିଲେ । ଗାଁର ଅନ୍ୟ କେତେକ ଲୋକଙ୍କ ଛେଳି ମଧ୍ୟ କୈଳାସ ଚରାଇ ନିଅନ୍ତି । ତାଙ୍କୁ ଏଥିରେ ଅନ୍ୟ ଦୁଇ ଜଣ ସହଯୋଗ କରନ୍ତି । କୈଳାସ ସେମାନଙ୍କୁ ମଜୁରି ଦେଇଥାନ୍ତି । ତେବେ ଶୁକ୍ରବାର ରାତି ପ୍ରାୟ ୧୧ଟାରେ ଛେଳି ଧରି ଘରକୁ ଲେଉଟିବା ବେଳେ ଉକ୍ତ ରାଜପଥରେ ଏକ ଟ୍ରକ୍ (ଏପି୩୯ଟିବି-୫୬୬୫) ଛେଲିପଲ ଉପର ଦେଇ ମାଡ଼ି ଯିବାରୁ ୨୯ଛେଳିଙ୍କ ମୃତ୍ୟୁ ହୋଇଛି । ଉକ୍ତ ଟ୍ରକ୍ଟି ଭୁବନେଶ୍ୱରରୁ ବ୍ରହ୍ମପୁର ଦିଗରେ ଯାଉଥିଲା ।
ଏକକାଳୀନ ୨୯ଟି ଛେଳିଙ୍କୁ ଟ୍ରକ୍ ଚାପି ଦେବା ପରେ କୈଳାସ ଭାଙ୍ଗି ପଡ଼ିଛନ୍ତି । ଏ ସମ୍ପର୍କରେ ଶନିବାର ଛେଳି ମାଲିକ କୈଳାସ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରିଛି । ଟ୍ରକ୍କୁ ଜବତ କରିବା ସହ ଡ୍ରାଇଭର୍କୁ ଅଟକ ରଖିଛି । ସମସ୍ତ ମୃତ ଛେଳି କୈଳାସଙ୍କର ନା ଅନ୍ୟ କାହାର ଛେଳି ରହିଛି ତାହା ସ୍ପଷ୍ଟ ଜଣାପଡ଼ି ନାହିଁ । କୈଳାସ ଛେଳି ଚରାଇ ପରିବାର ପ୍ରତିପୋଷଣ କରନ୍ତି । ଏହି ଅଭାବୀ କ୍ଷତିଗ୍ରସ୍ତ ଛେଳିଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ବୋଲି ଦୃଢ଼ ଦାବି ହୋଇଛି ।